ଭୁବନେଶ୍ୱର,୧୯/୦୨: ରାଜ୍ୟରେ ପ୍ରତିଷ୍ଠା ହେବ ଏକ ଐତିହ୍ୟ ଅଧ୍ୟୟନ କେନ୍ଦ୍ର(ସିଏଚ୍ଏସ୍) । ଯାହା ପ୍ରାଚୀନ ସ୍ମାରକୀ ଏବଂ ଐତିହ୍ୟସ୍ଥଳଗୁଡ଼ିକର ବୈଜ୍ଞାନିକ ଡକ୍ୟୁମେଣ୍ଟେସନ୍ ଏବଂ ସଂରକ୍ଷଣ କରିବ । ଏଥିପାଇଁ ଉତ୍ସର୍ଗୀକୃତ ସର୍ଭେ ଦଳଗୁଡ଼ିକୁ କାର୍ଯ୍ୟରେ ନିୟୋଜିତ କରିବ । ଏନେଇ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ କହିବା କଥା, ଏହା ଓଡ଼ିଶାକୁ ବିଶ୍ୱସ୍ତରରେ ସ୍ୱୀକୃତି ଦେଇଛି । ଏହି ଜୀବନ୍ତ ଐତିହ୍ୟ କେବଳ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ ନାହିଁ ବରଂ ସଭ୍ୟତାର ଗଭୀରତାକୁ ବିଦ୍ୱାନ ଏବଂ ଗବେଷକମାନଙ୍କୁ ମଧ୍ୟ ଆକର୍ଷିତ କରେ । ଏଥିପାଇଁ ଗତ ୨୦୨୫ ଅଗଷ୍ଟ ୨୧ରେ ରାଜ୍ୟ ସରକାର ଏକ ବୁଝାମଣାପତ୍ର ସ୍ୱାକ୍ଷରିତ କରିଛନ୍ତି । ଯାହାଦ୍ୱାରା ଓଡ଼ିଶାର ଐତିହ୍ୟ ସଂରକ୍ଷଣ, ପର୍ଯ୍ୟଟନ ବିବିଧତା ବିଶ୍ୱସ୍ତରରେ ପହଞ୍ଚିବ ।
ଆଇଆଇଟି ମାଡ୍ରାସ୍ ସହିତ ବୁଝାମଣାପତ୍ର ଅନୁଯାୟୀ, ଓଡ଼ିଶା ଐତିହ୍ୟ ସ୍ମାରକୀଗୁଡ଼ିକର ସାଇଣ୍ଟିଫିକ୍ ଷ୍ଟ୍ରକ୍ଚରାଲ୍ ଅଡିଟ୍ ଓ ସଂରକ୍ଷଣ ନିମନ୍ତେ ଉନ୍ନତ ବୈଜ୍ଞାନିକ କୌଶଳ ବ୍ୟବହାର କରାଯିବ । ଏହି ସହଯୋଗରେ ବିସ୍ତୃତ ଡକ୍ୟୁମେଣ୍ଟେସନ୍, ସାମଗ୍ରୀ ପରୀକ୍ଷଣ, ଭୂ-ବୈଷୟିକ ତଦନ୍ତ ଓ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି ହେବ । ସ୍ଥାୟୀ ପୁନଃବ୍ୟବହାର ଯୋଜନା ଓ ପ୍ରକଳ୍ପ ପରିଚାଳନା ପରାମର୍ଶ ସହାୟତା ଦିଆଯିବ । ଯାହା ଓଡ଼ିଶାର ଐତିହାସିକ ସ୍ଥାନଗୁଡ଼ିକର ଦୀର୍ଘକାଳୀନ ସଂରକ୍ଷଣ ସୁନିଶ୍ଚିତ କରିବ । ଓଡ଼ିଶାର ଅମୂଲ୍ୟ ଐତିହ୍ୟ ସମ୍ପତ୍ତିଗୁଡ଼ିକୁ ସଂରକ୍ଷଣ ଏବଂ ପୁନଃରୁଦ୍ଧାର କରିବା ଉପରେ ଧ୍ୟାନ ଦେବ । ଏହାଦ୍ୱାରା ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ମିଶନ୍ ମୋଡ୍ରେ କାର୍ଯ୍ୟକାରୀ ହେବ । ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି । ଏହା ମାଧ୍ୟମରେ ପାଖାପାଖି ରାଜ୍ୟର ୩୦୦୦ରୁ ଅଧିକ ଐତିହ୍ୟ ଓ ସ୍ମାରକସ୍ଥଳୀର ପୁନରୁଦ୍ଧାର ହେବ । ଏହି ନିଷ୍ପତ୍ତିକ୍ରମେ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ କାର୍ଯ୍ୟକ୍ରମ ଆରମ୍ଭ କରିଛି ।
ବିଭାଗର ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ଐତିହ୍ୟସ୍ଥଳ ଗୁଡ଼ିକର ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ବ୍ୟାପକ ସର୍ବେକ୍ଷଣ ଏବଂ ଦଲିଲିକରଣ ସେବା ନିମନ୍ତେ ଆଗ୍ରହୀ ସଂସ୍ଥାମାନଙ୍କଠାରୁ ଆବେଦନ ଆହ୍ୱାନ କରାଯାଇଛି । ଏଥିରେ ଉଭୟ ଟାଞ୍ଜିବଲ୍ ଏବଂ ଇନ୍ଟାଞ୍ଜିବଲ୍ ଐତିହ୍ୟସ୍ଥଳୀ ତଥା ସ୍ମାରକୀର ପୁନରୁଦ୍ଧାର ହେବ । ଏଥିସହିତ ଓଡ଼ିଶାରେ ବୌଦ୍ଧ ଐତିହ୍ୟ ସର୍କିଟ୍ର ବିକାଶ ଏବଂ ପ୍ରୋତ୍ସାହନ ପାଇଁ ଲାଇଟ୍ ଅଫ୍ ବୁଦ୍ଧ ଫାଉଣ୍ଡେସନ୍ ଇଣ୍ଟରନ୍ୟାସନାଲ୍ ସହିତ ମଧ୍ୟ ଏକ ବୁଣାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଐତିହାସିକ ନିଷ୍ପତ୍ତି ସ୍ୱରୂପ ୨୦୦ କୋଟିର କର୍ପସ୍ ପାଣ୍ଠିରେ ମିଳୁଥିବା ସୁଧରୁ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସାଂସ୍କୃତିକ ଐତିହ୍ୟର ବ୍ୟବସ୍ଥିତ ସଂରକ୍ଷଣ, ପ୍ରୋତ୍ସାହନ ଏବଂ ବିକାଶ ପାଇଁ ବ୍ୟବହାର କରାଯାଉଛି । ‘ବରପୁତ୍ର ଐହିତ୍ୟ ଗ୍ରାମ ଯୋଜନା’ରେ ଐତିହ୍ୟ ଗ୍ରାମକୁ ସାଂସ୍କୃତିକ ଐତିହ୍ୟ ଗ୍ରାମ ଭାବେ ବିକାଶିତ କରାଯିବାକୁ ପ୍ରାଥମିକ ପର୍ଯ୍ୟାୟରେ ୩୪୫ କୋଟି ଖର୍ଚ୍ଚରେ ୨୫ଟି ବରପୁତ୍ରଙ୍କ ଗାଁ ନିଆଯାଇଛି । କଟକ ପ୍ରସିଦ୍ଧ ବାଲିଯାତ୍ରାକୁ ୟୁନେସ୍କୋର ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସାମିଲ ପାଇଁ ସଂସ୍କୃତି ମନ୍ତ୍ରଣାଳୟକୁ ପ୍ରସ୍ତାବ ଦିଆଯାଇଛି । ଲଳିତଗିରି, ରତ୍ନଗିରି, ଉଦୟଗିରି, ଗୋହିରାଟିକିରି, ରଘୁରାଜପୁର ଏବଂ ରାଣୀପୁର-ଝରିଆଲ ଭଳି ପ୍ରମୁଖ ଐତିହ୍ୟସ୍ଥଳଗୁଡ଼ିକର ସ୍ଥାୟୀ ବିକାଶ ପାଇଁ ୟୁନେସ୍କୋ ସହିତ ଏକ ସହଭାଗିତା ପ୍ରସ୍ତାବ ଦିଆଯାଇଛି ।
ଅଧିକ ପଢ଼ନ୍ତୁ-ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ଓ ଗ୍ରହଣ ନୀତି ଆଲୋଚନା, ରାତି ସାରା ମହାପ୍ରଭୁଙ୍କ ସୁନାବେଶ ଦର୍ଶନ