ପ୍ରମୂଖ ଖବର
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା ଟ୍ରକ୍: ଜଣେ ମୃତ, ଜଣେ ଆହତ
  • ||
  • ବିଧାନସଭାରେ ସ୍ବାଭାବିକ ଚାଲିଛି ପ୍ରଶ୍ନକାଳ, ଗୃହ ବାହାରେ ଗଙ୍ଗାପାଣି ଛିଞ୍ଚି ଅଭିନବ ପ୍ରତିବାଦ କଲା ବିଜେଡି
  • ||
  • ମୟୂରଭଞ୍ଜ : ଅନ୍ଵେଷା ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ଘଟଣା, ବିଳମ୍ଵିତ ରାତିରେ ହଷ୍ଟେଲ ଛାଡ଼ିଲେ ଅନ୍ତେବାସୀ
  • ||
  • ଦେବଗଡ଼ : ଅଧୁରା ରହିଗଲା ଚାକିରି ସ୍ୱପ୍ନ, ଦୌଡ଼ିବା ବେଳେ ଟଳି ପଡ଼ିଲେ ହୋମଗାର୍ଡ ଆଶାୟୀ
  • ||
  • ଆଇପିଏଲ୍‌ ୨୦୨୫: ଆଜି ସନରାଇଜର୍ସ-ସୁପରଜାଏଣ୍ଟସ ମଧ୍ୟରେ ଲଢ଼େଇ, ବିସ୍ଫୋରକ ବ୍ୟାଟିଂ ମୁଖ୍ୟ ଆକର୍ଷଣ
  • ||
  • ରାୟଗଡ଼ା : ମୁକୁନ୍ଦପୁର ଘାଟିରେ ଓଲଟିଲା ବସ୍‌, ୩ ଗୁରୁତର
  • ||
  • ସରକାରଙ୍କ ବିରୋଧରେ କଂଗ୍ରେସର ରଣ ହୁଙ୍କାର, ଆଜି ବିଧାନସଭା ଘେରିବ, ରାଜ ରାସ୍ତାରେ ଗର୍ଜିବ
  • ||
  • ରାଜ୍ୟରେ ଉପରମୁହାଁ ତାତି, ୨୯ରୁ ପୁଣି ଜଳାଇବ ଖରା: ପଶ୍ଚିମ, କେନ୍ଦ୍ରୀୟ ଓଡ଼ିଶାରେ ୪୦ ଡିଗ୍ରୀ ଟପିବ
  • ||

୧୦ ବର୍ଷରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ୨ ଗୁଣା: ପ୍ରତି ୧୦ରେ ଜଣେ ଏ ବର୍ଷ ରିନ୍ୟୁ କରିନାହାନ୍ତି

Published By : Prameya | March 4, 2025 11:50 AM

ନୂଆଦିଲ୍ଲୀ,୦୪/୦୩: ସ୍ୱାସ୍ଥ୍ୟ  ବୀମା ପ୍ରିମିୟମ ବହୁ ମାତ୍ରାରେ ମହଙ୍ଗା  ହୋଇଗଲାଣି । ଗତ ୧୦ ବର୍ଷରେ ଏହା ଦୁଇ  ଗୁଣା ବଢ଼ିଯାଇଛି । ଫଳରେ ଅନେକ ଲୋକ  ନିଜ ନିଜର ବୀମା ବନ୍ଦ କରିବାକୁ ବାଧ୍ୟ  ହେଉଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । 

ରିପୋର୍ଟ ଅନୁସାରେ, ମହଙ୍ଗା ପ୍ରିମିୟମ  ଯୋଗୁ ଲୋକେ ପଲିସି ବନ୍ଦ କରିଦେଉଛନ୍ତି  ଅବା କମ୍‌ କଭର ରହିଥିବା ପ୍ଲାନ୍‌ ନେଉଛନ୍ତି ।  ଚଳିତ ଆର୍ଥିକ ବର୍ଷ ପ୍ରତି ୧୦ରେ ଜଣେ  ବୀମାଧାରୀ ନିଜର ସ୍ୱାସ୍ଥ୍ୟ ବୀମା ପଲିସିକୁ  ରିନ୍ୟୁ କରିନାହାନ୍ତି । ପ୍ରାୟ ୧୦% ଲୋକଙ୍କ  ପ୍ରିମିୟମ ୩୦% କିମ୍ବା ଏହାଠାରୁ ଅଧିକ  ବୃଦ୍ଧି ପାଇଛି । ଏଥିମଧ୍ୟରୁ ମାତ୍ର ଅଧା  ଲୋକ ହିଁ ପୁରା ପ୍ରିମିୟମ ଭରିଛନ୍ତି । 

ଗତ ୧୦ ବର୍ଷରେ ୫୨% ପଲିସିଧାରୀଙ୍କ  ପ୍ରିମିୟମରେ ବାର୍ଷିକ ୫ରୁ୧୦% ବୃଦ୍ଧି ଘଟିଛି ।  ଏହାର ଅର୍ଥ ଯଦି କୌଣସି ବ୍ୟକ୍ତିଙ୍କ ପ୍ରିମିୟମ୍‌ ୧୦୦ ଟଙ୍କା ଥିଲା ୧୦ ବର୍ଷ ପରେ ଏହା ୧୬୨- ୨୫୯ ଟଙ୍କା ହୋଇଛି । ୩୮% ପଲିସିଧାରୀଙ୍କ  ପ୍ରିମିୟମରେ ବାର୍ଷିକ ବୃଦ୍ଧି ୧୦ରୁ୧୫%  ରହିଛି । ଅର୍ଥାତ୍‌ ସେମାନଙ୍କ ୧୦୦ ଟଙ୍କା ଥିବା  ପ୍ରିମିୟମ ୨୫୯ରୁ୪୦୪ ଟଙ୍କା ହୋଇଛି । କିନ୍ତୁ  ୩% ଲୋକଙ୍କ ପ୍ରିମିୟମ୍‌ରେ ବାର୍ଷିକ ବୃଦ୍ଧି  ୧୫ରୁ୩୦% ରହିଥିବା ଜଣାପଡ଼ିଛି ।  

ପ୍ରଶ୍ନ ଉଠୁଛି ଯେ, ପ୍ରିମିୟମ କାହିଁକି  ଏତେ ମାତ୍ରାରେ ବୃଦ୍ଧି ପାଇଛି । ବୀମା  କମ୍ପାନିଙ୍କ କହିବାନୁସାରେ, କ୍ଲେମ୍‌ ଅନୁପାତ  ବିଗିଡ଼ିବା କାରଣରୁ ଏଭଳି ହେଉଛି । କ୍ଲେମ୍‌  ଅନୁପାତ ଅର୍ଥାତ୍‌, ଯେତିକି ପ୍ରିମିୟମ ସଂଗ୍ରହ  ହୋଇଛି, ସେଥିମଧ୍ୟରୁ କେତେ ମାତ୍ରାକୁ  କ୍ଲେମ୍‌ କରାଯାଇଛି । ଯଦି ଅଧିକ କ୍ଲେମ୍‌  ଆସେ, ତେବେ କମ୍ପାନିଗୁଡ଼ିକୁ ପ୍ରିମିୟମ  ବଢ଼ାଇବାକୁ ପଡ଼ିଥାଏ ।  

କିଛି ଲୋକଙ୍କ ପ୍ରିମିୟମ୍‌ରେ ଅଧିକ  ବୃଦ୍ଧି ଦେଖିବାକୁ ମିଳିଛି । କାରଣ ସ୍ୱାସ୍ଥ୍ୟ  ବୀମାର ପ୍ରିମିୟମ୍‌ ପ୍ରତିବର୍ଷ ଏକାଭଳି ବଢ଼ି  ନ ଥାଏ । ଏହା କିଛି ବର୍ଷର ବ୍ୟବଧାନରେ  ଅଚାନକ ବୃଦ୍ଧି ପାଇଥାଏ । ବୀମା  କମ୍ପାନିଗୁଡ଼ିକ ପ୍ରତି ୩ ବର୍ଷରେ ମେଡିକାଲ  ଖର୍ଚ୍ଚ ହିସାବରେ ନିଜ ନିଜର ବୀମା ଦର  ବଢ଼ାଇଥାନ୍ତି । ବୟସ ବଢ଼ିବା ସହ ପ୍ରିମିୟମ  ବଢ଼ିଥାଏ । ବୟୋବୃଦ୍ଧ ଲୋକଙ୍କ ଚିକିତ୍ସା  ଖର୍ଚ୍ଚ ଅଧିକ ରହିଥାଏ । ତେଣୁ ସେମାନଙ୍କ  ପ୍ରିମିୟମ୍‌ରେ ଅଧିକ ବୃଦ୍ଧି କରାଯାଇଥାଏ ।  

ପଲିସିବଜାର୍‌ର ଏକ ସର୍ବେକ୍ଷଣରୁ  ଜଣାପଡ଼ିଛି ଯେ, ଭାରତର ସ୍ୱାସ୍ଥ୍ୟ ବୀମା  ବଜାରରେ ବ୍ୟାପକ ପରିବର୍ତ୍ତନ ଆସିଛି ।  ଏହି ସର୍ଭେରେ ବର୍ଦ୍ଧିତ ପ୍ରିମିୟମ, ଲୋକଙ୍କ  ଖର୍ଚ୍ଚ କମ୍‌ କରିବାର ଉପାୟ ଏବଂ  ମେଡିକାଲ ଖର୍ଚ୍ଚକୁ ନିୟନ୍ତ୍ରଣ କରିବା ପାଇଁ  କମ୍ପାନିଗୁଡ଼ିକର ମତାମତ ନିଆଯାଇଛି ।  କିଛି ଲୋକଙ୍କୁ ପ୍ରିମିୟମ୍‌ରେ ବଡ଼ ବୃଦ୍ଧିର  ସାମ୍ନା କରିବାକୁ ପଡ଼ିଛି । କିନ୍ତୁ ଅଧିକାଂଶ  ଲୋକ ନୂଆ ପ୍ଲାନ୍‌ ଏବଂ ସଞ୍ଚୟର ବିଭିନ୍ନ  ଉପାୟ ମାଧ୍ୟମରେ ଖର୍ଚ୍ଚକୁ ଭଲ ଭାବେ  ପରିଚାଳନା କରିପାରୁଥିବା ଏଥିରେ ଉଲ୍ଲେଖ  କରାଯାଇଛି । 

ବିଶେଷଜ୍ଞଙ୍କ ମତରେ, ଯଦି ପ୍ରିମିୟମ  ବଢ଼େ ଏବଂ ବୀମାଧାରୀ ତାହାକୁ ଭରିବାକୁ  ଚାହାନ୍ତି ନାହିଁ ତେବେ ସେମାନଙ୍କ ପାଖରେ  କମ୍‌ ପ୍ରିମିୟମଯୁକ୍ତ ପ୍ଲାନ୍‌ ବାଛିବାର ବିକଳ୍ପ  ରହିଛି । କେତେକ ଲୋକ ଟଙ୍କା ବଞ୍ଚାଇବା  ପାଇଁ ‘ଡିଡକ୍ଟେବଲ’ ବିକଳ୍ପ ବି ବାଛୁଛନ୍ତି । ‘ଡିଡକ୍ଟେବଲ’ର ଅର୍ଥ ହେଉଛି, ଏକ ନିର୍ଦ୍ଧିଷ୍ଟ  ରାଶି ପର୍ଯ୍ୟନ୍ତ ଖର୍ଚ୍ଚକୁ ନିଜକୁ ଉଠାଇବାକୁ  ପଡ଼ିବ, ଏହା ପରେ ହିଁ ବୀମା କମ୍ପାନି ଖର୍ଚ୍ଚ  କରିବ । ମେଡିକାଲ ଖର୍ଚ୍ଚ ବୃଦ୍ଧି ଏବଂ ନୂଆ  ପ୍ରଯୁକ୍ତି ସହିତ ସ୍ୱାସ୍ଥ୍ୟ ବୀମାର ପରିସର ବଢୁଛି,  ଯାହାଦ୍ୱାରା ପ୍ରିମିୟମ ଉପରେ ପ୍ରଭାବ ପଡୁଛି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.