ଭୁବନେଶ୍ୱର,୨୧/୦୨: କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ଖର୍ଚ୍ଚ ହେବ ୪୨ ହଜାର ୪୯୨ କୋଟି । ଗ୍ରାମ୍ୟ ଉନ୍ନୟନକୁ ୧୩ ପ୍ରତିଶତ ଅଧିକ ପାଣ୍ଠି । ଭିତ୍ତିଭୂମି ବିକାଶ ପାଇଁ ୭୨ ହଜାର କୋଟି । ଦକ୍ଷିଣରୁ ଉତ୍ତର ଆଉ ପୂର୍ବରୁ ପଶ୍ଚିମକୁ ଯୋଡ଼ିବ ୩ ଏକ୍ସପ୍ରେସ ୱେ ।
ସହରାଞ୍ଚଳ ବିକାଶ ବ୍ୟୟ ବରାଦ ୧୦ ହଜାର ୭୩୮ କୋଟିକୁ ବଢ଼ିଲା । ୫୦ ସହରକୁ ନେଇ ବିକାଶ କରାଯିବ ୮ଟି ମଡେଲ୍ ଶିଳ୍ପାଞ୍ଚଳ ସହର କ୍ଲଷ୍ଟର । ଉପକୂଳ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବିକାଶ କରାଯିବ ୪ଟି ଅର୍ଥନୈତିକ କରିଡର୍ । କୃତ୍ରିମ ବୁଦ୍ଧିମତ୍ତା ଓ ନୂଆ ଟେକ୍ନୋଲୋଜିକୁ ବ୍ୟବହାର କରି ଶିଳ୍ପାୟନ ଓ ନାଗରିକ ଅନ୍ତର୍ଭୁକ୍ତୀକରଣକୁ ସୁଦୃଢ଼ କରାଯିବ । ଏଭଳି ଅଭିନବ ଓ ଦୂରଦୃଷ୍ଟିସମ୍ପନ୍ନ ଯୋଜନା ଓ କାର୍ଯ୍ୟକ୍ରମ ବଳରେ ଉଚ୍ଚ ଅଭିବୃଦ୍ଧି ହାସଲ କରି ବିକଶିତ ଓଡ଼ିଶା ଲକ୍ଷ୍ୟ ଦିଗରେ ଆଗେଇ ନେବାକୁ ଉଦ୍ୟମ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଆହୁରି ପଢ଼ନ୍ତୁ :- ସମୃଦ୍ଧ ଓଡ଼ିଶାର ଯାତ୍ରା ଆରମ୍ଭ : ଏ ବଜେଟ୍ ଗଢ଼ିବ ବିକଶିତ ଓ ସମାବେଶୀ ଓଡ଼ିଶା, ସବୁ ବର୍ଗର ସ୍ବପ୍ନ, ଆକାଂକ୍ଷା ପୂରଣ ହେବ
ଆଗାମୀ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ବିଧାନସଭାରେ ବଜେଟ ଉପସ୍ଥାପନ କରି ବିକାଶର ବ୍ଲୁ-ପ୍ରିଣ୍ଟ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ବର୍ଷ ରାଜ୍ୟର ଅର୍ଥନୀତି ବର୍ତ୍ତମାନ ମୂଲ୍ୟ (ନୋମିନାଲ) ରେ ପାଖାପାଖି ୧୨ ପ୍ରତିଶତ ବଢ଼ିବ । ରାଜ୍ୟର ମୋଟ ଘରୋଇ ଉତ୍ପାଦ ୧୧ ଲକ୍ଷ କୋଟି ଡେଇଁଯିବ । ସ୍ଥିର ମୂଲ୍ୟରେ ୯.୫ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ହେବ ବୋଲି ଆଶା ରଖାଯାଇଛି ।
ଲୋକଙ୍କ ଉନ୍ନତି, ରାଜ୍ୟର ପ୍ରଗତି ପ୍ରତିବଦ୍ଧତାକୁ ସାକାର କରିବା ପାଇଁ ୬ଟି ସ୍ତମ୍ଭକୁ ଗୁରୁତ୍ୱ ଦିଆଯାଇଛି । ନାଗରିକଙ୍କୁ ପ୍ରାଥମିକତା, ଗ୍ରାମୀଣ ସଶକ୍ତୀକରଣ, ସମସ୍ତଙ୍କ ସମୃଦ୍ଧି, ଆମ ପରମ୍ପରା ଆମ ସ୍ୱାଭିମାନ, ପଥ ପ୍ରଦର୍ଶନକାରୀ ପ୍ରଯୁକ୍ତି ଓ ଲୋକକୈନ୍ଦ୍ରିକ ଶାସନ ବଜେଟର ମୂଳ ଆଧାର ବୋଲି ସେ ଦର୍ଶାଇଛନ୍ତି । ବିକାଶକୁ ଦ୍ରୁତ ଗତିରେ ଆଗେଇ ନେବାକୁ କାର୍ଯ୍ୟକ୍ରମ ଖର୍ଚ୍ଚକୁ ମୋଟ ବ୍ୟୟ ବରାଦର ୫୮ ପ୍ରତିଶତ ପାଣ୍ଠି ଯୋଗାଇ ଦିଆଯାଇଛି । ୧ ଲକ୍ଷ ୮୦ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି କାର୍ଯ୍ୟକ୍ରମ ଖର୍ଚ୍ଚ । ଗତବର୍ଷ ତୁଳନାରେ ୧୦ ହଜାର କୋଟି ଅଧିକ ।
ଅଭିବୃଦ୍ଧିର ଇଂଜିନ ପୁଞ୍ଜି ଖର୍ଚ୍ଚ (କ୍ୟାପିଟାଲ୍ ଏକ୍ସପେଣ୍ଡିଚର) ବଢ଼ିଛି ୧୧ ପ୍ରତିଶତ । ୬୫ ହଜାର କୋଟିରୁ ୭୨ ହଜାର ୧୦୦ କୋଟିକୁ ବୃଦ୍ଧି କରାଯାଇଛି । ବଜେଟ୍ର ମୋଟ ବିକାଶମୂଳକ ଖର୍ଚ୍ଚ ୨ ଲକ୍ଷ ୨୮ ହଜାର କୋଟି ବୋଲି ସରକାର ଦର୍ଶାଇଛନ୍ତି, ଯାହା ମୋଟ ବ୍ୟୟ ଅଟକଳର ପାଖାପାଖି ୭୪% ।
ଆହୁରି ପଢ଼ନ୍ତୁ :- ୨୦୨୬-୨୭ ବର୍ଷ ପାଇଁ ୩.୧୦ ଲକ୍ଷ କୋଟିର ଓଡ଼ିଶା ବଜେଟକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ
କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ବ୍ୟୟବରାଦ ବଢ଼ିଛି ୧୨ ପ୍ରତିଶତ । ଜଳସେଚନ ବିଭାଗକୁ ୧୦ ପ୍ରତିଶତ ଅଧିକ ପାଣ୍ଠି ଦିଆଯାଇଛି । ଚାଷୀଙ୍କ ଧାନ ସଂଗ୍ରହକୁ ସୁପରିଚାଳିତ କରିବା ପାଇଁ ଆସନ୍ତା ୩ ବର୍ଷ ଭିତରେ ୧୧ ଲକ୍ଷ ଟନ୍ କ୍ଷମତାର ଏକ ଅତ୍ୟାଧୁନିକ ଗୋଦାମ ନିର୍ମାଣ କରାଯିବ । ଆସନ୍ତା ବର୍ଷ ଅତିରିକ୍ତ ୩ ଲକ୍ଷ ୩୩ ହଜାର ହେକ୍ଟର ଜମିକୁ ସେଚ ସୁବିଧା ଯେଗାଇ ଦିଆଯିବ । ସଡ଼କ ବିକାଶ ଏବଂ ଶିଳ୍ପାୟନକୁ ଅଧାର କରି ଅଭିବୃଦ୍ଧି ହାସଲ କରିବାକୁ ବଜେଟରେ ନୀଳ ନକ୍ସା ପ୍ରସ୍ତୁତ ହୋଇଛି ।
ମାଲକାନଗିରିର ମୋଟୁ ଠାରୁ ମୟୂରଭଞ୍ଜର ତିରିଂକୁ ଯୋଡ଼ିବା ଲାଗି ୯୬୯ କିଲୋମିଟର ଲମ୍ବା ଅଟଳ ଏକ୍ସପ୍ରେସ ୱେ ନିର୍ମାଣ କରାଯିବ । ଯାହା ରାଜ୍ୟର ମେରୁଦଣ୍ଡ ଭାବେ କାମ କରିବ । ପାରଳାଖେମୁଣ୍ଡିରୁ ବରଗଡ଼ ଜିଲ୍ଲାର ଅମ୍ବାଭୋନା ଯାଏ ଯୋଡ଼ିବ ପୂର୍ବ-ପଶ୍ଚିମ କରିଡର ନମୋ ଏକ୍ସପ୍ରେସ ୱେ । ବ୍ରହ୍ମପୁରଠାରୁ ଜୟପୁର ଯାଏ ୯ ହଜାର କୋଟିରେ ନିର୍ମାଣ ହେବ ଆଉ ଏକ ଏକ୍ସପ୍ରେସ ୱେ ।
ପୁରୀ- ଭୁବନେଶ୍ୱର-କଟକ-ପାରାଦୀପ ଅର୍ଥନୈତିକ କରିଡର ଢାଞ୍ଚାରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଆଉ ତିନିଟି ଅର୍ଥନୈତିକ କ୍ଲଷ୍ଟର୍ ବିକାଶ କରାଯିବ । ଏଗୁଡ଼ିକ ହେଲା ବରଗଡ଼-ଝାରସୁଗୁଡ଼ାସମ୍ବଲପୁର କରିଡର, ବ୍ରହ୍ମପୁର-ଛତ୍ରପୁର ଓ ଗୋପାଳପୁର ତଥା ଜୟପୁର-କୋରାପୁଟ ଓ ସୁନାବେଡା ଅର୍ଥନୈତିକ କ୍ଲଷ୍ଟର ।
ଶିଳ୍ପାୟନରେ ରାଜ୍ୟର ଯୁବକମାନଙ୍କ ନିଯୁକ୍ତି ସୁଯୋଗ ବଢ଼ାଇବା ଲାଗି ପାରାଦୀପ ଓ ବଲାଙ୍ଗିରରେ ସରକାରୀ ଇଂଜିନିୟରିଂ କଲେଜ ପ୍ରତିଷ୍ଠା କରିବାକୁ ବଜେଟରେ ପ୍ରସ୍ତାବ ରଖାଯାଇଛି । କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ଝାରସୁଗୁଡ଼ାରେ ବିଶ୍ୱବିଦ୍ୟାଳୟ ଖୋଲାଯିବ । ଏଥି ସହିତ ଉନ୍ନତ ଶିଳ୍ପଭିତ୍ତିକ ତାଲିମ ଦେବା ପାଇଁ ସମ୍ବଲପୁର ଓ ବ୍ରହ୍ମପୁରରେ ୨୭୮ କୋଟି ଟଙ୍କା ଖର୍ଚ୍ଚରେ ବିଶ୍ୱ ଦକ୍ଷତା କେନ୍ଦ୍ର ବିକାଶ କରାଯିବ । ଏଥିରେ ଆଇଟିଆଇ ଓ ପଲିଟେକ୍ନିକ ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ତାଲିମ ଦିଆଯିବ । ଭତ୍ତାରୁ ବଞ୍ଚିତ ଥିବା ୬ ଲକ୍ଷ ନାଗରିକଙ୍କୁ ମଧୁବାବୁ ପେନ୍ସନ୍ ଯୋଜନା ପରିସରକୁ ଅଣାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ବୃତ୍ତିଗତ ଟିକସକୁ ହଟାଇ ଦିଆଯାଇଛି ।
ଆହୁରି ପଢ଼ନ୍ତୁ :- ଓଡ଼ିଶା ବଜେଟ୍ ୨୦୨୬-୨୭ : ‘ସୁଭଦ୍ରା ଯୋଜନା’ ପାଇଁ ୧୦ହଜାର କୋଟି ଟଙ୍କାର ବ୍ୟୟ ବରାଦ
ସ୍ୱାସ୍ଥ୍ୟସେବାର ବିକାଶ ଲାଗି ଜିଲ୍ଲା ସଦର ଚିକିତ୍ସାଳୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫୦୦୦ ଆଇପିଡି ଶଯ୍ୟା ଖୋଲାଯିବ । ସେହିପରି କଟକ ଏସ୍ସିବି ମେଡିକାଲ କଲେଜ୍ ହସ୍ପିଟାଲରେ ୧୮୦୦ ଶଯ୍ୟା ଯୋଡ଼ାଯିବ । ପୁରୀ, ବୁର୍ଲା, କୋରାପୁଟ, ବ୍ରହ୍ମପୁର ଓ କ୍ୟାପିଟାଲ୍ ହସ୍ପିଟାଲରେ ବର୍ନ ୟୁନିଟ୍ ବିକାଶ ହେବ । ପୁରୀରେ ଶ୍ରୀଜଗନ୍ନାଥ ଲାଇବ୍ରେରୀ କେନ୍ଦ୍ର ଗଢ଼ିବାକୁ ୧ ହଜାର କୋଟି ପାଣ୍ଠି ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତି । ଏହାଛଡ଼ା ବିଶ୍ୱ ପର୍ଯ୍ୟଟନ କେନ୍ଦ୍ର ବିକାଶ କରାଯିବ ।
ମୋଟ ୩ ଲକ୍ଷ ୧୦ ହଜାର କୋଟି ବ୍ୟୟ ବରାଦରୁ କାର୍ଯ୍ୟକ୍ରମ ଖର୍ଚ୍ଚକୁ ୧ ଲକ୍ଷ ୮୦ ହଜାର କୋଟି, ପ୍ରଶାସନିକ ଖର୍ଚ୍ଚକୁ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ଦିଆଯାଇଛି । ସ୍ଥାନୀୟ ସଂସ୍ଥାକୁ ୧୦ ହଜାର ୬୨୫ କୋଟି ଓ ବିପର୍ଯ୍ୟୟ ପାଣ୍ଠିକୁ ୫ ହଜାର ୩୭୫ କୋଟି ଆବଣ୍ଟନ କରାଯାଇଛି ।
୨୦୨୬-୨୭ରେ ମୋଟ ରାଜସ୍ୱ ଆୟ ୨ ଲକ୍ଷ ୪୮ ହଜାର ୫୦୦ କୋଟି ହେବ ବୋଲି ସରକାର ଆକଳନ କରିଛନ୍ତି । ଏଥିରୁ ରାଜ୍ୟର ନିଜସ୍ୱ ଟିକସ ଭାଗ ୭୦ ହଜାର କୋଟି, ଅଣ ଟିକସ ଆୟ ୭୧ ହଜାର କୋଟି ହେବ । କେନ୍ଦ୍ରୀୟ ଟିକସରେ ରାଜ୍ୟର ଭାଗ ବାବଦରେ ମିଳିବ ୬୭ ହଜାର ୪୬୦ କୋଟି । କେନ୍ଦ୍ରୀୟ ଅନୁଦାନ ବାବଦରେ ମିଳିବ ୪୦ ହଜାର କୋଟି । ସରକାର ଖୋଲା ବଜାରରୁ ଋଣ ଉଠାଇବେ ୨୪ ହଜାର ୪୬୫ କୋଟି । କେନ୍ଦ୍ର ସରକାରଙ୍କ ଠାରୁ ଋଣ ଓ ଅନ୍ୟାନ୍ୟ ପୁଞ୍ଜି ଆୟ ବାବଦରେ ୬୧ ହଜାର ୫୦୦ କୋଟି ଟଙ୍କା ଆସିବ ବୋଲି ଦର୍ଶାଯାଇଛି ।
ବର୍ଷ ଶେଷକୁ ଋଣ ବୋଝ ୧ ଲକ୍ଷ ୫୫ ହଜାର କୋଟିକୁ ବୃଦ୍ଧି ପାଇବ । ତେବେ ଏହା ବିତ୍ତୀୟ ଶୃଙ୍ଖଳାର ସୀମାରେଖା (ଜିଏସ୍ଡିପିର ୨୫%) ଭିତରେ ରହିବ । ମୋଟ ଋଣ ଜିଏସ୍ଡିପିର ୧୪.୧% ହେବ ବୋଲି ବଜେଟରେ ଦର୍ଶାଯାଇଛି ।