କଟକ,୧୪/୦୬: ରାଜ୍ୟର ଅଧିକାଂଶ ସହରରେ ଟ୍ରାଫିକ ବ୍ୟବସ୍ଥା ଏକରକମ ବିପର୍ଯ୍ୟସ୍ତ । ବିଶେଷ କରି ଦ୍ୱୈତନଗରୀ ଭୁବନେଶ୍ୱର-କଟକରେ ଟ୍ରାଫିକ୍ ସମସ୍ୟା ଲୋକଙ୍କୁ ନୟାନ୍ତ କରୁଛି । ସ୍ଥିତିରେ ସୁଧାର ଆଣିବା ଲାଗି ଠିକ୍ ବର୍ଷକ ତଳେ ରାଜ୍ୟ ସରକାର ‘ଟ୍ରାଫିକ୍ ଏବଂ ସଡ଼କ ସୁରକ୍ଷା ଶାଖା’ ଖୋଲିବା ପାଇଁ ଘୋଷଣା କରିଥିଲେ । ଶାଖାର ନେତୃତ୍ୱ ନେବା ପାଇଁ ଭିଜିଲାନ୍ସ, କ୍ରାଇମ୍ବ୍ରାଞ୍ଚ୍ ପରି ଟ୍ରାଫିକ୍ ଏଡିଜି ପଦ ମଧ୍ୟ ସୃଷ୍ଟି କରାଯାଇଥିଲା । ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ଏନେଇ ଗେଜେଟ୍ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା । କିନ୍ତୁ ଏହାପରେ ଯୋଜନା ଆଉ ପାଦେ ଆଗେଇଲା ନାହିଁ ।
କମିସନରେଟ୍ ପୁଲିସ୍ ବ୍ୟବସ୍ଥାରେ ଟ୍ରାଫିକ ପରିଚାଳନା ପାଇଁ ଜଣେ ଡିସିପିଙ୍କୁ ନିଯୁକ୍ତି ଦିଆଯାଇଛି । କିନ୍ତୁ ଦିନକୁଦିନ ଟ୍ରାଫିକ୍ ସମସ୍ୟା ବଢ଼ି ଚାଲିଥିବାରୁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଗତବର୍ଷ ପୁଲିସ୍ଠାରୁ ଟ୍ରାଫିକ୍ ବ୍ୟବସ୍ଥାକୁ ପୃଥକ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ସ୍ୱତନ୍ତ୍ର ଭାବେ ‘ଟ୍ରାଫିକ୍ ଏବଂ ସଡ଼କ ସୁରକ୍ଷା ଶାଖା’ ପ୍ରତିଷ୍ଠା କରିବାକୁ ଯୋଜନା ହୋଇଥିଲା । ଏହି ଶାଖା ଦାୟିତ୍ୱରେ ଜଣେ ଏଡିଜିଙ୍କୁ ନିଯୁକ୍ତି ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଟ୍ରାଫିକ୍ ବ୍ୟବସ୍ଥା ନିୟନ୍ତ୍ରଣ କରିବା ପାଇଁ ରାଜ୍ୟର ପ୍ରତି ପୁଲିସ୍ ଜିଲ୍ଲାରେ ୨ହଜାର ପଦ ସୃଷ୍ଟି କରାଯିବ ବୋଲି ସ୍ଥିର କରାଯାଇଥିଲା । ଯୋଜନା ମୁତାବକ, ଏହି ଶାଖା ପାଇଁ ୯ ଡିଏସ୍ପି, ୪୭ ଇନ୍ସପେକ୍ଟର, ୯୧ ଏସ୍ଆଇ, ୯୧ ଏଏସ୍ଆଇ, ୩୧୦ ହାବିଲ୍ଦାର, ୧୪୩୦ କନେଷ୍ଟବଳ ଏବଂ ୧୦ ଜଣ ଡ୍ରାଇଭରଙ୍କୁ ନିଯୁକ୍ତି ଦିଆଯିବାର ଥିଲା । ଏହାବାଦ୍ ୮ଟି ମିନିଷ୍ଟରିଆଲ ପଦ ମଧ୍ୟ ସୃଷ୍ଟି କରାଯାଇଥିଲା ।
ସେହିପରି ସ୍ୱତନ୍ତ୍ର ଟ୍ରାଫିକ୍ ଶାଖା କିପରି ଏବଂ କେଉଁ ଶୈଳୀରେ କାର୍ଯ୍ୟ କରିବ ତାହା ମଧ୍ୟ ସ୍ଥିର କରାଯାଇଥିଲା । ଏହାର ମୁଖ୍ୟ କାମ ଟ୍ରାଫିକ୍ ପରିଚାଳନା, ଏନ୍ଫୋର୍ସମେଣ୍ଟ୍, ସଡ଼କ ନିରାପତ୍ତା, ସଡ଼କ ଦୁର୍ଘଟଣାର ନିରାକରଣ ପାଇଁ ପଦକ୍ଷେପ ନେବା । ସେହିପରି ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରିବା, ଗବେଷଣା, ଭିତ୍ତିଭୂମି ଉନ୍ନତୀକରଣ ବି ଏହି ଶାଖାର ଦାୟିତ୍ୱ ରହିବ ବୋଲି ସ୍ଥିର କରାଯାଇଥିଲା ।
ଅଧିକ ପଢନ୍ତୁ- Surya Pranam: କୋଣାର୍କରେ ୧୦୮ ‘ସୂର୍ଯ୍ୟ ପ୍ରଣାମ’ ଅଭ୍ୟାସ; କାର୍ଯ୍ୟକ୍ରମକୁ ଉଦଘାଟନ କଲେ ରାଜ୍ୟପାଳ