ଭୁବନେଶ୍ୱର,୧୬/୦୪: ପାଣିପାଗ ବିଭାଗ କହୁଛି, ମୌସୁମୀ ଆଗକୁ ବଢ଼ୁଛି । ପାଗ ଅନୁକୂଳ, ଆହୁରି ଆଗକୁ ମାଡ଼ି ଚାଲିବ । ମାନଚିତ୍ରରେ ଗାର କାଟି ଦେଖାଇ ଦେଲେ ଉପକୂଳ ଓଡ଼ିଶାକୁ ପଶିଗଲା । ହେଲେ ଲୋକେ କହୁଛନ୍ତି, ଇଏ କି ପ୍ରକାର ମୌସୁମୀ? ଆସୁଛି, ଛୁଉଁଛି । ବର୍ଷା କାହିଁ? ସାଟେଲାଇଟ ଚିତ୍ର ଦେଖିଲେ ଲାଗୁଛି, ମୌସୁମୀ ଯେମିତି ସାରା ଦେଶରୁ ଏକରକମ ଗାଏବ । ମେଘ ବାଦଲ ବି ଦେଖାଯାଉନି ସାଟେଲାଇଟରେ ।
ରବିବାର ସକାଳରୁ ସୋମବାର ସନ୍ଧ୍ୟା ଭିତରେ ଭୁବନେଶ୍ୱରରେ ୦.୧ ମିଲିମିଟର ବର୍ଷା ରେକର୍ଡ ହୋଇନାହିଁ । ସୋମବାର ବର୍ଷା ପରିମାଣ ଏତେ କମ୍ ଥିଲା ଯେ ମାପ ଯୋଗ୍ୟ ହୋଇପାରିଲାନି । ଦିନ ତମାମ ମେଘୁଆ ଥିଲେ ବି ପୂରା ଶୁଖିଲା । କିନ୍ତୁ, ମୌସୁମୀ ମାନଚିତ୍ରରେ ପ୍ରାୟତଃ ଉପକୂଳ ଓଡ଼ିଶାରେ ଗାର ଟଣା ସରିଛି । ଭୁବନେଶ୍ୱର କେନ୍ଦ୍ର ପକ୍ଷରୁ କୁହାଯାଇଛି, କୋରାପୁଟ, ଫୁଲବାଣୀ, ବୌଦ୍ଧ, ସୁନ୍ଦରଗଡ଼କୁ ମୌସୁମୀ ପ୍ରବେଶ କରିଛି । ୪-୫ ଦିନରେ ପୂରା ରାଜ୍ୟକୁ ବ୍ୟାପିଯିବ ।
ରବିବାର ବୌଦ୍ଧ ସହର ଥିଲା ରାଜ୍ୟର ସବୁଠୁ ଉତ୍ତପ୍ତ । ତାପମାତ୍ରା ୪୨.୫ ଡିଗ୍ରୀ ସେଲସିୟସ୍ । କୋରାପୁଟ ୩୭.୪, ସୁନ୍ଦରଗଡ଼ ୩୮, ଫୁଲବାଣୀ ୩୬.୯ ଡିଗ୍ରୀ ସେଲସିୟସ୍ । ଭୁବନେଶ୍ୱର ୩୭ ଡିଗ୍ରୀ ତାତିକୁ ଭୀଷଣ ଗୁଳୁଗୁଳି ନାକେଦମ । ଅନୁଭୂତ ତାତି ୪୫ ଡିଗ୍ରୀ ଭଳି । ଅନ୍ୟପଟେ ସାଟେଲାଇଟ ଚିତ୍ର ଦେଖି ମୁଣ୍ଡରେ ହାତ ଦେଲେଣି ବିଶେଷଜ୍ଞ । ସାରା ଭାରତରୁ ଯେମିତି ବାଦଲ ଗାଏବ । ମୂଳରୁ ମେଘ ବାଦଲ ନାହିଁ, ମୌସୁମୀ ବର୍ଷା କରିବ କେଉଁଠି? ବଢ଼ୁଛି କେମିତି?
ବିଶେଷଜ୍ଞଙ୍କ କହିବାନୁସାରେ କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ଏଥର ମୌସୁମୀର ଅସ୍ୱାଭାବିକ ରୂପ ଦେଖିବାକୁ ମିଳିଛି । ମୌସୁମୀ ଦୁର୍ବଳ ଅବସ୍ଥାରେ ଅଛି । ଉଭୟ ଆରବ ସାଗରୀୟ ଶାଖା ଏବଂ ବଙ୍ଗୋପସାଗର ଶାଖା ଏତେ ଦୁର୍ବଳ ଯେ ମେଘୁଆ ପବନ ତ ଆସୁନି, ବର୍ଷା କ’ଣ ହେବ? ବର୍ତ୍ତମାନ ପ୍ରଶାନ୍ତ ମହାସାଗର ପଟୁ ଗୁରୁଚାପ ବଳୟ ରହିବା କଥା । ଏହା ବଙ୍ଗୋପସାଗର ପବନକୁ ଭାରତ ଭୂଖଣ୍ଡ ଆଡ଼କୁ ଠେଲିବାରେ ସାହାଯ୍ୟ କରିଥାଏ । ଫଳରେ ମୌସୁମୀ ସକ୍ରିୟ ହେବାରେ ଏହା ସହାୟକ ହୁଏ । ମାତ୍ର ଏବେ ପ୍ରଶାନ୍ତ ମହାସାଗର ପଟୁ ଗୁରୁଚାପ ବଳୟ ବା ରେଖା ନାହିଁ । ତେଣୁ ବଙ୍ଗୋପସାଗରରୁ ପବନ ଭାରତ ଆଡ଼କୁ ନ ଆସି ପ୍ରଶାନ୍ତ ମହାସାଗର ଦିଗରେ ମୁହାଁଉଛି । ତେଣୁ ଭାରତରେ ମୌସୁମୀର ବଙ୍ଗୋପସାଗରୀୟ ଶାଖା ଦୁର୍ବଳ । ସେହିପରି ଆରବ ସାଗର ଶାଖା ଦୁର୍ବଳ ଥିବାରୁ ପଶ୍ଚିମ ଉପକୂଳ ଆଡ଼କୁ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେଉଛି । ମେଘ ବାଦଲ ସୃଷ୍ଟି ହୋଇପାରୁନି । ୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ତା’ପରେ ମୌସୁମୀ ପ୍ରବାହ ବଢ଼ିପାରେ । ତେଣୁ ବର୍ଷା ବଢ଼ିବା ଆଶା କରାଯାଉଛି । ଏଭଳି ସ୍ଥିତିରେ ତାପମାତ୍ରା ଅଧିକ ନ ବଢ଼ିଲେ ମଧ୍ୟ ଗୁଳୁଗୁଳି ଜାରି ରହିପାରେ ।
ବର୍ତ୍ତମାନ ସୁଦ୍ଧା ଦେଶରେ ଜୁନ୍ ମାସରେ ୩୨% ବର୍ଷା କମ୍ ରହିଛି । ଓଡ଼ିଶାରେ ଜୁନ୍ ୧୫ ସୁଦ୍ଧା ହାରାହାରି ୭୪.୬ ମିଲିମିଟର ବର୍ଷା ହେବା କଥା । ହୋଇଛି ୪୪.୬ ମିମି । ଅର୍ଥାତ୍ ରାଜ୍ୟରେ ୪୦% ବର୍ଷା ନିଅଣ୍ଟିଆ ରହିଛି । ଏଭଳି ସ୍ଥିତିରେ ଚଳିତବର୍ଷ ଚାଷକୁ ନେଇ ଚିନ୍ତା ବଢ଼ିଲାଣି । ରଜ ପରେ ଚାଷ କାମ ଆଗେଇଥାଏ । ମାତ୍ର ବର୍ଷା ନିଅଣ୍ଟିଆ ହେଲେ ଚାଷକୁ ସମସ୍ୟା ହୋଇପାରେ । ଚଳିତବର୍ଷ ଏଲ୍-ନିନୋ ପ୍ରଭାବରେ ମୌସୁମୀ ବର୍ଷା ଅନିୟମିତ ହେବା ଆଶଙ୍କା ରହିଛି । ଏମିତିରେ ଜୁନ୍ରେ ବର୍ଷା ନିଅଣ୍ଟିଆ ସ୍ଥିତିରେ ସୁଧାର ନ ଆସିଲେ ଧାନ ଫସଲକୁ ବେଶି ଅଡ଼ୁଆ ହୋଇପାରେ ।
ଅଧିକ ପଢ଼ନ୍ତୁ :- Series Accident : ରାଜଧାନୀରେ ସିରିଜ୍ ଦୁର୍ଘଟଣା : ଏକାଧିକ ଗାଡିକୁ ଧକ୍କା ଦେଲା ଏସୟୁଭି,୨ ମୃତ
ଗତ ୨୪ ଘଣ୍ଟାରେ (ରବିବାରରୁ ସୋମବାର ସକାଳ ଭିତରେ) ବୋଲଗଡ଼ରେ ୮୯ ମିମି, ତିଗିରିଆରେ ୮୮, ଭୁବନରେ ୮୧, କଙ୍କଡ଼ାହାଡ଼ରେ ୭୪, ଜେନାପୁରରେ ୬୮, କାମାକ୍ଷାନଗରରେ ୬୬, ଦାନଗଦୀରେ ୫୭, ନୟାଗଡ଼ ନୂଆଗାଁରେ ୩୯, ଫିରିଙ୍ଗିଆରେ ୩୯,ଜଗତସିଂହପୁର ନୂଆଗାଁରେ ୩୮, ରାୟଗଡ଼ାରେ ୨୮, ଫୁଲବାଣୀ ୩୧.୮, ବିଷମ କଟକରେ ୨୮.୨, ବାଲିଗୁଡ଼ାରେ ୨୭.୪ ମିମି ବର୍ଷା ରେକର୍ଡ ହୋଇଛି । କିନ୍ତୁ, ସୋମବାର ସକାଳ ୮ଟା ୩୦ରୁ ସନ୍ଧ୍ୟା ସାଢ଼େ ୫ଟା ଭିତରେ କେବଳ କୋରାପୁଟରେ ସର୍ବାଧିକ ୧୦.୨, ନବରଙ୍ଗପୁରରେ ୬.୪, ଦାରିଙ୍ଗିବାଡ଼ିରେ ୨, ପାରଳାଖେମୁଣ୍ଡିରେ ୨, ରାୟଗଡ଼ାରେ ୦.୨ ମିମି ବର୍ଷା ହୋଇଛି । ବାକି ଅଞ୍ଚଳ ଶୁଖିଲା । ମଙ୍ଗଳବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।