ଭୁବନେଶ୍ବର, ୧୨/୦୬: ପ୍ରଶାସନିକ କଳର ଢାଞ୍ଚା ପୂରା ବଦଳାଇ ଦେଇଛନ୍ତି ମୋହନ ସରକାର । ଶାସନ ଭାର ହାତକୁ ନେବା ମାତ୍ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନେଇଥିଲେ ବଡ଼ ପଦକ୍ଷେପ । ଦୀର୍ଘ ବର୍ଷ ଧରି ବନ୍ଦ ପଡ଼ିଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଦୁଆର ଖୋଲି ଦେଲେ ସାଧାରଣ ଜନତାଙ୍କ ପାଇଁ । ଏବେ ଜନତା ନିଜ ଦୁଃଖ, ସମସ୍ୟା କଥା କହୁଛନ୍ତି ସିଧା ମୁଖ୍ୟମନ୍ତ୍ରୀଙ୍କୁ । ମୁଖ୍ୟମନ୍ତ୍ରୀ ବି ଶୁଣୁଛନ୍ତି, ସମାଧାନ କରୁଛନ୍ତି । ମୁଖ୍ୟମନ୍ତ୍ରୀ-ସାଧାରଣ ଜନତାଙ୍କ ଭିତରେ ଥିବା ପ୍ରତିବନ୍ଧକ ଦୂର ହୋଇଛି । ଏବେ ଜନତା ସିଧା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜ ଅଭିଯୋଗ ଜଣାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ହାତରେ ନିଜ ଅଭିଯୋଗ ପତ୍ର ଦେଉଛନ୍ତି ସାଧାରଣ ଲୋକେ । ବିଭିନ୍ନ ବିଭାଗର ମନ୍ତ୍ରୀ, ସଚିବ, ପଦାଧିକାରୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନେଉଛନ୍ତି ତତ୍କାଳ ପଦକ୍ଷେପ । ବିଜୁଳି ବେଗରେ ପ୍ରଶାସନ ଲାଗି ପଡ଼ୁଛି ଜନତାଙ୍କ ସମସ୍ୟାର ସମାଧାନ ପାଇଁ ।

ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଭିଯୋଗ ଶୁଣାଣି ଓ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସବୁ ବିଭାଗ ଲାଗି ପଡ଼ୁଛନ୍ତି । କେବଳ ରାଜଧାନୀ ନୁହେଁ, ପ୍ରତି ଜିଲ୍ଲାରେ ଏଥିପ୍ରତି ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ନିଜେ ମୁଖମନ୍ତ୍ରୀ ମଧ୍ୟ ଜିଲ୍ଲା ଗସ୍ତ କରି ଲୋକଙ୍କ ଗୁହାରି ଶୁଣୁଛନ୍ତି । ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ୧୮ଟି ଅଭିଯୋଗ ଶୁଣାଣି କରି ସାରିଲେଣି । ୧୭ ପାଳି ସୁଦ୍ଧା ୧୪ ହଜାର ୬୫୧ଟି ଅଭିଯୋଗ ଶୁଣାଣି ହୋଇଥିଲା, ସେଥିରୁ ୧୪ ହଜାର ୪୬ଟି ଅଭିଯୋଗର ସମାଧାନ ହୋଇଥିଲା । ଅର୍ଥାତ୍‌ ୯୬% ଅଭିଯୋଗର ସମାଧାନ କରାଯାଇଛି । ଦୁଇ ବର୍ଷ ଭିତରେ ଅର୍ଥାତ୍ ଗତ ଏପ୍ରିଲ ସୁଦ୍ଧା ଜିଲ୍ଲା ସ୍ତରରେ ୨ ଲକ୍ଷ ୪୦ ହଜାର ଅଭିଯୋଗ ଶୁଣାଣି ହୋଇଥିବାବେଳେ ୯୨ ପ୍ରତିଶତର ସମାଧାନ ହୋଇପାରିଛି । ଜନଶୁଣାଣି ପୋର୍ଟାଲ ମାଧ୍ୟମରେ ଲକ୍ଷଲକ୍ଷ ଅଭିଯୋଗର ସମାଧାନ ହୋଇଛି ।

ଆକାଶ ଛୁଆଁ ବିକାଶ:

ବିକାଶର ଏକ୍ସପ୍ରେସ । ଦୌଡ଼ିବ ଓଡ଼ିଶା । ଆଉ ଛୋଟମୋଟ ନୁହେଁ, ଏଣିକି ବିଶ୍ୱସ୍ତରୀୟ ନିର୍ମାଣ । ଭିତ୍ତି ପଡ଼ିଛି, ନକ୍ସା ବି ତିଆରି ସରିଛି । ଆଉ ତିନି ବର୍ଷ ବେଳକୁ ଭିତ୍ତିଭୂମି ନିର୍ମାଣରେ ଉଦାହରଣ ପାଲଟିବ ଓଡ଼ିଶା । ସାକାର ହେବ ବିକଶିତ ଓଡ଼ିଶାର ସ୍ୱପ୍ନ । ଏସ୍‌ସିବି ମେଡିକାଲ କଲେଜର ନିର୍ମାଣର ମାନ ଓ ଅତ୍ୟାଧୁନିକ ଭିତ୍ତିଭୂମି ଶୈଳୀ ଉଦାହରଣ ପାଲଟିବ । ଗରିବ ଲୋକଙ୍କ ରହଣୀ ପାଇଁ ରାଜଧାନୀର ଛାତି ଉପରେ ଠିଆ ହେବ ୨୦ ମହଲାର ନଭଶ୍ଚୁମ୍ଭୀ ଅଟ୍ଟାଳିକା । ନାଁ ରହିବ ‘ଜନାଶ୍ରୟ’ । ପୁଣି ରାଜ୍ୟ ପାଇଁ ନୂଆ ବିଧାନସଭା ଓ ନୂଆ ସଚିବାଳୟ ଗଢ଼ାଯିବ ।

କେନ୍ଦୁଝର ଘଟଗାଁରେ ମା’ ତାରିଣୀଙ୍କ ପୀଠ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର ପାଲଟିବ । ଆଉ କିଛି ମାସ ପରେ ନୂଆ କ୍ୱାର୍ଟର୍ସକୁ ଯିବେ ମନ୍ତ୍ରୀ ଓ ବିଧାୟକ । ଭିତ୍ତିଭୂମିକୁ ନୂଆ ଉଚ୍ଚତାକୁ ନେବାକୁ ଏମିତି କସରତ ଚଳାଇଛନ୍ତି ମୋହନ ସରକାର । ମୋଟୁରୁ ତିରିଂ ଯାଏ ଲମ୍ବିବ ମେରୁଦଣ୍ଡ ଏକ୍ସପ୍ରେସୱେ । ଏ ରାସ୍ତା ଖାଲି ଦକ୍ଷିଣ ମୁଣ୍ଡରୁ ବାହାରି ଉତ୍ତର ମୁଣ୍ଡକୁ ଯୋଡ଼ିବନି, ବରଂ ଅଧା ଓଡ଼ିଶାର ଲାଇଫ୍‌ ଲାଇନ ପାଲଟିବ । ଭୁବନେଶ୍ୱର-କଟକ-ପୁରୀ-ପାରାଦୀପକୁ ନେଇ ଗଢ଼ି ଉଠିବ ଅର୍ଥନୈତିକ କରିଡର । ଭୁବନେଶ୍ୱରରୁ ପାରାଦୀପକୁ ସଂଯୋଗ ହେବ ନୂଆ ସଡ଼କ ପଥ । ରାଜ୍ୟର ସଡ଼କ ନେଟୱର୍କର ଚିତ୍ର ବଦଳାଇବାକୁ ତିଆରି ହେଉଛି ସ୍ୱତନ୍ତ୍ର ରୋଡ୍‌ ଭିଜନ । ବରଗଡ଼ର ଅମ୍ବାଭୋନାରୁ ଗଜପତିର ପାରଳାଖେମୁଣ୍ଡି ରାସ୍ତାକୁ ଗ୍ରୀନଫିଲ୍ଟ ରାସ୍ତା ଫିଟିବ । ଟନେଲ ଦେଇ ଯିବ ନମୋ ଏକ୍ସପ୍ରେସୱେ । ଏହି ପରିକଳ୍ପନାକୁ ବାସ୍ତବରେ ପରିଣତ କରିବାକୁ ସରକାର ଗଢ଼ିଛନ୍ତି ରାଜ୍ୟ ରାଜପଥ ପ୍ରାଧିକରଣ । ଭିଡ଼ମୁକ୍ତ ସହର ଯୋଜନାରେ ରାଜଧାନୀରେ ଏକାଧିକ ନୂଆ ରାସ୍ତା, ଫ୍ଲାଏଓଭର ହେବ । ୩୭ଟି ପ୍ରକଳ୍ପ ପାଇଁ ୮ହଜାର କୋଟି ଖର୍ଚ୍ଚ କରିବେ । ଜୟଦେବ ବିହାରରୁ ନନ୍ଦନକାନନ ଯାଏ ଏଲିଭେଟେଡ କରିଡର ହେବ । ପ୍ରଥମ ଥର ପାଇଁ ରାଜ୍ୟରେ କେବଲ ଷ୍ଟେଅର୍ଡ ବ୍ରିଜ୍‌ ଦେଖିବେ ।

ପ୍ରତି ଜିଲ୍ଲାରେ ରାସ୍ତା ନେଟୱର୍କକୁ ବଢ଼ିବ । ୫ଟି ରାଜ୍ୟ ରାଜପଥ ଆହୁରି ପ୍ରଶସ୍ତ ହେବ । ୨୭୮ କୋଟିରେ ୬ ନୂଆ ବାଇପାସ୍‌ ଫିଟିବ । ଗତ ଦୁଇ ବର୍ଷ ହେବ ରାଜ୍ୟର ବିଭିନ୍ନ କୋଠାର ନିର୍ମାଣ ଶୈଳୀ ପାଇଁ ବିଶ୍ୱକର୍ମା ପୁରସ୍କାର ହାତଉଛନ୍ତି ସରକାର । ଭିତ୍ତିଭୂମି ନିର୍ମାଣରେ ନୂଆ ନୂଆ ଟେକ୍ନୋଲୋଜି ପ୍ରୟୋଗ ସଫଳ ହୋଇଛି । ହ୍ୱାଇଟ୍‌ ଟପିଂ ଟେକ୍ନୋଲୋଜିରେ ରାସ୍ତା ତିଆରିରୁ ନେଇ ମାଷ୍ଟିକ ଆସ୍ଫାଲଟ୍‌ ଓ ଫ୍ଲାଏ ଆଶ୍‌ରୁ ବାଲି ଭଳି ପରୀକ୍ଷଣକୁ ସଫଳ କରି ଦେଖାଇଛନ୍ତି ।

ଚମକାଇଲା କୃଷ ଅଭିବୃଦ୍ଧି:

ରାଜ୍ୟରେ ନୂଆ ସରକାର ଆସିବା ପରେ କୃଷିରେ ଚମକାଇଲା ଭଳି ଅଭିବୃଦ୍ଧି ହୋଇଛି । ଗତ ଦୁଇ ବର୍ଷ ହେବ କୃଷି ବଜେଟରେ ବ୍ୟୟବରାଦ ବୃଦ୍ଧି ସହ ବଢ଼ିଛି ଉତ୍ପାଦନ । ୨୦୨୩-୨୪ରେ କୃଷି ବଜେଟ ୭୧୩୫.୮୯ କୋଟି ଟଙ୍କା ଥିଲା । ୨୦୨୪-୨୫କୁ ପ୍ରାୟ ଦୁଇ ଗୁଣ ବୃଦ୍ଧି ପାଇ ୧୩,୧୮୪.୪୯ କୋଟିରେ ପହଞ୍ଚିଥିଲା । ୨୦୨୫-୨୬ରେ ୧୪,୯୫୦.୭୧ କୋଟି ଓ ୨୦୨୬-୨୭ରେ ୧୫,୦୩୯.୮୯ କୋଟିରେ ପହଞ୍ଚିଛି । ଜାତୀୟସ୍ତରରେ କୃଷି ଅଭିବୃଦ୍ଧି ହାର ୩.୧% ଥିବା ବେଳେ ଓଡ଼ିଶାରେ ୫.୩% । ମୋହନ ସରକାରଙ୍କ ‘ସମୃଦ୍ଧ କୃଷକ ଯୋଜନା’ ବେଶ ପ୍ରଶଂସା ସାଉଁଟିଛି ।

ବଢ଼ିଛି ଚାଷୀର ଆୟ । ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣିବାରେ ପ୍ରଥମ ରାଜ୍ୟ ପାଲଟିଛି ଓଡ଼ିଶା । ଚାଷୀମାନଙ୍କୁ ସର୍ବାଧିକ ୮୦୦ ଟଙ୍କା ଇନପୁଟ୍‌ ସବସିଡି ଦେବା ଫଳରେ ରାଜ୍ୟରେ ଆକାଶ ଛୁଆଁ ଧାନ ଉତ୍ପାଦନ ହୋଇପାରିଛି । ରାଜ୍ୟରେ ୨୦୨୩-୨୪ ଖରିଫ୍‌ରେ ୬୦ ଲକ୍ଷ ମେଟ୍ରିକ ଟନ୍‌ ଧାନ ଉତ୍ପାଦ ହେଉଥିବା ବେଳେ ଏବେ ୮୦ ଲକ୍ଷ ମେଟ୍ରିକ ଟନ୍‌ରେ ପହଞ୍ଚିଲାଣି । ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ରାଜ୍ୟରେ ମଡେଲ୍‌ ମଣ୍ଡି ଆରମ୍ଭ ହୋଇଛି । ରାଜ୍ୟରୁ ବିଦେଶକୁ ଡ୍ରାଗନ୍‌ ଫ୍ରୁଟ୍‌, ଆମ୍ବ, ପୋଟଳ ସମେତ ବିଭିନ୍ନ ପନିପରିବା ଓ ଫଳ ରପ୍ତାନି ଆରମ୍ଭ ହୋଇଛି । ଅମୃତ ଅନ୍ନ ଯୋଜନା ଦ୍ୱାରା ରାଜ୍ୟରେ ଜୈବିକ ଉପାୟରେ ଉତ୍ପାଦିତ ସାମଗ୍ରୀରୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ଓ କୋଠଭୋଗ ପ୍ରସ୍ତୁତ କରାଯାଉଛି । ରାଜ୍ୟରେ କୃଷି ଯାନ୍ତ୍ରିକରଣ ହେକ୍ଟର ପିଛା ୨.୬୧ କିଲୋୱାଟ୍‌କୁ ବୃଦ୍ଧି ପାଇଛି ।

ସେହିପରି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଗୋ-ଚାଷୀଙ୍କୁ ସଶକ୍ତ କରିଛି । ସମବାୟ ଆନ୍ଦୋଳନକୁ ବଳ ମିଳିଛି । ପ୍ରାଥମିକ ସମବାୟ ସମିତିକୁ ଜନସେବା କେନ୍ଦ୍ରକୁ ପରିଣତ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ସେଠାରେ ବ୍ୟାଙ୍କ ସେବାଠୁ ଆରମ୍ଭ କରି ପେଟ୍ରୋଲ ପମ୍ପ, ଔଷଧ ଦୋକାନ, ଇଣ୍ଟରନେଟ୍‌ ସୁବିଧା ଭଳି ସମସ୍ତ ପ୍ରକାର ସୁବିଧା ମିଳିପାରୁଛି । ପାକ୍ସରେ ଧାନ ସଂଗ୍ରହଠୁ ଆରମ୍ଭ କରି ସାର ବିକ୍ରି ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା କରାଯାଇଛି । ମତ୍ସ୍ୟ ଚାଷକୁ ପ୍ରୋତ୍ସାହନ ବଢ଼ିଛି । ଭୁବନେଶ୍ୱର ପାଣ୍ଡରାରେ ପୂର୍ବ ଭାରତର ସବୁଠାରୁ ବଡ଼ ମାଛ ବଜାରର ଶିଳାନ୍ୟାସ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଶିକ୍ଷାରେ ସଂସ୍କାର:

ରାଜ୍ୟରେ ଶିକ୍ଷାର ମୂଳଦୁଆକୁ ସଶକ୍ତ କରିବାକୁ ଅନେକ ସଂସ୍କାର ଆଣିଛନ୍ତି ମୋହନ ସରକାର । ଲାଗୁ ହୋଇଛି ନୂଆ ଶିକ୍ଷା ଆଇନ । ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ ଓ ପ୍ରଭାବୀ କରିବାକୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ହୋଇଛି ଶୁଭାରମ୍ଭ । ମୋହନ ସରକାରଙ୍କ ନିଷ୍ପତ୍ତି-ପ୍ରତି ପଞ୍ଚାୟତସ୍ତରରେ ଗୋଟିଏ ଲେଖାଏଁ ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ ହେବ । ପିଲାଙ୍କୁ ମିଳିବ ଗୁଣାତ୍ମକ ଶିକ୍ଷା, ଉନ୍ନତମାନର ସୁବିଧା ସୁଯୋଗ, ଅତ୍ୟାଧୁନିକ ଶ୍ରେଣୀ ଗୃହ, ଡିଜିଟାଲ ଉପକରଣ, ସୁରକ୍ଷିତ ତଥା ବିଶ୍ୱସ୍ତରୀୟ ପରିବେଶ । ପ୍ରଥମ ପର୍ଯ୍ୟାୟରେ ୧୨ ହଜାର କୋଟି ଟଙ୍କା ବ୍ୟୟରେ ୨୨୦୦ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଶିକ୍ଷା କ୍ଷେତ୍ରରେ ଡ୍ରପ ଆଉଟ ରୋକିବାକୁ ଆରମ୍ଭ ହୋଇଛି ନୂଆ ଯୋଜନା । ଅଧାରୁ ପାଠ ଛାଡୁ଼ଥିବା ଜନଜାତି ବିଦ୍ୟାର୍ଥୀଙ୍କୁ ଶିକ୍ଷା ପ୍ରତି ଆକର୍ଷିତ କରିବା ପାଇଁ ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ଅଣାଯାଇଛି । ଏହି ଯୋଜନାରେ ଅନୁସୂଚିତ ଜନଜାତି ବର୍ଗର ଶିକ୍ଷାର୍ଥୀଙ୍କ ପାଇଁ ପ୍ରୋତ୍ସାହନ ରାଶି ଭାବେ ବାର୍ଷିକ ୫୦୦୦ ଟଙ୍କା ବ୍ୟବସ୍ଥା କରାଯାଇଛି । ଶିକ୍ଷକ, ଅଧ୍ୟାପକ, କୁଳପତି ପଦବୀ ପୂରଣ ଦିଗରେ ସରକାର ଗୁରୁତ୍ୱ ଦେଇଛନ୍ତି । ପଦବୀ ପୂରଣ ନେଇ ବିଭିନ୍ନ ପୁରୁଣା ନିୟମ ଓ ବ୍ୟବସ୍ଥାରେ ସଂସ୍କାର ଅଣାଯାଇଛି । ମୁଖ୍ୟମନ୍ତ୍ରୀ ବସ୍‌ ସେବାରେ ସ୍କୁଲ ପିଲାଙ୍କ ପାଇଁ ମାଗଣା ଯାତ୍ରା ସୁବିଧା ଘୋଷଣା ହୋଇଛି ।

ବିଶ୍ବ ମାନଚିତ୍ରରେ ଉଜ୍ଜ୍ବଳ ତାରକା:

ରାଜ୍ୟରେ ବିଜେପି ସରକାର ଗଠନ ପରେ ବିଶ୍ୱ ମାନଚିତ୍ରରେ ଓଡ଼ିଶା ଆହୁରି ଉଜ୍ୱଳ ହୋଇଛି । ଜାତୀୟ, ଆନ୍ତର୍ଜାତିକ ସ୍ତରର କାର୍ଯ୍ୟକ୍ରମ, ସମ୍ମିଳନୀ, ପ୍ରତିଯୋଗିତା ଆୟୋଜନର ସୌଭାଗ୍ୟ ଓଡ଼ିଶାକୁ ମିଳିଛି । ପ୍ରବାସୀ ଭାରତୀୟ ଦିବସରୁ ନେଇ ବ୍ରିକ୍ସ ସମ୍ମିଳନୀ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜନ ଯୋଗୁ ବିଶ୍ୱସ୍ତରରେ ଓଡ଼ିଶାକୁ ନୂଆ ପରିଚିତି ମିଳିଛି । ନିକଟରେ ପୁରୀରେ ଆୟୋଜିତ ବ୍ରିକ୍ସ ବିପର୍ଯ୍ୟୟ ପ୍ରଶମନ ବୈଷୟିକ ସମ୍ମିଳନୀରେ ସାରା ବିଶ୍ୱ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ଓ ଶୂନ୍ୟ ଜୀବନହାନି ମଡେଲକୁ ପ୍ରଶଂସା କରିଛି । ଜାତୀୟ ସ୍ତରର ଅନେକ ସମ୍ମିଳନୀ ବି ଓଡ଼ିଶାରେ ଆୟୋଜିତ ହେଉଛି । ଡବଲ୍‌ ଇଞ୍ଜିନ ସରକାରଙ୍କ ପସନ୍ଦର ସ୍ଥାନ ପାଲଟିଛି ଭୁବନେଶ୍ୱର, ପୁରୀ ଭଳି ସହର । ଆଗାମୀଦିନରେ ଓଡ଼ିଶାରେ ଆୟୋଜିତ ହେବ ଏସିଆନ ଓ ୱାର୍ଲ୍ଡ ଇନଡୋର ଆଥଲେଟିକ୍ସ ଚାମ୍ପିଅନସିପ୍‌ । ସେହିଭଳି ଡିଜିପି ସମ୍ମିଳନୀରୁ ନେଇ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀ ଭଳି କାର୍ଯ୍ୟକ୍ରମ ପାଇଁ ଜାତୀୟସ୍ତରରେ ଚର୍ଚ୍ଚାରେ ରହିଛି ଓଡ଼ିଶା ।

ଓଡ଼ିଆ ଅସ୍ମିତାକୁ ବନ୍ଦେ:

ଓଡ଼ିଆ ଅସ୍ମିତା ନାରା ଦେଇ ରାଜ୍ୟରେ ସରକାର ଗଢ଼ିଲା ବିଜେପି । ମୋହନ ସରକାର ୨ ବର୍ଷର କାର୍ଯ୍ୟକାଳ ଭିତରେ ଓଡ଼ିଆ ଅସ୍ମିତାକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ଦୀଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ହଟାଇବାକୁ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଣ୍ଟା ଭିଡ଼ିଲେ । ଶପଥ ଗ୍ରହଣକୁ ଘଣ୍ଟାଏ ବିତିନଥିଲା, ଓଡ଼ିଆ ଅସ୍ମିତା ପାଇଁ ମୋହନ ସରକାର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିଲେ । ପ୍ରଥମ କ୍ୟାବିନେଟରେ ଶ୍ରୀଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ଓ ପ୍ରଚାର ପାଇଁ ୫ଶହ କୋଟିର କର୍ପସ ପାଣ୍ଠି ଘୋଷଣା ହେଲା । ସେହିପରି ଓଡ଼ିଆ ଅସ୍ମିତା ପାଇଁ ୨ଶହ କୋଟିର କର୍ପସ ପାଣ୍ଠି ବ୍ୟବସ୍ଥା କରିଛନ୍ତି ସରକାର । ବରଗଡ଼ ଧନୁଯାତ୍ରାରୁ ନେଇ କଟକ ବାଲିଯାତ୍ରା ପର୍ଯ୍ୟନ୍ତ ଓଡ଼ିଆ ସଂସ୍କୃତି, ପରମ୍ପରାକୁ ଆହୁରି ଉଜ୍ୱଳ ଓ ସମୃଦ୍ଧ କରିବାକୁ ସରକାର ଆର୍ଥିକ ସହାୟତା ସହ ଅନେକ ପଦକ୍ଷେପ ନେଇଛନ୍ତି । ଓଡ଼ିଶାର ମହାନ ବରପୁତ୍ରମାନଙ୍କ ସମ୍ମାନରେ ନୂଆ ଯୋଜନା ଓ କାର୍ଯ୍ୟକ୍ରମ ଘୋଷଣା ହୋଇଛି ।

ହଟିଲା ଆଞ୍ଚଳିକ ତାରତମ୍ୟ:

ମୋହନ ସରକାରଙ୍କ ସବୁଠାରୁ ବଡ଼ ପଦକ୍ଷେପ ସନ୍ତୁଳିତ ବିକାଶ । ସବୁ ଅଞ୍ଚଳକୁ ମିଳିଛି ଗୁରୁତ୍ୱ । ଉପକୂଳ ଓ ଉପାନ୍ତ ଭିତରେ ଆଉ ରହିବନି ଆଞ୍ଚଳିକ ଭେଦଭାବ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଢାଞ୍ଚାରେ ଉତ୍ତର ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଢ଼ିବାକୁ ଆଗେଇଛନ୍ତି ମୋହନ ସରକାର । ଏଥିପାଇଁ ଟାସ୍କଫୋର୍ମ ଗଠନ ହୋଇ ଢାଞ୍ଚା ପ୍ରସ୍ତୁତି ଚାଲିଛି । ଆଗକୁ ଏହାକୁ ସଫଳତାର ସହ ରୂପାୟନ କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଇଁ ବଜେଟରେ ୫ଶହ କୋଟି ଓ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶା ବିକାଶ ପରିଷଦ ପାଇଁ ୨ଶହ କୋଟି ଲେଖାଏଁ ଅନୁଦାନ ବ୍ୟବସ୍ଥା ହୋଇଛି । କେବିକେ ଜିଲ୍ଲାରେ ଭିତ୍ତିଭୂମି ବିକାଶ ପାଇଁ ୨୫୦ କୋଟି ଟଙ୍କା ବରାଦ କରାଯାଇଛି ।

ଦୁର୍ନୀତି ଖୋରଙ୍କୁ ଛାଡ଼ ନାହିଁ:

ଯିଏ ଦୁର୍ନୀତି କରିବ, ସିଏ ଦଣ୍ଡ ପାଇବ । ଦୁର୍ନୀତିଖୋରଙ୍କ ସ୍ଥାନ ସରକାରୀ ଦପ୍ତର ନୁହେଁ, ଜେଲ୍‌ର ଚାରି କାନ୍ଥ ଭିତରେ । ଏକଥାକୁ ସଂକଳ୍ପ ଭାବେ ନେଇଛନ୍ତି ମୋହନ ସରକାର । ଯେ କୌଣସି ବଡ଼ ପଦପଦବୀରେ ଥିଲେ ବି ଛାଡ଼ ମିଳୁନି । ଗୋଡ଼େଇ ଗୋଡ଼େଇ ଧରୁଛି ଭିଜିଲାନ୍ସ ଟିମ୍‌ । ଭିଜିଲାନ୍ସ ଚଢ଼ାଉର ଭୟ ଏମିତି ଗ୍ରାସିଲାଣି ଯେ କିଏ ଜୀବନ ବିକଳରେ ଛାତରୁ ଟଙ୍କା ଉଡ଼ାଇଲାଣି, ଆଉ କାହା ଘର ଭିତରୁ ଗଦାଗଦା ଟଙ୍କା, ସୁନାଗହଣା ବାହାରୁଛି । ୨୦୨୪ ଜୁନ୍‌ ୧୨ରେ ବିଜେପି ସରକାର ଗଠନ ପରେ ଭିଜିଲାନ୍ସର ଧରପଗଡ଼ ବଢ଼ିଛି । ଗତ ମାର୍ଚ୍ଚ ସୁଦ୍ଧା ପ୍ରାୟ ୨୫୦ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଭିଜିଲାନ୍ସ ଚଢ଼ାଉ କରି ଜବତ କରିଥିଲା । ଆଇଏଏସ୍‌, ଓଏଏସ୍‌, ଯନ୍ତ୍ରୀ, ବିଡିଓ, ତହସିଲଦାର, ସମେତ ପ୍ରାୟ ୩୭୦ଜଣଙ୍କୁ ମାର୍ଚ୍ଚ ସୁଦ୍ଧା ଗିରଫ କରାଯାଇଥିଲା । ସବୁ ବିଭାଗରେ ପଶି ଭିଜିଲାନ୍ସ ଦୁର୍ନୀତି ବିରୋଧୀ ଚୋଟ ମାରିଛି ।

ଅଧିକ ପଢନ୍ତୁ- NEET UG 2026: ନିଟ୍ (ୟୁଜି) ପରୀକ୍ଷା ସମୟ ଅବଧି ବୃଦ୍ଧି; ପରୀକ୍ଷାର୍ଥୀଙ୍କୁ ମିଳିବ ଅତିରିକ୍ତ ୧୫ ମିନିଟ୍, ଘୋଷଣା କଲା NTA