ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ‘ପଦ୍ମ ପୁରସ୍କାର ୨୦୨୫’ ଘୋଷଣା କରିଛନ୍ତି କେନ୍ଦ୍ର ସରକାର  । ପଦ୍ମ ପୁରସ୍କାର ବିଜେତାଙ୍କ ନାଁ ଘୋଷଣା ହୋଇଛି । ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ମଧ୍ୟରୁ ଗୋଟିଏ ପଦ୍ମ ପୁରସ୍କାର ତିନୋଟି ଶ୍ରେଣୀରେ ପ୍ରଦାନ କରାଯାଏ- ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ । ଭୀମସିଂହ ଭାବେଶ, ଡକ୍ଟର ନୀରଜା ଭଟଲା, ଆଥଲେଟ୍‌ ହରବିନ୍ଦର ସିଂହ ପ୍ରମୁଖଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରାଯିବ । ଏହି ପୁରସ୍କାର କଳା, ସାମାଜିକ କାର୍ଯ୍ୟ, ବିଜ୍ଞାନ, ଇଞ୍ଜିନିୟରିଂ, ବାଣିଜ୍ୟ, ଉଦ୍ୟେଗ, ଚିକିତ୍ସା, ସାହିତ୍ୟ, ଶିକ୍ଷା, କ୍ରୀଡା ଏବଂ ଲୋକ ସେବା ଭଳି ବିଭିନ୍ନ କ୍ଷେତ୍ରରେ ମହାନ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ଦିଆଯାଏ । ଚଳିତ ବର୍ଷ କୁଏତର ଯୋଗ ଗୁରୁ ଶେଖା ଏ ଜେ ଏଲ୍‌ ସବାଙ୍କୁ ପଦ୍ମ ପୁରସ୍କାର ବିଜେତାଙ୍କ ତାଲିକାରେ ସାମିଲ କରାଯାଇଛି ।

ଦିଲ୍ଲୀର ଲୋକପ୍ରିୟ ସ୍ତ୍ରୀ ରୋଗ ବିଶେଷଜ୍ଞଡକ୍ଟର ନୀରଜା ଭଟଲାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ଭୋଜପୁରର ସାମାଜିକ କର୍ମୀ ଭୀମ ସିଂହ ଭାବେଶ ‘ମୁଶାର ସଂପ୍ରଦାୟଙ୍କ’ ସଂରକ୍ଷଣ ଲାଗି ଦୀର୍ଘ ୨୨ ବର୍ଷ ଧରି କାର୍ଯ୍ୟ କରିଆସିଛନ୍ତି । ଏଥିପାଇଁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବେ କେନ୍ଦ୍ର ସରକାର । ଦକ୍ଷିଣ ଭାରତର ପାରମ୍ପରିକ ବାଦ୍ୟଯନ୍ତ୍ର ଥାଭଲି ବିଶେଷଜ୍ଞ ପି. ଦଚାନାମୂର୍ତ୍ତୀଙ୍କୁ ନିଜର ଜୀବନବ୍ୟାପୀ ସାଧନା ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବାକୁ ଯାଉଛନ୍ତି । ସେହିଭଳି ନାଗାଲାଣ୍ଡର ଜଣେ ପ୍ରସିଦ୍ଧ ଫଳ ଚାଷୀ ଏଲ. ହ୍ୟାଙ୍ଗଥିଙ୍ଗଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବ ।  

ପଦ୍ମଶ୍ରୀ ପାଇବେ ୪ ଜଣ ଓଡ଼ିଆ

ଡକ୍ଟର ଅଶୋକ ମହାପାତ୍ର, ମେଡିସନ୍‌, ପଦ୍ମଶ୍ରୀ (ଓଡ଼ିଶା)

ଶ୍ରୀମତି ପ୍ରତିଭା ଶତପଥୀ, ଶିକ୍ଷା, ପଦ୍ମଶ୍ରୀ (ଓଡ଼ିଶା)

ଦୁର୍ଗାଚରଣ ରଣବୀର, କଳା, ପଦ୍ମଶ୍ରୀ (ଓଡ଼ିଶା)

ଅଦ୍ବିତ ଚରଣ ଗଡ଼ନାୟକ, କଳା, ପଦ୍ମଶ୍ରୀ (ଓଡ଼ିଶା)

ସୂଚନାଯୋଗ୍ୟ, ଚଳିତ ବର୍ଷ ୭ ଜଣ ପଦ୍ମ ବିଭୂଷଣ, ୧୯ ଜଣ ପଦ୍ମ ଭୂଷଣ ଏବଂ ୧୧୩ ଜଣ ପଦ୍ମଶ୍ରୀ ପୁରସ୍କାର ପାଇବେ । ପୁରସ୍କାର ପାଇବାକୁ ଥିବା ବ୍ୟକ୍ତିଙ୍କ ମଧ୍ୟରେ ୨୩ ଜଣ ମହିଳା ଏବଂ ତାଲିକାରେ ବିଦେଶୀ/ପ୍ରବାସୀ ଭାରତୀୟ/ପିଆଇଓ/ଓସିଆଇ ବର୍ଗର ୧୦ ଜଣ ଏବଂ ମରଣୋତ୍ତର ଭାବରେ ୧୩ ଜଣଙ୍କୁ ମିଳିବ ପଦ୍ମ ପୁରସ୍କାର ।