ଭୁବନେଶ୍ୱର,୨୬/୦୩: ଡ୍ରାଗନ୍ ଫ୍ରୁଟ୍ ପ୍ରେମରେ ଓଡ଼ିଶାର ଚାଷୀ । ଥାଇଲ୍ୟାଣ୍ଡ, ଭିଏତନାମ, ଇସ୍ରାଏଲ୍, ଶ୍ରୀଲଙ୍କା ଓ ଆମେରିକା ଭଳି ଦେଶରେ ଡ୍ରାଗନ୍ ଫ୍ରୁଟ୍ ଚାଷ ହେଉଥିବା ବେଳେ ଏବେ ଏହା ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲାରେ ଫଳିଲାଣି । ଏଥିପାଇଁ ସରକାରଙ୍କ ପ୍ରୋତ୍ସାହନ ମିଳୁଛି । ଗତ ଗୋଟିଏ ବର୍ଷରେ ଓଡ଼ିଶାରେ ମୋଟ ୧୦୭ ହେକ୍ଟର ଜମିରେ ଏହି ବିଦେଶୀ ଫଳ ଚାଷ ହୋଇଥିବା ବେଳେ ୭୨୫.୩୩ ମେଟ୍ରିକ୍ ଟନ୍ ଉତ୍ପାଦନ ହୋଇଛି । ଏହା ରାଜ୍ୟ ବାହାରକୁ ମଧ୍ୟ ରପ୍ତାନୀ କରାଯାଉଛି ।

ବିଧାନସଭା ତଥ୍ୟ ଦର୍ଶାଉଛି, ବଲାଙ୍ଗିରରେ ୩୧.୦୩ ହେକ୍ଟର ଜମିରେ ଏହା ଚାଷ ହୋଇଥିବା ବେଳେ ମୋଟ ୧୦୮.୦୫ ମେଟ୍ରିକ ଟନ୍ ଫଳ ଉତ୍ପାଦନ ହୋଇଛି । ଯାହା ସମଗ୍ର ରାଜ୍ୟରେ ସର୍ବାଧିକ । ଏହାପଛକୁ ରହିଛି ମୟୂରଭଂଜ । ଏଠାରେ ୫.୨୧ ହେକ୍ଟର ଜମିରୁ ୧୦୦.୭୭ ମେଟ୍ରିକ ଟନ୍ ଉତ୍ପାଦନ ହୋଇଛି । ବାଲେଶ୍ୱରରେ ୫.୦୨ ହେକ୍ଟର ଜମିରୁ ୯୮.୦୫ ମେଟ୍ରିକ ଟନ୍, ବରଗଡ଼ରେ ୪.୧୧, ଭଦ୍ରକରେ ୨.୧୮, ବୌଦ୍ଧରେ ୨.୫୩, କଟକରେ ୫୨.୨୬, ଢେଙ୍କାନାଳରେ ୯୩.୩୨, ଗଜପତିରେ ୧.୪୯, ଗଂଜାମରେ ୧.୬୨, ଯାଜପୁରରେ ୨.୯୭, କଳାହାଣ୍ଡିରେ ୨୯.୪୮, କନ୍ଧମାଳରେ ୭.୦୯, କେନ୍ଦ୍ରାପଡ଼ାରେ ୧୭.୮୩, କୋରାପୁଟରେ ୬୫.୪୬, ମାଲକାନଗିରିରେ ୩.୨୯, ନୟାଗଡ଼ରେ ୮୩.୨୮ ମେଟ୍ରିକ ଟନ୍ ଡ୍ରାଗନ ଫ୍ରୁଟ ଉତ୍ପାଦନ ହୋଇଛି ।

ଅଧିକ ପଢ଼ନ୍ତୁ :-  ଘାତକ ହେଉଛି ଯକ୍ଷ୍ମା: ଦିନକୁ ୨୯ ହଜାରରୁ ଅଧକ ଆକ୍ରାନ୍ତ, ପ୍ରତି ୨୪ ଘଣ୍ଟାରେ ଯାଉଛି ୩୩୦୦ ଜୀବନ

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଡ୍ରାଗନ୍ ଫ୍ରୁଟରେ ପ୍ରଚୁର ପରିମାଣରେ ପୋଟାସିୟମ ଓ ଭିଟାମିନ-ସି ରହିଛି । ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ । ଡ୍ରାଗନ ଫ୍ରୁଟ୍ ପରେ ରାଜ୍ୟରେ ଅଧିକ କ୍ୟାପସିକମ ଚାଷ କରାଯାଉଛି । ଗତ ବର୍ଷକ ମଧ୍ୟରେ ରାଜ୍ୟରେ ୭୬୭.୫୯ ହେକ୍ଟର ଜମିରେ ଏହା ଚାଷ ହୋଇଥିବା ବେଳେ ମୋଟ ୧୦ହଜାର ୭୭୧.୭୩ ମେଟ୍ରିକଟନ୍ କ୍ୟାପ୍ସିକମ୍ ଉତ୍ପାଦନ ହୋଇଥିଲା । ତେବେ ନୟାଗଡ଼ରେ ଅଧିକ ୧୦୫.୮୮ ହେକ୍ଟର ଜମିରୁ ମୋଟ ୧୩୫୨.୬୪ ମେଟ୍ରିକଟନ୍ କ୍ୟାପ୍ସିକମ ଉତ୍ପାଦନ ହୋଇଥିଲା । ତୃତୀୟରେ ରହିଛି ଷ୍ଟ୍ରବେରୀ ।

ରାଜ୍ୟରେ ୧୦୦ ହେକ୍ଟର ଜମିରେ ଏହି ଚାଷ ହୋଇଥିବା ବେଳେ ମାତ୍ର ୧୬.୮୬ ମେଟ୍ରିକ ଟନ୍ ଫଳ ଉତ୍ପାଦନ ହୋଇଛି । କୋରାପୁଟ, କନ୍ଧମାଳ ଭଳି ଥଣ୍ଡା ଅଞ୍ଚଳରେ ଏହି ଚାଷ ଅଧିକ ହେଉଛି । ଏନେଇ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ କହିବା କଥା, ଉଦ୍ୟାନକୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଉଭୟ ରାଜ୍ୟ ଓ କେନ୍ଦ୍ର ଯୋଜନା ମାଧ୍ୟମରେ ଚାଷୀଙ୍କୁ ପ୍ରୋତ୍ସାହନ ମିଳୁଛି ।