ଝରିଗାଁ, ୨।୩ : ସାମାନ୍ୟ ବଚସା ପରେ ଉତ୍ତ୍ୟକ୍ତ ଯୁବକଙ୍କ ମରଣାନ୍ତକ ଆକ୍ରମଣ। ଜୁଆଳି ମାଡ଼ରେ ଚାଲିଗଲା ଜଣେ ବୃଦ୍ଧଙ୍କ ଜୀବନ। ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ କରଲାପଡା ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା। ଏକ ଇଟାଭାଟି ନିକଟରେ ବଚସାକୁ କେନ୍ଦ୍ର କରି ଜଣେ ଯୁବକ ଜୁଆଳିରେ ପିଟି ଜଣେ ବୃଦ୍ଧଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଜାରି ରଖିଛି।
ଝରିଗାଁ ବ୍ଲକ ଇଚ୍ଛାପୁର ଗ୍ରାମପଞ୍ଚାୟତର କରଲାପଡା ଗ୍ରାମ ନିକଟ ଜଙ୍ଗଲକୁ ୮ ଜଣ ଲୋକ ଇଟା ଭାଟି ପୋଡ଼ିବା ପାଇଁ ଯାଇଥିଲେ। ସେଠାରେ କୌଣସି କଥାକୁ ନେଇ କରଲାପଡାର ଲଛମନ ମାଝୀ ଓ ଗୋବର୍ଦ୍ଧନ ମାଝୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଲଛମନ ପାଖରେ ପଡ଼ିଥିବା ଏକ କାଠ ଜୁଆଳିରେ ଗୋବର୍ଦ୍ଧନଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୋବର୍ଦ୍ଧନଙ୍କୁ ତୁରନ୍ତ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେ ଘରକୁ ଫେରିଥିଲେ ମଧ୍ୟ ପରେ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡ଼ିବାରୁ ପୁଣି ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ମୃତ ଗୋବର୍ଦ୍ଧନଙ୍କ ନାତି ହୃଷିକେଶ ମାଝୀ ଝରିଗାଁ ଥାନାରେ ଏତଲା ଦେଇଛନ୍ତି। ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତ ଲଛମନ ମାଝୀଙ୍କୁ ପୋଲିସ ଉଠାଇ ଆଣି ଥାନାରେ ଅଟକ ରଖିଛି। ଏକ ହତ୍ୟା ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ ଚଳାଇଛି। ସାମାନ୍ୟ କଥାରୁ ହତ୍ୟା ପରି ଜଘନ୍ୟ କାଣ୍ଡ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ତେବେ ଏହି ଘଟଣା ପଛରେ ଆଉ କିଛି କାରଣ ରହିଛି କି ନାହିଁ, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।
ଆହୁରି ପଢନ୍ତୁ : ଆମପାଣି ଘାଟିରେ ଓଲଟିଲା ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର