ନୂଆଦିଲ୍ଲୀ,୧୪/୦୩: ଅଭିବୃଦ୍ଧି ପାଇଁ ଭିତ୍ତିଭୂମି, ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯିବା ଉଚିତ । ଏସବୁ କ୍ଷେତ୍ର ପାଇଁ ରାଜ୍ୟଗୁଡ଼ିକ ବ୍ୟୟବରାଦ ବଢ଼ାଇବା ଉଚିତ । ଏହି ପରାମର୍ଶ ଦେଇଛି ନୀତି ଆୟୋଗ ।  ଆୟୋଗ ପକ୍ଷରୁ ପ୍ରକାଶ ପାଇଛି ବିତ୍ତୀୟ ସ୍ୱାସ୍ଥ୍ୟ ସୂଚକାଙ୍କ-୨୦୨୬, ଯେଉଁଥିରେ ଶୀର୍ଷ ସ୍ଥାନରେ ରହିଛି ଓଡ଼ିଶା । ୨୦୨୩-୨୪ ଆର୍ଥିକବର୍ଷରେ ରାଜ୍ୟଗୁଡ଼ିକର ବିତ୍ତୀୟ ପ୍ରଦର୍ଶନକୁ ଅନୁଶୀଳନ କରାଯାଇ ଏ ରିପୋର୍ଟ ପ୍ରକାଶ ପାଇଛି । 

ବିତ୍ତୀୟ ପରିଚାଳନାରେ ଓଡ଼ିଶା ୧ ନମ୍ବର ସ୍ଥାନରେ ରହିଥିବାବେଳେ ଏହା ପଛକୁ ରହିଛନ୍ତି ଛତିଶଗଡ଼, ଗୋଆ, ଝାଡ଼ଖଣ୍ଡ ଏବଂ ଗୁଜରାଟ । ୧୮ଟି ପ୍ରମୁଖ ରାଜ୍ୟଗୁଡ଼ିକର ଆର୍ଥିକ ପ୍ରଦର୍ଶନକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି । ଏଥିରେ ସବୁଠୁ ନିମ୍ନ ୫ ସ୍ଥାନରେ ରହିଛନ୍ତି ରାଜସ୍ଥାନ, କେରଳ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଏବଂ ପଞ୍ଜାବ । ଉତ୍ତର-ପୂର୍ବାଞ୍ଚଳ ଏବଂ ହିମାଳୟ ରାଜ୍ୟଗୁଡ଼ିକ ମଧ୍ୟରେ ଅରୁଣାଚଳ ପ୍ରଦେଶ ଶୀର୍ଷ ସ୍ଥାନରେ ରହିଛି । ଏହା ପଛକୁ ରହିଛନ୍ତି ଉତ୍ତରାଖଣ୍ଡ, ତ୍ରିପୁରା, ମେଘାଳୟ, ଆସାମ ଏବଂ ମିଜୋରାମ । ଆୟୋଗ ଏହାର ରିପୋର୍ଟରେ ରାଜ୍ୟଗୁଡ଼ିକ ପାଇଁ ଏକ ରୋଡ୍‌ମ୍ୟାପ୍‌ ବିଛାଇଛି, ଯାହା ମାଧ୍ୟମରେ ରାଜ୍ୟଗୁଡ଼ିକ ସେମାନଙ୍କ ବିତ୍ତୀୟ ସ୍ୱାସ୍ଥ୍ୟରେ ଉନ୍ନତି ଆଣିପାରିବେ ।

ଆହୁରି ପଢନ୍ତୁ-ସୁପ୍ରିମକୋର୍ଟରେ କାମ କରିବ ଏଆଇ, ପ୍ରଧାନ ବିଚାରପତିଙ୍କ ନିଷ୍ପତ୍ତି

 ଭିତ୍ତିଭୂମି, ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ବ୍ୟୟବରାଦ ବଢ଼ାଇ ରାଜ୍ୟଗୁଡ଼ିକ ସେମାନଙ୍କ ଦୀର୍ଘମିଆଦୀ ଅଭିବୃଦ୍ଧିରେ ଉନ୍ନତି ଆଣିପାରିବେ । ବ୍ୟୟ ମାନରେ ସୁଧାର ଆଣିବା ପାଇଁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି । ଉନ୍ନତ ଅନୁପାଳନ ବ୍ୟବସ୍ଥା ଏବଂ ଟିକସ ପ୍ରଶାସନକୁ ଦକ୍ଷ ବନାଇ ରାଜ୍ୟଗୁଡ଼ିକ ନିଜ ବିତ୍ତୀୟ ସ୍ୱାସ୍ଥ୍ୟକୁ ସୁଧାରିପାରିବେ ବୋଲି ନୀତି ଆୟୋଗ ପ୍ରକାଶ କରିଛି ।  ଅଧିକ ସୁଧ ପୈଠ କରୁଥିବା ରାଜ୍ୟଗୁଡ଼ିକୁ ସେମାନଙ୍କ ଋଣ ପରିଚାଳନାରେ ସୁଧାର ଆଣିବା ପାଇଁ ନୀତି ଆୟୋଗ ପରାମର୍ଶ ଦେଇଛି । ବ୍ୟୟବହୁଳ ଋଣ ଉପରେ ନିର୍ଭରତା କମାଇ ମଧ୍ୟବର୍ତ୍ତୀକାଳୀନ ବିତ୍ତୀୟ ଏବଂ ଡେଟ୍‌ ମ୍ୟାନେଜ୍‌ମେଣ୍ଟ ଢାଞ୍ଚା ଗ୍ରହଣ କରିବା ପାଇଁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି । ଦେଶର ହାରାହାରି ଅର୍ଥନୈତିକ ସ୍ଥିରତା ପାଇଁ ରାଜ୍ୟଗୁଡ଼ିକର ବିତ୍ତୀୟ ପ୍ରଦର୍ଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆୟୋଗ ପ୍ରକାଶ କରିଛି । ପ୍ରକାଶଯୋଗ୍ୟ, ୫ଟି ପ୍ରମୁଖ ମାପକକୁ ଅନୁଶୀଳନ କରାଯାଇ ରାଜ୍ୟଗୁଡ଼ିକୁ ର‌୍ୟାଙ୍କ୍‌ ପ୍ରଦାନ କରାଯାଇଛି । ତାହା ହେଲା ବ୍ୟୟ ମାନ, ରାଜସ୍ୱ ସଂଗ୍ରହ, ବିତ୍ତୀୟ ସତର୍କତା, ଋଣ ସୂଚକାଙ୍କ ଏବଂ ଋଣ ସ୍ଥିରତା ।