ରାଜନଗର,୦୫/୦୨ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର ବନ ବିଭାଗ ରେଂଜ୍ କାର୍ଯ୍ୟଳୟରେ ପଶି ଏସିଏଫ୍ଙ୍କ ସହ ବନ କର୍ମଚାରୀଙ୍କୁ ଦୁର୍ବ୍ୟବହାର ତଥା ଧମକ ଦେବା ଘଟଣା ଉଗ୍ର ରୂପ ଧାରଣ କରିଛି । ଫରେଷ୍ଟ ଗାର୍ଡଙ୍କଠାରୁ ଓଡ଼ିଶା ବନ ସେବା ସଂଘ ଯାଏ ସମସ୍ତେ ସମ୍ପୃକ୍ତ ଆଇଆଇସିଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ପାଇଁ ଅଡ଼ି ବସିଛନ୍ତି ।
ଗତକାଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସ୍ୱତନ୍ତ୍ର ସଚିବ କେନ୍ଦ୍ରୀୟ ରେଂଜ୍ ଆଇଜି, କଟକଙ୍କୁ ଚିଠି ଲେଖି ଆବଶ୍ୟକ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଜଣାଇଥିଲେ । ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍) ପୁଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖି ଘଟଣା ସମ୍ପର୍କରେ ଅବଗତ କରିବା ସହ ନିରପେକ୍ଷ ତଦନ୍ତ କରି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ଶ୍ରୀମତୀ ପାତ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜଣାଇଛନ୍ତି । ଫଳରେ ଆଇଆଇସିଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି ।
ସୂଚନାଯୋଗ୍ୟ ଯେ, ଗତ ମାସ ୨୧ ତାରିଖ ଦିନ ରାଜନଗର ବନ ବିଭାଗ ପକ୍ଷରୁ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଷଣ୍ଢପଲ୍ଲୀ କେନାଲ ରୋଡ୍ରୁ ବଜ୍ରକାପ୍ତା କାତି ଚୋରା କାରବାରେ ସଂପୃକ୍ତ ୩ ଅନ୍ତଃରାଜ୍ୟ ଚୋରା ବେପାରୀଙ୍କୁ ଧରାଯାଇଥିଲା । ୩ ଅଭିଯୁକ୍ତଙ୍କୁ ରାଜନଗର ରେଂଜ୍ କାର୍ଯ୍ୟଳୟରେ ଏସିଏଫ୍ ଗଗନ ମଲ୍ଲିକ ପଚରାଉଚରା କରୁଥିବା ବେଳେ ଅଚାନକ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ଶ୍ରୀମତୀ ପାତ୍ର ପହଞ୍ଚି ଅଭିଯୁକ୍ତଙ୍କୁ କାହିଁକି ମୋତେ ନଜଣାଇ ମୋ ଏରିଆରୁ ଉଠାଇ ଆଣିଲ କହି ପାଟତୁଣ୍ଡ କରିଥିଲେ । ଏପରିକି ମିଛ ମାମଲାରେ ଛନ୍ଦି ଦେବାକୁ ଏସିଏଫ୍ଙ୍କୁ ଧମକ ଦେଇଥିଲେ ।
ଆହୁରି ପଢ଼ନ୍ତୁ:- ଭାରତ-ଆମେରିକା ଚୁକ୍ତିରୁ ଓଡ଼ିଶାକୁ ବଡ଼ ଫାଇଦା : 'ବ୍ଲୁ-ଇକୋନୋମି'ର ହବ୍ ପାଲଟିବ ରାଜ୍ୟ, ବିଶ୍ୱରେ ଝଲସିବ ଓଡ଼ିଶାର ହସ୍ତତନ୍ତ