ଭୁବନେଶ୍ୱର ୨୩/୦୫: ଆଜିକା ଦୁନିଆରେ ମୋବାଇଲ୍‌ ଆମ ଜୀବନରେ ଅଭିନ୍ନ ଅଙ୍ଗ ହୋଇପଡିଲାଣି। ଏହି ଉପକରଣ ଆମ ଜୀବନର ଅଧାରୁ ଅଧିକ କାମକୁ  ସହଜ କରିପାରିଛି। ଘରେ ବସି ଟିକେଟ୍‌ ବୁକିଂ କରିବାଠାରୁ ଆରମ୍ଭ କରି  ଅନଲାଇନ୍‌ ସପିଂ କିମ୍ବା ଟଙ୍କା ହସ୍ତାନ୍ତର ସବୁକିଛି ମୋବାଇଲରେ କରିବା ସମ୍ଭବ ହେଉଛି। ତେଣୁ ଏହାର ଆବଶ୍ୟକତା କ୍ରମଶଃ ବଢିଚାଲିଛି। 

ପିଲାଙ୍କଟାରୁ ଆରମ୍ଭ କରି ବୁଢା ଯାଏ ସମସ୍ତେ ଲଗାତାର ମୋବାଇଲ୍‌ ବ୍ୟବହାର କରିବାରେ ବ୍ୟସ୍ତ। ପ୍ରାୟ ଲୋକ ସୋସିଆଲ୍‌ ମିଡିଆରେ ଅଧିକରୁ ଅଧିକ ସମୟ ବିତାଇବାରେ ଲାଗିଛନ୍ତି। ଯାହା ଲୋକମାନଙ୍କ ପାଇଁ  ସମସ୍ୟାର ବାଟ ଖୋଲି ଚାଲିଛି। ମୁଣ୍ଡବିନ୍ଧା, ନିଦ ନ ହେବା, ଚାପଗ୍ରସ୍ତ  ଆଖିରୁ ଆରମ୍ଭ କରି ବେକ ଓ ପିଠି  ଯନ୍ତ୍ରଣା ପରି ସମସ୍ୟାମାନ ଦେଖାଦେଇଥାଏ। ଏହା ସତ୍ତ୍ୱେ ମଧ୍ୟ ଲୋକମାନେ ଏହାର ବ୍ୟବହାରକୁ କମାଇବାକୁ ରାଜି ନୁହଁନ୍ତି। ଏବେ ଏହି ସମସ୍ୟାରେ ଯୋଡି ହୋଇଯାଇଛି ଟେକ୍ସଟ୍‌ ନେକ୍‌ ସିଣ୍ଡ୍ରୋମ୍‌।

ବେକ ନଇଁ ଯାଏ :

ଲଗାତାର ମୋବାଇଲ୍‌ ବ୍ୟବହାର ପାଇଁ ନଇଁବା ଦ୍ୱାରା ଲୋକମାନଙ୍କର ବେକ ଆଗକୁ ନଇଁ ପଡିଥାଏ। ଏହାକୁ ଟେକ୍ସଟ୍‌ ନେକ୍‌ ସିଣ୍ଡ୍ରୋମ୍‌ କୁହାଯାଏ।  ଏହାଦ୍ୱାରା ମେରୁଦଣ୍ଡ ହାଡ ଉପରେ ଅଧିକ ଚାପ ପଡିଥାଏ।  ଫଳରେ ବେକ ଯନ୍ତ୍ରଣା  ଓ ବେକର ମାଂସପେଶୀ ଟାଣ ହୋଇଯାଇଥାଏ। ଏହା ସହିତ ସର୍ଭାଇକାଲ୍‌ ସ୍ପାପାଇନକୁ ମଧ୍ୟ କ୍ଷତି ପହଞ୍ଚିଥାଏ। ଟେକ୍ସଟ୍‌ ନେକ୍‌ର ଲକ୍ଷଣ ମୁଣ୍ଡ ଓ ବେକ ଯନ୍ତ୍ରଣା ହୋଇଥାଏ। ବେକ ଆଗକୁ ନଇଁ ପଡିଥାଏ।  ଫଳରେ ମେରୁଦଣ୍ଡ ହାଡର ଆକାର ମଧ୍ୟ ବଦଳିଯାଇଥାଏ। ଏପରିକି ଶେଷରେ ବେକର ସର୍ଜରୀ କରିବାକୁ ପଡିପାରେ।

ଲକ୍ଷଣ :

ବେକ ଯନ୍ତ୍ରଣା, କାନ୍ଧ ଓ ବେକରେ ଷ୍ଟିପନେସ୍‌, ପିଠିର ଉପରି ଭାଗରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, ମାଂସପେଶୀ ଟାଣ ଲାଗିବା, ହାତ ଆଙ୍ଗୁଳି ଝିମ୍ ଝିମ୍‌ ହେବା ଓ ବସିବା ଶୈଳୀରେ ପରିବର୍ତ୍ତନ ଆଦି ହୋଇଥାଏ। ଯଦି ଏପରି ଲକ୍ଷଣ ଦେଖାଦେଉଥାଏ, ତେବେ ସମସ୍ୟା ଗଭୀର ହୋଇଥାଇପାରେ।  ଏହି ସ୍ଥିତିରେ ବେକ ହାଡ ତୀକ୍ଷ୍ଣ ହୋଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ ମୋବାଇଲର ବ୍ୟବହାରକୁ କମ୍‌ କରିବାକୁ ପଡିଥାଏ। ପିଲାମାନଙ୍କୁ ମୋବାଇଲ୍‌ ଦେବା ଆଦୌ ଉଚିତ୍‌ ନୁହେଁ।