ନୂଆଦିଲ୍ଲୀ,୧୪/୦୯: କିଛି ସପ୍ତାହ ପୂର୍ବରୁ ଭାରତୀୟ କ୍ରିକେଟର କିମ୍ବଦନ୍ତୀମାନେ ବିଶ୍ୱ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ରେ ପାକିସ୍ତାନ ଦଳ ସହିତ ଖେଳିବାକୁ ମନା କରିଦେଇଥିଲେ। ସେହି ଦଳରେ ସୁରେଶ ରାଇନା ମଧ୍ୟ ସାମିଲ ଥିଲେ। ଏବେ ଏସିଆ କପ୍ ୨୦୨୫ର ଭାରତ-ପାକିସ୍ତାନ ମ୍ୟାଚ୍ ବୟକଟ ଏବଂ ବାତିଲ କରିବା ଦାବିକୁ ନେଇ ହଙ୍ଗାମା ଚାଲିଛି। ଏହି ହଙ୍ଗାମା ମଧ୍ୟରେ ପୂର୍ବତନ କ୍ରିକେଟର ସୁରେଶ ରାଇନା ସେହି କାରଣ ବିଷୟରେ କହିଥିଲେ ଯାହା ଯୋଗୁଁ ଟିମ୍ ଇଣ୍ଡିଆ ଏସିଆ କପ୍ରେ ପାକିସ୍ତାନ ସହିତ ମ୍ୟାଚ୍ ଖେଳିବାକୁ ବାଧ୍ୟ ହେଉଛି। ସେ ଏପରି ମଧ୍ୟ ଦାବି କରିଥିଲେ ଯେ 'ଟିମ୍ ଇଣ୍ଡିଆର କୌଣସି ଖେଳାଳି ପାକିସ୍ତାନ ସହିତ ଖେଳିବାକୁ ଚାହାଁନ୍ତି ନାହିଁ।'
ସୁରେଶ ରାଇନା ଜାତୀୟ ଗଣମାଧ୍ୟମ ଆଜ୍ ତକ୍କୁ କହିଛନ୍ତି ଯେ ଏସିଆ କପ୍ ମ୍ୟାଚ୍ ଭାରତ ସରକାରଙ୍କ ଅନୁମୋଦନ ପାଇଛି। ଏତିକି ବେଳେ, ବିସିସିଆଇ ଏହା ମଧ୍ୟ କହି ଆସୁଛି ଯେ ପାକିସ୍ତାନ ସହିତ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳାଯିବ ନାହିଁ। ରାଇନା କହିଛନ୍ତି, "ଯେପର୍ଯ୍ୟନ୍ତ ଆମେ ଚିନ୍ତା କରୁଥିଲୁ, ଏହା ଏକ ବ୍ୟକ୍ତିଗତ ସିରିଜ୍ (ଡବ୍ଳୁସିଏଲ୍ ୨୦୨୫) ଥିଲା, ଯେଉଁଥିରେ ସମସ୍ତ ବଡ଼ ଖେଳାଳି ଖେଳୁଥିଲେ। ସେହି ସିରିଜ୍ ବିସିସିଆଇ ଅଧୀନରେ ଆସୁନାହିଁ। ଏହି କାରଣରୁ, ଆମେ ପାକିସ୍ତାନ ବିପକ୍ଷରେ ନ ଖେଳିବାର ନିଷ୍ପତ୍ତି ନେଇପାରିଲୁ।"
ସୁରେଶ ରାଇନା ଏକ ବଡ଼ ଦାବି କରି କହିଛନ୍ତି, "ମୁଁ ଭଲ ଭାବରେ ଜାଣେ ଯେ ଯଦି ଏସିଆ କପର ଭାରତୀୟ ଦଳର ଖେଳାଳିମାନଙ୍କୁ ବ୍ୟକ୍ତିଗତ ଭାବରେ ପଚରାଯାଏ, ତେବେ କେହି ଏସିଆ କପରେ ଖେଳିବାକୁ ଇଛା କରିବେନି। ଏହା ଖେଳାଳିମାନଙ୍କ ପାଇଁ ଏକ ବାଧ୍ୟବାଧକତା କାରଣ ବିସିସିଆଇ ଏହାକୁ ଅନୁମୋଦନ କରିଛି ଏବଂ ଏହା ଏକ ଏସିସି ଟୁର୍ଣ୍ଣାମେଣ୍ଟ ମଧ୍ୟ।" ସୁରେଶ ରୈନା ଏହା ମଧ୍ୟ କହିଛନ୍ତି ଯେ ଟିମ୍ ଇଣ୍ଡିଆକୁ ପାକିସ୍ତାନ ସହିତ ଖେଳିବାକୁ ପଡୁଥିବାରୁ ସେ ଦୁଃଖିତ। ଏହି ଆଲୋଚନାରେ ସେ ଦ୍ୱିତୀୟ ଥର ପାଇଁ ଦାବି କରିଛନ୍ତି ଯେ ଯଦି କୌଣସି ଭାରତୀୟ ଖେଳାଳିଙ୍କୁ ପଚରାଯାଏ, ତେବେ ସେ ପାକିସ୍ତାନ ସହିତ ଖେଳିବାକୁ ସିଧାସିଧା ମନା କରିଥାନ୍ତେ।