ଭୁବନେଶ୍ବର, ୦୯/୦୬: ରାଜ୍ୟର ବିକାଶ ହେଲେ ଦେଶର ବିକାଶ ହେବ । ପ୍ରଧାନମନ୍ତ୍ରୀ ହୃଦୟଙ୍ଗମ କରିଥିଲେ, ବିକାଶ କ୍ଷେତ୍ରରେ ପଶ୍ଚିମ ପକ୍ଷ ମଜବୁତ ଅଛି ହେଲେ ପୂର୍ବପକ୍ଷ ଦୁର୍ବଳ ହୋଇରହିଛି । ଏହାକୁ ବିକଶିତ କରି ପାରିଲେ ଭାରତ ବିକଶିତ ହୋଇପାରିବ । ପଶ୍ଚିମ ଭାଗ ଶକ୍ତିଶାଳୀ ଥିବାରୁ ପୂର୍ବକୁ ସଶକ୍ତ କରିବାକୁ ପିଏମ୍ ମୋଦି ଭିଜନ ଦେଖିଲେ । ଯେଉଁଥିରେ ପୂର୍ବୋତ୍ତରର ବିକାଶ କଥା ଉଠିଲା । ଯେଉଁଥିରେ ଓଡ଼ିଶା ସାମିଲ ହେଲା ଏବଂ ଏବେ ପ୍ରଗତି ପଥରେ ଆଗେଇ ଚାଲିଛି ବୋଲି କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି ।  

ଅଙ୍ଗ-ବଙ୍ଗ-କଳିଙ୍ଗ ଇତିହାସ:

ବିକାଶର ୧୨ ବର୍ଷ ପୂର୍ତ୍ତି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଅଙ୍ଗ-ବଙ୍ଗ-କଳିଙ୍ଗ କଥା ଇତିହାସରେ ଲେଖା ରହିଛି । ଯାହା ପଶ୍ଚିମବଙ୍ଗ ନିର୍ବାଚନ ପରେ ସାମ୍ନାକୁ ଆସିଲା । ପୂର୍ବରୁ ମଧ୍ୟ କାର୍ଯ୍ୟ ହୋଇଛି କିନ୍ତୁ ଗତ ୧୨ ବର୍ଷରେ ସ୍ପିଡ୍ ଆଉ ସ୍କେଲ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ୨୦୧୪ ପରେ ୨ ଟ୍ରିଲିୟନ ଇକୋନୋମୀ ରୁ ୫ ଟ୍ରିଲିୟନ ଯାଏଁ ପହଞ୍ଚିବାକୁ ଯାଉଛି । ଦେଶର ଜିଡିପି କଣ୍ଟ୍ରୋଲରେ ରହିଛି । ସୁଷମା ସ୍ୱରାଜ ମନ୍ତ୍ରୀ ଥିବା ସମୟରେ 'ମଦଦ' ନାଁ ରେ ଏକ ପୋର୍ଟାଲ ଖୋଲାଯାଇଥିଲା । ଏହା ଫଳରେ ବିଦେଶରେ ଫସିଥିବା ଭାରତୀୟଙ୍କୁ ସାହାଯ୍ୟ ସହଯୋଗ ମିଳିପାରୁଛି । ଏହାକୁ ‘ଇଜ୍ ଅଫ୍ ଲିଭିଙ୍ଗ’ କୁହାଯାଏ । ଯାହା କେବଳ ମୋଦି ସରକାରଙ୍କ କାଳଖଣ୍ଡରେ ସମ୍ଭବ ହୋଇପାରିଛି ବୋଲି  କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି ।

ମୋଦି ସରକାରରେ ସିଷ୍ଟିମ ସୁଦୃଢ଼:

ସେ ଆହୁରି ମଧ୍ୟ କହିଛନ୍ତି, ମୋଦି ସରକାରରେ ଦେଶର ସିଷ୍ଟିମ ସୁଦୃଢ଼ ହୋଇଛି । ଅନେକ ଜନ କଲ୍ୟାଣ ଯୋଜନା ଆସିଛି ଯାହା କେବେ କଳ୍ପନା ମଧ୍ୟ ହୋଇନଥିଲା । ଗତ ୧୨ ବର୍ଷରେ ଏପରି କିଛି ହୋଇଛି ଯାହା ଭାରତକୁ ବିକାଶ ଦିଗରେ ଆଗକୁ ନେଉଛି । ୨୦୧୪ ପୂର୍ବରୁ ମେଣ୍ଟ ସରକାର ରହିଥିଲା କିନ୍ତୁ ପରେ ଏକ ସ୍ଥିର ସରକାର ଆସିଲା । ସମସ୍ତଙ୍କ ମନରେ ଏହା ମଧ୍ୟ ଆସିଲା ଯେ ଦେଶରେ ଏକ ଅଲଗା ବାତାବରଣ ଖେଳିଗଲା ।ସେହିପରି ପୂର୍ବରୁ ମଧ୍ୟ ଯୋଜନା ଥିଲା ମାତ୍ର ଏଥିରେ ଗତି ନଥିଲା । ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ଯୋଜନା ଗୁଡ଼ିକରେ ସ୍କିଲ୍ ଏବଂ ସ୍ପିଡ୍ ବଢ଼ାଇଥିଲେ ।

ଯୋଜନାକୁ ଦ୍ରୁତଗତି ମିଳିଲା:

ଗରିବଙ୍କ ମୁଣ୍ଡ ଉପରେ ଖଣ୍ଡେ ଛାତ ପାଇଁ ଇନ୍ଦିରା ଆବାସ ଯୋଜନା ଥିଲା, ମାତ୍ର ସେଥିରେ ଧନ ରାଶି କମ୍ ମିଳୁଥିଲା । ସେତେବେଳେ ଘର ତିଆରି କରିବା ଗତି ବହୁତ ଧୀର ଥିଲା । ଆବାସ ଯୋଜନାରେ ଟଙ୍କା ବିଳମ୍ବରେ ମିଳୁଥିଲା । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଏହାକୁ ଅନୁଭବ କରିଥିଲେ, ସେଥିରେ ଯେଉଁ ଗତି ଅଛି ସେଥିରେ କଚ୍ଚା ଘର ପକ୍କା ହୋଇପାରିବ ନାହିଁ । ଏହାପରେ ଗରିବ ପାଇଁ ପିଏମ୍ ଆୱାସ ଯୋଜନା ଆଣିଥିଲେ । ଏହାର ପ୍ରଭାବ ଗ୍ରାମଞ୍ଚଳରେ ଦେଖିବାକୁ ମିଳିଥିଲା । ପୂର୍ବରୁ ଇନ୍ଦିରା ଆବାସ ଯୋଜନାରେ ଗୋଟିଏ ଗ୍ରାମରେ ତିନୋଟିରୁ ଚାରୋଟି ହେଉଥିଲା । ମାତ୍ର ଏବେ ୩ଶହରୁ ୪ ଘର ହେଉଛି । ଯୋଜନାରେ ସ୍କିଲ୍ ଏବଂ ସ୍ପିଡ୍ ବଢିଲା ଏବଂ ଦେଶରେ ବର୍ତ୍ତମାନ ସୁଦ୍ଧା ୪ କୋଟି ପକ୍କା ଘର ତିଆରି ହୋଇସାରିଛି । ସେହିପରି ନିର୍ମଳ ଗାଁ ଯୋଜନାକୁ ବଦଳାଇ ସ୍ୱଚ୍ଛ ଭାରତ ମିଶନ ଯୋଜନା ଆଣିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବରୁ ଗାଁ ଗୁଡ଼ିକରେ ଶୌଚାଳୟ ହୋଇପାରୁନଥିଲା, କିନ୍ତୁ ସ୍ୱଚ୍ଛ ଭାରତ ମିଶନରେ ଦେଶରେ ବର୍ତ୍ତମାନ ସୁଦ୍ଧା ୧୧ କୋଟି ଟାଏଲେଟ୍ ନିର୍ମାଣ ହୋଇଛି । ହଜାରେ ଦିନରେ ୧୮ ଗ୍ରାମକୁ ବିଜୁଳି ସଂଯୋଗ କରାଯାଇଛି । ୨୦୧୪ ପୂର୍ବରୁ ଗରିବ କଲ୍ୟାଣକାରୀ ଯୋଜନାରେ ହରିଲୁଟ ହେଉଥିଲା । ଅଯୋଗ୍ୟ ହିତାଧିକାରୀମାନେ ପ୍ରକୃତ ହିତାଧିକାରୀଙ୍କ ଟଙ୍କା ଲୁଟ କରି ନେଉଥିଲେ । ମାତ୍ର ମୋଦି ସରକାର ଆସିବା ପରେ ଡିବିଟି ବ୍ୟବସ୍ଥା ଆଣିଲେ । ଏଥିରେ ବିଭିନ୍ନ ଯୋଜନାରେ ସିଧା ସିଧା ହିତାଧିକାରୀଙ୍କୁ ବ୍ୟଙ୍କ ଖାତାକୁ ଟଙ୍କା ପଠାଯାଉଛି ବୋଲି କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି ।

ଅଧିକ ପଢନ୍ତୁ- ବିକାଶର ୧୨ ବର୍ଷ: ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରୟାସରେ ବିକାଶର ଶିଖର ଛୁଇଁଛି ଓଡ଼ିଶା; ସୁଭଦ୍ରାରୁ ସେମିକଣ୍ଡକ୍ଟର ସବୁଠି ସରକାରଙ୍କ ସଫଳତା