ରାଉରକେଲା ୦୧/୦୭: ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି) ରାଉରକେଲାର ଗବେଷକମାନେ ମଙ୍ଗଳ ଗ୍ରହର ବାୟୁମଣ୍ଡଳ, ଏଥିରେ ଦ୍ରୁତ ଗତିରେ ଘୂର୍ଣ୍ଣନ କରୁଥିବା ଧୂଳିକଣା,ଶକ୍ତିଶାଳୀ ଧୂଳିଝଡ଼ ଓ ସର୍ବବ୍ୟାପୀ ଜଳୀୟ ବରଫ ମେଘ ଦ୍ୱାରା କିପରି ପ୍ରଭାବିତ ହୋଇପାରେ ତାହା ଅଧ୍ୟୟନ କରିଛନ୍ତି । ଏହି ଅଧ୍ୟୟନ ୟୁଏଇ ବିଶ୍ୱବିଦ୍ୟାଳୟ ଓ ଚୀନର ସନ୍ ୟାତ୍-ସେନ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନଙ୍କ ସହଯୋଗରେ କରାଯାଇଥିଲା । ଗବେଷକ ଦଳ ମଙ୍ଗଳ ଗ୍ରହର ଧୂଳି ଓ ପାଣିର ବରଫ କିପରି ଗ୍ରହର ଜଳବାୟୁ ତଥା ତାପମାତ୍ରାକୁ ପ୍ରଭାବିତ କରିଥାଏ ତାହା ବୁଝିବା ପାଇଁ ଭାରତର ମାର୍ସ ଅର୍ବିଟର୍ ମିଶନ୍ (ଏମ୍ଓଏମ୍) ସମେତ ଅନେକ ମଙ୍ଗଳ ଗ୍ରହ ମିଶନରୁ ସଂଗୃହିତ ୨୦ବର୍ଷରୁ ଅଧିକ ତଥ୍ୟ ଅଧ୍ୟୟନ କରିଥିଲେ । ଏହି ପ୍ରକ୍ରିୟାଗୁଡ଼ିକୁ ଠିକ୍ରେ ଅନୁଧ୍ୟାନ ଦ୍ୱାରା ମଙ୍ଗଳ ଗ୍ରହକୁ ଅନୁସନ୍ଧାନ ଅଭିଯାନ ପାଇଁ ପ୍ରସ୍ତୁତିରେ ମଧ୍ୟ ସାହାଯ୍ୟ କରିବ ।
ଏହି ଗବେଷଣାର ନିଷ୍କର୍ଷଗୁଡ଼ିକୁ ପ୍ରତିଷ୍ଠିତ ପତ୍ରିକା ନ୍ୟୁ ଆଷ୍ଟ୍ରାନାମି ରିଭ୍ୟୁଜ୍ (ଇମ୍ପାକ୍ଟ ଫ୍ୟାକ୍ଟର ୨୬.୮)ରେ ଏକ ଗବେଷଣା ପତ୍ର ଭାବରେ ପ୍ରକାଶିତ ହୋଇଛି । ଏହି ଗବେଷଣା ପତ୍ରକୁ ପୃଥିବୀ ଓ ବାୟୁମଣ୍ଡଳ ବିଜ୍ଞାନ ବିଭାଗର ପ୍ରଫେସର ଜଗବନ୍ଧୁ ପଣ୍ଡା ଓ ଏନ୍ଆଇଟି ରାଉରକେଲାର ତାଙ୍କ ଗବେଷଣା ଛାତ୍ର ଅନିର୍ବାଣ ମଣ୍ଡଳ ମିଳିତ ଭାବେ ଲେଖିଛନ୍ତି । ଏଥିରେ ୟୁଏଇ ବିଶ୍ୱବିଦ୍ୟାଳୟର ନ୍ୟାସନାଲ୍ ସେଣ୍ଟର ଫର୍ ସ୍ପେସ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜିର ଡ. ବିଜୟ କୁମାର ଗୁହା ଓ ଡ. କ୍ଲାଉସ୍ ଗେଭାର୍ଡଟ୍ ଏବଂ ଚୀନର ସନ୍ ୟାତ୍-ସେନ୍ ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ୍ ଆଟ୍ମୋସ୍ଫେରିକ୍ ସାଇନ୍ସର ଡ. ଝାଓପେଙ୍ଗ ୱୁ (ବର୍ତ୍ତମାନ ଚାଇନିଜ୍ ଏକାଡେମୀ ଅଫ୍ ସାଇନ୍ସ, ଇନଷ୍ଟିଚ୍ୟୁଟ୍ ଅଫ୍ ଜିଓଲାଜି ଆଣ୍ଡ୍ ଜିଓଫିଜିକ୍ସରେ କାର୍ଯ୍ୟରତ)ଙ୍କର ମିଳିତ ସହଯୋଗ ଥିଲା ।
ଏନ୍ଆଇଟି ରାଉରକେଲାର ଗବେଷକଙ୍କ ନେତୃତ୍ୱରେ ହୋଇଥିବା ଅଧ୍ୟୟନ ମଙ୍ଗଳ ଗ୍ରହର ପାଣିପାଗର ୩ଟି ପ୍ରମୁଖ ଉପାଦାନ ଧୂଳିକଣା, ବଡ଼ ଧୂଳିଝଡ଼ ଓ ଜଳ-ବରଫ-ବାଦଲ ଉପରେ ଧ୍ୟାନ ଦିଆଯାଇଥିଲା । ଗବେଷଣାର ଗୁରୁତ୍ୱ ଓ ପ୍ରଭାବ ବିଷୟରେ ପ୍ରଫେସର ଜଗବନ୍ଧୁ ପଣ୍ଡା କହିଛନ୍ତି, "ମଙ୍ଗଳ ଗ୍ରହରେ ପାଣିପାଗ ପୂର୍ବାନୁମାନକୁ ଆଗକୁ ବଢ଼ାଇବା କେବଳ ଏକ ବୈଜ୍ଞାନିକ ପ୍ରୟାସ ନୁହେଁ, ଲୋହିତ ଗ୍ରହରେ ଅତୀତ ଓ ଭବିଷ୍ୟତରେ ଜୀବନ ରହିପାରେ କି ନାହିଁ ସେ ବିଷୟରେ ଏକ ମୌଳିକ ବୁଝାମଣା ପ୍ରଦାନ କରିବ ।
ଯଦି ଇସ୍ରୋ ମଙ୍ଗଳ ଗ୍ରହରେ ଅଧିକ ଅଭିଯାନ କରିପାରିବ ଏବଂ ଏପରି ଗବେଷଣା କରିବା ପାଇଁ ବିଶ୍ୱବିଦ୍ୟାଳୟ ବ୍ୟବସ୍ଥାରେ ଅଧିକ ନିବେଶ କରିପାରିବ । ଏହା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ ଆହୁରି ଆଗକୁ ବଢ଼ାଇବାରେ ସାହାଯ୍ୟ କରିବ । ୨୦ବର୍ଷରୁ ଅଧିକ ସମୟର ଇମେଜିଂ ତଥ୍ୟ ବ୍ୟବହାର କରି, ଗବେଷକମାନେ ମଙ୍ଗଳ ଗ୍ରହରେ ଋତୁ ପରିବର୍ତ୍ତନ,ଧୂଳି ଓ ବାଦଲ ଗଠନ ତଥା ଗତି କିପରି ବିକଶିତ ହୁଏ ତାହା ଅନୁସନ୍ଧାନ କରିଛନ୍ତି। ଏହି ଫଳାଫଳଗୁଡ଼ିକ ମଙ୍ଗଳ ଗ୍ରହର ଜଳବାୟୁ ପ୍ରଣାଳୀ ବିଷୟରେ ମାନବ ଜ୍ଞାନ ଓ ବୁଝାମଣାକୁ ପରିଷ୍କାର କରିଥାଏ ଏବଂ ଗ୍ରହରେ ଭବିଷ୍ୟତର ପାଣିପାଗ ପୂର୍ବାନୁମାନ କରିବା ପାଇଁ ଉପଯୋଗୀ ହୋଇପାରେ । ଲୋହିତ ଗ୍ରହକୁ ଅଧିକ ଅଭିଯାନ ହେଉଥିବାରୁ, ଏହିପରି ଦୀର୍ଘକାଳୀନ ଅଧ୍ୟୟନ ଏହାର ପରିବର୍ତ୍ତିତ ଆକାଶ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରୁଛି ।