ନୂଆଦିଲ୍ଲୀ, ୧୧।୬: ଦେଶରେ 'ଡିଗ୍ରୀ ବନାମ ସ୍କିଲ୍' କୁ ନେଇ ଦୀର୍ଘ ଦିନରୁ ଚର୍ଚ୍ଚା ଚାଲିଛି । ବର୍ତ୍ତମାନର ଅନେକ ରିପୋର୍ଟରୁ ପ୍ରମାଣିତ ହୋଇଛି ଯେ, ବଡ଼ ବଡ଼ କମ୍ପାନୀଗୁଡ଼ିକ ଡିଗ୍ରୀ ଅପେକ୍ଷା କାମ ଜାଣିଥିବା ତଥା ଦକ୍ଷ ଯୁବକମାନଙ୍କ ଉପରେ ଅଧିକ ଭରସା କରୁଛନ୍ତି । ଏହାର ଏକ ଜ୍ୱଳନ୍ତ ତଥା ରୋଚକ ଉଦାହରଣ ସାଜିଛନ୍ତି ୧୯ ବର୍ଷର ଯୁବକ ନିସର୍ଗ ଅଧିକାରୀ । ନିସର୍ଗ ନିକଟରେ ସିବିଏସଇ ବୋର୍ଡର ନୂଆ ମାର୍କିଂ ସିଷ୍ଟମ ପୋର୍ଟାଲକୁ ହ୍ୟାକ୍ କରି ଚର୍ଚ୍ଚାକୁ ଆସିଥିଲେ । ଆଉ ଏବେ ସେ ବିନା କୌଣସି କଲେଜ ଡିଗ୍ରୀରେ ଦେଶର ପ୍ରତିଷ୍ଠିତ ଆଇଆଇଟିରେ 'ଇଣ୍ଟେଲିଜେନ୍ସ ଇଞ୍ଜିନିୟର' ଭାବେ ଚାକିରି ପାଇ ସାରା ଦେଶରେ ହେଡଲାଇନ ସାଜିଛନ୍ତି ।

କିଏ ଏହି ନିସର୍ଗ ଅଧିକାରୀ ?

୧୯ ବର୍ଷୀୟ ନିସର୍ଗ ଅଧିକାରୀ ଜଣେ ପ୍ରତିଭାବାନ 'ଏଥିକାଲ ହ୍ୟାକର' । ସେ ନିକଟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE)ର ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାସ୍ କରିଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଦ୍ୱାଦଶ ପାସ୍ କରିବା ପୂର୍ବରୁ ହିଁ ସେ ଅନେକ ଷ୍ଟାର୍ଟଅପ୍ ସହିତ କାମ କରିସାରିଛନ୍ତି । ବିଭିନ୍ନ ଓପନ୍-ସୋର୍ସ ସଫ୍ଟୱେର୍ ପ୍ରୋଜେକ୍ଟରେ ଭାଗ ନେଇ ସେ ଜଣେ 'ଫାଉଣ୍ଡିଂ ଇଞ୍ଜିନିୟର' ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଏହା ସହିତ ଭେଞ୍ଚର କ୍ୟାପିଟାଲ୍ ଦ୍ୱାରା ଅର୍ଥାୟନ ହୋଇଥିବା ବଡ଼ ବଡ଼ ଷ୍ଟାର୍ଟଅପ୍‌ରେ କାମ କରିବାର ଅଭିଜ୍ଞତା ମଧ୍ୟ ତାଙ୍କର ରହିଛି । ​​​​​​​

ଏମିତି ହ୍ୟାକ୍ କରିଥିଲେ CBSE OSM ପୋର୍ଟାଲ:

ସିବିଏସଇ ଅନ୍-ସ୍କ୍ରିନ୍ ମାର୍କିଂ ସିଷ୍ଟମ (CBSE OSM)ର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ, ଗତ ଫେବୃଆରୀ ମାସରେ ନିସର୍ଗ ଏହି ପୋର୍ଟାଲ୍‌କୁ ହ୍ୟାକ୍ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । ସେ ଏକ ବିସ୍ତୃତ ବ୍ଲଗ୍ ଲେଖି ଷ୍ଟେପ୍-ବାଇ-ଷ୍ଟେପ୍ ଦର୍ଶାଇଥିଲେ ଯେ, ସିବିଏସଇ ୱେବସାଇଟ୍‌ରେ କିଛି ଗୁରୁତର ତ୍ରୁଟି ଥିଲା, ଯାହା ଯୋଗୁଁ ଜଣେ ଶିକ୍ଷକ ଭାବେ ଲଗ୍-ଇନ୍ କରିବା ଅତି ସହଜ ଥିଲା । ଲଗ୍-ଇନ୍ କରିବା ପରେ ଜଣେ ପରୀକ୍ଷକ ବା ଶିକ୍ଷକ ଯାହା ସବୁ କରିପାରିବେ, ସେହି ସମସ୍ତ ଆକ୍ସେସ୍ ତାଙ୍କୁ ମିଳିଯାଇଥିଲା । ଏପରିକି ସେ ଚାହିଁଥିଲେ ଛାତ୍ରଛାତ୍ରୀଙ୍କ ମାର୍କ ମଧ୍ୟ ବଦଳାଇ ପାରିଥାନ୍ତେ । ତେବେ ନିସର୍ଗ ଜଣେ ଦାୟିତ୍ୱବାନ ନାଗରିକ ଭାବେ ୱେବସାଇଟ୍‌ର ଏହି ଦୁର୍ବଳତା ସମ୍ପର୍କରେ ଏକ ରିପୋର୍ଟ ପ୍ରସ୍ତୁତ କରି ତୁରନ୍ତ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ଥିବା 'ଇଣ୍ଡିଆନ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ୍' (CERT-In) କୁ ପଠାଇ ଦେଇଥିଲେ । ସେହି ରିପୋର୍ଟ ଏବଂ ବ୍ଲଗ୍ ହିଁ ନିସର୍ଗଙ୍କ ପାଇଁ IITର ରାସ୍ତା ଖୋଲିଦେଇଥିଲା ।

IIT କାନପୁର ନିର୍ଦ୍ଦେଶକ ମନୀନ୍ଦ୍ର ଅଗ୍ରୱାଲ କହିଛନ୍ତି, "ନିସର୍ଗ ଆମ ସାଇବର ସୁରକ୍ଷା ଟିମ୍‌ରେ ଇଞ୍ଜିନିୟର ଭାବେ ନିଯୁକ୍ତ ହୋଇଛନ୍ତି । ସେ ଆମ ସଂସ୍ଥାନ ଦ୍ୱାରା ନିଯୁକ୍ତି ପାଇଥିବା ସବୁଠାରୁ କମ୍ ବୟସର ଇଞ୍ଜିନିୟରମାନଙ୍କ ମଧ୍ୟରୁ ଜଣେ ।" ନିସର୍ଗଙ୍କ ଏହି ଅସାଧାରଣ ଦକ୍ଷତା ଦେଖି ଆଇଆଇଟି କାନପୁର ଟିମ୍ ତାଙ୍କୁ ନିଜ ସିଷ୍ଟମର ସୁରକ୍ଷା ଯାଞ୍ଚ କରିବା ପାଇଁ ଆମନ୍ତ୍ରଣ କରିଥିଲା । ଆଇଆଇଟି ବିଶେଷଜ୍ଞମାନେ ନିସର୍ଗଙ୍କ ସାଇବର ସୁରକ୍ଷା ଜ୍ଞାନ ଦେଖି ସ୍ତବ୍ଧ ହୋଇଯାଇଥିଲେ । ଏହାପରେ IIT କାନପୁର ପକ୍ଷରୁ ତାଙ୍କୁ ଚାକିରିର ଅଫର ଦିଆଯାଇଥିଲା । ନିସର୍ଗ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ସୂଚନା ସେୟାର କରିଛନ୍ତି । ତାଙ୍କ ପ୍ରୋଫାଇଲ୍ ଅପଡେଟ୍ ଅନୁଯାୟୀ, ତାଙ୍କୁ ଆଇଆଇଟି କାନପୁରର ଟେକ୍ନୋଲୋଜି ଇନୋଭେସନ ହବ୍ (C3iHub) ରେ 'ଓପନ୍-ସୋର୍ସ ଇଣ୍ଟେଲିଜେନ୍ସ' (OSINT) ଏବଂ 'ଥ୍ରେଟ୍ ଇଣ୍ଟେଲିଜେନ୍ସ ଇଞ୍ଜିନିୟର' ଭାବେ ନିଯୁକ୍ତି ଦିଆଯାଇଛି । ସେ ଏଠାରେ ଚୁକ୍ତିଭିତ୍ତିକ ଭାବେ କାମ କରିବେ ଏବଂ ବିଭିନ୍ନ ୱେବସାଇଟ୍ ଓ ଆପ୍ଲିକେସନର ସୁରକ୍ଷା ତ୍ରୁଟି ଖୋଜି ବାହାର କରିବାରେ ସାହାଯ୍ୟ କରିବେ । ବର୍ତ୍ତମାନ ସୁଦ୍ଧା ନିସର୍ଗ କୌଣସି କଲେଜରେ ନାମ ଲେଖାଇ ନାହାନ୍ତି କିମ୍ବା ତାଙ୍କ ପାଖରେ କୌଣସି ବଡ଼ ଡିଗ୍ରୀ ନାହିଁ । ତଥାପି କେବଳ ନିଜର ଅସାଧାରଣ ପ୍ରତିଭା ଓ 'ସ୍କିଲ୍' ବଳରେ ସେ ଆଜି ଯେଉଁ ସଫଳତା ପାଇଛନ୍ତି, ତାହା ଦେଶର ଲକ୍ଷ ଲକ୍ଷ ଯୁବପିଢ଼ିଙ୍କ ପାଇଁ ଏକ ବଡ଼ ପ୍ରେରଣା ସାଜିଛି ।

ଆହୁରି ପଢ଼ନ୍ତୁ... ​​​​​​​Petrol Excise Duty: ପେଟ୍ରୋଲ୍ ଦରକୁ ନେଇ ବଡ଼ ଖୁସିଖବର: ହଟିଲା ଏକ୍ସାଇଜ୍ ଡ୍ୟୁଟି, ଜାଣନ୍ତୁ ଲିଟର ପିଛା କେତେ ଟଙ୍କା ହେବ ଫାଇଦା