ନୂଆଦିଲ୍ଲୀ,୨୮।୨:  ଇସ୍ରାଏଲ ଓ ଆମେରିକା ମିଳିତ ଭାବରେ ଶନିବାର ସକାଳୁ ଇରାନ ଉପରେ ବଡ଼ ଧରଣର ସାମରିକ ଆକ୍ରମଣ ଆରମ୍ଭ କରିଛନ୍ତି। ବହୁ ସହର ଉପରେ ଆକ୍ରମଣ ହୋଇଛି। ଏହାପରେ ପୁରା ମଧ୍ୟ ପ୍ରାଚ୍ୟାରେ ସ୍ଥିତି ଖୁବ୍ ଚିନ୍ତାଜନକ ହୋଇଯାଇଛି। ଇସ୍ରାଏଲ ଏହାକୁ ‘ପ୍ରିଏମ୍ପଟିଭ୍ ଷ୍ଟ୍ରାଇକ୍’ ବୋଲି କହିଛି । ସମ୍ଭାବିତ ଆକ୍ରମଣ ବିପଦକୁ ରୋକିବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରିପୋର୍ଟ ଅନୁସାରେ, ତେହରାନ,ଇସଫାହାନ,କ୍ରୋଓ ଖୋର୍ରମାବାଦ ସହିତ ବହୁ ସହରରେ ମିସାଇଲ ଓ ଏୟାରଷ୍ଟ୍ରାଇକ ଆରମ୍ଭ ହୋଇଛି। ତେହରାନରେ ୟୁନିଭର୍ସିଟି ଷ୍ଟ୍ରିଟ୍ ଅଞ୍ଚଳ,ସୁପ୍ରିମକୋର୍ଟ ଓ ନ୍ୟାୟ ମନ୍ତ୍ରଣାଳୟ ନିକଟରେ ବିସ୍ଫୋରଣ ହୋଇଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ଘରକୁ ଟାର୍ଗେଟ କରାଯାଇ ଏହି ଆକ୍ରମଣ କରାଯାଇଥିଲା। ତେବେ ଖାମେନିଙ୍କୁ ପୂର୍ବରୁ ଏକ ସୁରକ୍ଷିତ ବଙ୍କରକୁ ସ୍ଥାନାନ୍ତର କରାଯାଇଥିଲା।

ବିସ୍ଫୋରଣରେ ଥରିଲା ଜେରୁଜେଲମ୍‌

ଇରାନର ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) କହିଛି ଇସ୍ରାଏଲୀ ଏବଂ ଆମେରିକାର ଆକ୍ରମଣର ଜବାବରେ ଏକ ବଡ଼ ଧରଣର କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି। ଏହି କାର୍ଯ୍ୟାନୁଷ୍ଠାନ ଇସଲାମିକ ଗଣରାଜ୍ୟ ଉପରେ ଆକ୍ରମଣର ଜବାବରେ କରାଯାଇଥିଲା ଏବଂ ଇସ୍ରାଏଲ ଆଡ଼କୁ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ବର୍ତ୍ତମାନ ଜେରୁଜେଲମରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଏଏଫ୍‌ପି ଅନୁଯାୟୀ, ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ସକ୍ରିୟ କରାଯାଇଛି, ଏବଂ ସାରା ଦେଶରେ ସାଇରନ ବାଜୁଛି।

ୟୁଏଇରେ ଥିବା ଆମେରିକୀୟ ବାୟୁସେନା ଘାଟିରେ ହମଲା:

ସେଭଳି ୟୁଏଇରେ ଥିବା ଆମେରିକୀୟ ବାୟୁସେନା ଘାଟି, ଅଲ୍ ଧାଫ୍ରା ଉପରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଛି ଇରାନ। ଆକ୍ରମଣ ପରେ, ଏହି ଅଞ୍ଚଳରେ ହାଇ ଆଲର୍ଟ ଘୋଷଣା କରାଯାଇଛି। ଏହି ସମୟରେ ପ୍ରାୟ ୨୦ଟି ଆମେରିକୀୟ ଏବଂ ଇସ୍ରାଏଲୀ ଯୁଦ୍ଧ ବିମାନ ଇରାନ ଉପରେ ଆକ୍ରମଣ ପାଇଁ ଦାରା ଅଞ୍ଚଳ ଉପରେ ଉଡୁଥିଲେ। ମଧ୍ୟପ୍ରାଚ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସଂଘର୍ଷ ଏବେ ଉପସାଗରୀୟ ଦେଶଗୁଡ଼ିକ ପାଇଁ ସିଧାସଳଖ ବିପଦ ସୃଷ୍ଟି କରିଛି ଏବଂ ଅନେକ ସାମରିକ ଘାଟିକୁ ଟାର୍ଗେଟ କରାଯିବାର ଆଶଙ୍କା କରାଯାଉଛି।

ଇରାନ ଦେଲା ଚେତାବନୀ 

ସ୍ଥିତି ବିଗୁଡୁଥିବାର ଦେଖି ଇରାନ ନିଜର ପୁରା ଏୟାରସ୍ପେସ୍ ବନ୍ଦ କରି ଦେଇଛି। ଏହାଛଡା ଚେତାବନୀ ଦେଇଛି, ମେସାନେ ଆକ୍ରମଣ ଆରମ୍ଭ କଲେ,କିନ୍ତୁ ଆମେ ଯୁଦ୍ଧ ଶେଷ କରିବୁ। ଇସ୍ରାଏଲରେ ଏମର୍ଜେନ୍ସିଂ ଲଗାଇ ଦିଆଯାଇଛି। ଲୋକଙ୍କ ଆଶ୍ରୟସ୍ଥଳୀରେ ରହିବାକୁ ନିର୍ଦେଶ ଦିଆଯାଇଛି। କତରରେ ଥିବା ଆମେରିକା ଦୂତାବାସ ମଧ୍ୟ ନିଜ କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ନିର୍ଦେଶ ଦେଇଛି। ଏହା ଭିତରେ ବହୁ ଦେଶ ନିଜର ଦୂତାବାସକୁ ଖାଲି କରିବା କାମ ଆରମ୍ଭ କରିଛନ୍ତି। ଆର୍ଜେଣ୍ଟିନା,ବ୍ରିଟେନ୍, ନ୍ୟୁଜିଲାଣ୍ଡ,ୟୁକ୍ରେନ୍ ଓ ଆଇସଲ୍ୟାଣ୍ଡ ତେହରାନରୁ ଷ୍ଟାଫ୍ ହଟାଇ ଦେଇଛନ୍ତି।

ଇରାନ ଉପରେ କାହିଁକି ଆକ୍ରମଣ କଲା ଇସ୍ରାଏଲ ?

ଇସ୍ରାଏଲୀ ପ୍ରତିରକ୍ଷା ସୂତ୍ର ଅନୁଯାୟୀ, ଏହି ଅଭିଯାନ କିଛି ମାସ ଧରି ଯୋଜନା କରାଯାଇଛି ଏବଂ ଏହାର ଲକ୍ଷ୍ୟ ଇରାନର ସୁରକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିବା। ଆମେରିକାର ଅଧିକାରୀମାନେ ମଧ୍ୟ ସୂଚିତ କରିଛନ୍ତି ଯେ ଆକ୍ରମଣଗୁଡ଼ିକ ବଡ଼ ଧରଣର ହେବ ଏବଂ ଇସ୍ରାଏଲ ସହିତ ସମନ୍ୱୟ ରଖି ଏଗୁଡ଼ିକ କରାଯାଉଛି। ଏକ ରିପୋର୍ଟରେ କୁହାଯାଇଛି ଯେ ଅତି କମରେ ଚାରି ଦିନ ପର୍ଯ୍ୟନ୍ତ ପ୍ରବଳ ଆକ୍ରମଣ ଜାରି ରହିପାରେ।

ଆହୁରି ପଢନ୍ତୁ :ଇରାନ ଉପରେ ବଡ଼ ଧରଣର ଆକ୍ରମଣ ପରେ ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି,ଜାଣନ୍ତୁ ଦୂତାବାସ ପକ୍ଷରୁ କ’ଣ କୁହାଗଲା ?