ଭୁବନେଶ୍ଵର, ୧୮/୦୫ : ବିଜେପି କୋର କମିଟି ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ବାର୍ତ୍ତା। ସରକାର ଏବଂ ସଙ୍ଗଠନ ପାଇଁ ସ୍ବତନ୍ତ୍ର ପରାମର୍ଶ ଦେଲେ ନୀତିନ। ୨୦୩୬ ବିକଶିତ ଓଡ଼ିଶା ଗଠନରେ ରୋଡ୍ ମ୍ୟାପ ନେଇ ସେ ୫ଟି ପରାମର୍ଶ ଦେଇଛନ୍ତି। ସଙ୍ଗଠନ କିପରି ଶକ୍ତିଶାଳୀ ହେବ, ସେ ନେଇ ଟାସ୍କ ଦେଇଛନ୍ତି। ସେ ସଙ୍ଗଠନକୁ ଗୁରୁତ୍ୱ ଦେଇ କହିଛନ୍ତି ଯେ, ସଙ୍ଗଠନ ସୁସ୍ଥ ରହିଲେ ସରକାର ଆଗକୁ ବଢିବ। ସଂଗଠନ ପାଇଁ ଯେତେ ପାରୁଛ କର ଅଳ୍ପରେ ସନ୍ତୁଷ୍ଟ ହୁଅ ନାହିଁ । ସରକାର୍ କିପରି ଆହୁରି ନିଖୁଣତାର ସହ ଲୋକଙ୍କ ପାଖେ ପହଞ୍ଚିବ, ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚିବ ତାକୁ ମନ୍ତ୍ର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିଥିବା କୋର କମିଟି ବୈଠକ ଶେଷ ହୋଇଛି। ଏହି ବୈଠକରେ ସଙ୍ଗଠନ ଆଉ ସମନ୍ଵୟ ଉପରେ ନୀତିନ ନବୀନ ଗୁରୁ ମନ୍ତ୍ର ଦେଇଛନ୍ତି। ତୃଣମୂଳ ସ୍ତରରେ ଦଳ କିଭଳି ମଜବୁତ ହେବ ସେନେଇ ଫିଡବ୍ୟାକ୍ ନେଇଛନ୍ତି। ସରକାର ଆଉ ସଙ୍ଗଠନ କିଭଳି ସାମନ୍ତରଲ ଭାବେ ଆଗକୁ ବଢ଼ିବ ତାଉପରେ ଗୁରୁତ୍ଵାରୋପ କରିଛନ୍ତି। ଏନେଇ ବିଜେପି ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ, ରାଜ୍ୟରେ ବିଜେପି ସରକାର କିଭଳି ଭଲରେ ଲୋକଙ୍କ ପାଇଁ କାମ କରିବ। ସମୃଦ୍ଧ ଓଡ଼ିଶା ଗଠନରେ ପ୍ରାଧାନ୍ୟ ଦେବା ଲାଗି ନୀତିନ ନବୀନ ଗୁରୁମନ୍ତ୍ର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜିଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ଓଡ଼ିଶାକୁ ବିକାଶର ନୂତନ ଦିଗକୁ ନେଇଛି ବୋଲି ବୈଠକ ସରିବା ପରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନୀତିନ ପୋଷ୍ଟ କରିଛନ୍ତି।...
ସୂଚନାନୁଯାୟୀ, କୋର କମିଟି ବୈଠକରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଯୋଗ ଦେଇଛନ୍ତି। ପୂର୍ବତନ ରାଜ୍ୟ ବିଜେପି ସଭାପତି ତଥା ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ ବସନ୍ତ ପଣ୍ଡା, ସାଂସଦ ପ୍ରତାପ ଷଡ଼ଙ୍ଗୀ, ସମ୍ବିତ ପାତ୍ର, ରାଜ୍ୟ ସଙ୍ଗଠନ ମନ୍ତ୍ରୀ ମାନସ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଅଛନ୍ତି।
ବୈଠକ ପରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ, ସୁଭଦ୍ରା, ଆୟୁଷ୍ମାନ, କୋ-ଅପରେଟିଭ ସେବା ଭଳି ଅନ୍ୟ ସେବା ଘରେ ଘରେ ପହଞ୍ଚାଇବାକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ, ସରକାରୀ ଯୋଜନା ଘରେ ଘରେ ପହଞ୍ଚିଲେ ସରକାର ସଫଳ ହେବେ। ଦଲାଲ ଓ ମଧ୍ୟସ୍ଥି ବ୍ୟବସ୍ଥାକୁ ସଂପୂର୍ଣ୍ଣ ବନ୍ଦ କର। ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧା ଟଙ୍କା ଯିବା ସୁନିଶ୍ଚିତ କର। ମୋଦୀ ସରକାର ଓ ରାଜ୍ୟ ସରକାରଙ୍କ ଯୋଜନା ହିଁ ଦଳର ସବୁଠାରୁ ବଡ଼ ପ୍ରଚାର। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାକୁ ବୁଥସ୍ତର ପର୍ଯ୍ୟନ୍ତ ପହଞ୍ଚାଇବାକୁ ସେ ଟାସ୍କ ଦେଇଛନ୍ତି।
ଏନେଇ ମନମୋହନ ସାମଲ କହିଛନ୍ତି ଯେ, ରାଷ୍ଟ୍ରୀୟ ସଭାପତିଙ୍କ ଏହି ସାର୍ଥକ ଉପସ୍ଥିତି ଓଡ଼ିଶା ଭାଜପା ପରିବାର ପାଇଁ ଏକ ଅନୁପ୍ରେରଣାର ଉତ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଓ ରାଷ୍ଟ୍ରୀୟ ସଭାପତିଙ୍କ ମାର୍ଗଦର୍ଶନରେ ଆମ ଦଳ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଓ ଜନସେବାରେ ଦୃଢ଼ ସଂକଳ୍ପ ସହ ଅଗ୍ରସର ହେଉଛି।ସେହିପରି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ବୋର୍ଡ ନିଗମ ନିଯୁକ୍ତି ଶେଷ ସୋପାନରେ ଅଛି। ଏମାସ ଶେଷ ସୁଦ୍ଧା ଘୋଷଣା ହୋଇପାରେ । ୨୦୩୬ ବେଳକୁ ବିଭିନ୍ନ ବିଭାଗର ଯେଉଁ ଲକ୍ଷ କେମିତି ହାସଲ ହେବ ସେନେଇ ଆଲୋଚନା ହୋଇଛି। ସରକାରୀ ନିଯୁକ୍ତି ପ୍ରସଙ୍ଗ ଶେଷ ସୋପାନରେ ଅଛି। ଚଳିତ ମାସ ଶେଷ ସୁଦ୍ଧା ସେସବୁ ଘୋଷଣା ହେବାର ସମ୍ଭାବନା ରହିଛି। ପଞ୍ଚାୟତ ନିର୍ବାଚନ ଆହୁରି ବିଳମ୍ବ ଅଛି, କିନ୍ତୁ ଏହା ପୂର୍ବରୁ ଧାଡ଼ିର ଶେଷ ଲୋକଙ୍କ ପାଖେ କିଭଳି ଯୋଜନା ପହଞ୍ଚିବ ସେନେଇ ରୂପରେଖ ପ୍ରସ୍ତୁତ କରାଯିବ।..
ଏହି ଖବରଟିକୁ ପଢନ୍ତୁ- Congress election strategy : SIRରେ କଟିଯିବ କି କଂଗ୍ରେସର ଭୋଟ୍ ? ପ୍ରତି ବୁଥ୍ରେ ଜଗିବେ ଏଜେଣ୍ଟ