ଭୁବନେଶ୍ୱର, ୧୨/୧୧: ନିଖିଳ  ଓଡ଼ିଶା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ  ଅଧିକାରୀ ସଂଘର ଦ୍ୱିତୀୟ ବାର୍ଷିକ  ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ସଂଘ ସଭାପତି ନିରୋଦ କୁମାର ସାମଲ  କହିଥିଲେ, ପଞ୍ଚାୟତିରାଜ ବିଭାଗ ରାଜସ୍ୱ  ବିଭାଗର ଉପନିବେଶ ବିଭାଗ ଭାବେ  ରହିଛି । ଓଡ଼ିଶା ଲୋକସେବା ଆୟୋଗ  ଦ୍ୱାରା ହେଉଥିବା ଲିଖିତ ଓ ମୌଖିକ  ପରୀକ୍ଷା ମାଧ୍ୟମରେ ଚୟନ ହେଉ ନାହିଁ ।  ଓଡ଼ିଶା ପ୍ରଶାସନିକ ଅଧିକାରୀ ଭାବେ  ଏକ ଚତୁର୍ଥାଂଶ ବ୍ୟକ୍ତି ନିଜର ପ୍ରାରମ୍ଭିକ  ବୃତ୍ତି ଶିକ୍ଷକ, ସ୍ୱାସ୍ଥ୍ୟ କର୍ମଚାରୀ, ନର୍ସ,  ଷ୍ଟେନୋ, ଆର୍‌ଆଇ, ଅମିନ, କିରାଣୀ,  ଆଇସିଡିଏସ୍‌ ସୁପରଭାଇଜର ଓ ଅଡିଟର  ଇତ୍ୟାଦି ପଦବିରେ ଦୀର୍ଘ ଦିନ କାର୍ଯ୍ୟ  କରିବା ପରେ କେବଳ ରାଜସ୍ୱ ବିଭାଗ ଜରିଆରେ ଓଡ଼ିଶା ପ୍ରଶାସନିକ ସେବା ପଦବି ମଣ୍ଡନ କରୁଛନ୍ତି । 

ରାଜସ୍ୱ ବିଭାଗ  ନିଜ ବିଭାଗର ସ୍ୱତନ୍ତ୍ରତା ବଜାୟ ରଖିବା  ସହ ଅନ୍ୟ ବିଭାଗର ପଦବିରେ ନିଜ  ଅଧିକାରୀଙ୍କ ନିମନ୍ତେ ପଦବି ସରଂକ୍ଷିତ ରଖି ପଞ୍ଚାୟତିରାଜ ବିଭାଗରେ ନିଜର  ପଦୋନ୍ନତି ପ୍ରାପ୍ତ ଅଧିକାରୀଙ୍କୁ ବିଡିଓ  ପଦବିରେ ନିଯୁକ୍ତି ଦେବାରେ ସକ୍ଷମ  ହେଉଛି । ଫଳରେ ପଞ୍ଚାୟତିରାଜ  କର୍ମଚାରୀଙ୍କ ମୌଳିକ ଅଧିକାର କ୍ଷୁଣ୍ଣ  ହେଉଛି । ଏବିଡିଓମାନଙ୍କର ୧୦/୩୦  ବର୍ଷର ଦକ୍ଷତା ଓ ଅଭିଜ୍ଞତାକୁ ସଦୁପଯୋଗ କରାଯାଉ ନାହିଁ । ପ୍ରଶାସନ କାର୍ଯ୍ୟ ଉପରେ  ଆଦୌ ଅଭିଜ୍ଞତା ନଥିବା ଅଧିକାରୀଙ୍କୁ  ବିଡିଓ କରାଯାଉଛି । ବର୍ତ୍ତମାନ ସୁଦ୍ଧା  ୨୬ଟି ଜିଲ୍ଲା ପଞ୍ଚାୟତ ଅଧିକାରୀ  ଓ ୧୬୪ ଅତିରିକ୍ତ ବିଡିଓ ପଦବି  ଖାଲି ପଡ଼ିଛି । 

ଉପସଭାପତି ସଞ୍ଜୟ  କୁମାର ଦାସ କହିଲେ, ପଞ୍ଚାୟତିରାଜ ବିଭାଗର ଟାଳଟୁଳ ନୀତି ଯୋଗୁଁ  ପଞ୍ଚାୟତିରାଜ ସେବା କ୍ୟାଡରରେ ଥିବା  ତ୍ରୁଟି ସଂଶୋଧନ ହୋଇପାରୁ ନାହିଁ  କି ଅର୍ଥ ବିଭାଗ ଦ୍ୱାରା ଅନୁମୋଦନ  ହୋଇଥିବା ୩୦ ଶତକଡ଼ା ଏବିଡିଓ ପଦବି  ପାଇଁ ଓପିଏସ୍‌ସି ଦ୍ୱାରା ଚୟନ ପ୍ରକ୍ରିୟା  ପାଇଁ ବିଜ୍ଞପ୍ତି ପ୍ରକାଶ ପାଇପାରୁ ନାହିଁ । ଅନେକ ବରିଷ୍ଠ ଏବିଡିଓ ଓ ଉପଖଣ୍ଡ  ପଞ୍ଚାୟତ ଅଧିକାରୀମାନେ ଜିଲ୍ଲା ପଞ୍ଚାୟତ  ଅଧିକାରୀ ଭାବେ ପଦୋନ୍ନତି ପାଇବାରୁ  ବଞ୍ଚିତ ହେବା ସହ ବାଧ୍ୟ ହୋଇ ନିଜ  ନିଜ ପଦବିରୁ ଅବସର ନେଉଛନ୍ତି ।  ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ  ଜିତେନ୍ଦ୍ରୀୟ ମୁଣ୍ଡା, ଶ୍ରୀଧର ପଣ୍ଡା, ପଲ୍ଲବୀ ରାଉତଙ୍କ ଉପସ୍ଥିତ ଥିଲେ ।