ନୂଆଦିଲ୍ଲୀ,୨୫/୦୬: ଡାଇମଣ୍ଡ ଲିଗ୍‌ ଜିତିବା ପରେ ପୁଣି କମାଲ କରିଛନ୍ତି ଭାରତର ଷ୍ଟାର ଜାଭେଲିନ ଫିଙ୍ଗାଳୀ ନୀରଜ ଚୋପ୍ରା । ଓଷ୍ଟ୍ରାଭା ଗୋଲ୍ଡେନ ସ୍ପାଇକରେ ଉଚ୍ଚକୋଟୀର ପ୍ରଦର୍ଶନ କରି ଟାଇଟଲ ହାତେଇଛନ୍ତି ଅଲିମ୍ପିଆନ ନୀରଜ । ଏହି ସିଜନ୍‌ରେ ନୀରଜଙ୍କର ଏହା ଲଗାତାର ଦ୍ୱିତୀୟ ବଡ଼ ବିଜୟ । ନିକଟରେ ପ୍ୟାରିସ୍‌ରେ ଆୟୋଜିତ ଡାଇମଣ୍ଡ ଲିଗ୍‌ରେ ଜର୍ମାନୀର ଜୁଲିୟନ ୱେବରଙ୍କୁ ହରାଇ ବିଜେତା ହୋଇଥିଲେ ।

୬୪ତମ ଓଷ୍ଟ୍ରାଭା ଗୋଲ୍ଡେନ ସ୍ପାଇକରେ ଅଲିମ୍ପିଆନ ନୀରଜ ଚୋପ୍ରା ଟାଇଟଲ ବିଜେତା ହୋଇଛନ୍ତି । ଦକ୍ଷିଣ ଆଫ୍ରିକାର ଡୌ ସ୍ମିତ୍‌ ଦ୍ୱିତୀୟ ଏବଂ ଗ୍ରାନାଡାର ଆଣ୍ଡରସନ୍‌ ପିଟର୍ସ ତୃତୀୟ ସ୍ଥାନ ହାସଲ କରିଥିଲେ । ଓଷ୍ଟ୍ରାଭା ଗୋଲ୍ଡେନ ସ୍ପାଇକ୍‌ ହେଉଛି ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁରର ଗୋଲ୍ଡ ଇଭେଣ୍ଟ । ନୀରଜ ପ୍ରଥମ ଥର ଭାଗ ନେଇ ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି ।

ଅଧିକ ପଢନ୍ତୁ...ଇତିହାସ ରଚିଲେ ସୁନାପୁଅ ନୀରଜ ଚୋପ୍ରା; ଜୁଲିୟନ ୱେବରଙ୍କୁ ହରାଇ ଜିତିଲେ ପ୍ୟାରିସ୍‌ ଡାଇମଣ୍ଡ ଲିଗ୍‌

ତାଙ୍କର ପ୍ରଥମ ପ୍ରୟାସ ଫାଉଲ ଥିଲା । ଦ୍ୱିତୀୟ ପ୍ରୟାସରେ ନୀରଜ ୮୩.୪୫ ମିଟର, ତୃତୀୟରେ ୮୫.୨୯ ମିଟର, ଚତୁର୍ଥରେ ୮୨.୧୭ ମିଟର ଏବଂ ପଞ୍ଚମରେ ୮୧.୦୧ ମିଟର ଥ୍ରୋ କରିଥିଲେ । ଷଷ୍ଠ ଥ୍ରୋ ଫାଉଲ ଥିଲା । ଡୌ ୮୪.୧୨ ମିଟର ଏବଂ ଆଣ୍ଡରସନ ୮୩.୬୩ ମିଟର ଫିଙ୍ଗିଥିଲେ । ଗତ ୨୦ ତାରିଖରେ ପ୍ୟାରିସ ଡାଏମଣ୍ଡ ଲିଗ୍‌ରେ ୮୮.୧୬ ମିଟର ଥ୍ରୋ କରି ସ୍ୱର୍ଣ୍ଣ ଜିତିଥିଲେ ।

ଏହା ପୂର୍ବରୁ ୨୦୧୮ରେ ନୀରଜ ଚୋପ୍ରା ଆଇଏଏଏଫ କଣ୍ଟିନେଣ୍ଟାଲ କପ୍‌ ଜରିଆରେ ଓଷ୍ଟ୍ରାଭାରେ ଖେଳିଥିଲେ । ତାଙ୍କର ଥ୍ରୋ ୮୦.୨୪ ମିଟର ଥିଲା । ସେ ଷଷ୍ଠ ସ୍ଥାନ ହାସଲ କରିଥିଲେ । ଗୋଲ୍ଡେନ୍ ସ୍ପାଇକ୍‌ରେ ପ୍ରଥମ ଥର ଭାଗ ନେଇଥିଲେ । ଦୋହା ଡାଇମଣ୍ଡ ଲିଗ୍‌ ଜିତି ନୀରଜ ସିଜିନ୍‌ ଆରମ୍ଭ କରିଥିଲେ । ୯୦ ମିଟର ବିଶାଳ ଥ୍ରୋ କରି ଦୋହା ଡାଇମଣ୍ଡ ଲିଗ୍‌ ଜିତିଥିଲେ ।