ଭୁବନେଶ୍ସବର, ୨୩।୨ : ସମଗ୍ର ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଶୃଙ୍ଖଳିତ, ବ୍ୟବସ୍ଥିତ ଭାବେ ଆଗେଇ ଚାଲିଛି । ଧାନ ଉଠାଇବାରେ କୌଣସି ସ୍ଥାଣୁତା ନାହିଁ କିମ୍ବା ଚାଷୀଙ୍କ ପ୍ରାପ୍ୟ ପ୍ରଦାନରେ କୌଣସି ବିଳମ୍ବ ନାହିଁ । ସମସ୍ତ ସ୍ତରରେ ନିରନ୍ତର ତଦାରଖ ମାଧ୍ୟମରେ ଏହି ବ୍ୟବସ୍ଥା ସମନ୍ୱିତ ଭାବେ କାର୍ଯ୍ୟ କରାଯାଉଛି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ କହିଛନ୍ତି । ରାଜ୍ୟରେ ଭିତ୍ତିଭୂମିର ଅଭାବ, କେତେକ ସ୍ଥାନରେ ଗୋଦାମ ସମସ୍ୟା, ଇନପୁଟ ଆସିଷ୍ଟାନ୍ସ ପ୍ରଦାନ ପରେ ଅଧିକ ଚାଷୀ ପଞ୍ଜୀକରଣ ହେବା ଫଳରେ କେତେକ ପ୍ରାରମ୍ଭିକ ଚାପ ସୃଷ୍ଟି ହୋଇଛି। ଏହି ଚାପକୁ ଦୃଷ୍ଟିରେ ରଖି ଭବିଷ୍ୟତରେ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।

ମଣ୍ଡିରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୯୭୩ଟି ଭିତ୍ତିଭୂମି ଉନ୍ନୟନ କାମ ଆରମ୍ଭ କରାଯାଇଛି। ଏହାମଧ୍ୟରୁ ୨୧୨ଟି କାମ ସମ୍ପୂର୍ଣ୍ଣ ହୋଇସାରିଛି। ଅନ୍ୟ ୪୬୬ ଟି କାମ ଶୀଘ୍ର ସମାପ୍ତି ହେବ। ରାଜ୍ୟରେ ୧୦୦ଟି ମଡେଲ୍ ମଣ୍ଡି ସ୍ଥାପନ କରାଯିବ । ୫ ଲକ୍ଷ ମେଟ୍ରିକ୍ ଟନ କ୍ଷମତା ବିଷିଷ୍ଟ ଗୋଦାମ ଗୃହ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ସରକାର ଅସ୍ଥାୟୀ ନୁହେଁ, ସ୍ଥାୟୀ ସମାଧାନରେ ବିଶ୍ୱାସ କରେ। ଆସନ୍ତା ଦିନରେ ଆଧୁନିକ ମଣ୍ଡି ବ୍ୟବସ୍ଥା ଗଢ଼ି ତୋଳିବା ଆମର ଲକ୍ଷ୍ୟ। ପ୍ରତିଟି ଯୋଗ୍ୟ ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟ (MSP) ରେ ନିଜର ଧାନ ବିକ୍ରି କରିବାର ସୁଯୋଗ ପାଇବେ । କୌଣସି ପ୍ରକୃତ ଚାଷୀ ବଞ୍ଚିତ ହେବେ ନାହିଁ ଏହା ଆମ ସରକାରଙ୍କ ଲକ୍ଷ୍ୟ।

ଆମେ KMS ୨୦୨୪-୨୫ ରେ ୯୨.୬୪ ଲକ୍ଷ ମେଟ୍ରିକ ଟନ୍ରୁ ଅଧିକ ଧାନ ସଂଗ୍ରହ କରି ଏକ ଐତିହାସିକ ସଫଳତା ଲାଭ କରିଛୁ। ଯେଉଁଥିରେ ୧୯ ଲକ୍ଷ ୭୩ ହଜାର ଚାଷୀ ସାମିଲ ହୋଇଛନ୍ତି । ଡିବିଟି ମାଧ୍ୟମରେ ପ୍ରାୟ ୨୮,୭୧୯ କୋଟି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି, ଯାହା ରାଜ୍ୟ ଇତିହାସରେ ସର୍ବାଧିକ ।

ପୂର୍ବ ସରକାରଙ୍କ ସମୟରେ KMS ୨୦୨୩-୨୪ ରେ ଉଭୟ ଖରିଫ ଓ ରବି ଋତୁରେ ମୋଟ ୭୦.୮୮ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିଲା । ଏଥିରେ ୧୫.୩୨ ଲକ୍ଷ ଚାଷୀ ଉପକୃତ ହୋଇଥିଲେ । କିନ୍ତୁ ଚଳିତ KMS ୨୦୨୫-୨୬ କେବଳ ଖରିଫ ଋତୁରେ ବର୍ତ୍ତମାନ ସୁଦ୍ଧା ୬୩.୪୬ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇସାରିଛି, ଯେଉଁଥିରେ ୧୪.୮୩ ଲକ୍ଷରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଆହୁରି ପଢନ୍ତୁ : ସ୍ମାର୍ଟ ପରିବହନ ଓ ସ୍ଥାୟୀ ଭବିଷ୍ୟତ ଆମର ଲକ୍ଷ୍ୟ : ନଗର ଉନ୍ନୟନ ମନ୍ତ୍ରୀ