ନୂଆଦିଲ୍ଲୀ,୧୫/୧୦: ନ୍ୟାଶନାଲ ଫାର୍ମା  ସିଟିକାଲ ପ୍ରାଇସିଂ ଅଥରିଟି (ଏନ୍‌ପିପିଏ) ୮  ଔଷଧର ଅଧିକତମ ମୂଲ୍ୟରେ ପରିବର୍ତ୍ତନ ସହ ବୃଦ୍ଧି  କରିଛନ୍ତି । ନୂତନ ଅଧିକତମ ମୂଲ୍ୟ ବା ସିଲିଂ ପ୍ରାଇସ  ନିର୍ଦ୍ଧାରଣ ଲାଗି ବିଭିନ୍ନ କମ୍ପାନି ଏନ୍‌ପିପିଏକୁ ନିବେଦନ  କରିଥିଲେ । ଏହି ମେଡିସିନ ଗୁଡିକ ଆଜମା, ଟିବି,  ଗ୍ଲୋକୁମା, ଥାଲେସିମିଆ ଭଳି କ୍ଷେତ୍ରରେ ବ୍ୟବହାର  ହୋଇଥାଏ ।  

ବର୍ତ୍ତମାନର ସିଲିଂ ମୁଲ୍ୟ ଠାରୁ ମେଡିସିନର  ମୂଲ୍ୟ ୫୦% ବୃଦ୍ଧି ନେଇ ମଞ୍ଜୁରୀ ମିଳିଛି । ଏ ନେଇ  ଏକ ଜରୁରୀ ବୈଠକ ଚଳିତ ମାସ ୮ରେ ଅନୁଷ୍ଠିତ  ହୋଇଥିଲା । କଞ୍ଚାମାଲ ଏବଂ ଅନ୍ୟ ଆନୁଷଙ୍ଗିକ ଖର୍ଚ୍ଚ  ବୃଦ୍ଧି ଜନୀତ ଚାପ ଯୋଗୁ ଏଭଳି ମେଡିସିନଗୁଡିକର  ଦର ବୃଦ୍ଧି ପାଇଁ କମ୍ପାନିଗୁଡିକ ନିବେଦନ କରିଥିଲେ ।

ଏହି ମେଡିସନ ଗୁଡିକ ମଧ୍ୟରେ ହୃଦରୋଗ ପାଇଁ  ବ୍ୟବହୃତ ଅଟ୍ରୋପାଇନ ଇଞ୍ଜେକ୍ସନ ୦.୬ ମିଲିଗ୍ରାମ,  ଟିବି ପାଇଁ ବ୍ୟବହୃତ ଷ୍ଟେପ୍‌ଟ୍ରୋମିସିନ ଇଞ୍ଜେକ୍ସନ  ପାଉଡର ୭୫୦ ମିଲି ଗ୍ରାମ, ୧୦୦୦ ମିଲିଗ୍ରାମ, ଆଜ୍‌ମା  ମେଡିସିନ ସାଲବୁଟାମୋଲ ଟାବଲେଟ ୨ ମିଲିଗ୍ରାମ, ୪  ମିଲିଗ୍ରାମ ଟାବଲେଟ ଏବଂ ରେସ୍‌ପିରେଟର ସଲ୍ୟୁଶନ  ୫ ମିଲିଗ୍ରାମ ସଲ୍ୟୁଶନ ରହିଛି ।  

ଅନ୍ୟ ମେଡିସିନ ମଧ୍ୟରେ ପିଲୋକାର୍ପାଇନ ୨%  ଡ୍ରପ, ସେଫାଡ୍ରୋକ୍ସିଲ ଟ୍ୟାବଲେଟ ୫୦୦ ମିଲିଗ୍ରାମ,  ଥାଲେସେମିଆ ଲାଗି ବ୍ୟବହୃତ ଡେଫେରୋକ୍ସାମାଇନ  ୫୦୦ ମିଲିଗ୍ରାମ ଏବଂ ଲିମିଥୟ ଟାବଲେଟ ୩୦୦  ମିଲିଗ୍ରାମ ରହିଛି । ଏନ୍‌ପିପିଏ ପକ୍ଷରୁ କୁହାଯାଇଛି ଯେ,  ସୁଲଭ ମୂଲ୍ୟରେ ଲୋକଙ୍କୁ ଅତ୍ୟାବଶ୍ୟକ ମେଡିସିନ  ଯୋଗାଣ ନିଶ୍ଚିତ କରିବା ଏବଂ ମେଡିସିନ ଗୁଡିକର  ଉପଲବ୍ଧ କରାଇବା ଦିଗରେ ପଦକ୍ଷେପ ନିଆଯାଇଛି ।  

ଦର ନିୟନ୍ତ୍ରଣ ନ କଲେ ମେଡିସନ ଗୁଡିକ  ବଜାରରେ ମିଳିବା କଷ୍ଟକର ହୋଇପଡିବ । ମେଡିସିନ  ଉତ୍ପାଦନରେ ବ୍ୟବହୃତ ଏପିଆଇ, ବିନିମୟ ହାର ଭଳି  ବିଭିନ୍ନ ଦିଗକୁ ନେଇ କମ୍ପାନି ଗୁଡିକ ସିଲିଂ ମୂଲ୍ୟରେ  ପରିବର୍ତ୍ତନ କରିବାକୁ ନିବେଦନ କରିଥିଲେ । ବିଭିନ୍ନ  ଦିଗକୁ ବିଚାର କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି।