ଭୁବନେଶ୍ୱର,୨୫/୧୦: ଚଳିତ ଆର୍ଥିକ  ବର୍ଷରେ ରାଜ୍ୟରେ ୩୦୦ ଶାଖା ଡାକଘର ସ୍ଥାପନ ହେବାର ଢେର ସମ୍ଭାବନା ରହିଛି । ଏ ନେଇ କେନ୍ଦ୍ର ଯୋଗାଯୋଗ ବିଭାଗ ପ୍ରସ୍ତାବ ମାଗିଛି । ବ୍ୟାଙ୍କ ସେବା ନ ଥିବା ପଞ୍ଚାୟତଗୁଡିକରେ ବ୍ୟାଙ୍କିଙ୍ଗ ସେବା ପହଞ୍ଚାଇବା  ଦିଗରେ ଏଭଳି କାର୍ଯ୍ୟକ୍ରମ ଗ୍ରହଣ କରାଯିବ ।  

ରାଜ୍ୟରେ ଏବେ ୮୯୧୨ ଡାକ ଘର ରହିଛି ।  ସେଥିମଧ୍ୟରୁ ୩୫ଟି ମୁଖ୍ୟ ଡାକଘର, ୧୧୫୦  ଉପ-ଡାକଘର, ୭୬୯୨ ଶାଖା ଡାକଘର ରହିଛି ।  ଏହା ମଧ୍ୟରେ ୧୨ ମୁଖ୍ୟ ଡାକଘର, ୩୭୩ ଶାଖା  ଡାକଘର, ୨୯୩୬ ଶାଖା ଡାକଘର ୧୩ ମାଓ  ଅଧ୍ୟୁଷିତ ଜିଲାରେ ରହିଛ । ୨୦୨୩-୨୪ରେ  ୯୦୦ଶାଖା ଡାକଘର ଖୋଲିବାକୁ ଓଡ଼ିଶା ପୋଷ୍ଟାଲ  ସର୍କଲ ପ୍ରସ୍ତାବ ଦେଇଥିଲା । 

ତେବେ ମନ୍ତ୍ରଣାଳୟ ୪୧୬ ଡାକଘର  ପାଇଁ ମଞ୍ଜୁରି ଦେଇଥିଲା । ଏହି ଡାକଘରଗୁଡିକ  ଏବେ କାର୍ଯ୍ୟକ୍ଷମ ହେବା ସହ ୫ କିମି ଅଞ୍ଚଳ ମଧ୍ୟରେ ବ୍ୟାଙ୍କିଙ୍ଗ ସେବା ପ୍ରଦାନ କରୁଛନ୍ତି ।  ଓଡ଼ିଶା ପୋଷ୍ଟାଲ ସର୍କଲର ଡେପୁଟି ଡିଭିଜିନାଲ  ମ୍ୟାନେଜର ସତ୍ୟବାଦୀ ବିଶ୍ୱାଳ କହିଛନ୍ତି, ରାଜ୍ୟରେ ୩୦୦ ଶାଖା ଡାକଘର ସ୍ଥାପନ କରିବାକୁ  କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଏହା  ଦ୍ୱାରା ୩୦ ଜିଲାରେ ବ୍ୟାଙ୍କ ସେବା ନ ଥିବା  ଗ୍ରାମ ପଞ୍ଚାୟତଗୁଡିକ ଉପରେ ଧ୍ୟାନ ରଖାଯିବ । 

ନୂଆ ଶାଖା ଡାକଘର ସହ ୫ ନୂଆ ପୋଷ୍ଟାଲ  ସବ୍‌ ଡିଭିଜନ ସ୍ଥାପନ ହେବ । ଏଥିସହ ୯୮୩  ପଦବୀ ସୃଷ୍ଟି କରାଯିବ । ଫଳରେ ବ୍ୟାଙ୍କ ସେବା ନ  ଥିବା ଗ୍ରାମଗୁଡିକୁ ଉନ୍ନତ ଭାବେ ସେବା ଯୋଗାଣ  ହୋଇପାରିବ । ସେହିଭଳି ଡାକ ଘର ରପ୍ତାନି କେନ୍ଦ୍ର  (ଡିଏନ୍‌କେ) ଖୋଲିବା ମଧ୍ୟ ଯୋଜନା ରହିଛି ।  ରପ୍ତାନିକାରୀ ସେମାନଙ୍କ ସାମଗ୍ରୀ ବିଦେଶକୁ  ପହଞ୍ଚାଇବାରେ ଏହା ୱାନ୍‌ଷ୍ଟପ ସଲ୍ୟୁଶନ ଭାବେ  କାମ କରିବ । ରାଜ୍ୟରେ ଏଭଳି ୩୫ଟି ସେଣ୍ଟର  ରହିଛି । ୨୦୨୨ ଅକ୍ଟୋବରରେ ପ୍ରଥମେ ଏଭଳି କେନ୍ଦ୍ର  ରାଜ୍ୟରେ ସ୍ଥାପନ କରାଯାଇଥିଲା । 

ଏବେ ଡିଏନ୍‌କେଗୁଡିକ ୫୫୪ କନସାଇନମେଣ୍ଟ  ବୁକିଂ କରିଛନ୍ତି । ଏହି ସାମଗ୍ରୀ ସବୁ ଅଷ୍ଟ୍ରେଲିଆ,  ନର୍‌ୱେ, ଫିନଲ୍ୟାଣ୍ଡ, ୟୁକେ, ୟୁଏସ୍‌ଏ, ଗ୍ରୀସ,  ସାଉଦିଆରବ, କାନାଡା, ମେକ୍ସିକୋ, ବେଲ୍‌ଜିୟମ,  ଇଟାଲି, ଜର୍ମାନୀ, ସ୍ୱିଡେନ, ନ୍ୟୁଜିଲାଣ୍ଡ, ଫ୍ରାନ୍ସ,  ସ୍ପେନ୍‌, ନାଇଜେରିଆ ଏବଂ ନେପାଳ ଭଳି ରାଜ୍ୟକୁ  ପଠାଯାଇଛି । 

ଡିଏନ୍‌କେ ଦ୍ୱାରା ଶିଳ୍ପୀ, କାରିଗର, ସ୍ଥାନୀୟ  ଉତ୍ପାଦନକାରୀ, ଏମ୍‌ଏସ୍‌ଏମ୍‌ଇଗୁଡିକୁ ରପ୍ତାନି  ଡକ୍ୟୁମେଣ୍ଟେସନ ପୂରଣ କରିବାକୁ ପଡ଼ିବ ।  ସେମାନଙ୍କୁ ଆମଦାନି ଏବଂ ରପ୍ତାନି କୋଡ୍‌  ଜେନେରେଟ କରିବାକୁ ସହାୟତା କରାଯିବ ବୋଲି  ଶ୍ରୀ ବିଶ୍ୱାଳ କହିଛନ୍ତି ।  

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଏବେ ୪୩୭୩  ବ୍ୟାଙ୍କ ସେବା ନ ଥିବା ପଞ୍ଚାୟତ ରହିଛି । ବ୍ୟାଙ୍କଗୁଡିକ  ଏହି ସ୍ଥାନଗୁଡିକରେ ସେବା ଯୋଗାଣ ନେଇ ଏବେ  ଯାଏ ସକ୍ଷମ ହୋଇନାହାନ୍ତି । ଏହାବାଦ ଏସବୁ ସ୍ଥାନରେ  ଇଣ୍ଟରନେଟ ମଧ୍ୟ ବଡ଼ ସମସ୍ୟା ଭାବେ ଉଭା ହୋଇଛି ।