ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଓଡ଼ିଶାର ଅପହଞ୍ଚ ଇଲାକାରେ ବ୍ୟାଙ୍କ ସେବା ଯୋଗାଣ ଲକ୍ଷ୍ୟ, ସ୍ଥାପନ ହେବ ୩୦୦ ନୂଆ ଶାଖା ଡାକଘର

Published By : Prameya | October 25, 2024 12:23 PM

ଭୁବନେଶ୍ୱର,୨୫/୧୦: ଚଳିତ ଆର୍ଥିକ  ବର୍ଷରେ ରାଜ୍ୟରେ ୩୦୦ ଶାଖା ଡାକଘର ସ୍ଥାପନ ହେବାର ଢେର ସମ୍ଭାବନା ରହିଛି । ଏ ନେଇ କେନ୍ଦ୍ର ଯୋଗାଯୋଗ ବିଭାଗ ପ୍ରସ୍ତାବ ମାଗିଛି । ବ୍ୟାଙ୍କ ସେବା ନ ଥିବା ପଞ୍ଚାୟତଗୁଡିକରେ ବ୍ୟାଙ୍କିଙ୍ଗ ସେବା ପହଞ୍ଚାଇବା  ଦିଗରେ ଏଭଳି କାର୍ଯ୍ୟକ୍ରମ ଗ୍ରହଣ କରାଯିବ ।  

ରାଜ୍ୟରେ ଏବେ ୮୯୧୨ ଡାକ ଘର ରହିଛି ।  ସେଥିମଧ୍ୟରୁ ୩୫ଟି ମୁଖ୍ୟ ଡାକଘର, ୧୧୫୦  ଉପ-ଡାକଘର, ୭୬୯୨ ଶାଖା ଡାକଘର ରହିଛି ।  ଏହା ମଧ୍ୟରେ ୧୨ ମୁଖ୍ୟ ଡାକଘର, ୩୭୩ ଶାଖା  ଡାକଘର, ୨୯୩୬ ଶାଖା ଡାକଘର ୧୩ ମାଓ  ଅଧ୍ୟୁଷିତ ଜିଲାରେ ରହିଛ । ୨୦୨୩-୨୪ରେ  ୯୦୦ଶାଖା ଡାକଘର ଖୋଲିବାକୁ ଓଡ଼ିଶା ପୋଷ୍ଟାଲ  ସର୍କଲ ପ୍ରସ୍ତାବ ଦେଇଥିଲା । 

ତେବେ ମନ୍ତ୍ରଣାଳୟ ୪୧୬ ଡାକଘର  ପାଇଁ ମଞ୍ଜୁରି ଦେଇଥିଲା । ଏହି ଡାକଘରଗୁଡିକ  ଏବେ କାର୍ଯ୍ୟକ୍ଷମ ହେବା ସହ ୫ କିମି ଅଞ୍ଚଳ ମଧ୍ୟରେ ବ୍ୟାଙ୍କିଙ୍ଗ ସେବା ପ୍ରଦାନ କରୁଛନ୍ତି ।  ଓଡ଼ିଶା ପୋଷ୍ଟାଲ ସର୍କଲର ଡେପୁଟି ଡିଭିଜିନାଲ  ମ୍ୟାନେଜର ସତ୍ୟବାଦୀ ବିଶ୍ୱାଳ କହିଛନ୍ତି, ରାଜ୍ୟରେ ୩୦୦ ଶାଖା ଡାକଘର ସ୍ଥାପନ କରିବାକୁ  କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଏହା  ଦ୍ୱାରା ୩୦ ଜିଲାରେ ବ୍ୟାଙ୍କ ସେବା ନ ଥିବା  ଗ୍ରାମ ପଞ୍ଚାୟତଗୁଡିକ ଉପରେ ଧ୍ୟାନ ରଖାଯିବ । 

ନୂଆ ଶାଖା ଡାକଘର ସହ ୫ ନୂଆ ପୋଷ୍ଟାଲ  ସବ୍‌ ଡିଭିଜନ ସ୍ଥାପନ ହେବ । ଏଥିସହ ୯୮୩  ପଦବୀ ସୃଷ୍ଟି କରାଯିବ । ଫଳରେ ବ୍ୟାଙ୍କ ସେବା ନ  ଥିବା ଗ୍ରାମଗୁଡିକୁ ଉନ୍ନତ ଭାବେ ସେବା ଯୋଗାଣ  ହୋଇପାରିବ । ସେହିଭଳି ଡାକ ଘର ରପ୍ତାନି କେନ୍ଦ୍ର  (ଡିଏନ୍‌କେ) ଖୋଲିବା ମଧ୍ୟ ଯୋଜନା ରହିଛି ।  ରପ୍ତାନିକାରୀ ସେମାନଙ୍କ ସାମଗ୍ରୀ ବିଦେଶକୁ  ପହଞ୍ଚାଇବାରେ ଏହା ୱାନ୍‌ଷ୍ଟପ ସଲ୍ୟୁଶନ ଭାବେ  କାମ କରିବ । ରାଜ୍ୟରେ ଏଭଳି ୩୫ଟି ସେଣ୍ଟର  ରହିଛି । ୨୦୨୨ ଅକ୍ଟୋବରରେ ପ୍ରଥମେ ଏଭଳି କେନ୍ଦ୍ର  ରାଜ୍ୟରେ ସ୍ଥାପନ କରାଯାଇଥିଲା । 

ଏବେ ଡିଏନ୍‌କେଗୁଡିକ ୫୫୪ କନସାଇନମେଣ୍ଟ  ବୁକିଂ କରିଛନ୍ତି । ଏହି ସାମଗ୍ରୀ ସବୁ ଅଷ୍ଟ୍ରେଲିଆ,  ନର୍‌ୱେ, ଫିନଲ୍ୟାଣ୍ଡ, ୟୁକେ, ୟୁଏସ୍‌ଏ, ଗ୍ରୀସ,  ସାଉଦିଆରବ, କାନାଡା, ମେକ୍ସିକୋ, ବେଲ୍‌ଜିୟମ,  ଇଟାଲି, ଜର୍ମାନୀ, ସ୍ୱିଡେନ, ନ୍ୟୁଜିଲାଣ୍ଡ, ଫ୍ରାନ୍ସ,  ସ୍ପେନ୍‌, ନାଇଜେରିଆ ଏବଂ ନେପାଳ ଭଳି ରାଜ୍ୟକୁ  ପଠାଯାଇଛି । 

ଡିଏନ୍‌କେ ଦ୍ୱାରା ଶିଳ୍ପୀ, କାରିଗର, ସ୍ଥାନୀୟ  ଉତ୍ପାଦନକାରୀ, ଏମ୍‌ଏସ୍‌ଏମ୍‌ଇଗୁଡିକୁ ରପ୍ତାନି  ଡକ୍ୟୁମେଣ୍ଟେସନ ପୂରଣ କରିବାକୁ ପଡ଼ିବ ।  ସେମାନଙ୍କୁ ଆମଦାନି ଏବଂ ରପ୍ତାନି କୋଡ୍‌  ଜେନେରେଟ କରିବାକୁ ସହାୟତା କରାଯିବ ବୋଲି  ଶ୍ରୀ ବିଶ୍ୱାଳ କହିଛନ୍ତି ।  

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଏବେ ୪୩୭୩  ବ୍ୟାଙ୍କ ସେବା ନ ଥିବା ପଞ୍ଚାୟତ ରହିଛି । ବ୍ୟାଙ୍କଗୁଡିକ  ଏହି ସ୍ଥାନଗୁଡିକରେ ସେବା ଯୋଗାଣ ନେଇ ଏବେ  ଯାଏ ସକ୍ଷମ ହୋଇନାହାନ୍ତି । ଏହାବାଦ ଏସବୁ ସ୍ଥାନରେ  ଇଣ୍ଟରନେଟ ମଧ୍ୟ ବଡ଼ ସମସ୍ୟା ଭାବେ ଉଭା ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.