ନୂଆଦିଲ୍ଲୀ,୨୧।୨: ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ବା ଏନ୍ଏଚ୍ଏଆଇ ଦେଶରେ ଡିଜିଟାଲ ରାଜମାର୍ଗ ଟୋଲିଂ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଭାବରେ ଲାଗୁ କରିବା ଦିଗରେ ଗ୍ରହଣ କରିଛି ବଡ଼ ପଦକ୍ଷେପ। ୧ ଏପ୍ରିଲ୨୦୨୬ ରେ ଜାତୀୟ ରାଜପଥ ଟୋଲ୍ ପ୍ଲାଜାରେ ନଗଦ ଲେଣଦେଣକୁ ସମ୍ପୂର୍ଣ୍ଣ ଭାବରେ ଶେଷ କରିବାର ପ୍ରସ୍ତୁତି କରାଯାଉଛି। ଏହାର ମୁଖ୍ୟ ଉଦେଶ୍ୟ ଇଲେକ୍ଟ୍ରୋନିକ୍ ଟୋଲ୍ ସଂଗ୍ରହ ଲାଗକୁ ବୃଦ୍ଧି କରିବା ଓ ଯାତ୍ରୀଙ୍କ ପାଇଁ ଯାତ୍ରାକୁ ସୁରକ୍ଷିତ ଏବଂ ସୁଗମ କରିବା। ଡିଜିଟାଲ ପେମେଣ୍ଟର ଏହି ନୂଆ ବ୍ୟବସ୍ଥାରୁ ଟୋଲ୍ ପ୍ଲାଜାରେ ଲାଗୁଥିବା ଲମ୍ବା ଲାଇନ୍ ହ୍ରାସ୍ ପାଇବ।
ସରକାରଙ୍କ ଏହି ନିଷ୍ପତ୍ତି ପରେ, ଟୋଲ୍ ପ୍ଲାଜାରେ ନଗଦ କାରବାର ଇତିହାସ ହୋଇଯିବ, ଏବଂ ସମସ୍ତ ଦେୟ କେବଳ FASTag କିମ୍ବା UPI ମାଧ୍ୟମରେ କରାଯିବ। ଏହି ପରିବର୍ତ୍ତନ ଚଳିତ ବର୍ଷ ୧ ଏପ୍ରିଲରୁ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି, ଯାହା ଦେଶର ସମସ୍ତ ରାଜପଥରେ ଏକ ସମାନ ବ୍ୟବସ୍ଥା ସୃଷ୍ଟି କରିବ। ଏହି ପଦକ୍ଷେପ କେବଳ ସ୍ୱଚ୍ଛତା ଆଣିବ ନାହିଁ ବରଂ ରାଜସ୍ୱ ଚୋରି ରୋକିବାରେ ଏକ ପ୍ରମୁଖ ସଫଳତା ହେବ ବୋଲି ଆଶା କରାଯାଉଛି।
ଟୋଲ୍ ପ୍ଲାଜାରେ ନଗଦ ଦେୟ ଯୋଗୁଁ ଅଧିକାଂଶ ସମୟ ବାହନର ଲମ୍ବା ଧାଡ଼ି ଲାଗିଥାଏ, ଯାହା ଫଳରେ ଯାତ୍ରୀମାନଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିଥାଏ। ଡିଜିଟାଲ୍ ପେମେଣ୍ଟ ପ୍ରକ୍ରିୟା ଦ୍ବାରା ଏହା ଦ୍ରୁତ ହେବ, ଟୋଲ୍ ନେବାର କ୍ଷମତା ବୃଦ୍ଧି କରିବ ଏବଂ ଟ୍ରାଫିକ୍ ପରିଚାଳନାରେ ଉନ୍ନତି ଆସିବ। କର୍ତ୍ତୃପକ୍ଷ ବିଶ୍ୱାସ କରନ୍ତି ଯେ ଏହା ଯାତ୍ରା ସମୟ ବଞ୍ଚାଇବ ଏବଂ ଇନ୍ଧନ ଖର୍ଚ୍ଚକୁ ଯଥେଷ୍ଟ ହ୍ରାସ କରିବ।
ଗତ କିଛି ବର୍ଷ ମଧ୍ୟରେ ଭାରତରେ FASTag ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇଛି, ବର୍ତ୍ତମାନ ଏହା ୯୮% ଅତିକ୍ରମ କରିଛି। ଅଧିକାଂଶ ଟୋଲ୍ କାରବାର ଏବେ RFID-ଆଧାରିତ FASTag ବ୍ୟବହାର କରାଯାଉଛି, ଯାହା ଯାନବାହାନ ଚଳାଚଳକୁ ସୁଗମ କରିଥାଏ। ୟୁପିଆଇ ପେମେଣ୍ଟ ପୂର୍ବରୁ ଆରମ୍ଭ ହୋଇସାରିଛି, ଯାହା ଯାତ୍ରୀମାନଙ୍କୁ ତୁରନ୍ତ ନଗଦହୀନ ପେମେଣ୍ଟ ବିକଳ୍ପ ପ୍ରଦାନ କରୁଛି।
ବର୍ତ୍ତମାନର ନିୟମ ଅନୁଯାୟୀ, ଯଦି କୌଣସି ଗାଡ଼ି ବୈଧ FASTag ବିନା ଟୋଲ୍ ପ୍ଲାଜାରେ ପ୍ରବେଶ କରେ, ତେବେ ତାକୁ ଦୁଇଗୁଣ ଟୋଲ୍ ଫି ଦେବାକୁ ପଡିବ। ଏହି ସମୟରେ ୟୁପିଆଇ ମାଧ୍ୟମରେ କରାଯାଇଥିବା ପେମେଣ୍ଟ ପାଇଁ, ଗାଡ଼ିର ବର୍ଗ ଉପରେ ନିର୍ଭର କରି ବର୍ତ୍ତମାନ ୧.୨୫ ଗୁଣା ଫି ଲାଗୁ ହେଉଛି। ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ, ନଗଦ ଦେୟର ବିକଳ୍ପ ସମ୍ପୂର୍ଣ୍ଣ ଭାବରେ ସମାପ୍ତ ହୋଇଯିବ, ଯାହା ଫଳରେ ଡିଜିଟାଲ୍ ଉପାୟର ବ୍ୟବହାର ବୃଦ୍ଧି ପାଇବ।
ଆହୁରି ପଢନ୍ତୁ :ସୁରକ୍ଷା ଏଜେନ୍ସିକୁ ବଡ଼ ସଫଳତା: ଜମ୍ମୁ-କଶ୍ମୀରରେ ବଡ଼ ଧରଣର ଆକ୍ରମଣ ଷଡଯନ୍ତ୍ର ବିଫଳ,ରାସ୍ତାକଡ ବ୍ୟାଗ୍ ଭିତରୁ ଆଇଇଡି ଉଦ୍ଧାର