ଭୁବନେଶ୍ୱର ୨୩/୦୫: ସୁସ୍ଥ ରହିବା ପାଇଁ ଶରୀରରେ ଭିଟାମିନ୍ସ ଓ ମିନେରାଲ୍ସ ଭରପୂର  ରହିବା ଆବଶ୍ୟକ । ଭିଟାମିନ୍‌ ବି୧୨’ର ଅଭାବ ପୁରୁଷ ନା ମହିଳାଙ୍କଠାରେ ବେଶୀ ଦେଖାଦିଏ ।  

ଆଜିକାଲିର ବ୍ୟସ୍ତବହୁଳ ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି  ନିଜର ସ୍ୱାସ୍ଥ୍ୟକୁ ଅଣଦେଖା କରିବାରେ ଲାଗିଛନ୍ତି । ବିଶେଷକରି ଖାଦ୍ୟପାନୀୟ କ୍ଷେତ୍ରରେ ଅଧିକାଂଶ ଲୋକ ଘର ଖାଦ୍ୟ ଛାଡ଼ି ବାହାର ଫାଷ୍ଟ ଫୁଡ୍‌, ପ୍ରୋସେସ୍‌ ଫୁଡ୍‌ ଓ ଛଣାଛଣି ଖାଦ୍ୟକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ତେଣୁ ଶରୀରକୁ ପର୍ଯ୍ୟାପ୍ତ ପୋଷକ ତତ୍ତ୍ୱର ମିଳିପାରୁନାହିଁ । ଫଳରେ ଅନେକ  ପ୍ରକାରର ପୋଷକ ତତ୍ତ୍ୱର ଅଭାବଜନିତ ସମସ୍ୟା  ଦେଖିବାକୁ ମିଳୁଛି । ଭିଟାମିନ୍‌-ବି ୧୨ ଅଭାବ ଆଜିକାଲି ପ୍ରାୟ ଲୋକଙ୍କ ପାଇଁ ଖୁବ୍‌ ସାଧାରଣ ହୋଇପଡିଲାଣି । ଏହା ଶରୀର ପାଇଁ ଖୁବ୍‌ ଜରୁରି ପୋଷକ ତତ୍ତ୍ୱ, ଯାହା ସ୍ନାୟୁର ସ୍ୱାସ୍ଥ୍ୟ, ମସ୍ତିଷ୍କର  କାର୍ଯ୍ୟକ୍ଷମତା, ଲାଲ୍‌ ରକ୍ତକଣିକାର ନିର୍ମାଣରେ  ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହାର ଅଭାବରେ  ଥକାପଣ, ମୁଣ୍ଡ ବୁଲାଇବା, ଭୁଲିବା ସମସ୍ୟା ଓ ଅବସାଦ  ପରି ସମସ୍ୟା ଦେଖିବାକୁ ମିଳିଥାଏ । ଏବେ ପ୍ରଶ୍ନ ଉଠୁଛି  ଏହି ଭିଟାମିନ୍‌-ବି୧୨ ଅଭାବ କାହାଠାରେ ଅଧିକ ଦେଖାଦିଏ ।  

ମହିଳା ନା ପୁରୁଷଙ୍କଠାରେ? ଏହା କେବଳ ଶାକାହାରୀ ନା  ମାଂସାହାରୀଙ୍କଠାରେ ମଧ୍ୟ ଦେଖା ଦିଏ? ଚାଲନ୍ତୁ ଜାଣିବା ନୋଏଡାର  ମେଟ୍ରୋ ହସ୍ପିଟାଲ୍‌ର ମେଡିସିନ୍‌ ଡାକ୍ତର ଅକ୍ଷୟ ଗୁଗାଙ୍କଠାରୁ ।  ଭିଟାମିନ୍‌-ବି ୧୨ର ଅଭାବ ଉଭୟ ପୁରୁଷ ଓ ମହିଳାଙ୍କଠାରେ  ହୋଇଥାଏ । କିଛି ସ୍ଥିତିରେ ମହିଳାଙ୍କଠାରେ ଏହାର ଆଶଙ୍କା ଅଧିକ  ରହିଥାଏ । ବିଶେଷକରି ଯେଉଁ ମହିଳାମାନେ ଶାକାହାରୀ, ଗର୍ଭବତୀ  ଓ ବୟସ୍କ ହୋଇଥାନ୍ତି । ଦ୍ୱିତୀୟତଃ, ପୁରୁଷଙ୍କ କ୍ଷେତ୍ରରେ ଏହାର  ଅଭାବ ସେତେବେଳେ ଦେଖାଦିଏ, ଯେତେବେଳେ ସେମାନେ  ଖରାପ ଜୀବନଶୈଳୀ ଗ୍ରହଣ କରିବା ସହ ଅଧିକ ଧୂମପାନ  କରୁଥାନ୍ତି ବା ୬୦ ବର୍ଷରୁ ଅଧିକ ବୟସ୍କଙ୍କଠାରେ ଏହାର ଆଶଙ୍କା  ଅଧିକ ରହିଥାଏ । କାରଣ ଏହି ବୟସରେ ବ୍ୟକ୍ତିର ଅବଶୋଷଣ  ତନ୍ତ୍ର ଦୁର୍ବଳ ରହିଥାଏ ।  

ଲକ୍ଷଣ 

ଲଗାତାର ଥକିବା ଓ ଦୁର୍ବଳ ଲାଗିବା, ହାତଗୋଡ଼ ଝିମ୍‌ ଝିମ୍‌  ହେବା, ମୁଣ୍ଡ ବୁଲାଇବା, ଧ୍ୟାନକେନ୍ଦ୍ରୀତ କରିବାରେ ସମସ୍ୟା,  ଭୁଲିଯିବା, ଅବସାଦ ଓ ମୁଡ୍‌ ସ୍ୱିଇଂ, ଭୋକ ନ ହେବା ଓ ହୃଦ୍‌ ସ୍ପନ୍ଦନ ବଢିବା ଆଦି ଭିଟାମିନ୍‌-ବି୧୨ ଅଭାବର ଲକ୍ଷଣ । ଏହା ପ୍ରାୟତଃ ଶାକାହାରୀମାନଙ୍କଠାରେ ଅଧିକ ଦେଖା ଦେଇଥାଏ । ବୟସ ବଢିବା ସହ ଶରୀରରେ ପୋଷକ ତତ୍ତ୍ୱର ଅବଶୋଷଣ କମ୍‌  ହୋଇଥାଏ । ମଧୁମେହ ଦୀର୍ଘଦିନ ରହିବା ପରେ ଔଷଧ ଖାଇବା ଯୋଗୁ ଏହି ଅଭାବ ଦେଖା ଦେଇପାରେ । ଏହାକୁ ପରୀକ୍ଷା ଦ୍ୱାରା ଚିହ୍ନଟ କରାଯାଇଥାଏ। ଯଦି ଭିଟାମିନ୍‌-ବି ୧୨ର ସ୍ତର ୨୦୦ପିଜି/ ଏମ୍‌ଏଲ୍‌ରୁ କମ୍‌ ରହିଥାଏ, ତେବେ ଡାକ୍ତର ଡାଏଟ୍‌ରେ ପରିବର୍ତ୍ତନ  ପାଇଁ ପରାମର୍ଶ ଦେଇଥାନ୍ତି ।  

କେମିତି କରିବେ ନିୟନ୍ତ୍ରଣ?

ଦୁଧ, ଦହି, ପନୀର, ଅଣ୍ଡା, ମାଛ, ଚିକେନ୍‌ ଆଦି ବି ୧୨ ଯୁକ୍ତ  ଖାଦ୍ୟ । ଯଦି ଶାକାହାରୀ ହୋଇଥାନ୍ତି, ତେବେ ଡାକ୍ତର ପରାମର୍ଶ  କରି ସପ୍ଲିମେଣ୍ଟ ନେବା ଜରୁରି ।