ରାୟଗଡ଼ା,୦୬/୦୨ : କୋରାପୁଟ ସଂସଦୀୟ କ୍ଷେତ୍ରର କୋରାପୁଟ ଏବଂ ରାୟଗଡ଼ା ଜିଲ୍ଲାର ୨୩୮ ଗାଁରେ ମୋବାଇଲ୍ ନେଟୱର୍କ ମିଳୁନି । ସାଂସଦ ସପ୍ତଗିରି ଶଙ୍କର ଉଲାକାଙ୍କ ପ୍ରଶ୍ନରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସଂସଦରେ ଉପରୋକ୍ତ ସୂଚନା ଦିଆଯାଇଛି । ଏହା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଡିଜିଟାଲ୍ ଅସମତାର ଭୟାବହ ଏବଂ ବାସ୍ତବ ଚିତ୍ର ବୋଲି କହିଛନ୍ତି ସାଂସଦ ଶ୍ରୀ ଉଲ୍ଲାକା ।
ଉଲ୍ଲାକାଙ୍କ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ଯୋଗାଯୋଗ ମନ୍ତ୍ରାଳୟ ଆନୁଷ୍ଠାନିକ ଭାବେ ସ୍ୱିକାର କରିଛି, ୩୧ ଡିସେମ୍ବର ୨୦୨୫ ସୁଦ୍ଧା କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ସମୁଦାୟ ୨୩୮ ଗାଁରେ ଏ ପର୍ଯ୍ୟନ୍ତ ମୋବାଇଲ ନେଟୱର୍କ ସଂଯୋଗ ନାହିଁ । ଯଦ୍ୱାରା ଏହି ଗାଁ ଗୁଡ଼ିକ ୪ଜି ଡାଟା ସେବା ସହ ମୌଳିକ ଟେଲି ଯୋଗାଯୋଗରୁ ବଞ୍ଚିତ ରହିଛି । ସରକାରୀ ତଥ୍ୟ ଅନୁଯାୟୀ, କୋରାପୁଟ ଜିଲ୍ଲାର ସମୁଦାୟ ୨,୦୪୭ ଗାଁ ଭିତରୁ ୮୯ରେ ଏବଂ ରାୟଗଡ଼ାର ୨,୬୭୧ ଗାଁ ମଧ୍ୟରୁ ୧୪୯ରେ ମୋବାଇଲ୍ ନେଟୱର୍କ ଉପଲବ୍ଧ ନାହିଁ । ଏହି ସେବାରୁ ବଞ୍ଚିତ ଗାଁ ଗୁଡ଼ିକ ପ୍ରୟତଃ ଆଦିବାସୀ, ପାହାଡ଼ିଆ ଏବଂ ଜଙ୍ଗଲ ଘେରା ଅଞ୍ଚଳର । କୋରାପୁଟ ଜିଲ୍ଲାର ବନ୍ଧୁଗାଁ, ଦଶମନ୍ତପୁର, ଲମତାପୁଟ, ନାରାୟଣପାଟଣା, ପଟ୍ଟାଙ୍ଗୀ ଏବଂ ନନ୍ଦପୁର ବ୍ଲକ୍ ଏବଂ ରାୟଗଡ଼ାର ବିଷମକଟକ, କାଶୀପୁର, କଲ୍ୟାଣସିଂପୁର, ମୁନିଗୁଡ଼ା, ଗୁଣପୁର ଓ ରାୟଗଡ଼ା ବ୍ଲକ୍ରେ ଏଭଳି ଗାଁ ସଂଖ୍ୟା ଅଧିକ । ଏହି ଅଞ୍ଚଳ ଗୁଡ଼ିକରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ବଜାର ସୁଯୋଗ ଓ ପ୍ରଶାସନିକ ସେବା ଅପହଞ୍ଚ ହୋଇରହିଛି ।
ଆହୁରି ପଢନ୍ତୁ-ଜୟପୁରର ଉନ୍ନତି ପାଇଁ ଅଣ୍ଟା ଭିଡ଼ିଛି ପୌରସଂସ୍ଥା,ବାର୍ଷିକ ଆକ୍ସନ ପ୍ଲାନ୍ରେ ୭୧ କାମ ଲାଗି ଡକାଗଲା ଟେଣ୍ଡର
ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡିବିଏନ୍ ଯୋଜନା ଅଧୀନରେ ଶହ ଶହ ମୋବାଇଲ୍ ଟାୱାର ସ୍ଥାପନା ପାଇଁ ପରିକଳ୍ପନା କରାଯାଇଥିଲା । ଗମନାଗମନର ଅଭାବ, ଜମି ଆବଣ୍ଟନ, ଜଙ୍ଗଲ ଓ ବନ୍ୟପ୍ରାଣୀ ସମ୍ପର୍କିତ ମଞ୍ଜୁରୀ ଏବଂ ରାସ୍ତାର ଅଧିକାର ସମ୍ବନ୍ଧୀୟ ଅନୁମତି ମିଳିବାରେ ବିଲମ୍ବ ଯୋଗୁ ଏହି ଯୋଜନା ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଯୋଗାଯୋଗକୁ ସୁଦୃଢ଼ କରିବା ପରିବର୍ତ୍ତେ ଅନେକ ଗ୍ରାମକୁ ଡିଜିଟାଲ୍ ସେବାରୁ ବଞ୍ଚିତ ରଖାଯାଇଛି । ଆଦିବାସୀ ଅଧ୍ୟୁଷିତ ଓ ଦୂରଦୂରାନ୍ତ ଅଞ୍ଚଳ ଗୁଡ଼ିକ ଡିଜିଟାଲ୍ ଭିତ୍ତିଭୂମିରୁ ବାଦ ପଡ଼ିଯିବାର ଗମ୍ଭୀର ଆଶଙ୍କା ରହିଥିବା ଶ୍ରୀ ଉଲ୍ଲାକା କହିଛନ୍ତି ।