ଭୁବନେଶ୍ୱର, ୧୧ ।୫ : ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମଜିଏସୱାଇ)ର ସଫଳ କାର୍ଯ୍ୟାନ୍ୱୟନ ଏବଂ ଗ୍ରାମୀଣ ସଂଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ଓଡ଼ିଶାକୁ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ସ୍ତରରେ ସମ୍ମାନିତ କରାଯାଇଛି। ମଧ୍ୟପ୍ରଦେଶର ସିହୋରଠାରେ ମେ ୧୦ ତାରିଖରେ ଆୟୋଜିତ ପିଏମଜିଏସୱାଇ ର ୨୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଏବଂ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ସର୍ବାଧିକ ବସବାସ କ୍ଷେତ୍ରକୁ ସଡ଼କ ସଂଯୋଗ ପ୍ରଦାନ କରିଥିବା ରାଜ୍ୟମାନଙ୍କ ବର୍ଗରେ ଓଡ଼ିଶା ୧୬,୯୯୦ଟି ଜନବସତିକୁ ସଂଯୋଗ ପ୍ରଦାନ କରି ଦେଶରେ ତୃତୀୟ ସ୍ଥାନ ଅଧିକାର କରିଛି। ସେହିପରି ଉତ୍ତର-ପୂର୍ବ ରାଜ୍ୟ, କେନ୍ଦ୍ରାଶାସିତ ଅଂଚଳ ଏବଂ ପାହାଡ଼ିଆ ଅଞ୍ଚଳ ବର୍ଗରେ ମଧ୍ୟ ଓଡ଼ିଶା ପାହାଡିଆ ଅଞ୍ଚଳରେ ଥିବା ୨,୧୩୨ ଗୋଟି ଜନବସତିକୁ ସଡ଼କ ସଂଯୋଗୀକରଣ କରି ଜାତୀୟସ୍ତରରେ ତୃତୀୟ ସ୍ଥାନ ହାସଲ କରିଛି।
ଜାତୀୟ କାର୍ଯ୍ୟକ୍ରମର ଅଂଶ ଭାବରେ ଆୟୋଜିତ ଇଞ୍ଜିନିୟରିଂ ଏବଂ ପ୍ରଯୁକ୍ତିବିଦ୍ୟା ମଡେଲ ପ୍ରଦର୍ଶନୀ ସମୟରେ ଓଡ଼ିଶାର "ବନ୍ଧାରା ମଡେଲ" ପ୍ରଦର୍ଶିତ ହୋଇଛି। ଗ୍ରାମୀଣ ସଂଯୋଗ ଓ ଜଳ ନିରାପତ୍ତାକୁ ସମନ୍ୱୟ କରିଥିବା ଏହି ବ୍ରିଜ୍-କମ୍-ୱିଅର (ଆଡ଼ିବନ୍ଧ ଯୁକ୍ତ ସେତୁ) ମଡେଲ ଓଡ଼ିଶାର ଏକ ସଫଳ ଓ ସ୍ଥାୟୀ ଉନ୍ନୟନମୂଳକ ପଦକ୍ଷେପ ଭାବେ ପରିଚିତ ହୋଇଛି। ଋତୁକାଳୀନ ନଦୀଗୁଡ଼ିକରେ ଜଳ ଅଭାବ ସମସ୍ୟାକୁ ଦୂର କରିବା ପାଇଁ ଏଥିରେ ଆଡ଼ିବନ୍ଧ ବ୍ୟବସ୍ଥା ମାଧ୍ୟମରେ ଜଳ ପ୍ରବାହକୁ ନିୟନ୍ତ୍ରଣ କରାଯାଇ ଭୁତଳ ଜଳ ସଂରକ୍ଷଣରେ ସହାୟତା କରାଯାଉଛି। ଏହା ଫଳରେ ଗ୍ରୀଷ୍ମ ଋତୁରେ ପାନୀୟ ଜଳ ଓ ଜଳସେଚନ ପାଇଁ ଜଳ ଉପଲବ୍ଧତା ସୁନିଶ୍ଚିତ ହେଉଛି।
ପିଏମଜିଏସୱାଇ ଅଧୀନରେ ଓଡ଼ିଶାକୁ ମିଳିଥିବା ଏହି ଜାତୀୟ ସ୍ୱୀକୃତି ଗ୍ରାମୀଣ ବିକାଶ କ୍ଷେତ୍ରରେ ରାଜ୍ୟର ଦୃଢ଼ ପ୍ରତିବଦ୍ଧତା ଓ ନିରନ୍ତର ପ୍ରୟାସର ପ୍ରତିଫଳନ, ବୋଲି ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି। ରାଜ୍ୟ ସରକାର ଗ୍ରାମାଞ୍ଚଳର ସର୍ବାଙ୍ଗୀନ ଉନ୍ନତି ଦିଗରେ ସର୍ବଦା କାର୍ଯ୍ୟ କରୁଥିବା ବେଳେ ଆଗାମୀ ଦିନରେ ଏହି ଅଭିଯାନକୁ ଆହୁରି ସୁଦୃଢ଼ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ଆହୁରି ପଢନ୍ତୁ : ଚାରି ଲେନ୍ ବିଶିଷ୍ଟ ହେବ ଭବାନୀପାଟଣା-ଖରିଆର ରୋଡ୍