ଭୁବନେଶ୍ୱର,୨୫/୦୩: ସିମଲାସ୍ଥିତ କେନ୍ଦ୍ରୀୟ ଆଳୁ ଗବେଷଣା ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ। ହିମାଚଳପ୍ରଦେଶ ଗସ୍ତରେ ଥିବା ଓଡ଼ିଶାର ଏକ ଗଣମାଧ୍ୟମ ପ୍ରତିନିଧି ଦଳ ସିପିଆରଆଇ ପରିଦର୍ଶନ କରି ଆଳୁ ଚାଷରେ ଚାଲିଥିବା ଗବେଷଣା ଏବଂ ନବସୃଜନକୁ ବୁଝିବା ପାଇଁ ବୈଜ୍ଞାନିକମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ସିପିଆରଆଇ ନିର୍ଦ୍ଦେଶକ ଡ଼କ୍ଟର ବ୍ରଜେଶ ସିଂହ କହିଛନ୍ତି,ଓଡ଼ିଶା ଆଳୁ ଉତ୍ପାଦନ କରୁଛି ସତ, କିନ୍ତୁ ଆଳୁ ବିହନ ଫଳେଇ ପାରୁନି। ରାଜ୍ୟର ମାଟି ଆଳୁ ବିହନ ପାଇଁ ଆଦୌ ଅନୁକୂଳ ନୁହେଁ। ଏହି କାରଣରୁ ଆଳୁ ଫଳୁଥିଲେ ବି ଏହା ବିହନ ଉପଯୋଗୀ ହୋଇପାରୁନି।ଓଡିଶା ଆଳୁ ପାଇଁ ଅନୁପଯୋଗୀ ମାଟି ଓ ଜୀବାଣୁ ବାଧକ ସାଜିଛି। ତେବେ ଏହାର ସମାଧାନ ଲାଗି ଉଦ୍ୟମ ଚାଲିଛି। ଏହି ସମସ୍ୟାର ସମାଧାନ ପାଇଁ CPRI ଗବେଷଣା କରୁଥିବା ସେ କହିଛନ୍ତି।
ସେ ଆହୁରି କହିଛନ୍ତି, ଆମ ଦେଶର ସବୁ ରାଜ୍ୟରେ ଲୋକେ ଆଳୁକୁ ଖାଦ୍ୟ ଭାବେ ବ୍ୟବହାର କରନ୍ତି। ଓଡିଶା ରେ ପଖାଳ ସାଙ୍ଗକୁ ଆଳୁ ଭର୍ତ୍ତା ଅତି ଜଣାଶୁଣା ଖାଦ୍ୟ । ଏହାଛଡା ଆଳୁ ବିଭିନ୍ନ ତରକାରୀର ମୁଖ୍ୟ ଅଂଶ । ତଥାପି ଓଡ଼ିଆ ଙ୍କ ଆଳୁ ଚାହିଦା ମେଣ୍ଟାଇ ପାରୁନି ରାଜ୍ୟ । ଓଡିଶା ସମେତ ବିଭିନ୍ନ ରାଜ୍ୟର ମାଟି,ପାଣିପାଗ ପରିସ୍ଥିତି ଓ ଚାଷ ପ୍ରଣାଳୀ କୁ ନଜରରେ ରଖି ଏହି ପ୍ରତିଷ୍ଠାନରେ ଆଳୁ ମଞ୍ଜି ବିକଶିତ ଓ ଉତ୍ପାଦନ କରାଯାଇଥାଏ। ଏପର୍ଯ୍ୟନ୍ତ ଭାରତରେ ପ୍ରତିଷ୍ଠାନ ଦ୍ବାରା ବିକଶିତ ୭୬ କିସମର ଆଳୁ ମଞ୍ଜି ବିକଶିତ କରାଯାଇଛି। ସେଥିମଧ୍ୟରୁ କମ୍ ସମୟରେ ଅଧିକ ଅମଳକ୍ଷମ ୩୬ କିସମର ଆଳୁ ଚାଷ କରାଯାଉଛି। ପଞ୍ଜାବ ସମେତ କିଛି ରାଜ୍ୟରେ ଆଳୁ ମଞ୍ଜି ଉତ୍ପାଦନ କରାଯାଉଥିଲେ ମଧ୍ଯ ଓଡିଶାରେ ଏପର୍ଯ୍ୟନ୍ତ ମଞ୍ଜି ଉତ୍ପାଦନ କରାଯାଇପାରୁନାହିଁ। ଯେଉଁ କେତେଜଣ ଚାଷୀ ନିଜସ୍ବ ଉଦ୍ୟମରେ ବିହନ ଉତ୍ପାଦନ କରୁଛନ୍ତି ମାଟିରେ ଥିବା ଜୀବାଣୁ କାରଣରୁ ସେଗୁଡିକ ଉପଯୋଗୀ ନୁହେଁ। ଏଣୁ ଏହି ପ୍ରତିଷ୍ଠାନର ବୈଜ୍ଞାନିକମାନେ ଜିନମ୍ ଏଡିଟ୍ କରି ଓଡିଶାରେ କିପରି ଆଳୁ ମଞ୍ଜି ଉତ୍ପାଦନ ହୋଇପାରିବ ସେନେଇ ଗବେଷଣା ଜାରି ରଖିଛନ୍ତି।
ଆହୁରି ପଢନ୍ତୁ-କୁନି କୁନି ପିଲାଙ୍କୁ ଅସ୍ତବ୍ୟସ୍ତ କଲାଣି ଟାଣ ଖରା, ସକାଳୁଆ ସ୍କୁଲ କେବେଠୁ ?
ଓଡିଶା ପ୍ରତିନିଧି ଦଳ ପ୍ରତିଷ୍ଠାନର କାର୍ଯ୍ୟକଳାପ ସହିତ ପ୍ରତ୍ୟକ୍ଷ ପରିଚିତ ହେବା ପାଇଁ ପ୍ରୟୋଗଶାଳା ଏବଂ ଗବେଷଣା ସୁବିଧାଗୁଡ଼ିକ ମଧ୍ୟ ପରିଦର୍ଶନ କରିଥିଲେ।ଆଇସିଏଆର- ସିପିଆରଆଇର ନିର୍ଦ୍ଦେଶକ ଡକ୍ଟର ସିଂହ ଓଡ଼ିଶା ପ୍ରତିନିଧି ଦଳକୁ ସ୍ୱାଗତ କରିଥିଲେ । ଏହି ଅବସରରେ ସେ ଭାରତରେ ଆଳୁ ଗବେଷଣା ପାଇଁ ଜାତୀୟ କେନ୍ଦ୍ର ଭାବରେ ପ୍ରତିଷ୍ଠାନର ଭୂମିକା ଉପରେ ଆଲୋକପାତ କରିଥିଲେ।ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ ପ୍ରତିଷ୍ଠାନର କାର୍ଯ୍ୟକଳାପ ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିବା ପାଇଁ ପ୍ରୟୋଗଶାଳା ଓ ଗବେଷଣା କେନ୍ଦ୍ର ମଧ୍ୟ ପରିଦର୍ଶନ କରିଥିଲେ। ପ୍ରତିଷ୍ଠାନରେ ବରିଷ୍ଠ ବୈଜ୍ଞାନିକ ଡକ୍ଟର ଜଗଦେବ ଶର୍ମା, ଡକ୍ଟର ସଞ୍ଜୀବ ଶର୍ମା, ଡକ୍ଟର ଆଲୋକ କୁମାର, ଡକ୍ଟର ବିନୋଦ କୁମାର, ଡକ୍ଟର ସୋମ ଦତ୍ତ ପ୍ରମୁଖ ଏହି ପରିଦର୍ଶନ ସମୟରେ ମାର୍ଗଦର୍ଶନ କରିଥିଲେ.ବରିଷ୍ଠ ସାମ୍ବାଦିକମାନଙ୍କୁ ନେଇ ଏହି ପ୍ରତିନିଧି ଦଳ ସହିତ ପିଆଇବି ଭୁବନେଶ୍ୱରର ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି, ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ସ୍ୱାଧୀନ ଶକ୍ତି ପ୍ରସାଦ, ପିଆଇବି ସିମଲାର ସହାୟକ ନିର୍ଦ୍ଦେଶକ ସଞ୍ଜୀବ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।