ପୁରୀ,୦୮/୦୯: ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ  ସୁଦର୍ଶନ ପଟ୍ଟନାୟକ ଓଡ଼ିଶାର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଅଭିଜିତ ମଜୁମଦାରଙ୍କ ସୁସ୍ଥତା କାମନା  କରି ବାଲୁକା ଚିତ୍ର ପ୍ରସ୍ତୁତ କରିଛନ୍ତି । ପୁରୀ ବେଳାଭୂମିରେ ରବିବାର ଦିନ ସେ ଏହି କଳାକୃତି ପ୍ରସ୍ତୁତ କରିଛନ୍ତି । ଏହି ବାଲୁକା ଚିତ୍ର କଳାରେ ‘ଗେଟ୍‌ ୱେଲ୍‌ ସୁନ୍‌ ଅଭିଜିତ ମଜୁମଦାର୍‌’ ବାର୍ତ୍ତା ସେ ଲେଖିଛନ୍ତି । ଏହାସହ ମହାପ୍ରଭୁ  ଶ୍ରୀଜଗନ୍ନାଥଙ୍କ ପାଖରେ ଆଶୁ ଆରୋଗ୍ୟ ପ୍ରାର୍ଥନା କରୁଛୁ  ବୋଲି ମଧ୍ୟ ବାଲୁକା କଳାରେ ଲେଖାଯାଇଛି । ଏହାସହ ଅଭିଜିତ ମଜୁମଦାରଙ୍କର ବାଲୁକା ଚିତ୍ର ମଧ୍ୟ ଅଙ୍କା  ଯାଇଛି । ଅଭିଜିତ ଅସୁସ୍ଥ ହୋଇ ଗତ ୪ତାରିଖରୁ  ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅଛନ୍ତି ।

​​​​​​​ସ୍ୱାସ୍ଥ୍ୟ ବୁଲେଟିନ୍‌ରେ ସୂଚନା ଦିଆଯାଇଛି, ଏବେବି  ଅଭିଜିତ୍‌ କୋମାରେ ଅଛନ୍ତି । ତାଙ୍କୁ ଭେଣ୍ଟିଲେସନ୍‌  ସପୋର୍ଟରେ ରଖାଯାଇଛି । ଷ୍ଟାଣ୍ଡାର୍ଡ ପ୍ରୋଟୋକଲ୍‌  ଅନୁସାରେ ତାଙ୍କୁ ଚିକିତ୍ସା କରାଯାଉଛି । ଚିକିତ୍ସା ପରେ  ତାଙ୍କ କିଡ୍‌ନୀ ଓ ଲିଭର ସମସ୍ୟାରେ ସୁଧାର ଆସିଛି ।  ଏମ୍‌ସ ଆଇସିୟୁ ଓ ଇସିଏମ୍‌ଓ ସ୍ପେସାଲିଷ୍ଟ ଡା. ଶ୍ରୀକାନ୍ତ  ବେହେରା ଓ ତାଙ୍କ ଟିମ୍‌ ଅଭିଜିତ୍‌ଙ୍କ ଉପରେ ନଜର  ରଖିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଗତ ଗୁରୁବାର ଅଭିଜିତ୍‌ଙ୍କୁ  ଏମ୍‌ସରେ ଭର୍ତ୍ତି କରାଯାଇଥିଲା । ସେ ନିମୋନିଆ ସହ  ବହୁବିଧ ରୋଗରେ ଆକ୍ରାନ୍ତ । ତାଙ୍କର ଲିଭର୍‌ରେ ଗୁରୁତର  ସମସ୍ୟା ଦେଖାଦେଇଥିଲା । ଉଚ୍ଚ ରକ୍ତଚାପ, ରକ୍ତ ସଂକ୍ରମଣ  ସହ ସହ ଶରୀରରେ ଥାଇରଏଡ୍‌ କମିଯାଇଥିଲା ।