ପାଟନା,୧୫।୧୨: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଭିଡିଓରେ ନୀତୀଶ ଏକ କାର୍ଯ୍ୟକ୍ରମର ମଞ୍ଚ ଉପରୁ ମୁସଲମାନ ମହିଳାଙ୍କ ମୁହଁରୁ ହିଜାବ ହଟାଉଛନ୍ତି। ଭିଡିଓ ସାମନାକୁ ଆସିବା ପରେ ଅନେକ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଭାଇରାଲ ଭିଡିଓରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି ଯେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଯୁକ୍ତି ପତ୍ର ଦେବା ସମୟରେ ଜଣେ ମୁସଲମାନ ମହିଳାଙ୍କ ଚେହେରାରୁ ହିଜାବ କାଢି ଦେଇଥିଲେ। ମଞ୍ଚ ଉପରେ ଥିବା ଉପ-ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏହି ସମୟରେ ନୀତିଶଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇସାରିଥିଲା। ନୀତିଶ କୁମାର ମହିଳାଙ୍କ ଡାକ୍ତରଙ୍କ ହିଜାବ ଖୋଲି ସାରିଥିଲେ।

ଏହି ଭିଡିଓ ସୋମବାରର ଏବଂ ବିହାର ରାଜଧାନୀ ପାଟନାର ବୋଲି ଜଣାପଡିଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୧୨୮୩ ଆୟୁଷ ଡାକ୍ତର(ଆର୍ୟୁବେଦ, ହୋମିଓପାଥିକ ଓ ୟୁନାନି)ଙ୍କୁ ନିଯୁକ୍ତି ପତ୍ର ବାଣ୍ଟୁଥିଲେ। ଏହି ସମୟରେ ନୀତୀଶ କୁମାରଙ୍କ ସହ ଉପ-ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ବିଜୟ କୁମାର ସିହ୍ନା ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ମଙ୍ଗଳପାଣ୍ଡେ ମଧ୍ୟ ଉପସ୍ଥିତ ଥିଲେ। ସମାରୋହରେ ନବ ନିଯୁକ୍ତ ଆୟୁଷ ଡାକ୍ତରଙ୍କୁ ଗୋଟି ଗୋଟି କରି ନିଯୁକ୍ତି ପତ୍ର ଦିଆଯାଉଥିଲା। ଏହି କ୍ରମରେ ଡାକ୍ତର ନୁସରତ ପରବିନଙ୍କ ପାଳି ଆସିଥିଲା, ସେ ହିଜାବ ପିନ୍ଧିକି ପହଁଞ୍ଚିଥିଲେ। ଯେତେବେଳେ ସେ ମଞ୍ଚ ଉପରକୁ ପହଁଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରଥମେ ଆପଏଣ୍ଟମେଣ୍ଟ ଲେଟର ଦେଇଥିଲେ, କିନ୍ତୁ ତା ପରେ ନିଜ ହାତରେ ନୁସରତଙ୍କ ହିଜାବ ଖୋଲି ଦେଇଥିଲେ।

ଏବେ ଏହି ଭିଡିଓକୁ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ଦଳ ସେୟାର କରି ପ୍ରଶ୍ନ ଉଠାଛି। ଆରଜେଡି ସୋସିଆଲ ମିଡିଆ ଏକ୍ସ ପ୍ଲାଟଫର୍ମରେ ଭିଡିଓ ପୋଷ୍ଟ କରି ଲେଖିଛି, ଏ କ’ଣ ହୋଇଗଲା ନୀତିଶଜୀଙ୍କୁ ? ମାନସିକ ସ୍ଥିତି ଏବେ ଦୟନୀୟ ସ୍ଥିତିରେ ପହଁଞ୍ଚି ସାରିଛି ନା ସେ ୧୦୦% ସଂଘୀ ହୋଇସାରିଛନ୍ତି ? ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହାକୁ ନେଇ ଆରଜେଡି ପୂର୍ବରୁ ହିଁ ଟାର୍ଗେଟ କରିସାରିଛି। ଏହା ପୂର୍ବରୁ ନିର୍ବାଚନ ବେଳେ ନଭେମ୍ବରରେ ମଧ୍ୟ ନୀତିଶ କୁମାରଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସେତେବେଳେ ସେ ଏକ ଜନସଭାକୁ ସମ୍ବୋଧିତ କରିବାକୁ ପହଁଞ୍ଚିଥିଲେ। ମଞ୍ଚରେ ସ୍ବାଗତ କରିବାକୁ ପହଁଞ୍ଚିଥିବା ମହିଳାଙ୍କୁ ନୀତିଶ ଜବରଦସ୍ତ ଫୁଲ ମାଳା ପିନ୍ଧାଇ ଦେଇଥିଲେ। ସେତେବେଳେ ମଧ୍ୟ ତତ୍କାଳୀନ ବିହାର ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଜୟସଓ୍ବାଲ ତାଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ।

ଆହୁରି ପଢନ୍ତୁ :ମନରେଗା ବଦଳରେ ‘ଭିବି ଜି ରାମ ଜି’, ସଂସଦରେ ନୂଆ ବିଲ୍ ଆଣିବେ କେନ୍ଦ୍ର ସରକାର: ମିଳିବ ବର୍ଷକୁ ୧୨୫ ଦିନର କାମ