ପ୍ରମୁଖ ଖବର
  • ଠାକୁରଡ଼ିହି ଛକରେ କଳ୍ପନା ପରିବହନ ସଂସ୍ଥାର କର୍ମଚାରୀଙ୍କୁ ବନ୍ଦୁକ ମୁନରେ ଲୁଟ୍, ୧୩ ଲକ୍ଷରୁ ଅଧିକ ଟଙ୍କା ନେଇ ଗଲେ ଦୁର୍ବୃତ୍ତ
  • ||
  • ବାହାରିଲା ICSE ଦଶମ ଓ ଦ୍ୱାଦଶ ରେଜଲ୍ଟ, ୱେବ୍‌ସାଇଟ୍‌ରେ ମାର୍କ ଉପଲବ୍ଧ
  • ||
  • ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଇଡିର ରେଡ୍, ସହାୟକଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା
  • ||
  • ବ୍ରହ୍ମପୁରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କନିଷି ପଡ଼ିଆରେ କରିବେ ପ୍ରଚାର
  • ||
  • ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ “ପଇତାଲାଗି ନୀତି”, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ସୋମବାରଠୁ OJEE ପ୍ରବେଶିକା: ପରୀକ୍ଷା ଦେବେ ୬୫, ୭୪୨ ଶିକ୍ଷାର୍ଥୀ, ମେ’ ୧୦ ଯାଏ ଏକ୍‌ଜାମ୍
  • ||
  • କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଭବାନୀପାଟଣା ଓ ଖଡିଆଳରେ ଜନସଭାରେ କରିବେ ପ୍ରଚାର
  • ||
  • ଖମ୍ବେଶ୍ୱରୀପାଲି ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ଏକାଧିକ ଯାତ୍ରୀ ଆହତ
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇ- ହାଇଦ୍ରାବାଦ ଲଢ଼େଇ, ଇଣ୍ଡିଆନ୍ସ ପାଇଁ ‘କର ବା ମର’
  • ||
  • ଦକ୍ଷିଣ ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ପାୱାର ସୋ’: ଆଜି ବ୍ରହ୍ମପୁର, ନବରଙ୍ଗପୁରରେ କମ୍ପିବ ପ୍ରଚାର ମଇଦାନ୍
  • ||
  • ୨୧ ଦିନ ହେବ ଜଳୁଛି ଓଡ଼ିଶା, ଆଜି ବି କମିବନି ପ୍ରକୋପ; ୭ରୁ ବର୍ଷା ଆଶା, କମିବ ଯନ୍ତ୍ରଣା
  • ||

୨୮ ଆସନରେ ପ୍ରଥମ ପର୍ଯ୍ୟାୟ ଭୋଟ କସରତ, ମେ'୧୩ରେ ଭାଗ୍ୟ ପରଖିବେ ନୂଆ ପ୍ରାର୍ଥୀ

  • ବିଜେଡିର ୧୯, ବିଜେପିର ୧୬, କଂଗ୍ରେସର ୧୯ ପ୍ରାର୍ଥୀ ବଦଳିଛନ୍ତି
  • ୨୦ ଆସନରେ ତଗଡ଼ା ଲଢ଼େଇ
  • ୨୦୧୯ରେ ବିଜେଡି ଜିତିଥିଲା ୨୦, ବିଜେପି ୪, କଂଗ୍ରେସ ୩
  • ବାଜି ଲାଗିଛି କଂଗ୍ରେସର ୪ ହେଭିୱେଟଙ୍କ ଭାଗ୍ୟ
  • ବିଜେଡିରୁ ସାରକା, ବିକ୍ରମ, ପୁଷ୍ପେନ୍ଦ୍ର, ଢୋଲକିଆଙ୍କ ଭାଗ୍ୟ ପରୀକ୍ଷା
  • ବିଜେପିରୁ ପ୍ରଦୀପ୍ତ, ସିଦ୍ଧାନ୍ତଙ୍କ ଉପରେ ନଜର

ଭୁବନେଶ୍ୱର,୨୬/୦୪: କୋଟପାଡ଼ରେ ତିନି ପ୍ରମୁଖ ଦଳର ନୂଆ ମୁହଁ । ଜଣେ ଅନ୍ୟ ଦଳରୁ ବିଧାୟକ ଥିଲେ ପୂର୍ବରୁ, ଏବେ ଦଳ ବଦଳାଇଛନ୍ତି । ବାକି ଦୁଇଜଣ ସଜ ଚେହେରା । ବ୍ରହ୍ମପୁର, ଦିଗପହଣ୍ଡି, ଧର୍ମଗଡ଼, ଝରିଗାଁ ଓ ଚିତ୍ରକୋଣ୍ଡାରେ ବି ପ୍ରାର୍ଥୀ ବଦଳାଇଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ । ଲଢ଼େଇରେ କିଏ ଜିତିବ ଆଉ କିଏ ନକ୍‌ ଆଉଟ... ।

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଗୁରୁବାର ନାମାଙ୍କନ ଶେଷ ହୋଇଛି । ମେ’ ୧୩ରେ ଭୋଟ । ୪ ସଂସଦୀୟ କ୍ଷେତ୍ରର ୨୮ ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ । ସମସ୍ତ ୨୮ଟି ଯାକ ବିଧାନସଭା ଆସନରେ ଏଥର ନୂଆ ମୁହଁ, କେଉଁଠି ବିଜେଡି ପ୍ରାର୍ଥୀ ବଦଳାଇଛି ତ କେଉଁଠି ବିଜେପି ଆଉ କେଉଁଠି କଂଗ୍ରେସ ନୂଆ ଚେହେରାଙ୍କୁ ଯୋଦ୍ଧା ସାଞ୍ଜୁ ପିନ୍ଧାଇଛି । ନୂଆ ମୁହଁ ଚାଲ୍‌ ସଫଳ ହେବ ନା ବୁମେରାଂ ସାଜିବ? ଟିକଟ କଟିଥିବା ପ୍ରାର୍ଥୀ ବିଦ୍ରୋହୀ ସାଜି ନିଜ ଦଳର ଭୋଟ ବ୍ୟାଙ୍କକୁ ହୁରୁଡ଼ାଇ ଦେବେ ନାହିଁ ତ?

ପ୍ରଥମ ପର୍ଯ୍ୟାୟର ଏହି ୨୮ ଆସନ ଭିତରୁ ୨୦୧୯ରେ ବିଜେଡି ୨୦ଟି ଆସନରେ ବିଜୟୀ ହୋଇଥିଲା । ବିଜେପି ୪, କଂଗ୍ରେସ ୩ ଓ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ନିର୍ବାଚନମଣ୍ଡଳୀରେ ଜିତିଥିଲେ ।ଶାସକ ବିଜୁ ଜନତା ଦଳ ୧୯ଟି ଆସନରେ ବଦଳାଇଛି ପ୍ରାର୍ଥୀ । ଏଥିରୁ ୧୧ ଆସନରେ ଜିତିଥିଲେ ବିଜେଡି ପ୍ରାର୍ଥୀ, ତଥାପି ସେମାନଙ୍କ ଉପରେ ଭରସା କରି ନାହିଁ ଦଳ । 

୨୮ରୁ ୧୬ଟି ଆସନରେ ନୂଆ ପ୍ରାର୍ଥୀଙ୍କୁ ମଇଦାନକୁ ଛାଡ଼ିଛି ବିଜେପି, କଂଗ୍ରେସ ୧୯ । ନବରଙ୍ଗପୁର ଲୋକସଭା କ୍ଷେତ୍ରର ୭ଟିରୁ କେବଳ ଡାବୁଗାଁକୁ ଛାଡ଼ିଦେଲେ ୬ଟି ଆସନରେ ବିଜେଡିର ନୂଆ ମୁହଁ । ବିଜେପି ଦୁଇଟି ଆସନରେ ରିପିଟ୍‌ କରିଛି, ୫ଟିରେ ବଦଳାଇଛି । କଂଗ୍ରେସ ବି ୬ଟି ଆସନରେ ନୂଆ ଚେହେରା ଧରିଛି, ଚିତ୍ରକୋଣ୍ଡାକୁ ଛାଡ଼ି ।

କୋରାପୁଟ ଲୋକସଭାର ଜୟପୁର, ପଟାଙ୍ଗୀ ଓ ରାୟଗଡ଼ାରେ ବିଜେଡି ନୂଆ ପ୍ରାର୍ଥୀଙ୍କୁ ଟିକଟ ଦେଇଛି । ବିଜେପି କେବଳ ଜୟପୁର ଓ ରାୟଗଡ଼ାରେ ଗତଥରର ପ୍ରାର୍ଥୀଙ୍କ ଉପରେ ଭରସା କରିଛି, ବାକି ୫ରେ ପ୍ରାର୍ଥୀ ବଦଳାଇଛି । କଂଗ୍ରେସ କିନ୍ତୁ ୬ଟି ଆସନରେ ପୁରୁଣାଙ୍କୁ ଛିଡ଼ା କରିଛି । କେବଳ ଗୁଣୁପୁରରେ ବଦଳିଛି । 

କଳାହାଣ୍ଡି ଲୋକସଭା କ୍ଷେତ୍ରରେ ବିଜେଡି ଖରିଆର, ଧର୍ମଗଡ଼, ନର୍ଲା ଓ ଭବାନିପାଟଣାରେ ପ୍ରାର୍ଥୀ ବଦଳାଇଥିବା ବେଳେ ବିଜେପି ନୂଆପଡ଼ା, ଖରିିଆର ଓ ଧର୍ମଗଡ଼ରେ ପ୍ରାର୍ଥୀ ବଦଳ କରିଛି । ୬ଟି ଆସନରେ କଂଗ୍ରେସର ନୂଆ ଚେହେରା ।

ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଶାସକ ବିଜେଡି କେବଳ ଛତ୍ରପୁରକୁ ଛାଡ଼ିଦେଲେ ୬ଟି ବିଧାନସଭା ଆସନରେ ବଦଳାଇଛି ପ୍ରାର୍ଥୀ । ବିଜେପି ୩ଟି ଓ କଂଗ୍ରେସ ୬ଟି ଆସନରେ ନୂଆ ପ୍ରାର୍ଥୀଙ୍କୁ ବାଛିଛି ।    

ଏଥର ସ୍ଥିତି ଯାହା, ୨୮ରୁ ୨୦ଟି ବିଧାନସଭା କ୍ଷେତ୍ରରେ ଲଢ଼େଇ ପୂରା ତଗଡ଼ା । ଅନେକ ଆସନରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳୁଛି ।

ନବରଙ୍ଗପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ଉମରକୋଟରେ ବିଜେପି ଓ ବିଜେଡି ଭିତରେ ଲଢ଼େଇ ସଂଘର୍ଷପୂର୍ଣ୍ଣ ହେବାକୁ ଯାଉଛି । ବିଜେପିରୁ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଓ ବିଜେଡିରୁ ପୂର୍ବତନ ବିଧାୟକ ସୁବାସ ଗଣ୍ଡଙ୍କ ପତ୍ନୀ ନବୀନା ନାଏକଙ୍କ ଭିତରେ ଟକ୍କର ଜମିବ ।

ଡାବୁଗାଁରେ ବିଜେଡିର ମନୋହର ରନ୍ଧାରୀଙ୍କୁ ଏଥର କଡ଼ା ଟକ୍କର ଦେଉଛନ୍ତି ଭୁଜବଳ ମାଝୀଙ୍କ ଝିଅ ଡା.ଲିପିକା ମାଝୀ । କୋଟପାଡ଼ରେ ବିଜେଡିର ଚନ୍ଦ୍ରଶେଖର ମାଝୀ ବନାମ କଂଗ୍ରେସର ଅନାମ ଦିଆନଙ୍କ ଭିତରେ ଟକରାଟକରି ସ୍ଥିତି । ବିଜେପି ବି ବଳ ବଢ଼ାଉଛି । ମାଲକାନଗିରି ଓ ଚିତ୍ରକୋଣ୍ଡାରେ ଏଥର ତ୍ରିମୁଖୀ ଲଢ଼େଇ । ମାଲକାନଗିରିରେ ମୁଖ୍ୟତଃ ବିଜେଡି-କଂଗ୍ରେସ ଓ ଚିତ୍ରକୋଣ୍ଡାରେ ବିଜେଡି-ବିଜେପି ଭିତରେ ଟକ୍କର ଦେଖିବାକୁ ମିଳୁଛି ମଇଦାନରେ ।

କୋରାପୁଟ ସଂସଦୀୟ କ୍ଷେତ୍ରରେ ପ୍ରାୟତଃ ଆସନରେ ଲଢ଼େଇ ଏକଦମ୍‌ ତଗଡ଼ା । ସବୁଠୁ ବଡ଼ ପ୍ରଶ୍ନ ଜୟପୁରରେ ବିଜୟର ହ୍ୟାଟ୍ରିକ କରିପାରିବେ କି କଂଗ୍ରେସର ହେଭିୱେଟ ନେତା ତାରାପ୍ରସାଦ ବାହିନୀପତି? ତାଙ୍କ ସାମ୍ନାରେ ଅଛନ୍ତି ବିଜେଡିର ରବି ନନ୍ଦଙ୍କ ପତ୍ନୀ ଇନ୍ଦିରା । ବିଜେପି ପୁଣି ଥରେ ଟାଣୁଆ ପ୍ରାର୍ଥୀ ଗୌତମ ସାମନ୍ତରାୟଙ୍କୁ ଓହ୍ଲାଇଛି । ତାରାଙ୍କ ବିରୋଧରେ ଇନ୍ଦିରାଙ୍କ ରଥର ସାରଥୀ ସାଜିଛନ୍ତି ରବି । ୨୦୧୯ରେ ୫୪୫୧ ଭୋଟରେ ଜିତିଥିଲେ ତାରା । ଏଥର ବି ତଗଡ଼ା ଲଢ଼େଇ ।କୈଳାସ କୁଲେସିକା ବିଜେପିରୁ ପ୍ରାର୍ଥୀ ହେବା ପରେ ଲକ୍ଷ୍ମୀପୁର ଗଣିତ ଗୋଳମାଳିଆ । ବିଜେଡିରୁ ପ୍ରଭୁ ଜାନି ପୁଣି ମଇଦାନରେ ଥିବାବେଳେ କଂଗ୍ରେସ ନୂଆ ମୁହଁ ପବିତ୍ର ସାଉଁନ୍ତାଙ୍କୁ ଭରସା କରିଛି । ତ୍ରିମୁଖୀ ଲଢ଼େଇରେ କିଏ ବି ଜିତିପାରେ । 

ପଟ୍ଟାଙ୍ଗୀରେ ମୁଖ୍ୟତଃ ବିଜେଡିର ଭେଟେରାନ ପ୍ରଫୁଲ୍ଲ ପାଙ୍ଗୀ ଓ କଂଗ୍ରେସରୁ ବରିଷ୍ଠ ରାମଚନ୍ଦ୍ର କାଡାମ ମୁହାଁମୁହିଁ ହୋଇଛନ୍ତି । ଯିଏ ବି ଜିତିବ, ଉନିଶ-ବିଶ୍‌ ବ୍ୟବଧାନରେ । ରାୟଗଡ଼ାରେ ବିଜେଡି ନୂଆ ମୁହଁ ଅନୁସୟା ମାଝୀଙ୍କୁ ଟିକଟ ଦେଇଥିବାବେଳେ ତାଙ୍କୁ ଗୋଟିଏ ଗୋଷ୍ଠୀର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି । ଏଥର କଂଗ୍ରେସର ଆଲ୍ଲାପାସ୍ୱାମୀ କାଡ୍ରାକା ବିଜେଡିକୁ କଡ଼ା ଟକ୍କର ଦେଉଛନ୍ତି । ୨୦୧୯ରେ ନିର୍ଦ୍ଦଳୀୟ ଜିତିଥିବା ବିଧାୟକ ମକରନ୍ଦ ମୁଦୁଲି ଏଥର ମଇଦାନରେ ନାହାନ୍ତି । ତଥାପି ତାଙ୍କ ଭୂମିକା ନିର୍ଣ୍ଣାୟକ ହୋଇପାରେ । ଗୁଣପୁର ବିଧାନସଭା କ୍ଷେତ୍ରରେ ବିଜେଡି ବିଧାୟକ ରଘୁନାଥ ଗମାଙ୍ଗଙ୍କ ପାଇଁ ବାଟ ଏତେ ସହଜ ନୁହେଁ । କଡ଼ା ଟକ୍କର ଦେଉଛନ୍ତି କଂଗ୍ରେସର ଯୁବ ଚେହେରା ସତ୍ୟଜିତ ଗମାଙ୍ଗ । ଅନ୍ୟପଟେ ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ ବିଜେପିରୁ ପ୍ରାର୍ଥୀ ହେବା ପରେ ହିସାବ ଗୋଳମାଳିଆ ହୋଇଯାଇଛି । 

ବିଷମ କଟକ ଆସନରେ ବିଜେଡିରୁ ଜଗନ୍ନାଥ ସାରକା ହ୍ୟାଟ୍ରିକ ବିଜୟ ଲକ୍ଷ୍ୟ ରଖିଛନ୍ତି । ତାଙ୍କ ବିରୋଧରେ କଂଗ୍ରେସରୁ ନୀଳମାଧକ ହିକକା ଓ ବିଜେପିର ଜଗନ୍ନାଥ ନୁଣ୍ଡ୍ରୁକା ପ୍ରାର୍ଥୀ ଅଛନ୍ତି । ନୁଣ୍ଡ୍ରୁକାଙ୍କ ପତ୍ନୀ ମୁନିଗୁଡ଼ା ବ୍ଲକ ଅଧ୍ୟକ୍ଷ ଅଛନ୍ତି । ବିଜେପି ଭୋଟ ବଢ଼ିଲେ ଅନ୍ୟ ପ୍ରାର୍ଥୀଙ୍କ ହିସାବ ବିଗିଡ଼ିପାରେ । 

କଳାହାଣ୍ଡି ଲୋକସଭା କ୍ଷେତ୍ରର ନୂଆପଡ଼ା ଆସନ ଉପରେ ଏଥର ସଭିଙ୍କ ନଜର । ବିଜେଡିରୁ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ବିଜେପିରୁ ସାଂସଦ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ଓ କଂଗ୍ରେସରୁ ପିସିସି ସଭାପତି ଶରତ ପଟ୍ଟନାୟକ ଲଢ଼ୁଛନ୍ତି । ତିନି ଦଳର ପ୍ରାର୍ଥୀ ଦମଦାର । ଅନ୍ୟପଟେ କଂଗ୍ରେସ ଟିକଟ ନ ପାଇ ନିର୍ଦ୍ଦଳୀୟ ଭାବେ ଘାସିରାମ ମାଝୀ ମଇଦାନକୁ ଓହ୍ଲାଇବା ପରେ ଲଢ଼େଇ ଚତୁର୍ମୁଖୀ ହୋଇଯାଇଛି । 

କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ ୪ ଦଶନ୍ଧି ପରେ ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି । ନର୍ଲାରେ ଭକ୍ତଙ୍କ ସାମ୍ନାରେ ଅଛନ୍ତି ନୂଆ ମୁହଁ ମନୋରମା ମହାନ୍ତି । ଭେଟେରାନ ଭୂପିନ୍ଦର ସିଂହଙ୍କ ଟିକଟ କାଟି ଦଳ ସରକାରୀ ବିରୋଧୀ ହାୱାକୁ ପ୍ରଶମିତ କରିବାକୁ ଚେଷ୍ଟା କରିଛି । ବିଜେପିରୁ ଅନିରୁଦ୍ଧ ପ୍ରଧାନ ପ୍ରାର୍ଥୀ ଅଛନ୍ତି । ନର୍ଲା ଲଢ଼େଇରେ କିଏ ବାଜି ମାରିବ, ଆକଳନ କଷ୍ଟକର । 

ଲାଞ୍ଜିଗଡ଼ରେ ବିଜେଡି ବିଧାୟକ ପ୍ରଦୀପ ଦିଶାରୀ ଓ ବିଜେଡି ଛାଡ଼ି କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ବଳଭଦ୍ର ମାଝୀଙ୍କ ଭିତରେ ତୀବ୍ର ପ୍ରତିଯୋଗିତା ଦେଖିବାକୁ ମିଳୁଛି । ଭବାନୀପାଟଣାରେ ବିଜେପିର ଭେଟେରାନ ପ୍ରଦୀପ୍ତ ନାଏକ, ବିଜେଡିର ଲଳିତା ନାଏକ (ଦୁଷ୍ମନ୍ତ ନାଏକଙ୍କ ପତ୍ନୀ) ଓ କଂଗ୍ରେସ ନେତା ଭକ୍ତ ଦାସଙ୍କ ପୁଅ ସାଗରଙ୍କ ଭିତରେ ତ୍ରିମୁଖୀ ଲଢ଼େଇ । କଳାହାଣ୍ଡିର ଧର୍ମଗଡ଼ରେ ବିଜେଡି ଓ ବିଜେପି ଭିତରେ ଚାଲିଛି କଡ଼ା ସଂଘର୍ଷ ।

୨୦୧୯ରୁ ବ୍ରହ୍ମପୁର ଲୋକସଭା ଅନ୍ତର୍ଗତ ସମସ୍ତ ଆସନରେ ବିଜେପିର ସଂଗଠନ ଓ ଭୋଟ ବ୍ୟାଙ୍କ ବଢ଼ିଛି । ଅଧିକାଂଶ ଆସନରେ କଂଗ୍ରେସକୁ ପଛକୁ ଠେଲି ବିଜେପି ପାଲଟିଛି ବିଜେଡିର ପ୍ରମୁଖ ପ୍ରତିଦ୍ୱଦ୍ୱୀ । ଏଥର ମୋହନା, ପାରଳାଖେମୁଣ୍ଡି, ଗୋପାଳପୁର, ଦିଗପହଣ୍ଡି ଓ ଚିକିଟିରେ କଡ଼ା ଟକ୍କର ସ୍ଥିତି ।

ମୋହନାରେ କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗ, ବିଜେଡିରୁ ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କ ଭିତରେ କିଏ ଜିତିବ, ଆକଳନ କରିବା ସହଜ ନୁହେଁ। ଲଢ଼େଇ ଜୋରଦାର । ପାରଳାଖେମୁଣ୍ଡିରେ ଟକ୍କର ତ୍ରିମୁଖୀ । ବିଜେପିରୁ ବିଧାୟକ କେ. ନାରାୟଣ ରାଓ, କଂଗ୍ରେସରୁ ବିଜୟ ପଟ୍ଟନାୟକ ଓ ବିଜେଡିରୁ ତିରୁପତି ପାଣିଗ୍ରାହୀଙ୍କ ପୁଅ ରୂପେଶ ପାଣିଗ୍ରାହୀଙ୍କ ଭିତରେ ଅତି ସଂଘର୍ଷପୂର୍ଣ୍ଣ ଟକ୍କର ଚାଲିଛି । 

ଏଥର ଗୋପାଳପୁରରେ ବିଜେଡି ବନାମ ବିଜେପି ଭିତରେ ମହାସଂଗ୍ରାମ । ବିଜେଡି ବିକ୍ରମ ପଣ୍ଡାଙ୍କୁ ବ୍ରହ୍ମପୁରରୁ ଆଣି ଗୋପାଳପୁରରେ ପ୍ରାର୍ଥୀ କରିଥିବାବେଳେ ତାଙ୍କ ବିରୋଧରେ ଅଛନ୍ତି ବିଜେପିର ବିଭୂତି ଭୂଷଣ ଜେନା । 

ଦିଗପହଣ୍ଡିରେ ପ୍ରଥମ ଥର ପାଇଁ ବିଜେଡି କଡ଼ା ସଂଘର୍ଷର ସାମ୍ନା କରୁଛି । ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଳବଙ୍କୁ କଡ଼ା ଚାଲେଞ୍ଜ ଦେଉଛନ୍ତି ବିଜେପି ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ଚିକିଟିରେ ବି ଉଷା ଦେବୀଙ୍କ ପୁଅ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ ଓ ବିଜେପି ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କ ଭିତରେ ସଂଘର୍ଷ ବେଶ୍‌ ରୋମାଞ୍ଚକ ଦିଗକୁ ଗତି କରୁଛି । ମନୋରଞ୍ଜନଙ୍କ ବଡ଼ ଭାଇ ରବୀନ୍ଦ୍ର ଦ୍ୟାନସାମନ୍ତରାୟ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି । ମନୋରଞ୍ଜନ ଓ ରବୀନ୍ଦ୍ର ହେଉଛନ୍ତି ପୂର୍ବତନ ବାଚସ୍ପତି ଚିନ୍ତାମଣୀ ଦ୍ୟାନସାମନ୍ତରାୟଙ୍କ ପୁଅ । ଲଢ଼େଇ ଜମିଲାଣି ମଇଦାନରେ ।

  • prameyanews
  • PrameyaOdia
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.