• ପୂର୍ବ ଚିହ୍ନଟ ଭୁଲ୍ରେ ସୀମିତ ନା, ଆଉ ତ୍ରୁଟିର ହେବ ସଂଶୋଧନ
  • ପିଲାଙ୍କ ପଢ଼ାକୁ ନେଇ ଗଣଶିକ୍ଷା ବିଭାଗର ନାହିଁ ତତ୍ପରତା
  • ଡିଟିପିରେ ଦୁର୍ନୀତି ଅଭିଯୋଗ ଆଣିଲା ଅଭିଭାବକ ସଂଘ
  • ତେଜୁଛି ବହି ରାଜନୀତି, ବଦନାମ ହେଉଛନ୍ତି ସରକାର

ଭୁବନେଶ୍ୱର,୦୧/୦୭: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକ ପ୍ରସଙ୍ଗରେ ଦିନକୁ ଦିନ ନୂଆ ତ୍ରୁଟି ଦେଖିବାକୁ ମିଳୁଛି । ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗ ଛାଡ଼ିବାର ନାଁ ଧରୁନି । ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସ୍‌ସିଇଆର୍‌ଟି) ଏକ ୧୬୭୮ ଭୁଲ୍‌ ଥିବା ସଂଶୋଧନ ପୁସ୍ତିକା ଜାରି କଲା । କୁହାଗଲା କେବଳ ହାତଗଣତି ତଥ୍ୟଗତ ତ୍ରୁଟିକୁ ଛାଡ଼ି ଦେଲେ ବାକି ସବୁ ସାମନ୍ୟ ତ୍ରୁଟି ରହିଛି । ହେଲେ ଏବେ ସ୍କୁଲ ଖୋଲିବା ପରେ ଏବେ ମାଳମାଳ ତ୍ରୁଟି ଦେଖି ଶିକ୍ଷକ ଓ ଛାତ୍ରଛାତ୍ରୀ ପାଗଳ ହୋଇଗଲେଣି । ତଥ୍ୟ ଭିତ୍ତିକ ତ୍ରୁଟି ଏବେ ପିଲାଙ୍କ ଭବିଷ୍ୟତକୁ ଅନ୍ଧାର କରି ଦେବ ବୋଲି ଅଭିଭାବକ, ଶିକ୍ଷକ କହିଲେଣି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ତତ୍ପରତାକୁ ନେଇ ପ୍ରଶ୍ନ ଉଠୁଛି । ଯେମିତି ଲେଖାଯାଇଛି, ଭାସ୍କୋଡାଗାମା ଭାରତକୁ ଗୋଲମରିଚ ସଂଗ୍ରହ କରିବାକୁ ଆସିଥିଲେ । ଚତୁର୍ଥ ଶ୍ରେଣୀ ବହିରେ ଝିମାଣି ଖେଳ ପ୍ରାଚୀନ କାଳରେ ଭାରତରେ ଖେଳାଯାଉଥିଲା । ଯାହାକୁ ଏବେ କବାଡ଼ି ଖେଳ ବୋଲି କୁହାଯାଉଛି । ଏହାକୁ ପାଣ୍ଡବ ଓ କୌରବମାନେ ଖେଳି ଏଥିରୁ ଶତ୍ରୁତା ହୋଇଥିଲା ବୋଲି ଉଲ୍ଲେଖ କରାଯାଇଛି । ଏକ ବହିରେ ଓଡ଼ିଶା ମୋର ଦେଶ ବୋଲି ଏକ କବିତା ଥିବା ଅଭିଯୋଗ ହୋଇଛି । ଏଇ ଗୋଟିଏ ଦୁଇଟା ନୁହେଁ ଯେତେ ପୃଷ୍ଠାକୁ ପିଲାମାନେ ଓଲଟାଉଛନ୍ତି ସେତେ ଭୁଲ୍‌ ବାହାରୁଛି । ଏମିତି ଭୁଲ୍‌କୁ ନେଇ କ’ଣ କରାଯିବ ? ବୋଲି ଶିକ୍ଷକମାନେ ପ୍ରଶ୍ନ କରୁଛନ୍ତି । ଏମିତିକି କୌଣସି ବିଷୟର ତାଳମେଳ ନାହିଁ ବୋଲି କହୁଛନ୍ତି । ଏସ୍‌ସିଇଆର୍‌ଟି ଚିହ୍ନଟ କରିଥିବା ୧୬୭୮ଟି ତ୍ରୁଟିକୁ କେବଳ ସଂଶୋଧନ କରିଦେଇ ପିଲାଙ୍କ ପାଖକୁ ସଂଶୋଧନ ସିଟ୍‌ ପଠାଯିବ ନା ସଂପୂର୍ଣ୍ଣ ବହିର ସମୀକ୍ଷା କରି ନିର୍ଭୁଲ୍‌ ତଥ୍ୟ ସହ ପାଠ୍ୟପୁସ୍ତକ ସଂଶୋଧନ କରାଯିବ ? ତାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି ।

ଅନ୍ୟପଟେ ସବୁ ଦୋଷ ଏସ୍‌ସିଇଆର୍‌ଟିକୁ ଠେଲି ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମୁକ୍ତି ହେବାକୁ ଚାହୁଁଛି । ହେଲେ ଏସ୍‌ସିଇଆର୍‌ଟି ତ ଗଣଶିକ୍ଷା ବିଭାଗ ଅଧୀନରେ । ପାଠ୍ୟପୁସ୍ତକ ତ୍ରୁଟି ଘଟଣା ଲୋକଲୋଚନକୁ ଆସିବାର ୨ ସପ୍ତାହରୁ ଅଧିକ ଦିନ ହେଲାଣି, ଅଥଚ ଏବାବଦରେ ବିଭାଗ କ’ଣ ପଦକ୍ଷେପ ନେଉଛି କି ନାହିଁ ତାର କୌଣସି ସ୍ପଷ୍ଟତା ସାମ୍ନାକୁ ଆସୁନି । ମୁଖ୍ୟମନ୍ତ୍ରୀ ତ୍ରୁଟି ପ୍ରସଙ୍ଗକୁ ଗୁରୁତର ସହ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସତ ହେଲେ ବିଭାଗ ଏବାବଦରେ ସେତେଟା ଗୁରୁତ୍ୱ ନଦେବା ପରି ମନେ ହେଉଛି । ଅନ୍ୟପଟେ ରାଜନୈତିକ ଦଳମାନେ ଏହାକୁ ନେଇ ପ୍ରତି ଦିନ ସାମ୍ବାଦିକ ସମ୍ମିଳନୀ, ବିକ୍ଷୋଭ, ଆନ୍ଦୋଳନ ଆଦି କରୁଛନ୍ତି । ସରକାର ବଦନାମ ମଧ୍ୟ ହେଉଛନ୍ତି । ମଙ୍ଗଳବାର ବିଜେଡି ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିବା ବେଳେ ବୁଧବାର କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଉମରକୋଟରେ ବିକ୍ଷୋଭ କରିବ ।

ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଭାବେ ତଦନ୍ତ କରାଯାଇ ମୂଳ ତ୍ରୁଟିକୁ ଧରିବା ଦାବି କରିଛି ଶିକ୍ଷକ ସଂଘ । କେଉଁ ଆଧାରରେ ଏମିତି ସବୁ ବହିରେ ଉଲ୍ଲେଖ କରାଗଲା ତାକୁ ନେଇ ପ୍ରଶ୍ନ ଉଠାଇଛି । ପିଲାଙ୍କ ଭବିଷ୍ୟତ ସହ ଖେଳିବାକୁ ଏମିତି ସତ୍‌ସାହାସ କିପରି କଲେ ବୋଲି ପ୍ରଶ୍ନ କରୁଛନ୍ତି । ଅନ୍ୟପଟେ ଏକ ଅଭିଭାବକ ସଂଘ ଅଭିଯୋଗ କରିଛି, ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ, ପ୍ରକାଶନ ସଂସ୍ଥାକୁ ଡିଟିପି ଡିଜାଇନିଂ ପାଇଁ ଦିଆଯାଇଥିଲା । ସଂଘ ଅଭିଯୋଗ କରିଛି, ଏହି ଡିଟିପି ଓ ଡିଜାଇନିଂ ପାଇଁ ୭ କୋଟି ଟଙ୍କାର ଟେଣ୍ଡର ହୋଇଥିଲା । ଏଥିରେ ଦୁର୍ନୀତି ହୋଇଛି ।

ଅଧିକ ପଢନ୍ତୁ- Census 2027: ୨୦୨୭ ଫେବ୍ରୁଆରୀରୁ ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା, ଆଜିଠୁ ୨୦ ଦିନିଆ ପ୍ରି ଟେଷ୍ଟ୍‌