ପହଲଗାମ ଆତଙ୍କବାଦୀ ଆକ୍ରମଣ ପଛରେ ପାକ୍ ସେନା ମୁଖ୍ୟ ଅସିମ ମୁନିର ହିଁ ଅସଲ ଖଳନାୟକ । ନିଜ ଚଉକି ବଞ୍ଚାଇବା ଲାଗି ଭାରତରେ ଆତଙ୍କବାଦୀ ଆକ୍ରମଣ ଘଟାଇବାକୁ ଷଡ଼ଯନ୍ତ୍ର ରଚିଥିଲେ ଏବଂ ଏହାକୁ ବାସ୍ତବତାର ରୂପ ଦେଇଥିଲା ପାକ୍ ଗୁଇନ୍ଦା ଏଜେନ୍ସି ଆଇ.ଏସ.ଆଇ. ।
ଶତ୍ରୁ ଦମନ, ଆବେଗ, ମନସ୍ତତ୍ତ୍ୱ ଏବଂ ରାଜନୀତି ଦୃଷ୍ଟିକୋଣରୁ ‘ଅପରେସନ ସିନ୍ଦୂର’ ଯଥେଷ୍ଟ ଗୁରୁତ୍ୱ ବହନ କରେ । ଅପରେସନ ସିନ୍ଦୂର ହେଉଛି ଭାରତର ଆତଙ୍କବାଦ ବିରୋଧୀ ରଣନୀତିର ଏକ ମଜଭୁତ ପଦକ୍ଷେପ । ଏହା ପୂର୍ବରୁ ପାକିସ୍ତାନ ତାର ପରମାଣୁ ଅସ୍ତ୍ରକୁ ନେଇ ଯେଭଳି ବ୍ଲାକମେଲିଂ କରୁଥିଲା ଏବେ ଭାରତର ଦୃଢ଼ ପଦକ୍ଷେପ କାରଣରୁ ଏହାକୁ କିଛି ପରିମାଣରେ ଶିଥିଳ କରିଦେଇଥିଲା ଭଳି ଅନୁଭୂତ ହୁଏ ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପଛରେ ପାକ୍ ସେନା ମୁଖ୍ୟ ଅସିମ ମୁନିର ହିଁ ଅସଲ ଖଳନାୟକ । ନିଜ ଚଉକି ବଞ୍ଚାଇବା ଲାଗି ଭାରତରେ ଆତଙ୍କବାଦୀ ଆକ୍ରମଣ ଘଟାଇବାକୁ ଷଡ଼ଯନ୍ତ୍ର ରଚିଥିଲେ ଏବଂ ଏହାକୁ ବାସ୍ତବତାର ରୂପ ଦେଇଥିଲା ପାକ୍ ଗୁଇନ୍ଦା ଏଜେନ୍ସି ଆଇଏସଆଇ । ‘ଅପରେସନ ସିନ୍ଦୂର’ରେ ପାକିସ୍ତାନୀ ଘାଟିଗୁଡ଼ିକ ଉପରେ ଭାରତୀୟ ବାୟୁସେନା ସଠିକ୍ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ପାକିସ୍ତାନ ଏତେମାତ୍ରାରେ ଭୟଭୀତ ହୋଇଯାଇଥିଲା ଯେ, ଅସ୍ତ୍ରବିରତି ପାଇଁ ଭାରତକୁ ଦୁଇ ଦୁଇ ଥର ଅନୁରୋଧ କରିଥିଲା। ପାକ୍ ସେନାର ମିଲିଟାରୀ ଅପରେସନର ମହାନିର୍ଦ୍ଦେଶକ ଭାରତୀୟ ସେନାର ‘ଡିଜିଏମ୍ଓ’ଙ୍କୁ ଏଥିପାଇଁ ବାର୍ତ୍ତା ପ୍ରେରଣ ସହ ହଟ୍ଲାଇନରେ କଥା ହୋଇଥିଲେ । ପରବର୍ତ୍ତୀ ସମୟରେ ଯୁଦ୍ଧ ବିରାମ ଘଟିଥିଲା, ମାତ୍ର ଯୁଦ୍ଧ ବିରାମକୁ ନେଇ ପ୍ରାକ୍ ସର୍ତ୍ତ କ’ଣ ଥିଲା ତାହା ଏବେ ମଧ୍ୟ ଅସ୍ପଷ୍ଟ ।
୭୮ଘଣ୍ଟାର ଯୁଦ୍ଧ ଓ ଏହାର ବିରାମ ପରେ ଏହି ସୀମିତ ଯୁଦ୍ଧରେ କାହାର ବିଜୟ ହେଲା, କିଏ ହାରିଲା ତାହା ଏବେ ମଧ୍ୟ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଉଭୟ ଦେଶ ବିଜୟୋତ୍ସବ ପାଳନ କରୁଛନ୍ତି । ମେ’ ୧୦ ତାରିଖ ସକାଳେ ପାକିସ୍ତାନର ରାଜରାସ୍ତାରେ ସାଧାରଣ ଜନତା ବିଜୟର ବାର୍ତ୍ତା ପ୍ରଚାର ପ୍ରସାର କରିଥିଲେ । ପାକିସ୍ତାନ ତାର ସେନାଧ୍ୟକ୍ଷ ଜେନେରାଲ ମୁନିରଙ୍କୁ ଫିଲ୍ଡ ମାର୍ଶାଲ ପଦବିକୁ ପଦୋନ୍ନତି ଦେଇ ବିଜୟର ସନ୍ଦେଶ ଦେଇଛି ସମଗ୍ର ବିଶ୍ୱକୁ । ଭାରତରେ ମଧ୍ୟ ତ୍ରିରଙ୍ଗା ଯାତ୍ରା ମାଧ୍ୟମରେ ବିଜୟର ବାର୍ତ୍ତା ମଧ୍ୟ ଦେଇଚାଲିଛୁଁ । ପ୍ରଧାନମନ୍ତ୍ରୀ ମୋଦି ନିକଟରେ ଗୁଜରାଟ ଗସ୍ତକାଳରେ ବିରାଟ ଶୋଭାଯାତ୍ରା ଏବଂ ବିଶାଳ ଜନସଭା ମାଧ୍ୟମରେ ବିଜୟର ଉଲ୍ଲାସ ଭରି ଦେଇଛନ୍ତି ସଭିଙ୍କ ହୃଦୟରେ ।
ଭାରତ ସରକାରଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ଆମ ସେନାବାହିନୀର ଆକ୍ରମଣରେ ପାକିସ୍ତାନର ୯ଟି ଆତଙ୍କବାଦୀ ଆଡ୍ଡା ଧ୍ୱଂସ ହୋଇଛି ଏବଂ ଆମ କ୍ଷେପଣାସ୍ତ୍ର ମାଡ଼ରେ ୧୧ ସଂଖ୍ୟକ ପାକିସ୍ତାନୀ ବାୟୁସେନା ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି । ଆମ କ୍ଷୟକ୍ଷତି ସଂପର୍କରେ ଏତିକି କୁହାଯାଇପାରେ, ଏଲଓସି ସଂଲଗ୍ନ ଅଞ୍ଚଳରେ ପାକିସ୍ତାନର ଗୁଳିଗୋଳା ବର୍ଷଣରେ କିଛି ଘରଦ୍ୱାର ଭାଙ୍ଗିଯାଇଛି ଏବଂ ୨୦ରୁ ଅଧିକ ସାଧାରଣ ନାଗରିକଙ୍କ ପ୍ରାଣହାନି ଘଟିଥିଲାବେଳେ ୫୦ରୁ ଅଧିକ ସଂଖ୍ୟକ ଆହତ ହୋଇଥିବାର ସୂଚନା ମିଳେ । ସଂପୂର୍ଣ୍ଣ ତଥ୍ୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ଭାରତର ସିଡିଏସ୍ ଜେନେରାଲ ଅନିଲ ଚୌହାନ ସିଙ୍ଗାପୁରରେ ବ୍ଲୁମବର୍ଗ ଟିଭିକୁ ଏକ ସାକ୍ଷାତକାରରେ କହିଥିଲେ ‘ଅପରେସନ ସିନ୍ଦୂର’ରେ ଭାରତର କେତେ ସଂଖ୍ୟକ ଯୁଦ୍ଧବିମାନ ଖସିଥିଲା ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ବିମାନ, କାହିଁକି ଖସିଲା ଏବଂ ସେଥିରୁ ଆମେ କ’ଣ ଶିଖିଲୁ ତାହା ହିଁ ମହତ୍ତ୍ୱପୂର୍ଣ୍ଣ । ସେ କହିଛନ୍ତି, ଆମ ଆଡୁ ପ୍ରଥମେ ଟାକ୍ଟିକାଲ ତ୍ରୁଟି ହୋଇଥିଲା ଯାହାକୁ ଆମେ ସୁଧାରିଥିଲୁ ଏବଂ ପରେ ପାକିସ୍ତାନର ୩୦୦କି.ମି. ଭିତରେ ପଶି ପ୍ରିସିସନ୍ ଷ୍ଟ୍ରାଇକ୍ କରିବାରେ ଆମେ ହୋଇଥିଲୁ ସମର୍ଥ । ଭାରତ-ପାକିସ୍ତାନ ମଧ୍ୟରେ ସମ୍ଭାବ୍ୟ ପରମାଣୁ ଯୁଦ୍ଧକୁ ଆମେରିକା ରୋକିଥିବା ନେଇ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଦାବିକୁ ସେ ଖଣ୍ଡନ କରିଥିଲେ। ତେଣୁ ବର୍ତ୍ତମାନ ସୁଦ୍ଧା ଭାରତର କ୍ଷୟକ୍ଷତି ସମ୍ବନ୍ଧରେ ସଂପୂର୍ଣ୍ଣ ତଥ୍ୟ ସାର୍ବଜନୀନ ହୋଇନାହିଁ ।
ଅପରପକ୍ଷେ ପାକିସ୍ତାନ ମଧ୍ୟ ଅପରେସନ ସିନ୍ଦୂର ଦ୍ୱାରା ତାର କ୍ଷୟକ୍ଷତି ସଂପର୍କରେ ସବିଶେଷ ତଥ୍ୟ ପ୍ରକାଶ କରିନାହିଁ । ଯଦିଓ ନିକଟରେ ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ତାଙ୍କ ଅଜରବୈଜାନ ଗସ୍ତକାଳରେ କହିଥିଲେ, ମେ’ ୧୦ ତାରିଖ ସକାଳ ନମାଜ ପାଠ ପରେ ଭାରତ ଉପରେ ଆକ୍ରମଣ କରିବାକୁ ପାକ୍ ସେନା ଚୂଡ଼ାନ୍ତ କରିଥିଲା, ମାତ୍ର ସୂର୍ଯ୍ୟୋଦୟ ପୂର୍ବରୁ ଭାରତର ବ୍ରହ୍ମୋସ ମିଜାଇଲ୍ସ ପାକ୍ ସାମରିକ ଘାଟିଗୁଡ଼ିକୁ ଧ୍ୱସ୍ତବିଧ୍ୱସ୍ତ କରିବା କାରଣରୁ ଭାରତ ଉପରେ ଆକ୍ରମଣ ଯୋଜନାକୁ କାର୍ଯ୍ୟକାରୀ କରାଯାଇନଥିଲା ।
‘ଅପରେସନ ସିନ୍ଦୂର’ ବନ୍ଦ ହୋଇନାହିଁ, କେବଳ ମାତ୍ର ସ୍ଥଗିତ ରଖାଯାଇଥିବା ସରକାର ବାରମ୍ବାର କହୁଛନ୍ତି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ବାରି ହେଉଛି ଯେ, ଏହାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ, ମାତ୍ର କେବେ ହେବ ତାର ସୂଚନା ଏବେ ମଧ୍ୟ ଅଜଣା । ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁସାରେ, ‘ଅପରେସନ ସିନ୍ଦୂର-୨’ ହେବ ଏକ ଗୁପ୍ତ, ରଣନୀତିକ ତଥା ଟେକ୍ନୋଲଜି ଆଧାରିତ ଅତ୍ୟାଧୁନିକ ସାମରିକ ଅଭିଯାନ । ଏହାର ଉଦ୍ଦେଶ୍ୟ ହେଉଛି, ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କୁ ନିପାତ କରିବା ସହ ସେମାନଙ୍କ ସୁଦୃଢ଼ ଠିକଣାସ୍ଥଳକୁ ଧ୍ୱଂସ କରିବା । ପାକ୍ ସଂଲଗ୍ନ ଭାରତୀୟ ସୀମାବର୍ତ୍ତୀ ରାଜ୍ୟଗୁଡ଼ିକରେ ନାଗରିକ ସୁରକ୍ଷା ଅଭିଯାନ, ମକ୍ ଡ୍ରିଲ କିଛି କିଛି ସମୟ ବ୍ୟବଧାନରେ କରାଯାଉଥିଲାବେଳେ ଭାରତୀୟ ସେନା ତାର ସାମରିକ ଅଭ୍ୟାସ ଜାରି ରଖିଛି । ଭାରତୀୟ ବାୟୁସେନା ଜୁନ୍ ୭ ତାରିଖରେ ରାଜସ୍ଥାନରେ ଜୈସଲମେର ଠାରେ କମ୍ବାଟ ବିମାନଗୁଡ଼ିକ ସହ ସର୍ଭେଲାନ୍ସ ସିଷ୍ଟମ, ଯୁଦ୍ଧାସ୍ତ୍ର ନିୟୋଜିତ କରି ସାମରିକ ଯୁଦ୍ଧାଭ୍ୟାସ କରିଛି । ଅପରେସନ ସିନ୍ଦୂର ପରେ ସୃଷ୍ଟ ଉତ୍ତେଜନା ସମୟରେ ଏହି ଅଞ୍ଚଳ ଉପରକୁ ପାକିସ୍ତାନ ଡ୍ରୋନ ଓ ମିଜାଇଲ୍ସ ଆକ୍ରମଣ କରିଥିଲା । ଗୋଟିଏପଟେ ରଣନୀତି ପ୍ରସ୍ତୁତି ଜାରି ରହିଥିଲାବେଳେ ସୀମାରେ ସୈନ୍ୟବଳ ବଢ଼ାଇବା ସହ ବାୟୁସେନା ସଂପୂର୍ଣ୍ଣ ହାଇଏଲର୍ଟରେ ଥିବାର ମଧ୍ୟ ଜଣାଯାଏ। ଆତଙ୍କବାଦ ବିେ. ରାଧରେ ନିଜ ଆଭିମୁଖ୍ୟ ସ୍ପଷ୍ଟ ରଖିଛି ଭାରତ ।
ଆଗାମୀ ଅପରେସନରେ ଭାରତ ନୂତନ ଯୁଦ୍ଧାସ୍ତ୍ର ବ୍ୟବହାର କରିବାର ସମ୍ଭାବନା ଯଥେଷ୍ଟ ଅଧିକ । ସେଥିମଧ୍ୟରେ ମେଟିଓର ମିଜାଇଲ୍ସ, ସ୍ପାଏ ଷ୍ଟ୍ରାଇକର ଡ୍ରୋନ, ସ୍ପାଇସ୍-୨୦୦୦ ଗ୍ଲାଇଡ ବୋମା, ଏକ୍ସ କାଲିବର ଆଟିଲାରୀ ସେଲ୍ ଅନ୍ତର୍ଭୁକ୍ତ । ସ୍ପାଏ ଷ୍ଟ୍ରାଇକର ଡ୍ରୋନ (ଯାହାକୁ ହଣ୍ଟର ଡ୍ରୋନ ମଧ୍ୟ କୁହାଯାଏ) ଏକ ଆତ୍ମଘାତୀ ଡ୍ରୋନ । ଶତ୍ରୁର ରାଡାର, ଯୋଗାଯୋଗ ପ୍ରତିଷ୍ଠାନ, ଶତ୍ରୁ ଶିବିର ଉପରେ ସଠିକ୍ ଟାର୍ଗେଟ କରି ସେଗୁଡ଼ିକୁ ଧ୍ୱଂସ କରିବା ସହ ନିଜେ ମଧ୍ୟ ଧ୍ୱଂସ ହୋଇଯାଏ (ସେଲ୍ଫ ଡେଷ୍ଟ୍ରକଟିଭ) । ସେହିଭଳି ଏକ୍ସ-କାଲିବର ଆଟିଲାରୀ ସେଲ୍ ଦ୍ୱାରା ଶତ୍ରୁପକ୍ଷର ବଙ୍କର, ଲଞ୍ଚପ୍ୟାଡ ଓ ଟନେଲଗୁଡ଼ିକୁ ସଠିକ୍ ଭାବେ ଧ୍ୱଂସ କରିହେବ ।
ବର୍ତ୍ତମାନ ଭାରତୀୟ ସେନାରେ ଆକାଶତିର୍, ଏସ-୪୯୯ ସିଷ୍ଟମ ଓ ଆଇରନ୍ ଡୋମ ଭଳି ଏୟାର ଡିଫେନ୍ସ ସିଷ୍ଟମ ରହିଛି । ଅପରେସନ ସିନ୍ଦୂରରେ ଏଗୁଡ଼ିକ ବ୍ୟବହୃତ ହୋଇ ତୁର୍କୀ ଓ ଚୀନ ଡ୍ରୋନଗୁଡ଼ିକୁ ଧ୍ୱଂସ କରିବାରେ ଥିଲା ବେଶ୍ ସମର୍ଥ । ଏବେ ୩ଟି ରେଜିମେଣ୍ଟକୁ କୁଇକ୍ ରିଆକ୍ସନ ପାଇଁ ସଜ୍ଜିତ କରାଯିବାକୁ ଯୋଜନା ଚାଲିଛି । ରୁଷ ନିର୍ମିତ ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ (ସୁଦର୍ଶନ ଚକ୍ର ଭାବେ ବିଦିତ) ବିଶ୍ୱର ସର୍ବୋତ୍ତମ ବାୟୁ ପ୍ରତିରକ୍ଷା ପ୍ରଣାଳୀ । ଭାରତକୁ ରୁଷ ୩ଟି ଯୋଗାଇ ଦେଇଛି । ଆଉ ଦୁଇଟିର ଯୋଗାଣ ପାଇଁ ଭାରତ ରୁଷକୁ ଅନୁରୋଧ କରିଥିବାର ସୂଚନା ମିଳେ । ରୁଷିଆ ଓ ଭାରତ ମିଳିତ ଉଦ୍ୟମରେ ନିର୍ମିତ ‘ବ୍ରହ୍ମୋସ’ ମିଜାଇଲ୍ସ ବିଶ୍ୱର ଦ୍ରୁତତମ କ୍ରୁଜ ମିଜାଇଲ୍ସ । ଏବେ ଏହା ଶତ୍ରୁପକ୍ଷ ପାଇଁ ସାଜିଛି ମହାକାଳ ।
ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ଅପରେସନ ସିନ୍ଦୂର ପ୍ରାରମ୍ଭରୁ ୧୦ଟି ଗୁଇନ୍ଦା ଉପଗ୍ରହକୁ ଅହରହ କାର୍ଯ୍ୟରେ ନିୟୋଜନ କରିଛି । ସେଗୁଡ଼ିକ ପାକ୍ ସେନାର ଗତିବିଧି, ଶିବିର, ପରମାଣୁ ଅସ୍ତ୍ର ଭଣ୍ଡାର, ଏଲଓସି ଉପରେ ରଖିଆସିଛି ତୀକ୍ଷ୍ଣ ନଜର । ସେଗୁଡ଼ିକ ଦ୍ୱାରା ସଂଗୃହୀତ ଗୁପ୍ତ ତଥ୍ୟ ଅପରେସନ କଣ୍ଟ୍ରୋଲ ରୁମ୍କୁ ପ୍ରେରଣ ଏବେ ମଧ୍ୟ ଜାରି ରହିଥିବାର ଜଣାଯାଏ । ଯୁଦ୍ଧସ୍ଥିତିରେ ଏହାଦ୍ୱାରା ତଥ୍ୟ ଯୋଗାଣ କ୍ଷେପଣାସ୍ତ୍ର ଓ ଡ୍ରୋନ ପରିଚାଳନାକୁ ଅଧିକ ସହାୟକ । ନିକଟ ଭବିଷ୍ୟତରେ ଭାରତ ଅଧିକ ସଂଖ୍ୟକ ଶକ୍ତିଶାଳୀ ଗୁଇନ୍ଦା ସାଟେଲାଇଟ୍ ପ୍ରେରଣ କରିବାକୁ ପ୍ରସ୍ତୁତ କରିଛି ଯୋଜନା । ଇସ୍ରୋର ଆଧୁନିକ ଟେକନୋଲଜି ସମ୍ମୁଖରେ ପାକିସ୍ତାନର ରଣନୀତି କାର୍ଯ୍ୟ କରିବ ନାହିଁ, କି ଉଧାର ଆଣିଥିବା କାରିଗରୀ କୌଶଳ କାମ ଦେବନାହିଁ । ପାକିସ୍ତାନ ‘ଅପରେସନ ସିନ୍ଦୂର’ ଦ୍ୱାରା ବ୍ୟାପକ କ୍ଷୟକ୍ଷତି ସହିବା ପରେ ତାର ପ୍ରତିରକ୍ଷା ବଜେଟ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୨୦% ବଢ଼ାଇଛି ।
ପାକିସ୍ତାନ ତାର ସାମରିକ କ୍ଷମତା ବୃଦ୍ଧିପାଇଁ ଚୀନଠାରୁ ଜେ-୩୫ଏ ମଲଟିରୋଲ ଷ୍ଟିଲ୍ଥ କମ୍ବାଟ୍ ଏୟାରକ୍ରାଫ୍ଟ ୪୦ ସଂଖ୍ୟକ ଆହରଣ କରିବାକୁ ଯାଉଛି । ଆସନ୍ତା ଅଗଷ୍ଟ ମାସରୁ ଚୀନ ଯୋଗାଇବା ସହ ପିଏଲ-୧୭ ମିଜାଇଲ୍ସ ଏବଂ ଏଏସ୍ଏଇ ଆଧୁନିକ ରାଡାର ମଧ୍ୟ ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି । ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱେଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ନେତୃତ୍ୱରେ ଗଠିତ ଏକ ୧୩ଜଣିଆ ପ୍ରତିନିଧି ଦଳ ଜୁନ ୮ ତାରିଖରେ ୱାଶିଂଟନରେ ଆମେରିକାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଏୟାର ଡିଫେନ୍ସ ସିଷ୍ଟମ, ଡ୍ରୋନ ଉପଲବ୍ଧ କରିବାକୁ ଆମେରିକା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି ।
ସେଠାରେ ଉପସ୍ଥିତ ଥିବା ପାକିସ୍ତାନର ମନ୍ତ୍ରୀ ମୁସାଦିକ ମଲିକ କହିଛନ୍ତି, ଭାରତ ତାର ଅପରେସନ ସିନ୍ଦୂରରେ ଯେଉଁ ଟେକନୋଲୋଜି ବ୍ୟବହାର କରୁଥିଲା ତାହା ଥିଲା ଅତି ଉନ୍ନତ ମାନର । ଆମେରିକା ତାର ୨୫୦ତମ ମିଲିଟାରୀ ଉତ୍ସବରେ ଯୋଗଦେବା ପାଇଁ ପାକିସ୍ତାନର ସେନାମୁଖ୍ୟ ଫିଲ୍ଡ ମାର୍ଶାଲ ମୁନିରଙ୍କୁ ସ୍ୱତନ୍ତ୍ର ଭାବେ ଆମନ୍ତ୍ରଣ କରିଛି । ଜୁନ ୧୪ ତାରିଖ ହେଉଛି ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟ ଜନ୍ମଦିନ । ମୁନିର ମାର୍କିନ ପରରାଷ୍ଟ୍ର ବିଭାଗ ଏବଂ ପେଣ୍ଟାଗନର ତୁଙ୍ଗ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳେ । ଅପରେସନ ସିନ୍ଦୂର ପରେ ଭାରତ ଆତଙ୍କବାଦ ବିରୋଧୀ ଅଭିଯାନ ପାଇଁ ୩୩ଟି ବିଦେଶୀ ରାଷ୍ଟ୍ରର ରାଜଧାନୀକୁ ସର୍ବଦଳୀୟ ପ୍ରତିନିଧି ପଠାଇବା ସତ୍ତେ୍ୱ ଏଭଳି ଘଟିଛି । ଏଥିରୁ ସୂଚନା ମିଳୁଛି³ ଆମେରିକା ପାଇଁ ଆତଙ୍କବାଦର ସଂଜ୍ଞା ପରିବର୍ତ୍ତନଶୀଳ ।
କିଛି ଲୋକ ଭାବୁଛନ୍ତି ଯେ, ଆମେ ସାପକୁ ଅଧାମରା କରି ଛାଡ଼ିଦେଲେ । ଯେଉଁମାନେ ଏଭଳି ଭାବୁଛନ୍ତି ସେମାନେ ଆଧୁନିକ ଯୁଦ୍ଧ ତଥା ରଣକୌଶଳକୁ ବୁଝିନାହାଁନ୍ତି । ଏବେ ମଧ୍ୟ ପାରମ୍ପରିକ ଯୁଦ୍ଧକୁ ସବୁକିଛି ଭାବୁଛନ୍ତି । ଯେତେବେଳେ ରୁଷିଆ, ୟୁକ୍ରେନ ଯୁଦ୍ଧ ହେଲା ସେତେବେଳେ ସମସ୍ତେ ଭାବିଥିଲେ ମାତ୍ର ଏକ ସପ୍ତାହରେ ରୁଷିଆ ଯୁଦ୍ଧ ଜିତିଯିବ । ହମାସ୍ ଏବଂ ଇସ୍ରାଏଲର ଯୁଦ୍ଧ ହେଲା, ସେତେବେଳେ ସମସ୍ତେ ଭାବିଲେ ଇସ୍ରାଏଲ ମାତ୍ର ୩ଦିନ ଭିତରେ ଯୁଦ୍ଧ ଜିତିବ, କିନ୍ତୁ ହେଲା କ’ଣ? ଆଜି ବି ଯୁଦ୍ଧ ଚାଲିଛି ଏବଂ ଏହାର ଅନ୍ତ କେବେ, ଏବେ ମଧ୍ୟ ଅସ୍ପଷ୍ଟ । ଅଧିକାଂଶ ସ୍ଥଳରେ ପ୍ରକ୍ସି ଯୁଦ୍ଧରେ ମହାଶକ୍ତିମାନେ ସାମିଲ ହୋଇଯାଉଥିବାରୁ ସ୍ଥିତି ଅଧିକ ଜଟିଳ ହେଉଛି । ଅବଶ୍ୟ ଆଗାମୀ ଦିନରେ ଯୁଦ୍ଧ ଅତ୍ୟନ୍ତ ହାଇଟେକ୍ ହୋଇଯିବ ଏହା ଏବେ ବେଶ୍ ପ୍ରମାଣିତ ।