ଆମେ ଓଡ଼ିଆ ଅସ୍ମିତା କଥା ଚିନ୍ତା  କରିବା ପୂର୍ବରୁ ପ୍ରଥମେ ଓଡ଼ିଆ  କିଏ ଚିନ୍ତା କରିବାର ଆବଶ୍ୟକତା  ରହିଛି । ଗୋପବନ୍ଧୁଙ୍କ ଭାଷାରେ  ‘ପୃଥିବୀର ସ୍ଥାନ ଅନୁସାରେ ଜାତିର ନାମକରଣ ହୋଇଥିବା ପ୍ରାୟ  ସର୍ବତ୍ର ଦେଖାଯାଏ । ଏକସ୍ଥାନରେ  ବାସକରୁଥିବା ଲୋକମାନଙ୍କ  ମଧ୍ୟରେ ମାୟାମମତା ଜନ୍ମେ ।’

ସଂପ୍ରତି ରାଜନୈତିକ ନେତାଠୁଁ ଆରମ୍ଭ କରି  ବୁଦ୍ଧିଜୀବୀଙ୍କ ପର୍ଯ୍ୟନ୍ତ ସମସ୍ତେ ଅସ୍ମିତାର  ଚର୍ଚ୍ଚାରେ ମଗ୍ନ । ରାଜନୈତିକ ନେତାମାନେ ଏହି ଶବ୍ଦକୁ ମର୍ଯ୍ୟାଦାସମ୍ପନ୍ନ ଗୌରବଯୁକ୍ତ ଆତ୍ମସମ୍ମାନବୋଧ  ଅର୍ଥରେ ବ୍ୟବହାର କଲାବେଳେ ସଂସ୍କୃତଜ୍ଞ  ବିଦ୍ୱାନମାନେ ଏହା ମୂଳତଃ ନକାରାତ୍ମକ ଅର୍ଥ ବହନ  କରୁଥିବା ଏକ ଶବ୍ଦ ବୋଲି ଯୁକ୍ତି ଉପସ୍ଥାପନ କରୁଛନ୍ତି ।  ପତଞ୍ଜଳି "ଯୋଗସୂତ୍ର'ରେ ଏହି ଶବ୍ଦର ପ୍ରୟୋଗ କରି  କହିଛନ୍ତି "ଅବିଦ୍ୟା ଅସ୍ମିତାରାଗଦ୍ୱେଷ ଅଭିନିବେଶାଃ  ପଞ୍ଚକ୍ଳେଶାଃ', ଅର୍ଥାତ୍‌ ଅବିଦ୍ୟା, ଅସ୍ମିତା, ରାଗ,  ଦ୍ୱେଷ ଓ ପାର୍ଥିବ ଭୋଗମୟ ଜୀବନ ପ୍ରତି ଅନୁରକ୍ତି  ଯୋଗସାଧନାରେ ପ୍ରତିବନ୍ଧକ ଅଟନ୍ତି । 

ଏଣୁ  ସେ ଏଗୁଡ଼ିକୁ ପଞ୍ଚକ୍ଳେଶ କହିଛନ୍ତି । ପରବର୍ତ୍ତୀ  ସମୟରେ ଟୀକାକାରମାନେ ଅସ୍ମିତାକୁ ମୋହ ଓ  ଅହଂକାର, ଅର୍ଥାତ୍‌ ମୋ’ଠାରୁ ଆଉ କେହି ବଡ଼  ନାହିଁ ଭାବ ଅର୍ଥରେ ଗ୍ରହଣ କରିଛନ୍ତି ଓ ଏହି  ଶବ୍ଦର ନକାରାତ୍ମକ ଦିଗ ପ୍ରତି ଦୃଷ୍ଟି ଆକର୍ଷଣ  କରିଛନ୍ତି । ଭଗବତ୍‌ ଗୀତାରେ ଭଗବାନ ଅର୍ଜୁନକୁ  କହିଛନ୍ତି "ଅହଂକାର ବିମୂତାତ୍ମା କର୍ତ୍ତାହମିତି ମନ୍ୟତେ'  ଅର୍ଥାତ୍‌ ଅହଂକାରରେ ମୋହଗ୍ରସ୍ତ ବ୍ୟକ୍ତି ନିଜକୁ ସର୍ବମୟ  କର୍ତ୍ତା ବୋଲି ମନେକରେ । ଏଣୁ ଅହଂକାର ନିଶ୍ଚିତ ଏକ  ନକାରାତ୍ମକ ଗୁଣ । ଏହା ଅବିଦ୍ୟା ଓ ଅଜ୍ଞାନତା ଏଣୁ  ସଂସ୍କୃତବିତ୍‌ମାନଙ୍କ ମତରେ, ସ୍ୱାଭିମାନ ପ୍ରକାଶ କରିବା  ପାଇଁ ଅସ୍ମିତା ଶବ୍ଦ ବ୍ୟବହାର କରିବା ଓଡ଼ିଆ ଜାତି ପ୍ରତି  ଅପମାନ । ମାତ୍ର ଏ ସଂପର୍କରେ ଏହି ଲେଖକ ଭିନ୍ନମତ  ପୋଷଣ କରେ । ଭାଷା ହେଉଛି ଏକ ଚଳମାନ ପ୍ରକ୍ରିୟା ।  ସମୟକ୍ରମେ ଏଥିରେ ନୂଆ ନୂଆ ଶବ୍ଦ ପ୍ରବେଶ କରେ,  ବେଳେବେଳେ ନୂଆ ନୂଆ ଶବ୍ଦ ଗଢ଼ାଯାଏ । ଅନେକ  ଶବ୍ଦ ତାର ପୁରାତନ ଅର୍ଥ ସହିତ ନୂଆ ଅର୍ଥ ମଧ୍ୟ  ଗ୍ରହଣ କରେ । ତେଣୁ ରେମଣ୍ଡ ଉଇଲିୟମ୍‌ସ ଇଂରାଜୀ  ଶବ୍ଦଗୁଡ଼ିକର ବିକାଶ ଓ ବିବର୍ତ୍ତନକୁ ନେଇ ‘‘Key Words-A vocabulary of Culture and Society’ ଶୀର୍ଷକରେ ଏକ ବହି ଲେଖିଛନ୍ତି ।  

ଓଡ଼ିଆରେ ଯଦି ଏପରି ବହିଖଣ୍ଡେ ଥାଆନ୍ତା, ହୁଏତ  ଅସ୍ମିତା ଶବ୍ଦର ଅର୍ଥକୁ ନେଇ ଆଜି ତର୍କଯୁଦ୍ଧ ମୁଣ୍ଡ  ଟେକିନଥାନ୍ତା । ଏକଥା କହିବାର ତାତ୍ପର୍ଯ୍ୟ ହେଉଛି  ପ୍ରାଚୀନ ଆଧ୍ୟାତ୍ମିକ ଶାସ୍ତ୍ରରେ ଅହଂକାର ବା ମୋହ  ଅର୍ଥରେ ଅସ୍ମିତା ଶବ୍ଦଟି ବ୍ୟବହାର ହୋଇଥାଇପାରେ ।  ମାତ୍ର ପରବର୍ତ୍ତୀ କାଳରେ ଏହି ଶବ୍ଦଟି ଅସ୍ତିତ୍ୱ ଅର୍ଥରେ  ମଧ୍ୟ ବ୍ୟବହୃତ ହୋଇଛି । ସଂସ୍କୃତ "ଅସ୍ମି' ଶବ୍ଦରୁ ଏହି  ଶବ୍ଦର ସୃଷ୍ଟି । ଅହଂ ଅସ୍ମି ଇତି ତସ୍ୟ ଭାବଃ- ଅର୍ଥାତ୍‌  ମୁଁ ଅଛିର ଭାବ, ଅର୍ଥାତ୍‌ ମୋର ଅସ୍ତିତ୍ୱ । ରାଧାନାଥଙ୍କ  ପରେ ଗୋପୀନାଥ ନନ୍ଦ ଶର୍ମା ତାଙ୍କ ଶବ୍ଦତତ୍ତ୍ୱବୋଧ  ଅଭିଧାନରେ (୧୯୧୬) ଅସ୍ମିତାର ଅର୍ଥ ଉଭୟ  ଅହଂକାର ଓ "ମୁଁ ଅଛି ଏହି ଭାବ' ବୋଲି ଉଲ୍ଲେଖ  କରିଛନ୍ତି । ପରବର୍ତ୍ତୀ ସମୟରେ ଗୋପାଳଚନ୍ଦ୍ର ପ୍ରହରାଜ  ମଧ୍ୟ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ (୧୯୪୦)ରେ  ଅସ୍ମିତା ଶବ୍ଦର ଅର୍ଥରୂପେ ଅହଂକାର ସହ ଅହଂଜ୍ଞାନକୁ  ମଧ୍ୟ ଯୋଡ଼ିଛନ୍ତି । ସମୟ ସ୍ରୋତରେ ଅସ୍ମିତା ଶବ୍ଦଟି ଏକ  ସକାରାତ୍ମକ ଆତ୍ମପରିଚୟବୋଧ ଅର୍ଥରେ ବ୍ୟବହୃତ  ହୋଇଛି । ପ୍ରଫେସର ଗଗନେନ୍ଦ୍ର ନାଥ ଦାଶ ମଧ୍ୟ  ତାଙ୍କ ପ୍ରବନ୍ଧ "ଓଡ଼ିଆ ଅସ୍ମିତା ଚର୍ଚ୍ଚା'ରେ ଆତ୍ମପରିଚିତି  ଅର୍ଥରେ ଏହି ଶବ୍ଦକୁ ବ୍ୟବହାର କରିଛନ୍ତି । ଏଣୁ ଅସ୍ମିତାର ପ୍ରାଚୀନ ନକାରାତ୍ମକ ଅର୍ଥକୁ ଜାବୁଡ଼ି  ଧରି ସାଂପ୍ରତିକ ସମୟରେ ବ୍ୟବହୃତ ଅର୍ଥକୁ ଉପେକ୍ଷା  କରିବା ଯୁକ୍ତିଯୁକ୍ତ ମନେ ହୁଏନାହିଁ । ସମୟ ସ୍ରୋତରେ  ଅନେକ ଶବ୍ଦ ନୂତନ ଅର୍ଥରେ ବହୁଳ ବ୍ୟବହୃତ ହୋଇ  ଗ୍ରହଣୀୟ ହୋଇଥିବାର ଅନେକ ଉଦାହରଣ ଅଛି । ଯଥା  "ଉଦ୍ଭଟ' ଶବ୍ଦର ମୂଳ ଅର୍ଥ ହେଉଛି ଉକୃଷ୍ଟ ବା ଶ୍ରେଷ୍ଠ ।  ମାତ୍ର ସମୟକ୍ରମେ ଏହି ଶବ୍ଦଟି ନକାରାତ୍ମକ ଅର୍ଥରେ  ବ୍ୟବହାର ହୋଇଛି । 

ବିଶିଷ୍ଟ ଲେଖକ ରତ୍ନାକର ଚୈନି  "ଉଦ୍ଭଟ ନାଟ୍ୟ ପରମ୍ପରା' ପୁସ୍ତକରେ ଉଦ୍ଭଟ ଶଦ୍ଦକୁ  "ଅସଙ୍ଗତ' (out of harmony) ଅର୍ଥରେ  ବ୍ୟବହାର କରିବାପରେ ସଂପ୍ରତି ଏହି ଶଦ୍ଦଟି ପୂର୍ବର  "ଉକୃଷ୍ଟ' ଅର୍ଥରେ ପ୍ରାୟ ବ୍ୟବହୃତ ନହୋଇ "ଅସଙ୍ଗତ'  ଅର୍ଥରେ ବେଶୀ ବ୍ୟବହାର ହେଉଛି । ଠିକ୍‌ ସେଭଳି  ଅସ୍ମିତା ଆଜି ପୂର୍ବର ନକାରାତ୍ମକ ଅର୍ଥରେ ବ୍ୟବହାର  ନହୋଇ ଅସ୍ତିତ୍ୱସୂଚକ ଓ ଆତ୍ମସମ୍ମାନବୋଧକ  ଶବ୍ଦଭାବରେ ଗୃହୀତ ହୋଇସାରିଛି । ଏଣୁ ସେହି  ଅର୍ଥରେ ଅସ୍ମିତାର ସ୍ୱରୂପକୁ ଆଲୋଚନା କରିବା ଏହି  ପ୍ରବନ୍ଧର ଲକ୍ଷ୍ୟ । ଆମେ ଓଡ଼ିଆ ଅସ୍ମିତା କଥା ଚିନ୍ତା କରିବା ପୂର୍ବରୁ  ପ୍ରଥମେ ଓଡ଼ିଆ କିଏ ଚିନ୍ତା କରିବାର ଆବଶ୍ୟକତା  ରହିଛି । ଗୋପବନ୍ଧୁଙ୍କ ଭାଷାରେ “ପୃଥିବୀର ସ୍ଥାନ  ଅନୁସାରେ ଜାତିର ନାମକରଣ ହୋଇଥିବା ପ୍ରାୟ ସର୍ବତ୍ର  ଦେଖାଯାଏ । ଏକସ୍ଥାନରେ ବାସକରୁଥିବା ଲୋକମାନଙ୍କ  ମଧ୍ୟରେ ମାୟାମମତା ଜନ୍ମେ । ସେମାନଙ୍କ ଆଶା,  ଅଭିପ୍ରାୟ ଭାଗ୍ୟ ଓ ଭବିଷ୍ୟତ ଏକ ଶ୍ରେୟଃ ସ୍ୱାର୍ଥରେ  ଆବଦ୍ଧ । ସେମାନଙ୍କ କର୍ମଭୂମି ଏକ ଓ ଅଭିନ୍ନ । ସେହି  ଭୂମି ସେମାନଙ୍କ ପକ୍ଷରେ ପବିତ୍ର ଓ ପ୍ରେମମୟ କ୍ଷେତ୍ର ।  ଏହା ସେମାନଙ୍କ ଜନ୍ମଭୂମି । ସେମାନଙ୍କ ଦୃଷ୍ଟିରେ  ସ୍ୱର୍ଗାଦପି ଗରୀୟସୀ । ଯେଉଁମାନେ ଏପରି ଏକ ନିର୍ଦ୍ଦିଷ୍ଟ  ଉପଖଣ୍ଡରେ ବାସକରନ୍ତି ସେମାନେ ଏକ ଜାତି ଏବଂ  ସେହି ଉପଖଣ୍ଡର ନାମ ଅନୁସାରେ ନାମିତ ହୁଅନ୍ତି ।  ଏହି ପ୍ରାକୃତିକ ବିଧାନରେ ଯେଉଁମାନେ ସମାନ ଆକାଂକ୍ଷା  ଧରି ଜନ୍ମ ମରଣରେ ସମାନ ଶ୍ରେୟଃ ସ୍ୱାର୍ଥରେ ବିଜଡ଼ିତ  ସେମାନେ ସମସ୍ତେ ଓଡ଼ିଆ ଜାତି” । ଜଣେ ଓଡ଼ିଆ  ଭୂଇଁରେ ଜନ୍ମ ନେଇପାରେ, ଯଦି ସେ ଓଡ଼ିଶାର ଭାଷା,  ସଂସ୍କୃତି, ଜୀବନଶୈଳୀରୁ ବିଚ୍ଛିନ୍ନ ହୋଇ ଜୀବନ ଯାପନ  କଲା ସେ ଓଡ଼ିଆ ପଦବାଚ୍ୟ ନୁହେଁ । ଅପରପକ୍ଷରେ  ଜଣେ ଓଡ଼ିଶା ବାହାରେ ଜନ୍ମ ନେଇପାରେ, ମାତ୍ର ଯଦି  ସେ ଓଡ଼ିଶା ମାଟିରେ ବାସକଲା ଓ ଓଡ଼ିଶାର ଜୀବନ  ଶୈଳୀକୁ ଆପଣେଇ ନେଲା ସେ ହିଁ ପ୍ରକୃତ ଓଡ଼ିଆ ।  

ଓଡ଼ିଆତ୍ୱ ଏକ ଭୌଗୋଳିକ ବ୍ୟାପାର ନୁହେଁ, ଏହା ଏକ  ଚେତନାଗତ ଅବସ୍ଥା । ଏହି ଧାରଣା କେବଳ ଓଡ଼ିଆ  ନୁହେଁ, ଗୁଜରାଟୀ, ବିହାରୀ, ବଙ୍ଗାଳୀ ଭଳି ପ୍ରତ୍ୟେକ  ପ୍ରାଦେଶିକ ଅସ୍ମିତା ପ୍ରତି ପ୍ରଯୁଜ୍ୟ । ସାଧାରଣତଃ ଆମେ ପ୍ରାଦେଶିକ ଅସ୍ମିତାର  ଗର୍ବବୋଧରେ ଉଲ୍ଲସିତ ହେଉ । ଆମେ ଯେପରି  "ଉତ୍କଳସ୍ୟ ସମଦଶୋ ନାସ୍ତି ଦେଶଃ ମହୀତଳେ'  କହି ଓଡ଼ିଶାର ଭାଷା, ସଂସ୍କୃତି, କଳା, ସ୍ଥାପତ୍ୟ ଆଦିର  ଜୟଗାନ କରୁ ଗୁଜରାଟୀ, ବଙ୍ଗାଳୀ, ଆସାମୀ, ମରାଠୀ  ଆଦି ମଧ୍ୟ ସେମାନଙ୍କ ଅସ୍ମିତାକୁ ନେଇ ଗର୍ବ କରିବା  ସ୍ୱାଭାବିକ । ଆମେ ଓଡ଼ିଆ ଅସ୍ମିତାକୁ ନେଇ ଗର୍ବ  କରିବାରେ କିଛି ଅସୁବିଧା ନାହିଁ କିମ୍ବା ମରାଠୀମାନେ  ସେମାନଙ୍କ ଅସ୍ମିତାକୁ ନେଇ ଉଲ୍ଲସିତ ହେବାରେ କିଛି  ସମସ୍ୟା ନାହିଁ । ମାତ୍ର ନିଜର ଅସ୍ମିତାକୁ ନେଇ ଗର୍ବ  କଲାବେଳେ ଅନ୍ୟର ଅସ୍ମିତାକୁ ହେୟଜ୍ଞାନ କରିବା ବା  ନୀଚ ମନେକରିବା ଠିକ୍‌ ନୁହେଁ । ପ୍ରାଦେଶିକ ଅସ୍ମିତା  ହେଉଛି ଏକ ସଂକୁଚିତ ଚେତନା । 

ଏଣୁ ପ୍ରାବନ୍ଧିକ  ଚିତ୍ତରଞ୍ଜନ ଦାସ କହନ୍ତି "ଯଦି ସାରା ପୃଥିବୀ ନରହିବ,  ତେବେ ତାହାରି ଠିକ୍‌ ଅଙ୍ଗରୂପେ ରହିଆସିଥିବା ଏହି  ଭାରତବର୍ଷ ମଧ୍ୟ କେଉଁଠି ରହିବ? ଆମେ ଭୂଇଁଟିକୁ  ଓଡ଼ିଶା ବୋଲି କହିବା ସିନା, ମାତ୍ର ଆକାଶଟାକୁ କିପରି  ଓଡ଼ିଶା ଭିତରେ କିଳି ରଖିପାରିବା । ବ୍ୟାବହାରିକ  ଦୃଷ୍ଟିରୁ ଭାରତବର୍ଷକୁ ଆମଲାଗି ଏକ ଦୃଶ୍ୟମାନ ଆକାଶ  ବୋଲି ଗ୍ରହଣ କରାଯାଇପାରିବ ସତ, ମାତ୍ର ଆମର  ଅସଲ ଆକାଶ ହେଉଛି ସମଗ୍ର ପୃଥିବୀ । ପୃଥିବୀ  ରହିଛି ବୋଲି ଭାରତବର୍ଷ ରହିଛି ଓ ଭାରତବର୍ଷ ରହିଛି  ବୋଲି ଓଡ଼ିଶା ରହିଛି । ଯଦି ଓଡ଼ିଶା ଭିତରେ ହିଁ ଆମର  ଯାବତୀୟ ଭାବଗତ ଆତଯାତଗୁଡ଼ିକୁ କିଳି ରଖିବା,  ତେବେ ଆମକୁ ସମଗ୍ର ପୃଥିବୀ ହସିବ ଏବଂ ଆମେ  ମଧ୍ୟ ଏହି ମିଛ ପାଚେରିଗୁଡ଼ିକ ଭିତରେ କିଳି ହୋଇ  ରହି କ୍ରମେ ବ୍ୟାଧିଗ୍ରସ୍ତ ହୋଇପଡ଼ିବା । ଆମେ ଯଦି  ନିଜର ଅସ୍ମିତାକୁ ଶ୍ରେଷ୍ଠ କହି ଅନ୍ୟର ଅସ୍ମିତାକୁ ନିକୃଷ୍ଟ  ବା ନୀଚ ପ୍ରତିପାଦନ କରିବା ତେବେ ଅସ୍ମିତା ଏକ  "ବୋଧ' ନହୋଇ "ବାଦ'ରେ ପରିଣତ ହେବ । ପୃଥିବୀ  ଇତିହାସରେ ଜାତୀୟତାବୋଧ ଜାତୀୟତାବାଦରେ  ପରିଣତ ହୋଇ ବିଶ୍ୱଯୁଦ୍ଧ ସୃଷ୍ଟି କରିଥିଲା । ଜର୍ମାନମାନେ  ନିଜକୁ ଶ୍ରେଷ୍ଠ ଜାତି କହି ଇହୁଦୀମାନଙ୍କୁ ହତ୍ୟା  କରିଥିଲେ । ସେହିଭଳି ଅସ୍ମିତାବୋଧ ଅସ୍ମିତାବାଦରେ  ପରିଣତ ହେଲେ ଆଉ ଏକ ବିଶ୍ୱଯୁଦ୍ଧ ସୃଷ୍ଟିହେବ ।  

ଭାରତୀୟମାନେ କହିବେ ଆମେ ଶ୍ରେଷ୍ଠ ଓ ଅନ୍ୟ  ଜାତିମାନେ ନିକୃଷ୍ଟ । ସେହିପରି ଅନ୍ୟ ଜାତିମାନେ କହିବେ ସେମାନେ ଶ୍ରେଷ୍ଠ ଓ ଅନ୍ୟମାନେ ନିକୃଷ୍ଟ ।  ଏହିଭଳି ଏକ ଭାବନା ଅସ୍ମିତାବାଦକୁ ଜନ୍ମଦେବ  ଓ ସେହି ବାଦ ସମଗ୍ର ପୃଥିବୀରେ ଦ୍ୱନ୍ଦ୍ୱ, କଳହ ଓ  ଅଶାନ୍ତିର କାରଣ ହେବ । ଏଣୁ ଅସ୍ମିତା ଉତ୍ତରିତ ହେବା  ଆବଶ୍ୟକ । ମୁଁ ସମ୍ବଲପୁରିଆ, ବାଲେଶ୍ୱରିଆ, କଟକିଆ/  ମୁଁ ଓଡ଼ିଆ, ବଙ୍ଗାଳୀ, ମରାଠୀ/ ମୁଁ ଭାରତୀୟ, ଜର୍ମାନ,  ଆମେରିକୀୟ ଭଳି ସଂକୁଚିତ ଚେତନାରୁ ଆମକୁ ଊଦ୍ଧ୍ୱର୍କୁ  ଯିବାକୁ ହେବ । ଅଥର୍ବ ବେଦର ଋଷି ଉଦ୍‌ଘୋଷଣା  କରିଥିଲେ "ମାତାଭୂମିଃ ପୁତ୍ରୋ ଅହଂ ପୃଥିବ୍ୟାଃ'  ଅର୍ଥାତ୍‌ ଏହି ସମଗ୍ର ଭୂଖଣ୍ଡ ହେଉଛି ମୋର ମାଆ ଓ ମୁଁ ପୃଥିବୀର ପୁତ୍ର । ଏହିଭଳି ବୈଶ୍ୱିକ ଅସ୍ମିତାରେ ଉଦ୍‌ବୁଦ୍ଧ  ହେଲେ ଆଉ ପ୍ରାଦେଶିକ ଅସ୍ମିତାକୁ ନେଇ ଅହଂକାର  ସୃଷ୍ଟି ହେବନାହିଁ । 

ଏହା ମଧ୍ୟ ସ୍ୱୀକାର୍ଯ୍ୟ ଯେ ବୈଶ୍ୱିକ ଅସ୍ମିତା ଭାବରେ  ଉଦ୍‌ବୁଦ୍ଧ ହେବା ସହଜ କଥା ନୁହେଁ । ଏହି ଉତ୍ତରଣର  ଆରମ୍ଭ ନିମ୍ନସ୍ତରରୁ ହିଁ ସମ୍ଭବ । ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର  ପାଣିଗ୍ରାହୀଙ୍କ ଭାଷାରେ "ଯେ ଭଲ ଓଡ଼ିଶାବାସୀ ନୁହେଁ,  ସେ ଭଲ ଭାରତବାସୀ ନୁହେଁ, ଯେ ଭଲ ଭାରତବାସୀ  ନୁହେଁ, ସେ ଭଲ ବିଶ୍ୱବାସୀ ହୋଇ ନପାରେ' । ଏଣୁ  ପ୍ରାଦେଶିକ ଅସ୍ମିତାକୁ ନେଇ ଆମେ ଗର୍ବ କରିପାରୁ,  ମାତ୍ର ଅନ୍ୟର ଅସ୍ମିତାକୁ ନିକୃଷ୍ଟ ପ୍ରତିପାଦନ କରି ନୁହେଁ ।  ଆମର ଅସ୍ମିତାବୋଧ ରହୁ, ମାତ୍ର ଅନ୍ୟର ଅସ୍ମିତା  ପ୍ରତି ମଧ୍ୟ ସମ୍ମାନବୋଧ ରହୁ । ପରିଶେଷରେ ଆମର ସଂକୁଚିତ ଅସ୍ମିତା ବୈଶ୍ୱିକ ଅସ୍ମିତାକୁ ଉତ୍ତରିତ ହେଉ ।  ଅସ୍ମିତାବୋଧ ଅସ୍ମିତାବାଦରେ ପରିଣତ ନହେଉ ।