ଭୁବନେଶ୍ୱର,୩୦/୦୬; ଆକାଶରେ କଳାହାଣ୍ଡିଆ ମେଘ । ଚାରିଆଡ଼ ଅନ୍ଧାର । ଦିନ ସନ୍ଧ୍ୟା ପରି ଲାଗୁଛି । ବର୍ଷା ସାଙ୍ଗକୁ ପବନ । ଗରମ ଗୁଳୁଗୁଳିରୁ ଆଶ୍ବସ୍ତି ମିଳିଛି । ବର୍ଷାରେ ଭିଜିଛି ଟ୍ୱିନ୍ ସିଟି । ସକାଳୁ ସକାଳୁ ତୁହାକୁ ତୁହା ବର୍ଷାରେ ଭିଜିଛି ଭୁବନେଶ୍ୱର ଏବଂ କଟକ । ଉଭୟ ସହରର କିଛି ସ୍ଥାନରେ ବର୍ଷା ସହ ପବନ ହୋଇଛି । ସକାଳୁ ସକାଳୁ ଏପରି ବର୍ଷା ହେବାରୁ ସ୍କୁଲ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ୟା ଦେଖା ଦେଇଛି । ସକାଳୁଆ ଅଫିସିଆଲ କର୍ମଚାରୀଙ୍କ ପାଇଁ ମଧ୍ୟ ସମସ୍ୟା ଉପୁଜିଛି । କର୍ମକ୍ଷେତ୍ରରେ ପହଞ୍ଚିବା ସେମାନଙ୍କ ପାଇଁ ବିଳମ୍ବ ହୋଇଛି ।
ସକାଳୁ ଭୁବନେଶ୍ବରରେ ପ୍ରବଳ ବର୍ଷା ହୋଇଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ପାଣିପାଗ ସତର୍କ ସୂଚନା ଜାରି କରାଯାଇଛି । ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ଏବଂ ପ୍ରବଳ ପବନ ହେବାର ସମ୍ଭାବନା ରହିଛି। ୭ଟି ଜିଲ୍ଲାକୁ ପ୍ରବଳ ବର୍ଷା ଏବଂ ଝଡ଼ପବନ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଉଛି- କେନ୍ଦୁଝର ଓ ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରି । ବାକି ୨୩ ଜିଲ୍ଲାକୁ ୟେଲୋ ଆଲର୍ଟରେ ରଖାଯାଇଛି ।
ସେପଟେ ଜୁନ୍ ଆଜି ସରିବ । ଧାନ ବୁଣା ହୋଇପାରୁନି । ମେଘ ଖୋଜୁଛି ଚାଷୀ । ଚାତକ ଭଳି ବର୍ଷାକୁ ଅନେଇ ବସିଛି । ବିଶେଷଜ୍ଞଙ୍କ ଆକଳନ, ଏଥର ଚାଷ ସ୍ଥିତି ସାଂଘାତିକ ହୋଇପାରେ । ଆରମ୍ଭରୁ ବର୍ଷା ସଙ୍କଟ ହେଲାଣି । ଏଲ୍-ନିନୋ ପ୍ରଭାବରେ ଆଗକୁ ବି ମଝିରେ ମଝିରେ ବର୍ଷା ହଜିଯିବ । ବ୍ୟାପକ ଜମି ପଡ଼ିଆ ପଡ଼ିପାରେ । ଫସଲ ଉତ୍ପାଦନ କମିବ। ଏମିତି ସ୍ଥିତି ରହିଲେ ମରୁଡ଼ି ସମ୍ଭାବନାକୁ ଟାଳି ହେବନି । ଅନ୍ୟପକ୍ଷରେ ଯେଉଁ ଲଘୁଚାପ ସମ୍ଭାବନାକୁ ନେଇ ବର୍ଷା ବଢ଼ିବା ଆଶା କରାଯାଉଥିଲା, ସେ ନେଇ ବି ସନ୍ଦେହ ଉପୁଜିଲାଣି । ଏମିତିକି ଲଘୁଚାପ ହେବ କି ନାହିଁ ତାହା ନେଇ ବିଶେଷଜ୍ଞ ଦ୍ୱନ୍ଦ୍ୱ ପ୍ରକାଶ କରୁଛନ୍ତି । ଟ୍ୱିନ୍ ସିଟିରେ ଆଜି ବର୍ଷା ଆଶ୍ୱସ୍ତି ଦେଇଛି । ଗରମ-ଗୁଳୁଗୁଳିରୁ ମୁକ୍ତି ଦେଇଛି ।
ଏହା ବି ପଢନ୍ତୁ...Weather Forecast : ଚାଷ ସ୍ଥିତି ସାଂଘାତିକ, ମେଘ ଖୋଜୁଛି ଚାଷୀ, ରାଜ୍ୟରେ ୫୨% ନିଅଣ୍ଟିଆ ବର୍ଷା