ନୂଆଦିଲ୍ଲୀ,୧୩/୦୧ : ପ୍ରେମ କରି ବିବାହ କରିବା ପଡ଼ିଲା ମହଙ୍ଗା। ବାପା ଉଜାଡ଼ି ଦେଲା ଝିଅର ସଂସାର। ଜ୍ୱାଇଁକୁ ହତ୍ୟା କଲା ଶ୍ବଶୁର। ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ବିହାରର ମୁଜାଫରପୁର ଜିଲ୍ଲାର ସିୱାଇପଟ୍ଟି ଥାନା ଅଞ୍ଚଳରୁ। ମୃତ ଯୁବକ ଜଣକ ହେଲେ ତନୁ କୁମାରୀ ସ୍ୱାନୀଙ୍କ ସ୍ୱାମୀ ଆୟୁଷ କୁମାର ।
ରିପୋର୍ଟ ଅନୁସାରେ, ରବିବାର ବିଳମ୍ବିତ ରାତିରେ ଆୟୁଷ ତାଙ୍କ ଘରେ ଶୋଇଥିଲେ। ସେହି ସମୟରେ କିଛି ଲୋକ ହଠାତ୍ ଘରେ ପଶି ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ଆୟୁଷଙ୍କ ମୃତ୍ୟୁ ହୋଇଥିଲା। ହତ୍ୟା ନେଇ ସୂଚନା ପାଇବା ପରେ ସିୱାଇପାଟି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେମାନେ ମୃତଦେହକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ SKMCH ପଠାଇଥିଲେ ଏବଂ ଘଟଣାସ୍ଥଳରୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସଂଗ୍ରହ କରିଥିଲେ। ଏହା ସହିତ ପୁଲିସ ଆଖପାଖରେ ଥିବା ବାସିନ୍ଦାଙ୍କୁ ମଧ୍ୟ ପଚରାଉଚରା କରୁଛି । ଏହି ହତ୍ୟାକାଣ୍ଡ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ଏବଂ ଲୋକଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ସ୍ତ୍ରୀ ତନୁ କୁମାରୀ ସ୍ୱାନୀ ତାଙ୍କ ବାପା ଏବଂ ମାମୁଙ୍କୁ ଦାୟୀ କରିଛନ୍ତି। ତନୁ କହିଛନ୍ତି ଯେ,ସେ ପ୍ରାୟ ଦେଢ଼ ବର୍ଷ ପୂର୍ବେ ତାଙ୍କ ଗାଁର ଜଣେ ଯୁବକ ଆୟୁଷ କୁମାରଙ୍କୁ ପ୍ରେମ ବିବାହ କରିଥିଲେ। ଏହାକୁ ପରିବାର ଲୋକ ସମ୍ପୂର୍ଣ୍ଣ ଭାବେ ବିରୋଧ କରିଥିଲେ । ବିବାହ ପରଠାରୁ ସେମାନଙ୍କୁ ନିରନ୍ତର ହତ୍ୟା ଧମକ ମିଳୁଥିଲା ବୋଲି ମୃତକଙ୍କ ସ୍ତ୍ରୀ କହିଛନ୍ତି ।
ବାପା ଛେଉଣ୍ଡ ହେଲା ୮ ମାସର ଶିଶୁ
ତନୁ ଅଭିଯୋଗ କରିଛନ୍ତି ଯେ, ରବିବାର ବିଳମ୍ବିତ ରାତିରେ ତାଙ୍କ ବାପା, ମାମୁ ଏବଂ ଅନ୍ୟ କିଛି ସମ୍ପର୍କୀୟ ଘରେ ଜୋର ଜବରଦସ୍ତ ପ୍ରବେଶ କରି ସ୍ୱାମୀ ଆୟୁଷଙ୍କୁ ଗୁଳି କରିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସେପଟେ ତନୁଙ୍କର ଏକ ୮ ମାସର ପୁଅ ଅଛି, ଯିଏ ଏବେ ସବୁଦିନ ପାଇଁ ବାପା ଛେଉଣ୍ଡ ହୋଇଯାଇଛନ୍ତି । ଏ ଘଟଣା ସମ୍ପର୍କରେ ଗ୍ରାମାଞ୍ଚଳ ପୁଲିସ ଅଧିକ୍ଷକ ରାଜେଶ କୁମାର ସିଂହ ପ୍ରଭାକର କହିଛନ୍ତି ଯେ, ପୀଡିତାଙ୍କ ବୟାନ ଆଧାରରେ ଏକ ମାମଲା ରୁଜୁ କରାଯାଇଛି। ମାମଲାକୁ ଗମ୍ଭୀରତାର ସହିତ ତଦନ୍ତ କରାଯାଉଛି ଏବଂ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ନିରନ୍ତର ଚଢାଉ ଜାରି ରହିଛି । ପୁଲିସ ଦାବି କରୁଛି ଯେ ସମସ୍ତ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ।