ପୁରୀ ୨୦/୦୫: ବାଣ ନିଆଁରେ ଦେହରୁ ଛାଲ ଉତୁରି ଯାଇଥିଲା । ମାଂସ ଖଣ୍ଡ ଖଣ୍ଡ ହୋଇ ଏଣେତେଣେ ପଡ଼ିଥିଲା । ବାଣ ବିସ୍ଫୋରଣ ସ୍ଥଳରେ ଏପରି ଅବସ୍ଥାରେ ଏକାଧିକ ଶିଶୁ ଲୋଟି ପଡ଼ିଥିଲେ । ବୟସ୍କମାନଙ୍କ ଭିତରୁ କିଏ ତଳେ ବସି ଥରୁ ଥିଲା ତ, ପୁଣି କିଏ ଭୂଇଁରେ ପଡ଼ି ବୋପାଲୋ,  ମାଆଲୋ ଡାକ ଛାଡ଼ୁଥିଲା । କଅଁଳ ଶିଶୁଙ୍କ କାନ୍ଦରେ ପୂରା ଅଞ୍ଚଳ ଥର ଥର ହେଉଥିଲା । ପୁରୀ ସଦର  ମୁଖ୍ୟ ଚିକତ୍ସାଳୟରେ ପହଞ୍ଚିବା ବେଳକୁ ଅନେକ ଗୁରୁତର ଶିଶୁ ଓ ବ୍ୟକ୍ତି ବିଶେଷଙ୍କ ଦେହରୁ ଜୀବନ  ଛାଡ଼ି ଚାଲି ଯାଇଥିଲା । ଡାକ୍ତରଖାନାଠାରୁ ନରେନ୍ଦ୍ର ପୁଷ୍କରିଣୀ ପର୍ଯ୍ୟନ୍ତ ଅଞ୍ଚଳ ପରିଜନଙ୍କ କାନ୍ଦରେ  ଫାଟୁଥିଲା । ଗତବର୍ଷ ନରେନ୍ଦ୍ର ଭଉଁରି ଉତ୍ସବରେ  ବାଣ ବିସ୍ଫୋରଣ ବେଳେ ଦେଖିବାକୁ ମିଳିଥିଲା  ଏଭଳି ଲୋମଟାଙ୍କୁରା ଦୃଶ୍ୟ । 

ଏହି ଘଟଣାକୁ ବର୍ଷେ  ବିତିବାକୁ ଯାଉଛି । ଏହି ସ୍ମୃତିରେ ପରିଜନ ପାଳନ କରିବାକୁ ଯାଉଛନ୍ତି ଆତ୍ମୀୟଙ୍କ ଶ୍ରାଦ୍ଧ ବାର୍ଷିକ । ଏହି ଘଟଣାରେ ଖଣ୍ଡିଆବନ୍ଧର ସୁଶାନ୍ତ କୁମାର ସାହୁଙ୍କ ପରିବାର ହରାଇଥିଲା ୪ ଜୀବନ । ଯାହା  ଭିତରେ ଥିଲେ ସୁଶାନ୍ତ ଦୁଇ ଭାଇ ପ୍ରଶାନ୍ତ(୩୨),  ହେମନ୍ତ(୩୩) ଏବଂ ଝିଆରୀ ପ୍ରତୀକ୍ଷା(୬),  ସମୃଦ୍ଧି(୪) । ମୃତ ବ୍ୟକ୍ତିଙ୍କ ଆତ୍ମାର ସଦ୍‌ଗତି  କାମନା କରି ସୁଶାନ୍ତଙ୍କ ପରିବାର ପାଳନ କରୁଛନ୍ତି  ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ଘରଠାରୁ ମାତ୍ର ୨୦୦ ମିଟର  ଦୂରରେ ନରେନ୍ଦ୍ର । ନରେନ୍ଦ୍ରର ଦଶତୁଠ ପାଶ୍ୱର୍ରେ  ଘର ଥିବାରୁ ସେମାନେ ଚନ୍ଦନଯାତ୍ରା ଶେଷ ଉତ୍ସବ  ଭଉଁରିରେ ଠାକୁରଙ୍କ ଦର୍ଶନ କରିବାକୁ ଯାଇଥିଲେ ।  କେହିବି ଜାଣିନଥିଲେ ନରେନ୍ଦ୍ରର ଏହି ଦଶତୁଠ  ପାଶ୍ୱର୍ରେ ବିପୁଳ ପରିମାଣର ଶବ୍ଦ ସୃଷ୍ଟିକାରୀ ଓ  କ୍ଷତିକାରଣ ବାଣ ଠୁଳ ହୋଇଛି । କିଛି ଲୋକ  ଏହି ଦଶ ତୁଠରେ ବଣ ଫୁଟାଇ ଉତ୍ସବ ପାଳନ  କରିବାକୁ ପୂର୍ବ ପ୍ରସ୍ତୁତି ସହ ପହଞ୍ଚିଥିଲେ ।  

ପ୍ରଶାସନିକ ଜାଣତରେ ଓ ସୁରକ୍ଷା ଭିତରେ ବାଣ  ଫୁଟୁଥିବା ଭାବି ସମସ୍ତେ ବାଣ ଫୁଟା ଦେଖିବାକୁ  ଧୀରେ ଧୀରେ ଦଶ ତୁଠରେ ପହଞ୍ଚିବାରେ  ଲାଗିଥିଲେ । ନରେନ୍ଦ୍ର ସୁରକ୍ଷା ନିମନ୍ତେ ଉପସ୍ଥିତ  ପୁଲିସ, ମାଜିଷ୍ଟ୍ରେଟ ପ୍ରମୁଖ ମଧ୍ୟ ବାଣ ଫୁଟା  ଯିବାକୁ ଏତେଟା ଗୁରୁତ୍ୱ ଦେଇନଥିଲେ । ଅଧଘଣ୍ଟା  ବାଣ ଫୁଟିବା ପରେ ହଠାତ୍‌ ମହଜୁଦ୍‌ ଥିବା ବାଣ  ଗଦା ଉପରେ ଅନ୍ୟବାଣର ନିଆଁ ପଡ଼ି ଫୁଟିବା  ଆରମ୍ଭ ହୋଇଥିଲା । ମାତ୍ର ୩ ମିନିଟ୍‌ ଭିତରେ  ଘଟଣାସ୍ଥଳ ଛାରଖାର ହୋଇଯାଇଥିଲା । ପ୍ରଚଣ୍ଡ  ବିସ୍ଫୋରଣ ସାଙ୍ଗକୁ ବାରୁଦ ଧୂଆଁ ଭିତରେ  ବିଛାଇ ହୋଇପଡ଼ିଥିଲା ଶବ । ଶୁଣାଯାଇଥିଲା  ଆର୍ତ୍ତ ଚିତ୍କାର । ଘଟଣା ପରେ ଦୂରରେ ଉପସ୍ଥିତ  ଲୋକେ ଘଟଣାସ୍ଥଳକୁ ଆସି ଉଦ୍ଧାର କାର୍ଯ୍ୟ  ଆରମ୍ଭ କରିଥିଲେ । ପରିଜନ ଲୋକେ ମଧ୍ୟ  ଘଟଣାର ସୂଚନା ପାଇ ପହଞ୍ଚି ନିଜ ପିଲା,  ଛୁଆଙ୍କୁ ଖୋଜିଥିଲେ । ରାତି ପ୍ରାୟ ୧୦ଟାରୁ ରାତି  ତମାମ ଗୁରୁତରଙ୍କୁ ପୁରୀରୁ ଜିଲ୍ଲା ବାହାର ବିଭିନ୍ନ  ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହା  ଭିତରେ ମୃତ ଓ ଗୁରୁତର ସଂଖ୍ୟା ସ୍ପଷ୍ଟ କରିଥିଲା  ପ୍ରଶାସନ । ଏହି ଘଟଣାର ଅତିରିକ୍ତ ଶାସନ  ସଚିବ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ମଧ୍ୟ ହୋଇଥିଲା ।  ସରକାର ଚଳିତ ବର୍ଷ ଜାନୁଆରୀରେ ଦେଇଥିବା  ସତ୍ୟପାଠ ମୁତାବକ ଏହି ଘଟଣାରେ ୧୭  ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଆହତ  ଚିକିତ୍ସିତ ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଖଣ୍ଡିଆବନ୍ଧର ସୁଶାନ୍ତ କୁମାର ସାହୁ କହିଛନ୍ତି,  ଏହି କାଳରାତି କଥା ମନେ ପଡ଼ିଲେ ଆଖିରେ ଲୁହ ଆସି ଯାଉଛି । ସମସ୍ତେ ଭାବିଥିଲେ ପ୍ରଶାସନିକ ସୁରକ୍ଷାରେ ବାଣ ଫୁଟୁ ଥିବା ଭାବି ସମସ୍ତେ ଦେଖିବାକୁ ଯାଇଥିଲେ । ହେଲେ ସୁରକ୍ଷାର ନାଁ ଗନ୍ଧ ନଥିଲା । ଏହି ଅପୂରଣୀୟ କ୍ଷତିକୁ ଭରଣା କରିବା ଅସମ୍ଭବ । ବାଣ ବିସ୍ଫୋରଣରେ ଗୁରୁତରଙ୍କ ଚିକିତ୍ସା ନିମନ୍ତେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ବେଡ ନଥିଲା କିମ୍ବା  ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ନଥିଲା । ତେଣୁ ଏହି  ଘଟଣାରେ ବହୁ ଲୋକଙ୍କ ମୃତ୍ୟୁ ହେଲା । ଏକ  ଅତ୍ୟାଧୁନିକ ବର୍ଣ୍ଣ ୟୁନିଟ୍‌ କରିବାକୁ ସରକାରଙ୍କୁ  ବାରମ୍ବାର ନିବେଦନ ସତ୍ତେ୍ୱ ଏପର୍ଯ୍ୟନ୍ତ ପଦକ୍ଷେପ  ଶୂନ । ସରକାର ମୃତକଙ୍କ ପିଛା ୪ ଲକ୍ଷ ସହାୟତା  ଦେଇଛନ୍ତି । ଏହି ଘଟଣାରେ ଖଣ୍ଡିଆବନ୍ଧ ଅଞ୍ଚଳରୁ  ୧୪ ଜଣଙ୍କ ଜୀବନ ଯାଇଥିଲା । ସମସ୍ତେ ପ୍ରଥମ  ଶ୍ରାଦ୍ଧବାର୍ଷିକ ପାଳନ କରୁଛନ୍ତି । ପୂରା ଅଞ୍ଚଳ  ପୁଣି ଥରେ ଗତବର୍ଷର କାଳରାତିର ସ୍ମୃତିକୁ  ମନେ ପକାଇ କାନ୍ଧୁଛି । ବିଶେଷ ଭାବେ ଶିଶୁ ଓ  ଭେଣ୍ଡିଆଙ୍କୁ ହରାଇଥିବା ମା’ଙ୍କ ଆଖିର ଲୁହ ଏବେ  ବି ବୋହୁଛି । କିଏ ତାଙ୍କ ଆଖିର ଲୁହ ପୋଛିବ ?  

ଜିଲ୍ଲାପାଳ ପ୍ରଶାସନିକ ଦାୟିତ୍ୱହୀନତା ମାନିଛନ୍ତି । ପ୍ରଶାସନିକ ଯେଉଁ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାରୁ ବାଣ ବିସ୍ଫୋରଣ ଘଟିଣା  ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି । ଗତ  ମାସ ୨୪ ତାରିଖରୁ ନିର୍ଦ୍ଦେଶ ଜାରି ହୋଇଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଶୂନ୍‌ । ପରିଜନଙ୍କୁ ହରାଇ କାନ୍ଦୁଥିବା ପରିବାରଙ୍କୁ ଆହା ପଦେ ମଧ୍ୟ କହିବାକୁ ପ୍ରଶାସନିକ ଅଧିକାରୀ କିମ୍ବା ଜନ ପ୍ରତିନିଧିଙ୍କ ଦେଖାନାହିଁ । ଏହା ହିଁ ପରିତାପର ବିଷୟ ।