ନୂଆଦିଲ୍ଲୀ ୨୦/୦୧: ଏକ ନୂଆ ମାନଚିତ୍ର ଆଣ୍ଟାର୍କଟିକା ବରଫ ତଳର ବିସ୍ତୃତ ଭୂଖଣ୍ଡକୁ ପ୍ରଥମ ଥର ଉନ୍ମୋଚନ କରିଛି । ବରଫାବୃତ୍ତ ମହାଦେଶ ସମ୍ପର୍କରେ ଆମ ଜ୍ଞାନର ପରିସର ଏହା ଆହୁରି ବୃଦ୍ଧି କରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି । ବରଫ ତଳେ ଏହି ମହାଦେଶର ଚିତ୍ର କିଭଳି ଏବଂ ଆଣ୍ଟାର୍କଟିକାର ଗ୍ଲେସିୟର୍ କିଭଳି କାମ କରୁଛନ୍ତି, ତାହା ଜାଣିବାକୁ ବୈଜ୍ଞାନିକମାନେ ସାଟେଲାଇଟ୍ ତଥ୍ୟ ଓ ପଦାର୍ଥ ବିଜ୍ଞାନ ପ୍ରୟୋଗ କରିଥିଲେ । ଏଥିରୁ ସେମାନେ ପୂର୍ବରୁ ଅନାବିଷ୍କୃତ ହଜାର ହଜାର ପାହାଡ଼ ଓ ମୁଣ୍ଡିଆଗୁଡ଼ିକର ପ୍ରମାଣ ପାଇଲେ । ସେମାନେ ପ୍ରସ୍ତୁତ କରିଥିବା ଆଣ୍ଟାର୍କଟିକାର କିଛି ଲୁକ୍କାୟିତ ପର୍ବତ ଶୃଙ୍ଖଳାର ମାନଚିତ୍ର ଏପର୍ଯ୍ୟନ୍ତର ସବୁଠୁ ସ୍ୱଚ୍ଛ ବୋଲି କହିଛନ୍ତି । ମାନଚିତ୍ରରେ କିଛି ଅନିଶ୍ଚିତତା ଥାଇପାରେ, କିନ୍ତୁ ଜଳବାୟୁ ପରିବର୍ତ୍ତନ ପ୍ରତି ଆଣ୍ଟାର୍କଟିକାର ପ୍ରତିକ୍ରିୟା ଓ ସମୁଦ୍ର ସ୍ତର ବୃଦ୍ଧିର ପ୍ରଭାବ କ’ଣ ହେବ, ସଦ୍ୟ ମାନଚିତ୍ର ତାହା ଉପରେ ଆଲୋକପାତ କରିପାରେ ବୋଲି ଗବେଷକଙ୍କ ବିଶ୍ୱାସ ।

ଅଧ୍ୟୟନର ମୁଖ୍ୟ ଲେଖକ ଗ୍ରେନୋବଲ୍-ଆଲ୍ପସ ବିଶ୍ୱବିଦ୍ୟାଳୟର ଗବେଷକ ହେଲେନ୍ ଓକେନ୍‌ଡେନ୍‌ କହିଛନ୍ତି, ଏହାର ଅର୍ଥ ପୂର୍ବରୁ ଆମ ପାଖରେ ଏକ ଗ୍ରେନି ପିକ୍ସେଲ ଫିଲ୍ମ କ୍ୟାମେରା ଥିଲା । ଏବେ ଆମେ ସମ୍ପୂର୍ଣ୍ଣ ରୂପେ ଜୁମ୍‌ଡ-ଇନ୍ ଡିଜିଟାଲ ଚିତ୍ର ପାଇଛୁ । ସାଟେଲାଇଟ୍ ପାଇଁ ଆଣ୍ଟାର୍କଟିକାର ବରଫ ପୃଷ୍ଠ ସମ୍ପର୍କରେ ବୈଜ୍ଞାନିକମାନେ ସବିଶେଷ ତଥ୍ୟ ପାଇଛନ୍ତି । କିନ୍ତୁ ଏହା ତଳେ କ’ଣ ଅଛି, ତାହା ଏବେ ବି ରହସ୍ୟାବୃତ୍ତ ।

ଆମ ସୌରମଣ୍ଡଳର କିଛି ଗ୍ରହଙ୍କ ପୃଷ୍ଠ ବିଷୟରେ ବୈଜ୍ଞାନିକଙ୍କ ପାଖରେ ଅଧିକ ତଥ୍ୟ ରହିଛି । କିନ୍ତୁ ଆଣ୍ଟର୍କଟିକା ତଳେ ଅର୍ଥାତ୍ ବରଫ ପୃଷ୍ଠ ତଳେ ଥିବା ଟପୋଗ୍ରାଫିରେ କ’ଣ ଘଟୁଛି, ତାହା ଆମକୁ ଜଣାନାହିଁ । କିନ୍ତୁ ସଦ୍ୟ ପଦ୍ଧତି ଏହାର ଏପର୍ଯ୍ୟନ୍ତର ଆପାତତଃ ପୂର୍ଣ୍ଣ ଓ ବିସ୍ତୃତ ମାନଚିତ୍ର ବୋଲି ଗବେଷକଙ୍କ ବିଶ୍ୱାସ । ଭୂମି କିମ୍ବା ବାୟୁରୁ ପାରମ୍ପରିକ ମାପ ମାଧ୍ୟମରେ ବରଫ ତଳର ଅବସ୍ଥିତିକୁ ଦେଖିବା ଲାଗି ରାଡାର ପ୍ରୟୋଗ କରାଯାଇଛି, ଯାହା କିଛି ସ୍ଥାନରେ ୪.୮ କିମି ବହଳ । ଗବେଷକଙ୍କ ଅନୁସାରେ, ସ୍କଟଲାଣ୍ଡ୍‌ର ଉଚ୍ଚଭୂମି କିମ୍ବା ୟୁରୋପୀୟ ଆଲ୍ପସକୁ ବରଫାବୃତ୍ତ ବୋଲି ଯଦି କଳ୍ପନା କରାଯାଏ, ଏମାନଙ୍କ ଆକାର ବିଷୟରେ ବୁଝିବାର ଏକମାତ୍ର ମାର୍ଗ ହେଉଛି ଏ ଅଞ୍ଚଳକୁ ସମୟେ ସମୟେ ଉଡ଼ାଣ । କିନ୍ତୁ ବାସ୍ତବତା ହେଉଛି ଏଭଳି କୌଣସି ମାର୍ଗ ନାହିଁ, ଯାହା ମାଧ୍ୟମରେ ଏହି ତିଖ ପର୍ବତମାଳା ଓ ଉପତ୍ୟକାଗୁଡ଼ିକର ଉପସ୍ଥିତିକୁ ଆମେ ସେଠାରେ ଦେଖିପାରିବା । ସେଥିପାଇଁ ବୈଜ୍ଞାନିକମାନେ ନୂଆ ମାର୍ଗ ଆପଣେଇଲେ । ସାଟେଲାଇଟ୍‌ରୁ ବରଫ ପୃଷ୍ଠ ସମ୍ପର୍କିତ ଜ୍ଞାନ ଓ ପଦାର୍ଥ ବିଜ୍ଞାନ ମାଧ୍ୟମରେ ବରଫର ଗତିଶୀଳତା ବିଷୟରେ ଥିବା ଧାରଣାକୁ ସେମାନେ ମିଶାଇଲେ । ସେଗୁଡ଼ିକୁ ପୂର୍ବର ମାର୍ଗ ସହ ମିଳାଇ ଯାଞ୍ଚ୍ କଲେ । ବୈଜ୍ଞାନିକମାନେ ପୂର୍ବରୁ ଆଣ୍ଟାର୍କଟିକାର ପ୍ରମୁଖ ପର୍ବତ ଶୃଙ୍ଖଳାଙ୍କ ବିଷୟରେ ଜାଣିଥିଲେ । କିନ୍ତୁ ନୂଆ ପଦ୍ଧତି ପୂର୍ବରୁ ଅନାଲୋଚିତ ହଜାର ହଜାର ପାହାଡ଼ ଓ ମୁଣ୍ଡିଆ ଉପରେ ଆଲୋକପାତ କରିଛି । ସେତିକି ନୁହେଁ, ଆଣ୍ଟାର୍କଟିକା ବରଫ ତଳେ କିଛି ପର୍ବତ ଓ ଘାଟିମାନଙ୍କର ଉପସ୍ଥିତି ବିଷୟରେ ବିସ୍ତୃତ ତଥ୍ୟ ମଧ୍ୟ ପ୍ରଦାନ କରିଛି । ଏହି ନୂଆ ଭୂଖଣ୍ଡ ଓ ସେଠାରେ କ’ଣ ସବୁ ଅଛି, ତାହା ଦେଖିବା ଅତ୍ୟନ୍ତ ରୋଚକ ବୋଲି ଅଧ୍ୟୟନକର୍ତ୍ତା କହିଛନ୍ତି ।

ମାନଚିତ୍ରର ସବୁଠୁ ମଜାଦାର ଆବିଷ୍କାର ହେଉଛି ଆଣ୍ଟାର୍କଟିକା ଶଯ୍ୟାରେ ବିଚ୍ଛିନ୍ନ ହୋଇଥିବା ମଡ୍ ସବ୍‌ଗ୍ଲାସିଆଲ ବେସିନ୍ ନାମକ ଏକ ଗଭୀର ସମୁଦ୍ର । ଏହା ହାରାହାରି ୫୦ ମିଟର ଗଭୀର ଏବଂ ୬ କିମି ଚଉଡ଼ା । ପ୍ରାୟ ୪୦୦ କିମି ଯାଏ ଏହା ଲମ୍ବିଛି । ତେବେ ଗବେଷକଙ୍କ ନୂଆ ମାନଚିତ୍ର ଚୂଡ଼ାନ୍ତ ନୁହେଁ । ପ୍ରକୃତରେ ବରଫ କିଭଳି ପ୍ରବାହିତ ହୁଏ, ସେ ସମ୍ପର୍କିତ ଅନୁମାନ ଉପରେ ନିର୍ଭରଶୀଳ ।