ନୂଆଦିଲ୍ଲୀ,୦୪/୦୩: ସ୍ୱାସ୍ଥ୍ୟ  ବୀମା ପ୍ରିମିୟମ ବହୁ ମାତ୍ରାରେ ମହଙ୍ଗା  ହୋଇଗଲାଣି । ଗତ ୧୦ ବର୍ଷରେ ଏହା ଦୁଇ  ଗୁଣା ବଢ଼ିଯାଇଛି । ଫଳରେ ଅନେକ ଲୋକ  ନିଜ ନିଜର ବୀମା ବନ୍ଦ କରିବାକୁ ବାଧ୍ୟ  ହେଉଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । 

ରିପୋର୍ଟ ଅନୁସାରେ, ମହଙ୍ଗା ପ୍ରିମିୟମ  ଯୋଗୁ ଲୋକେ ପଲିସି ବନ୍ଦ କରିଦେଉଛନ୍ତି  ଅବା କମ୍‌ କଭର ରହିଥିବା ପ୍ଲାନ୍‌ ନେଉଛନ୍ତି ।  ଚଳିତ ଆର୍ଥିକ ବର୍ଷ ପ୍ରତି ୧୦ରେ ଜଣେ  ବୀମାଧାରୀ ନିଜର ସ୍ୱାସ୍ଥ୍ୟ ବୀମା ପଲିସିକୁ  ରିନ୍ୟୁ କରିନାହାନ୍ତି । ପ୍ରାୟ ୧୦% ଲୋକଙ୍କ  ପ୍ରିମିୟମ ୩୦% କିମ୍ବା ଏହାଠାରୁ ଅଧିକ  ବୃଦ୍ଧି ପାଇଛି । ଏଥିମଧ୍ୟରୁ ମାତ୍ର ଅଧା  ଲୋକ ହିଁ ପୁରା ପ୍ରିମିୟମ ଭରିଛନ୍ତି । 

ଗତ ୧୦ ବର୍ଷରେ ୫୨% ପଲିସିଧାରୀଙ୍କ  ପ୍ରିମିୟମରେ ବାର୍ଷିକ ୫ରୁ୧୦% ବୃଦ୍ଧି ଘଟିଛି ।  ଏହାର ଅର୍ଥ ଯଦି କୌଣସି ବ୍ୟକ୍ତିଙ୍କ ପ୍ରିମିୟମ୍‌ ୧୦୦ ଟଙ୍କା ଥିଲା ୧୦ ବର୍ଷ ପରେ ଏହା ୧୬୨- ୨୫୯ ଟଙ୍କା ହୋଇଛି । ୩୮% ପଲିସିଧାରୀଙ୍କ  ପ୍ରିମିୟମରେ ବାର୍ଷିକ ବୃଦ୍ଧି ୧୦ରୁ୧୫%  ରହିଛି । ଅର୍ଥାତ୍‌ ସେମାନଙ୍କ ୧୦୦ ଟଙ୍କା ଥିବା  ପ୍ରିମିୟମ ୨୫୯ରୁ୪୦୪ ଟଙ୍କା ହୋଇଛି । କିନ୍ତୁ  ୩% ଲୋକଙ୍କ ପ୍ରିମିୟମ୍‌ରେ ବାର୍ଷିକ ବୃଦ୍ଧି  ୧୫ରୁ୩୦% ରହିଥିବା ଜଣାପଡ଼ିଛି ।  

ପ୍ରଶ୍ନ ଉଠୁଛି ଯେ, ପ୍ରିମିୟମ କାହିଁକି  ଏତେ ମାତ୍ରାରେ ବୃଦ୍ଧି ପାଇଛି । ବୀମା  କମ୍ପାନିଙ୍କ କହିବାନୁସାରେ, କ୍ଲେମ୍‌ ଅନୁପାତ  ବିଗିଡ଼ିବା କାରଣରୁ ଏଭଳି ହେଉଛି । କ୍ଲେମ୍‌  ଅନୁପାତ ଅର୍ଥାତ୍‌, ଯେତିକି ପ୍ରିମିୟମ ସଂଗ୍ରହ  ହୋଇଛି, ସେଥିମଧ୍ୟରୁ କେତେ ମାତ୍ରାକୁ  କ୍ଲେମ୍‌ କରାଯାଇଛି । ଯଦି ଅଧିକ କ୍ଲେମ୍‌  ଆସେ, ତେବେ କମ୍ପାନିଗୁଡ଼ିକୁ ପ୍ରିମିୟମ  ବଢ଼ାଇବାକୁ ପଡ଼ିଥାଏ ।  

କିଛି ଲୋକଙ୍କ ପ୍ରିମିୟମ୍‌ରେ ଅଧିକ  ବୃଦ୍ଧି ଦେଖିବାକୁ ମିଳିଛି । କାରଣ ସ୍ୱାସ୍ଥ୍ୟ  ବୀମାର ପ୍ରିମିୟମ୍‌ ପ୍ରତିବର୍ଷ ଏକାଭଳି ବଢ଼ି  ନ ଥାଏ । ଏହା କିଛି ବର୍ଷର ବ୍ୟବଧାନରେ  ଅଚାନକ ବୃଦ୍ଧି ପାଇଥାଏ । ବୀମା  କମ୍ପାନିଗୁଡ଼ିକ ପ୍ରତି ୩ ବର୍ଷରେ ମେଡିକାଲ  ଖର୍ଚ୍ଚ ହିସାବରେ ନିଜ ନିଜର ବୀମା ଦର  ବଢ଼ାଇଥାନ୍ତି । ବୟସ ବଢ଼ିବା ସହ ପ୍ରିମିୟମ  ବଢ଼ିଥାଏ । ବୟୋବୃଦ୍ଧ ଲୋକଙ୍କ ଚିକିତ୍ସା  ଖର୍ଚ୍ଚ ଅଧିକ ରହିଥାଏ । ତେଣୁ ସେମାନଙ୍କ  ପ୍ରିମିୟମ୍‌ରେ ଅଧିକ ବୃଦ୍ଧି କରାଯାଇଥାଏ ।  

ପଲିସିବଜାର୍‌ର ଏକ ସର୍ବେକ୍ଷଣରୁ  ଜଣାପଡ଼ିଛି ଯେ, ଭାରତର ସ୍ୱାସ୍ଥ୍ୟ ବୀମା  ବଜାରରେ ବ୍ୟାପକ ପରିବର୍ତ୍ତନ ଆସିଛି ।  ଏହି ସର୍ଭେରେ ବର୍ଦ୍ଧିତ ପ୍ରିମିୟମ, ଲୋକଙ୍କ  ଖର୍ଚ୍ଚ କମ୍‌ କରିବାର ଉପାୟ ଏବଂ  ମେଡିକାଲ ଖର୍ଚ୍ଚକୁ ନିୟନ୍ତ୍ରଣ କରିବା ପାଇଁ  କମ୍ପାନିଗୁଡ଼ିକର ମତାମତ ନିଆଯାଇଛି ।  କିଛି ଲୋକଙ୍କୁ ପ୍ରିମିୟମ୍‌ରେ ବଡ଼ ବୃଦ୍ଧିର  ସାମ୍ନା କରିବାକୁ ପଡ଼ିଛି । କିନ୍ତୁ ଅଧିକାଂଶ  ଲୋକ ନୂଆ ପ୍ଲାନ୍‌ ଏବଂ ସଞ୍ଚୟର ବିଭିନ୍ନ  ଉପାୟ ମାଧ୍ୟମରେ ଖର୍ଚ୍ଚକୁ ଭଲ ଭାବେ  ପରିଚାଳନା କରିପାରୁଥିବା ଏଥିରେ ଉଲ୍ଲେଖ  କରାଯାଇଛି । 

ବିଶେଷଜ୍ଞଙ୍କ ମତରେ, ଯଦି ପ୍ରିମିୟମ  ବଢ଼େ ଏବଂ ବୀମାଧାରୀ ତାହାକୁ ଭରିବାକୁ  ଚାହାନ୍ତି ନାହିଁ ତେବେ ସେମାନଙ୍କ ପାଖରେ  କମ୍‌ ପ୍ରିମିୟମଯୁକ୍ତ ପ୍ଲାନ୍‌ ବାଛିବାର ବିକଳ୍ପ  ରହିଛି । କେତେକ ଲୋକ ଟଙ୍କା ବଞ୍ଚାଇବା  ପାଇଁ ‘ଡିଡକ୍ଟେବଲ’ ବିକଳ୍ପ ବି ବାଛୁଛନ୍ତି । ‘ଡିଡକ୍ଟେବଲ’ର ଅର୍ଥ ହେଉଛି, ଏକ ନିର୍ଦ୍ଧିଷ୍ଟ  ରାଶି ପର୍ଯ୍ୟନ୍ତ ଖର୍ଚ୍ଚକୁ ନିଜକୁ ଉଠାଇବାକୁ  ପଡ଼ିବ, ଏହା ପରେ ହିଁ ବୀମା କମ୍ପାନି ଖର୍ଚ୍ଚ  କରିବ । ମେଡିକାଲ ଖର୍ଚ୍ଚ ବୃଦ୍ଧି ଏବଂ ନୂଆ  ପ୍ରଯୁକ୍ତି ସହିତ ସ୍ୱାସ୍ଥ୍ୟ ବୀମାର ପରିସର ବଢୁଛି,  ଯାହାଦ୍ୱାରା ପ୍ରିମିୟମ ଉପରେ ପ୍ରଭାବ ପଡୁଛି