ନୂଆଦିଲ୍ଲୀ,୨୪।୩: ଇସ୍ରାଏଲ ସୁରକ୍ଷାବଳ (ଆଇଡିଏଫ୍)ର ଗାଜା ପଟିରେ ଲଗାତାର ଆକ୍ରମଣ ଜାରି ରହିଛି। ଗାଜାର ଅଲଗା ଅଲଗା ଭାଗରେ ଇସ୍ରାଏଲୀ ସେନା ବୋମାମାଡ଼ରେ ଆହୁରି ୨୧ ଜଣଙ୍କର ମୃତ୍ୟୁ ହୋଇଛି। ଗତ ରାତିରେ ଦକ୍ଷିଣ ଗାଜାର ସବୁଠାରୁ ବଡ଼ ହସ୍ପିଟାଲରେ ମଧ୍ୟ ଆଇଡିଏଫ୍ ଆକ୍ରମଣ କରିଥିଲା। ଏହି କାରଣରୁ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ଅନେକ ଆହତ ହୋଇଥିଲେ। ଆକ୍ରମଣରେ ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା। ତାଜା ଆକ୍ରମଣ ପରେ ଗାଜାରେ ଯୁଦ୍ଧ ପୁଣିଥରେ ଭୟଙ୍କର ରୂପ ନେଇଛି। ଜାନୁଆରୀରେ ଅସ୍ତ୍ରବିରତୀ ଲାଗୁ ହୋଇଥିଲେ ମଧ୍ୟ ଗତ ସପ୍ତାହରେ ଏହାକୁ ଇସ୍ରାଏଲ ଆଗ ଉଲଂଘନ କରି ବୋମାମାଡ କରିଥିଲା ।
ବର୍ତ୍ତମାନ ଯୁଦ୍ଧ ଥମିବାର ନାଁ ଲାଗୁନି। କାରଣ ହମାସ ଏବେ ଇସ୍ରାଏଲର ସମର୍ଥନ କରୁଥିବା ଆମେରିକାର ସର୍ତ୍ତ ମାନିବାକୁ ପ୍ରସ୍ତୁତ ନୁହେଁ। ଅନ୍ୟପକ୍ଷେ ଇଜିପ୍ଟର ପ୍ରସ୍ତାବକୁ ଇସ୍ରାଏଲ ଓ ଆମେରିକା ମାନିବାକୁ ପ୍ରସ୍ତୁତ ନୁହେଁ। ଏହା ଭିତରେ ଇସ୍ରାଏଲକୁ ଲାଗିଥିବା ମୁସଲମାନ ଦେଶ ଜୋର୍ଡନ ଗାଜାରେ ବୋମାମାଡ଼ ରୋକିବାକୁ ଅପିଲ କରିଛି ଓ ଇସ୍ରାଏଲ ଆଗରେ ନୂଆ ପ୍ରସ୍ତାବ ଉପସ୍ଥାପିତ କରିଛି। ମିଡିଲ ଇଷ୍ଟ ଆଇର ଏକ ରିପୋର୍ଟ ଅନୁସାରେ, ଗାଜାରେ ଚାଲିଥିବା ଯୁଦ୍ଧକୁ ଶେଷ କରିବାକୁ ଚେଷ୍ଟା କରୁଛି ଜୋର୍ଡାନ। ତେଣୁ ସେ ହମାସ ଓ ଏହାର ସେନା ଓ୍ବିଙ୍ଗର ୩୦୦୦ ସଦସ୍ୟ ଓ ଯୋଦ୍ଧାଙ୍କୁ ଗାଜା ପଟିରୁ ପଳାୟନ ଓ ନିର୍ବାଚନ କରିବାର ଯୋଜନାର ପ୍ରସ୍ତାବ ଦେଇଛି।
ଉଲ୍ଲେଖନୀୟ ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ମଧ୍ୟ ଏଭଳି ସମାନ ପ୍ରସ୍ତାବ ଦେଇ ସାରିଛନ୍ତି। ଯାହାକୁ ବହୁ ଆରବ ଦେଶ ଖଣ୍ଡନ କରିସାରିଛନ୍ତି। ଆମେରିକା ଓ ପାଲେଷ୍ଟାଇନ୍ ସୁତ୍ର ଅନୁସାରେ, ନିର୍ବାସିତ କରାଯାଇଥିବା ଲୋକଙ୍କ ଭିତରେ ସେନା, ନାଗରିକ ନେତା ଓ ହମାସ ସଦସ୍ୟ ଉଭୟ ସାମିଲ ହେବେ। ରିପୋର୍ଟରେ କୁହାଯାଇଛି ଯେ, ଜୋର୍ଡାନର ପ୍ରସ୍ତାବରେ ଏକ ନିର୍ଦ୍ଧାରିତ ସମୟ-ସୀମା ଅନୁସାରେ ଗାଜାରେ ହମାସ ଓ ଅନ୍ୟ ପ୍ରତିରୋଧ ଗୋଷ୍ଠୀଙ୍କ ନିରସ୍ତ୍ରୀକରଣକୁ ମଧ୍ୟ ଆହ୍ବାନ କରାଯାଇଛି। ଏହାଦ୍ବାରା ଯୁଦ୍ଧଗ୍ରସ୍ତ ଗାଜାରେ ହମାସ ଶାସନ ଶେଷ ହୋଇଯିବ ଓ ପାଲେଷ୍ଟାଇନ ପ୍ରଶାସନକୁ ନିୟନ୍ତ୍ରଣ ସମ୍ଭାଳିବାର ଅନୁମତି ମିଳିଯିବ।
ପୁଣି ଗାଜା ଉପରେ ଇସ୍ରାଏଲର ବୋମାମାଡ଼, ୫୧ ମୃତ, ଏ ପର୍ଯ୍ୟନ୍ତ ଗଲାଣି ୫୦ ହଜାର ପାଲେଷ୍ଟିନୀୟଙ୍କ ଜୀବନ