ଭଞ୍ଜନଗର : ଗଞ୍ଜାମ ଜିଲ୍ଲାରୁ ହଟୁନି ଦାଦନ ଯନ୍ତ୍ରଣା। ଏଠାରୁ ଅନେକ ଶ୍ରମିକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ ସେଠାରେ ମୃତ୍ୟୁର ଶୀକାର ହେଉଛନ୍ତି। ଏଭଳି ଅନେକ ଅଭାବନୀୟ ଘଟଣା ଘଟୁଥିବା ବେଳେ ଏବେ ବର୍ଷର ଶେଷ ସମୟରେ ଆଉ ଏକ ଦାନନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସବଡିଭିଜନ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ବ୍ଳକର ବିଡିପୁର ପଞ୍ଚାୟତର ସୋରିସମୂଳୁ ଗାଁର ସମ୍ବରା ସ୍ବାଇଁ (୪୪)ଙ୍କର ଗୁଜରାଟର ସୁରଟର ଓଲପାହାଡରେ ଥିବା ଏକ ସୂତାକଳରେ କାମ କରୁଥିବା ବେଳେ , ଗତ ୨୮ ତାରିଖ ସନ୍ଧ୍ୟାରେ ଦୁଇ ମହଲାରୁ ଅସାବଧାନତାରୁ ତଳକୁ ଖସି ପଡ଼ିଥିଲେ। ଆଉ କମ୍ପାନୀ କର୍ତ୍ତୃପକ୍ଷ ତାକୁ ତୁରନ୍ତ ସେଠାର ସରକାରୀ ସିଭିଲ ହସ୍ପିଟାଲରେ ଭର୍ତ୍ତି କରି ଥିଲେ। ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହାସହ ମଧ୍ୟ ପଢନ୍ତୁ : ପିକନିକ୍ ଯାଉଥିଲେ ଜାଣି ରଖନ୍ତୁ ନିୟମ, ବାଣିଜ୍ୟ ପରିବହନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି

ଅପରପକ୍ଷରେ ସମ୍ବରା ସ୍ବାଇଁଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପରିବାର ଲୋକମାନେ ଦୁଃଖରେ ଭାଙ୍ଗି ପଡି ଥିଲେ। ତେବେ ମୃତ୍ୟୁ ପରେ ମଧ୍ୟ ସମ୍ବରା ସ୍ବାଇଁଙ୍କୁ ଅମର କରି ରଖିବାକୁ ମେଡିକାଲ କର୍ତ୍ତୃପକ୍ଷଙ୍କ ଅନୁରୋଧକୁ ପରିବାର ଲୋକେ ସମର୍ଥନ ଦେବା ପରେ ଶେଷରେ ୨୯ ତାରିଖରେ ସେହି ହସ୍ପିଟାଲ ପରିସରରେ ମୃତ ସମ୍ବରା ସ୍ବାଇଁଙ୍କ ଶରୀରରୁ ବୃକକ୍ ଓ ଫୁସଫୁସ ବାହାର କରାଯିବା ସହ ଏହାକୁ ନେଇ ୪ ଜଣଙ୍କ ଶରୀରରେ ଯୋଡି ଦିଆଯାଇ ଥିବା ସୂଚନା ରହିଛି। ଫଳରେ ମୃତ୍ୟୁ ପରେ ବି ମୃତ୍ୟୁ ସହ ସଂଗ୍ରାମ କରୁଥିବା ୪ ଜଣଙ୍କ ଜୀବନ ବଞ୍ଚାଇ ସେମାନଙ୍କୁ ନୂଆ ଜୀବନ ଦେଇ ସମ୍ବରା ସ୍ବାଇଁ ଅମର ହୋଇଯାଇଛନ୍ତି। ଶରୀରରୁ ଅସ୍ତ୍ରୋପଚାର କରି ଏଭଳି ମୂଲ୍ୟବାନ ଅଙ୍ଗ ବାହାର କରି ଅନ୍ୟ ଠାରେ ସଫଳତାର ସହ ପ୍ରତି ରୋପଣ କରାଯିବା ପରେ ସେଠାକାର ମେଡିକାଲ ଷ୍ଟାଫ୍ ମୃତ ସମ୍ବରାଙ୍କ ପାର୍ଥିବ ଶରୀରକୁ ଶେଷ ସମ୍ମାନ ଜଣାଇ ତାଙ୍କର ଏଭଳି ମହତ୍ କାମ ପାଇଁ ସାଲୁଟ୍ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

​​​​​​​

ବୁଧବାର ସମ୍ବରାଙ୍କ ପାର୍ଥିବ ଶରୀର ଗାଁକୁ ଆସିବ। ମୃତ ସମ୍ବରାଙ୍କ ପତ୍ନୀ ଓ ୨ ପୁଅ ଝିଅ ଏବେ ସଂପୂର୍ଣ୍ଣ ଅସହାୟ ହୋଇ ପଡିଛନ୍ତି। ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ଏବେ ସେମାନେ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ତୁରନ୍ତ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ବିଡିପୁର ସରପଞ୍ଚ ରଶ୍ମିତା ସାହୁ, ସମିତି ସଭ୍ୟ ଗୀତାରାଣୀ ବାରିକ, ସମାଜସେବୀ ବିପ୍ରଚରଣ ବାରିକ ପ୍ରମୁଖ ଦାବି କରିଛନ୍ତି।