ନୂଆଦିଲ୍ଲୀ,୧୨/୦୬: ବଢ଼ିଲା ନିଟ୍ (ୟୁଜି) ପରୀକ୍ଷା ସମୟ ଅବଧି । ନିଟ୍ ପରୀକ୍ଷାର୍ଥୀଙ୍କୁ ମିଳିବ ଅତିରିକ୍ତ ୧୫ ମିନିଟ୍ ସମୟ । ପିଲାଙ୍କୁ ୧୮୦ ମିନିଟ୍ ବଦଳରେ ୧୯୫ ମିନିଟ୍ ମିଳିବ । ଏନେଇ ଘୋଷଣା କରିଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ।

ଆସନ୍ତା ୨୧ ତାରିଖରେ ନିଟ୍ (ୟୁଜି) ପରୀକ୍ଷା ହେବ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଜାରି ରହିଛି । ଏହାରି ଭିତରେ ବଡ଼ ଘୋଷଣା କରିଛି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି । ପରୀକ୍ଷାର୍ଥୀଙ୍କୁ ନିଟ୍ ପରୀକ୍ଷାରେ ଅଧିକ ୧୫ ମିନିଟ୍ ମିଳିବ । ଅର୍ଥାତ୍ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ୧୮୦ ମିନିଟ ମିଳୁଥିଲା, ମାତ୍ର ଏବେ ପରୀକ୍ଷାରେ ୧୯୫ ମିନିଟ୍ ସମୟ ମିଳିବ । ଆସନ୍ତା ୨୧ ତାରିଖରେ ପରୀକ୍ଷା ଅପରାହ୍ନ ୨ଟାରୁ ୫ଟା ୧୫ ମିନିଟ୍ ଯାଏଁ ଚାଲିବ ।

ରଫ୍ ୱାର୍କ ପାଇଁ ଅଧିକ କାଗଜ:

NTA ପ୍ରଶ୍ନପତ୍ର ବୁକ୍ଲେଟ୍ରେ ରଫ୍ ପାଇଁ ଦିଆଯାଉଥିବା ପୃଷ୍ଠା ସଂଖ୍ୟାକୁ ମଧ୍ୟ ବୃଦ୍ଧି କରିଛି। ଏବେ ପରୀକ୍ଷାର୍ଥୀମାନେ ଦୁଇଟି ପୃଷ୍ଠା ପରିବର୍ତ୍ତେ ଚାରିଟି ପୃଷ୍ଠା ପାଇବେ । ଯେଉଁଥିରେ ଗଣନା, ଚିତ୍ର ଅଙ୍କନ ଓ କାର୍ଯ୍ୟ ଟିପ୍ପଣୀ ଲେଖିବା ପାଇଁ ଅଧିକ ସ୍ଥାନ ମିଳିବ । ପୂର୍ବରୁ ସୀମିତ ରଫ୍ ପୃଷ୍ଠାରେ ସମସ୍ୟା ସମାଧାନ ଅନେକ ଛାତ୍ରଛାତ୍ରୀଙ୍କ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ହେଉଥିଲା । ପରୀକ୍ଷାର୍ଥୀଙ୍କୁ ଠାରୁ ମତାମତ ମିଳବା ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ପି ଏହାକୁ ପରିବର୍ତ୍ତନ କରିଛି ।

ନୂଆ ପ୍ରଶ୍ନପତ୍ର ଡିଜାଇନ୍:

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି ପ୍ରଶ୍ନପତ୍ର ବୁକଲେଟରେ ନୂତନ ଲେଆଉଟ୍ ଡିଜାଇନ୍ ହୋଇଛି । ପୂର୍ବରୁ ରଫ୍ ୱାର୍କ ପୃଷ୍ଠାଗୁଡ଼ିକ କେବଳ ଶେଷରେ ରହୁଥିଲା। ବର୍ତ୍ତମାନ ନିର୍ଦ୍ଦେଶନାମା ପୃଷ୍ଠା ପରେ ଆରମ୍ଭରୁ ଦୁଇଟି ପୃଷ୍ଠା ଓ ଶେଷରେ ଆଉ ଦୁଇଟି ପୃଷ୍ଠା ରହିବ । ଏହି ବ୍ୟବସ୍ଥା ବିଶେଷକରି ବାମ ହାତରେ ଲେଖୁଥିବା ଛାତ୍ରଛାତ୍ରୀଙ୍କ ସହିତ ସମସ୍ତ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ କରାଯାଇଛି । ଯାହାଦ୍ୱାରା ସେମାନେ ନିଜ ସୁବିଧା ଅନୁଯାୟୀ ରଫ୍ ୱାର୍କ କରିପାରିବେ।

ଅଧିକ ସୁଗମ ପରୀକ୍ଷା ଅନୁଭବ:

NTA ନିଜର ନୋଟିଫିକେସନରେ କହିଛି ଯେ, ଏହି ପରିବର୍ତ୍ତନଗୁଡ଼ିକ ପରୀକ୍ଷାକୁ ଅଧିକ ସୁଗମ ସହିତ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ହୋଇଛି । ସଂସ୍ଥା କହିଛି ଯେ, NEET ପରି ଉଚ୍ଚ-ମହତ୍ତ୍ୱପୂର୍ଣ୍ଣ ପରୀକ୍ଷାରେ ଡିଜାଇନ୍ର ଛୋଟ ଛୋଟ ସୁଧାର ମଧ୍ୟ ପରୀକ୍ଷାର୍ଥୀଙ୍କ ଅନୁଭବରେ ବଡ଼ ପରିବର୍ତ୍ତନ ଆଣିବ ।

ଅଧିକ ପଢନ୍ତୁ-Heatwave : ଭୟଙ୍କର ରୂପ ନେଉଛି ହିଟୱେଭ୍ : ୧୩ ବର୍ଷରେ ଭାରତରେ ଦି’ଗୁଣ, ୨୦୧୩ରେ ଥିଲା ୧୦୦ ଦିନ, ଏବେ ୨୦୦