କାଠମାଣ୍ଡୁ, ୯/୯ : Gen-Zଙ୍କ ବିଦ୍ରୋହରେ ଜଳୁଛି କାଠମାଣ୍ଡୁ। ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ଗାଦି ଟଳମଳ। ଦୁଇ ଦିନ ଭିତରେ ଇସ୍ତଫା ଦେଲେଣି ୩ ମନ୍ତ୍ରୀ। ଗୃହମନ୍ତ୍ରୀ ରମେଶ ଲେଖକଙ୍କ ପରେ ମଙ୍ଗଳବାର କୃଷି ଓ ପଶୁପାଳନ ବିକାଶ ମନ୍ତ୍ରୀ ରାମନାଥ ଅଧିକାରୀ ଓ ସ୍ଵାସ୍ଥ୍ୟ ମନ୍ତ୍ରୀ ପ୍ରଦୀପ ପୌଡେଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସରକାରଙ୍କ ମନୋଭାବ ଲୋକତାନ୍ତ୍ରିକ ମୂଲ୍ୟବୋଧ ବଦଳରେ ଏକଛତ୍ରବାଦ ଦିଗକୁ ଯାଉଥିବାରୁ ସେ ଇସ୍ତଫା ଦେଉଛନ୍ତି ବୋଲି କହିଛନ୍ତି । ସେପଟେ ନେପାଳ କଂଗ୍ରେସ ମହାସଚିବ ଗଗନ ଥାପା ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ଇସ୍ତଫା ଦାବି କରିଛନ୍ତି । 

ଇସ୍ତଫାପତ୍ରରେ ନେପାଳର କଂଗ୍ରେସ ସାଂସଦ ଲେଖିଛନ୍ତି ଯେ, ସରକାର ଗଣତାନ୍ତ୍ରିକ ଅଧିକାରକୁ ମାନ୍ୟତା ଦେବା ବଦଳରେ ଦମନ, ହିଂସା ଓ ବଳ ପ୍ରୟୋଗର ରାସ୍ତା ଆପଣାଉଛନ୍ତି।ସରକାରଙ୍କ ଏହା ଲୋକତାନ୍ତ୍ରିକ ମନୋଭାବ ନୁହେଁ ଏକଛତ୍ରବାଦ ମନୋଭାବ। ଯେଉଁମାନଙ୍କ ସହ ମିଶି ରାଷ୍ଟ୍ର ଗଠନ କରିବା କଥା ସେମାନଙ୍କ ବିରୋଧରେ ସରକାର ହିଂସାତ୍ମକ ଆଚରଣ କରୁଛନ୍ତି। ଯାହା ସମ୍ପୂର୍ଣ୍ଣ ଭାବେ ଅନୁଚିତ୍ । ଏଥିପାଇଁ ମୁଁ ଇସ୍ତଫା ଦେଉଛି । ସେପଟେ ନେପାଳ କଂଗ୍ରେସ ମହାସଚିବ ଗଗନ ଥାପା ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ଇସ୍ତଫା ଦାବି କରିଛନ୍ତି। ସେ କହିଛନ୍ତି ଯେ, ଅକାରଣରେ ନିର୍ଦ୍ଦୋଶ ଯୁବକଙ୍କ ମୃତ୍ୟୁ ହୋଇଛି । ପ୍ରଧାନମନ୍ତ୍ରୀ ଏଥିପାଇଁ ଦାୟୀ। ନୈତିକତା ଦୃଷ୍ଟିରୁ ସେ ତୁରନ୍ତ ଇସ୍ତଫା ଦେବା ଉଚିତ୍। ନେପାଳ କଂଗ୍ରେସ ଦେଶର ଏଭଳି ସ୍ଥିତିକୁ କେବଳ ମୁକସାକ୍ଷୀ ହୋଇ ଦେଖିପାରିବ ନାହିଁ। ଦଳୀୟ ବୈଠକରେ ଏହି ପ୍ରସଙ୍ଗ ଉଠିବ।   

ସୋମବାର ନେପାଳରେ ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ଏକ୍ସ, ୟୁଟ୍ୟୁବ୍‌ ଓ ହ୍ୱାଟ୍‌ସଆପ୍‌ ଭଳି ୨୬ ଲୋକପ୍ରିୟ ସୋସିଆଲ୍‌ ମିଡିଆ ବ୍ୟାନ୍‌କୁ ନେଇ ସାଙ୍ଘାତିକ ହିଂସାକାଣ୍ଡ ଘଟିଛି। ଏହି ବିଦ୍ରୋହରେ ୨୦ଜଣ ପ୍ରାଣ ହରାଇଛନ୍ତି । ୨୮ ପୁଲିସ କର୍ମୀଙ୍କ ସମେତ ୨୫୦ରୁ ଅଧିକ ଆହତ ହୋଇଛନ୍ତି । ୨୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଯୁବ ବର୍ଗର ଲୋକମାନେ ରାସ୍ତାକୁ ଓହ୍ଲାଇ ଓଲି ସରକାରଙ୍କ ବିରୋଧରେ ଗର୍ଜିଛନ୍ତି । ପ୍ରିୟାପ୍ରୀତି ତୋଷଣ ଏବଂ ଦୁର୍ନୀତିକୁ ନେଇ ବି ସେମାନେ ସରକାରଙ୍କ ବିରୋଧରେ ସ୍ୱର ଶାଣିତ କରିଛନ୍ତି । ବିକ୍ଷୋଭ ପ୍ରଦର୍ଶନ ବେଳେ ପୁଲିସ ସହ ଆନ୍ଦୋଳନକାରୀଙ୍କର ମୁହାଁମୁହିଁ ସଂଘର୍ଷ ହୋଇଛି । ରାଜଧାନୀ କାଠମାଣ୍ଡୁ ସମେତ ଅନେକ ସହରରେ କର୍ଫ୍ୟୁ ଲାଗୁ କରାଯାଇଛି । ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲିଙ୍କ ପୈତୃକ ଘର ଉପରେ ଢେଲାମାଡ଼ ପରେ ସୁରକ୍ଷା ବଢିଛି । ବିରୋଧୀ ଦଳଗୁଡ଼ିକ ଓଲିଙ୍କ ଇସ୍ତଫା ଦାବି କରିଛନ୍ତି । ହିଂସାତ୍ମକ ବିକ୍ଷୋଭ ଯୋଗୁ ଦେଶବ୍ୟାପୀ ହେବାକୁ ଥିବା ପରୀକ୍ଷାଗୁଡ଼ିକ ସ୍ଥଗିତ ରହିଛି । ସେହିଭଳି ସରକାର ବ୍ୟାକ୍‌ଫୁଟ୍‌କୁ ଆସି ସୋସିଆଲ୍‌ ମିଡିଆ ଉପରେ ନିଷେଧାଦେଶକୁ ହଟାଇ ଦେଇଛନ୍ତି ।