କେନ୍ଦ୍ରାପଡ଼ା,୧୬/୦୪ : କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ସାଟେଲାଇଟ୍‌ ଟ୍ୟାଗିଂ ହୋଇଥିବା ଅଲିଭ୍‌ ରିଡ୍‌ଲେ ମହାରାଷ୍ଟ୍ର ଉପକୂଳରେ ପହଞ୍ଚିଛି। ଗହୀରମଥାରୁ ଟ୍ୟାଗିଂ ହୋଇଥିବା ଅଲିଭ୍‌ ରିଡ୍‌ଲେ କ୍ରମିକ ନଂ. ୩୨୩୩ ଜାନୁଆରୀ ମାସରେ ମହାରାଷ୍ଟ୍ରର ରତ୍ନଗିରି ମୁହାଣରେ ପହଞ୍ଚିଥିବା ଭାରତୀୟ ପ୍ରାଣୀ ବିଜ୍ଞାନ ସର୍ବେକ୍ଷଣ ସଂସ୍ଥାର ବରିଷ୍ଠ ବୈଜ୍ଞାନିକ ଡ. ବାସୁଦେବ ତ୍ରିପାଠୀ ସୂଚନା ଦେଇଛନ୍ତି । ତାଙ୍କ କହିବା ମୁତାବକ ୨୦୨୧ ମସିହାରେ ଓଡ଼ିଶାର ଋଷିକୂଲ୍ୟା ମୁହାଣ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ପ୍ରାୟ ୧୨ ହଜାର ଅଲିଭ୍‌ ରିଡ୍‌ଲେଙ୍କ ସାଟେଲାଇଟ୍‌ ଟ୍ୟାଗିଂ କରାଯାଇଥିଲା । ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ଚିହ୍ନଟ ହୋଇଥିବା ଅଲିଭ୍‌ ରିଡ୍‌ଲେ ଗହୀରମଥାରେ ଟ୍ୟାଗିଂ କରାଯାଇଥିଲା ବୋଲି ଡ. ତ୍ରିପାଠୀ କହିଛନ୍ତି । 

ଇତିମଧ୍ୟରେ ଉକ୍ତ ଅଲିଭ୍‌ ରିଡ୍‌ଲେ ମୋଟ ୧୦୭ ଥର ଗଣ ଅଣ୍ଡାଦାନରେ ସାମିଲ ହୋଇ ସାରିଥିବା ବେଳେ ରତ୍ନଗିରିରେ ୧୨୦ ଅଣ୍ଡାଦାନ କରିଛି । ଭାରତର ପୂର୍ବ ଉପକୂଳ ଏବଂ ପଶ୍ଚିମ ଉପକୂଳରେ କୌଣସି ଅଲିଭ୍‌ ରିଡ୍‌ଲେ ଅଣ୍ଡାଦାନ କରିବା ପ୍ରଥମ ଘଟଣା । ଉକ୍ତ ଅଲିଭ୍‌ ରିଡ୍‌ଲେ ଶ୍ରୀଲଙ୍କା ଉପକୂଳ ଅଭିମୁଖେ ଯାତ୍ରା କରିବ ବୋଲି ଆକଳନ କରାଯାଉଥିବା ବେଳେ ଏହା ତା’ର ଗତିପଥ ବଦଳାଇଥିଲା ଓ ମହାରାଷ୍ଟ୍ରକୁ ଆସିଥିଲା । 

ପ୍ରକାଶଥାଉ କି, ଅଲିଭ୍‌ ରିଡ୍‌ଲେଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଚଳିତ ବର୍ଷ ଗହୀରମଥାରେ ୨ଟି ଅଲିଭ୍‌ ରିଡ୍‌ଲେଙ୍କଠାରେ ସାଟେଲାଇଟ୍‌ ଟ୍ରାନ୍ସମିଟର ଲାଗିଥିଲା । ଭାରତୀୟ ବନ୍ୟଜନ୍ତୁ ପ୍ରତିଷ୍ଠାନ (ଡବ୍ଲୁଆଇଆଇ) ସହଯୋଗରେ ଓଡ଼ିଶା ବନ ବିଭାଗ ତରଫରୁ ୨ଟି ମାଈ ଅଲିଭ୍‌ ରିଡ୍‌ଲେଙ୍କ ଦେହରେ ଏହି ଟ୍ରାନ୍ସମିଟର ଖଞ୍ଜାଯାଇଥିଲା । ଯାହା ଜରିଆରେ ଅଲିଭ୍‌ ରିଡ୍‌ଲେର ଗତିବିଧି ଓ ଜୀବନଶୈଳୀ ବିଷୟରେ ଅର୍ଥାତ୍‌ ପାଣି ମଧ୍ୟରେ ସେ କେତେ ସମୟ ରହୁଛି, ସେ ବିଷୟରେ ସବିଶେଷ ସୂଚନା ଦେବାକୁ ସକ୍ଷମ ହେବ । ତତ୍କାଳ ଏସମ୍ବନ୍ଧରେ ଡବ୍ଲୁଆଇଆଇକୁ ତଥ୍ୟ ମିଳିଯିବ । ୨୦୦୧ ମସିହାରେ ପ୍ରଥମ ଥର ପାଇଁ ଓଡ଼ିଶା ସରକାରଙ୍କ ବନ ବିଭାଗ ଓ ଡବ୍ଲୁଆଇଆଇ ଦ୍ୱାରା ଦେବୀ ବେଳାଭୂମିରେ ୪ଟି କଇଁଛଙ୍କ ଦେହରେ ପିଟିଟି ଖଞ୍ଜା ଯାଇଥିଲା । ସାଟେଲାଇଟ୍‌ ଟ୍ୟାଗିଂ ପରେ କଇଁଛମାନେ ସମୁଦ୍ର ମଧ୍ୟକୁ ପ୍ରବେଶ କରିଥିଲେ । ସେମାନଙ୍କ ମଧ୍ୟରୁ କେବଳ ଗୋଟିଏ କଇଁଛ ବିଷୟରେ ସୂଚନା ମିଳିଥିଲା । ଉକ୍ତ କଇଁଛ ଶ୍ରୀଲଙ୍କା ଅଭିମୁଖେ ଯାଉଥିବା ଦୃଶ୍ୟମାନ ହୋଇଥିଲା । ତା’ ପରେ ଦୁର୍ଭାଗ୍ୟବଶତଃ ୨ରୁ ୩ ମାସ ମଧ୍ୟରେ ସମସ୍ତ କଇଁଛଙ୍କଠାରୁ ସୂଚନା ମିଳିବା ବନ୍ଦ ହୋଇଯାଇଥିଲା ।