କୋଲକାତା, ୧୪/୦୧ : ଚର୍ଚ୍ଚାରେ ଗଙ୍ଗାସାଗର ମେଳାକୁ ଆସିଥିବା ମୌନି ବାବା । ଗୁରୁଙ୍କ ନିର୍ଦ୍ଦେଶରେ ଦୀର୍ଘ ୭ ବର୍ଷ ହେଲାଣି ମୌନ ରହିଛନ୍ତି ଏହି ବାବା। ଯେଉଁଥିପାଇଁ ତାଙ୍କର ଏପରି ନାମକରଣ ହୋଇଛି। ମୌନି ବାବା ଏକ ସମୟରେ ବହୁତ କଥା କହୁଥିଲେ । ଅଧିକ କଥା କହିବା ଜଣେ ସାଧକର ଆଧ୍ୟାତ୍ମିକ ପ୍ରଗତିରେ ବାଧା ସୃଷ୍ଟି କରେ । ତେଣୁ ସାଧୁମାନଙ୍କର ଏକ ସମାବେଶରେ ଗୁରୁ ଅଜୟ ଭାରତୀ ତାଙ୍କୁ ୧୨ ବର୍ଷ ପାଇଁ ନିରବ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ମୌନି ବାବା ସେହି ନିର୍ଦ୍ଦେଶକୁ ଆଜି ପର୍ଯ୍ୟନ୍ତ ମାନି ଆସିଛନ୍ତି । ଆଉ ପାଞ୍ଚ ବର୍ଷ ପରେ ତାଙ୍କର ବ୍ରତ ପୂରଣ ହେବ । ଯଦିଓ ବାବା କଥା କୁହନ୍ତି ନାହିଁ ଲୋକେ ତାଙ୍କୁ ପ୍ରଶ୍ନ ପଚାରିଲେ ବାବା ତାଙ୍କ ଡାଏରୀରେ ଉତ୍ତର ଲେଖିଦିଅନ୍ତି। ବାବାଙ୍କୁ ମୌନବ୍ରତ ଭଲ ଲାଗୁଥିବା ସେ ଜଣାଇଛନ୍ତି ।    

ବାବୁଘାଟ ସଂଲଗ୍ନ ଗଙ୍ଗାସାଗର ପରିବହନ ଶିବିରରେ ମୌନି ବାବା ବସିଛନ୍ତି । ସାମ୍ନାରେ ପବିତ୍ର ଧୂନି । ହାଲୁକା ଧୂଆଁ । ଯେତେବେଳେ ଅଗ୍ନିଶିଖା କମିଯାଏ ଶିଷ୍ୟ ହନୁମାନ ଗିରି ଏଥିରେ କାଠ ଯୋଡ଼ନ୍ତି । ବରଫ ଢଙ୍କା କେଦାର ଧାମରୁ ଯମୁନା ନଦୀ ବହୁଛି ବୃନ୍ଦାବନ ଧାମ ପର୍ଯ୍ୟନ୍ତ । ଏସବୁଠିକି ବାବା ଯାଆନ୍ତି ଆଉ ଶିଷ୍ୟ ହନୁମାନ ସବୁଠି ବାବାଙ୍କ ସାଥୀ । ମୌନି ବାବା ପରିବହନ ଶିବିରକୁ ଆସିଛନ୍ତି ହେଲେ ଗଙ୍ଗାସାଗର ଯିବେ ନାହିଁ । ସଂକ୍ରାନ୍ତି ଦିନ ସେ କୋଲକାତାରେ ବୁଡ଼ ପକାଇ ଡେରା ଦଣ୍ଡ ଉଠାଇ ରାଧାକୃଷ୍ଣଙ୍କ ଲୀଳାଭୂମି ଅଭିମୁଖେ ଯାତ୍ରା କରିବେ। 

ଏଥର ପ୍ରାୟ ସାଢ଼େ ୫ ଶହ ସନ୍ଥ ଟ୍ରାଞ୍ଜିଟ କ୍ୟାମ୍ପରେ ଶିବିର ସ୍ଥାପନ କରିଛନ୍ତି। ଗଙ୍ଗାସାଗର ସାଧୁ ମହାସଂଘ ଦ୍ୱାରା ଶିବିରରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମବାର୍ଷିକୀ ପାଳନ କରାଯାଇଥିଲା । ମହାସଂଘ ପକ୍ଷରୁ ତାରାପୀଠର ସମୀରନାଥ ଅଘୋରୀ କହିଛନ୍ତି ଯେ ଏଥର ସନ୍ଥଙ୍କ ସଂଖ୍ୟା ବହୁତ ବୃଦ୍ଧିପାଇଛି। ଅନେକ ମହାନ ସନ୍ଥ ଆସିଛନ୍ତି । କେଦାରର ମୌନି ବାବା, କାମାକ୍ଷାର ନିତ୍ୟାନନ୍ଦ ଗିରି, କିନ୍ନରୀ ଆଖଡ଼ାର ମହାମଣ୍ଡଳେଶ୍ୱର ଗାୟତ୍ରୀନନ୍ଦ ଗିରି, ଜୁନା ଆଖଡ଼ାର ଜଳେଶ୍ୱର ଗିରି, ପୁନମ ଗିରି, ମଙ୍ଗଳ ଗିରି, ଲଳିତାନନ୍ଦ ଗିରି ଆସିଛନ୍ତି। ବଙ୍ଗଳାର ମଧ୍ୟ ସନ୍ଥ ଅଛନ୍ତି । ତପସ୍ୟା ଗିରି ତାଙ୍କ ପାଳିତ ହନୁମାନଙ୍କୁ ସାଙ୍ଗରେ ନେଇ ବନଗାଁରୁ ଆସିଛନ୍ତି। ଦୁର୍ଗାପୁରରୁ ମଳୟାନନ୍ଦ ଗିରି ବି ଆସିଛନ୍ତି । ସେ ଗୋପାଳଙ୍କୁ କୋଳରେ ଧରି ବୁଲୁଛନ୍ତି । ଜଣେ ନାଗା ସନ୍ୟାସୀ ମଧ୍ୟ ଅଛନ୍ତି ଯିଏ ବଳାତ୍କାରୀଙ୍କୁ ଗୁଳି କରିବାର ଇଚ୍ଛାରେ ସର୍ବସ୍ୱ ତ୍ୟାଗ କରିଛନ୍ତି । ଏମାନଙ୍କ ସମାବେଶରେ ଗଙ୍ଗାସାଗର ଏକ ମିନି ଇଣ୍ଡିଆ ପାଲଟିଛି ।

ଏହି ଖବରଟିକୁ ପଢନ୍ତୁ- ସ୍ଵାସ୍ଥ୍ୟ ବିଭାଗର ଚରମ ଅବହେଳା, ବନ୍ଧ୍ୟାକରଣ ପରେ ୬୪ ମହିଳା ଗର୍ଭବତୀ