ନୂଆଦିଲ୍ଲୀ,୨୨।୧୦: ପିଏନବି ଠକେଇ ମାମଲାର ଅଭିଯୁକ୍ତ ପଳାତକ ବ୍ୟବସାୟୀ ମେହୁଲ ଚୋକସିଙ୍କୁ ଭାରତ ଆଣିବା ପାଇଁ ଚେଷ୍ଟା ଚାଲିଛି। ଏଥିପାଇଁ ଭାରତ ସରକାର ମୁମ୍ବାଇର ଆର୍ଥର ରୋଡ୍ ଜେଲର ସରକାରୀ ଫଟୋଗ୍ରାଫ୍ ବେଲଜିୟମ୍ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ଫଟୋଗ୍ରାଫ୍ ଚୋକସିଙ୍କୁ ପ୍ରତ୍ୟର୍ପଣ ସମୟରେ କେଉଁ ସୁବିଧା ମିଳିବ ତାହା ଦର୍ଶାଉଛି। ବୁଧବାର ଏକ ଶୁଣାଣି ସମୟରେ, ବେଲଜିୟମ୍ କୋର୍ଟ ରାୟ ଦେଇଛନ୍ତି ଯେ ଚୋକସିଙ୍କ ବିରୋଧରେ ଅଭିଯୋଗ ହୋଇଥିବା ଅପରାଧ ଭାରତ ଏବଂ ବେଲଜିୟମ୍ ଉଭୟର ଆଇନ ଅନୁଯାୟୀ ପ୍ରତ୍ୟର୍ପଣଯୋଗ୍ୟ। ଚୋକସିଙ୍କୁ ପ୍ରତ୍ୟର୍ପଣ କରାଯାଇପାରେ। ଅକ୍ଟୋବର ୧୭ ତାରିଖରେ, ବେଲଜିୟମ୍ ର ଆଣ୍ଟୱର୍ପର ସହରର ଏକ କୋର୍ଟ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ପ୍ରତ୍ୟର୍ପଣକୁ ମଞ୍ଜୁରୀ ଦେଇଥିଲେ। କୋର୍ଟ ଭାରତୀୟ ଏଜେନ୍ସିଗୁଡ଼ିକର ଅନୁରୋଧରେ ବେଲଜିୟମ୍ ପୋଲିସ ଦ୍ୱାରା ଚୋକସିଙ୍କ ଗିରଫଦାରୀକୁ ଆଇନଗତ ବୋଲି ଦର୍ଶାଇଥିଲେ।କୋର୍ଟ କହିଛନ୍ତି, ଚୋକସିଙ୍କ ପ୍ରତ୍ୟର୍ପଣରେ କୌଣସି ଆଇନଗତ କଟକ ନାହିଁ, କାରଣ ସେ ବେଲଜିୟମର ନାଗରିକ ନୁହଁନ୍ତି ଏବଂ ତାଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ରହିଛି। କୋର୍ଟ ଚୋକସିଙ୍କ ଅପହରଣ ଏବଂ ରାଜନୈତିକ ନିର୍ଯାତନା ଦାବିକୁ ମଧ୍ୟ ଖାରଜ କରିଦେଇଛନ୍ତି।

ଭାରତ ସରକାର ମୁମ୍ବାଇର ଆର୍ଥର ରୋଡ୍ ଜେଲ୍ର ବାରାକ୍ ନମ୍ବର ୧୨ର ଫଟୋ ବେଲଜିୟମ୍ ଅଧିକାରୀଙ୍କୁ ପଠାଇଛନ୍ତି। କୁହାଯାଉଛି ଯେ, ପ୍ରତ୍ୟର୍ପଣ ପରେ ଚୋକସିଙ୍କୁ ଏଠାରେ ରଖିବାର ପ୍ରସ୍ତୁତି ଚାଲିଛି। ବ୍ୟାରକଟି ୪୬ ବର୍ଗ ମିଟର ପର୍ଯ୍ୟନ୍ତ ବ୍ୟାପି ରହିଛି। ଏଥିରେ ଦୁଇଟି ସେଲ ଅଛି। ବ୍ୟକ୍ତିଗତ ଶୌଚାଳୟ ଓ ମୌଳିକ ସୁବିଧା ରହିଛି। ଭାରତ ଏହି ଫଟୋ ଚୋକସିଙ୍କ ଦାବିକୁ ଖଣ୍ଡନ କରିବାକୁ ଦେଇଛି, ଯେଉଁଥିରେ କୁହାଯାଇଥିଲା ଭାରତୀୟ ଜେଲ୍ ଭିଡ ଭାଡ ଓ ଅସୁରକ୍ଷିତ। ସେଠାରେ ମାନବାଧିକାର ଉଲଂଘନ ହୋଇଥାଏ। ଦସ୍ତାବିଜ ଅନୁସାରେ, ଚୋକସିଙ୍କୁ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍ର ବାରାକ୍ ନମ୍ବର ୧୨ରେ ରଖାଯିବ। ଏହା ହେଉଛି ହାଇ-ସିକ୍ୟୁରିଟି ଜେଲ୍, ଯେଉଁଠି ପୂର୍ବରୁ ୨୬/୧୧ ଆକ୍ରମଣ ଘଟଣାର ଆତଙ୍କବାଦୀ ଅଜମଲ୍ କସାବକୁ ରଖାଯାଇଥିଲା। ଭାରତର ରିପୋର୍ଟରେ କୁହାଯାଇଛି..
-ବାରାକ୍ରେ ଦୁଇଟି ରୁମ୍ ଓ ଆଟାଚ୍ ଶୌଚାଳୟ ରହିଛି
-ଚୋକସିଙ୍କୁ ଜେଲ ବାହାରକୁ କେବଳ ଚିକିତ୍ସା କିମ୍ବା କୋର୍ଟରେ ହାଜର ପାଇଁ ଅଣାଯିବ।
- ତାଙ୍କର ତଦାରଖ ଯାଞ୍ଚ ଏଜେନ୍ସି ନୁହେଁ, ବଂର କୋର୍ଟଙ୍କ ଅଧିକାର କ୍ଷେତ୍ରରେ ରହିବ।
- ଭାରତ ପକ୍ଷରୁ କୋର୍ଟଙ୍କୁ ଆଶ୍ବାସନା ଦିଆଯାଇଛି ଯେ ଜେଲ୍ରେ ସବୁ ମାନବାଧିକାର ମାନକ ଓ ମେଡିକାଲ ସୁବିଧା ରହିଛି।
ଚୋକସିଙ୍କ ଆଇନଗତ ଟିମ୍ ବେଲଜିୟମ୍ କୋର୍ଟରେ ଦଲିଲ ଦେଇଥିଲେ ଭାରତର ଜେଲ୍ରେ ଖୁବ୍ ଖରାପ ସ୍ଥିତି ରହିଛି। ନ୍ୟାୟପାଳିକା ସ୍ବତନ୍ତ୍ର ଭାବରେ କାମ କରେନି। କିନ୍ତୁ କୋର୍ଟରେ ଏହି ଦାବିକୁ ଅସ୍ବୀକାର କରିଛି ଭାରତ। ଉଲ୍ଲେଖନୀୟ ଯେ, ପଞ୍ଜାବ ନ୍ୟାସ୍ନାଲ ବ୍ୟାଙ୍କ(ପିଏନବି) ଠକେଇ ମାମଲାରେ ମେହୁଲ ଚୋକ୍ସି ଚର୍ଚ୍ଚାର ପରିସରକୁ ଆସିଥିଲେ। ମେହୁଲ ଚୋକସିଙ୍କ ବିରୋଧରେ ପିଏନ୍ବିରୁ ୧୩ ହଜାର ୮୫୦ କୋଟି ଠକେଇ କରିବାର ଅଭିଯୋଗ ରହିଛି। କେବଳ ସେତିକି ନୁହେଁ, ସେ ନକଲି ହୀରାକୁ ଅସଲି ଭାବରେ ବିକ୍ରି କରିବାର ଏକ ରାକେଟ ବି ଚଳାଇଥିଲେ। ତାଙ୍କ ବିରୁଦ୍ଧରେ ମନି ଲଣ୍ଡରିଂ ଏବଂ ଏକାଧିକ ଠକେଇ ମାମଲା ରହିଛି।