ପ୍ରମୂଖ ଖବର
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

ପହଲଗାଓଁ: କାଶ୍ମୀରୀୟତ ଓ ଭାରତୀୟତା

Published By : Prameya | May 6, 2025 2:18 PM

ରାଜତରଙ୍ଗିଣୀରେ କାଶ୍ମୀରର ରାଜବଂଶର ଇତିହାସ ଲେଖୁ ଲେଖୁ ସେ ଲୋକସ୍ମୃତି ଓ ବସ୍ତୁପାଠର ପ୍ରୟୋଗଧର୍ମ ଓ କଳା ସ୍ପଷ୍ଟ କରିଚନ୍ତି । ଆୟୁର୍ବେଦର ପିତା ଚରକ ବି କାଶ୍ମୀରୀ । ଔଚିତ୍ୟତତ୍ତ୍ୱର ବିଧାୟକ କ୍ଷେମେନ୍ଦ୍ର କାଶ୍ମୀରୀ । ଇତିହାସ, ଦର୍ଶନ, ଧର୍ମ, ସାହିତ୍ୟ, ଆୟୁର୍ବେଦ, ସୌନ୍ଦର୍ଯ୍ୟଶାସ୍ତ୍ର ସବୁର ମୂଳପିଣ୍ଡ କାଶ୍ମୀରର ସନାତନୀ ହିନ୍ଦୁ ।

ଘର ଭିତରେ କଷ୍ଟ ଥିଲା/ ଘର ବାହାରେ ଥିଲା ବିପଦ/ ଦୟାରେ ତରଳିଗଲା ସେମାନଙ୍କ ହୃଦୟ/ ସେମାନେ ଜାଳିଦେଲେ ଗୋଟି ଗୋଟି କରି ଆମର ଘର/ ଏବେ ନା ଭିତରେ କଷ୍ଟ, ନା ବାହାରେ ବିପଦ । (ଅଗ୍ନିଶେଖର: କାଶ୍ମୀରୀ କବି, ରିଫ୍ୟୁଜି କ୍ୟାମ୍ପ, ଦିଲ୍ଲୀ) । ୧୯୮୯-୯୦ ର ନିର୍ମମ ଧର୍ମଦ୍ୱେଷୀ ଆତଙ୍କ ଗ୍ରାସରୁ ରକ୍ଷା ପାଇବାପାଇଁ ଖାଲିହାତରେ କେବଳ ପରିବାରର ଜୀବନ ବଞ୍ଚେଇ କାଶ୍ମୀର ଛାଡ଼ିଥିଲେ ଲକ୍ଷ ଲକ୍ଷ ହିନ୍ଦୁ କାଶ୍ମୀରୀ । ଆଶ୍ରା ମିଳିଥିଲା ଜମ୍ମୁ ଓ ଦିଲ୍ଲୀର ରିଫ୍ୟୁଜି କ୍ୟାମ୍ପରେ । ସେଇଠି କବି ଅଗ୍ନିଶେଖର ପଢ଼ି ଶୁଣେଇଥିଲେ ଛିନ୍ନମୂଳ ମଣିଷର ବ୍ୟଥାକଥା । କାନ୍ଦିଥିଲା ସଭାଗୃହ । କୋଉଠିଗାଟେ ବିନ୍ଦୁ ବିନ୍ଦୁ ହୋଇ ଏକାଠି ହୋଇଯାଇଥିଲା ଶ୍ୱାସରୁଦ୍ଧ ଭାରତୀୟତାର କୋହ । ଆମେ ପରସ୍ପରକୁ ମୁଣ୍ଡଟେକି ଚାହିଁ ପାରିନଥିଲୁ । ମୋର ମନେପଡ଼ିଥିଲେ ମୁଁ ଶ୍ରୀନଗରରେ ଛାଡ଼ି ଆସିଥିବା ମୋର ସହକର୍ମୀ ଓ ସୁହୃଦମାନଙ୍କୁ । ଠାବ କରିଥିଲି ସେମାନଙ୍କୁ, ଦେଖିଥିଲି ସେମାନଙ୍କର ବାସ୍ତୁହରା ଜୀବନ, ସମ୍ପନ୍ନତାରୁ ଆସି ଦରିଦ୍ର ଅନୁଗୃହୀତର ଜୀବନ ଜୀଉଁଥିବା, ଭୂଲୁଣ୍ଠିତ ସ୍ୱାଭିମାନକୁ । ଏ ଭିତରେ ବିତିଗଲାଣି ପଚିଶ ବର୍ଷ, ଆଉ ଗୋଟିଏ ବାସ୍ତୁ୍‌ହରା ପିଢ଼ି ଏ ଭିତରେ ପାଇସାରିଥିବ ପ୍ରବାସରେ ତାର ନୂଆ ଠିକଣା, କିନ୍ତୁ ପିଲାକବିଲା ଧରି ଅନ୍ଧାର ରାତିରେ ଘର ଛାଡ଼ିଥିବା, ଯୁବକରୁ ବୁଢ଼ା ହେଇଯାଇଥିବା ସେଇ କାଶ୍ମୀରୀ ଆଖିରେ ଏବେବି ତ ଶୁଖିନଥିବ ଲୁହ ଟୋପେ? 

୩୭୦ ଗଲା । କାଶ୍ମୀର ହେଲା ମୁଖ୍ୟସ୍ରୋତର ଭାରତ । ଆତଙ୍କ ଟଳିଲା ଭଳି ଲାଗିଲା । ସାରାଜୀବନ ରିଫ୍ୟୁଜି କ୍ୟାମ୍ପରେ କାଟିଦେବା ପରେ ଆଶାର କ୍ଷୀଣ ଆଲୋକରେ ଦିଶିଲା କାଶ୍‌ମୀରରେ ଛାଡ଼ିଆସିଥିବା ଘର, ଦିଶିଗଲା ସେ ଅପହୃତ ନଦୀ, ସେ ପର୍ବତ, ସେ ଅନନ୍ତଝର, ସେ ତୁଷାରପାତ, ସେ କ୍ଷୀରଭବାନୀ ମା', ଶୁଭିଗଲା ଶଙ୍କରାଚାର୍ଯ୍ୟ ମନ୍ଦିରର ଓଁ ନମଃ ଶିବାୟ! ଫେରିହେବ କି? ଏଇଆ ଭାବୁ ଭାବୁ ଏଇନେ ଏଇନେ ଘଟିଗଲା ପହଲଗାଓଁ ନରସଂହାର । ଠିକ୍‌ ଯେତେବେଳେ ଆଶ୍ମାସନା ଚରମରେ ଥିଲା, ଆଶା ଫଳିବ ଫଳିବ ଦିଶିଆସୁଥିଲା ପଡ଼ିଲା ଆତଙ୍କର ଚଡ଼କ । ପୁଣି ଥରେ ବୁଜି ହେଇଗଲା ଫେରିବାର ବାଟ । ଏ କ’ଣ ସତରେ ଆକସ୍ମିକ ଦୁର୍ବିପାକ ନା ଏକ ସୁପରିକଳ୍ପିତ ପ୍ରହାର? ଇଏ ଆତଙ୍କବାଦୀଙ୍କ ନିର୍ବୁଦ୍ଧିଆ ଅମାନୁଷିକତା ନା ଇଏ ବର୍ତ୍ତମାନର ରାଜନୀତି କାଶ୍ମୀରରେ? ଗତ ଏପ୍ରିଲ ୨୮ ତାରିଖ ଦିନ ଜମ୍ମୁ କାଶ୍ମୀର ବିଧାନସଭାରେ ଗୋଟିଏ ପ୍ରସ୍ତାବ ବା ସଂକଳ୍ପ ପାରିତ ହେଲା । ଏଥିରେ କୁହାଗଲା ଯେ, ପହଲଗାଓଁ ନରସଂହାର କାଶ୍ମୀରୀୟତ ଓ ଭାରତର ଐକ୍ୟବୋଧର ଉଲ୍ଲଙ୍ଘନ । ୟା ବି କୁହାଗଲା ଯେ, ସୁରକ୍ଷାବଳ ଦ୍ୱାରା ଘରକୁ ଘର ତଲାସୀ ଓ ସନ୍ଦିଗ୍‌ଧ ଆତଙ୍କବାଦୀଙ୍କ ଘର ଧ୍ୱସ୍ତକରିବା ଫଳରେ ଲୋକେ ସରକାରଙ୍କ ଠାରୁ ଦୂରେଇ ଯାଉଛନ୍ତି । ଇଏ ଓମର ଅବଦୁଲ୍ଲା ସରକାରଙ୍କ ରାଜନୈତିକ ଦୃଷ୍ଟିକୋଣ ନା ଦୁରଭିସନ୍ଧି? କପଟ ଏଇଠି । ସ୍ପଷ୍ଟ ହେବନାହିଁ, କିନ୍ତୁ ଯିଏ ବୁଝିବା କଥା ବୁଝିବେ । 

କାଶ୍ମୀରୀୟତର ଢାଲ ଟେକିଦେଲେ ସନ୍ଦେହ ରହିବନାହିଁ । ଭାରତୀୟତା ବା କାଶ୍ମୀର ଭାରତର ଅଙ୍ଗ ଏକଥା ବି କୁହାଯିବ ନାହିଁ । ଅବଦୁଲ୍ଲା ପରିବାର ମୂଳରୁ ସନ୍ଦିଗ୍‌ଧ । ଏବେ ଫାରୁଖଓମର ବାପ-ପୁଅ ଯୋଡ଼ିଙ୍କ କପଟପାଶା କେତେଦୂର ଯିବ ଦେଖିବାକୁ ବାକି ରହିଲା । ଜମ୍ମୁ କାଶ୍ମୀରର ଶ୍ରୀନଗରରେ ମୁଁ ଆତଙ୍କବାଦକୁ ସାମ୍ନାରୁ ଦେଖିଚି । ଦେଖିଚି ହିନ୍ଦୁପଣ୍ଡିତ (କାଶ୍ମୀରୀ ବ୍ରାହ୍ମଣ) ଓ ମୁସଲମାନଙ୍କ ଭିତରେ ମିତ୍ରତା ଓ ଶତ୍ରୁତାର ଦୃଶ୍ୟ । ପାକିସ୍ତାନରେ ଭୁଟ୍ଟୋଙ୍କ ଫାଶୀର ବାର୍ଷିକୀ ଦିନ ମୁସଲମାନ ନାଗରିକ-ଆତଙ୍କବାଦୀମାନେ ସୁଦୃଶ୍ୟ ବିଶାଳ କାଷ୍ଠସୌଧଟିକୁ ମୋ ଆଖିସାମ୍ନାରେ ଜାଳିଦେଲେ । ସେ କାହାଣୀ କହିବି କେବେ ଦିନେ । "କାଶ୍ମୀରୀୟତ’ ଶବ୍ଦର ମହତ୍ତ୍ୱକୁ ନେଇ ଜମ୍ମୁ କାଶ୍ମୀରର ରାଜନୀତି ଆରମ୍ଭ କରୁଚନ୍ତି ଓମର । କିନ୍ତୁ ୟାର ସାମାଜିକ ବାସ୍ତବତା ଓ ଐତିହାସିକ ପ୍ରାସଙ୍ଗିକତା ଆମକୁ କାଶ୍ମୀର ଓ କାଶ୍ମୀରବାସୀଙ୍କ ଜଟିଳ ଅସ୍ତିତ୍ୱ ସଙ୍କଟ ଭିତରକୁ ଗହୀରେଇ ଚାହିଁବାକୁ ବାଧ୍ୟ କରେ । ଯାହା ଆମେ ଅନ୍ୟ କୌଣସି ଭାରତୀୟ ଲୋକ ସମ୍ପ୍ରଦାୟକୁ ନେଇ କରୁନାହିଁ, ବା ଯାହାକୁ ନେଇ ଆମ ଅସ୍ତିତ୍ୱର ଚର୍ଚ୍ଚା ଆମେ ଭଲପାଉନାହିଁ, ତାହା କାଶ୍ମୀରୀଙ୍କୁ ନେଇ ଚର୍ଚ୍ଚା କରିବାର ଏକମାତ୍ର କାରଣ ହେଉଚି, କାଶ୍ମୀର ଉପତ୍ୟକାରେ ନିରୀହ ଭାରତୀୟଙ୍କ ନୃଶଂସ ହତ୍ୟାକୁ କାଶ୍ମୀରୀୟତର ଉଲ୍ଲଙ୍ଘନ ବୋଲି କହିବା ଓ ତାହାରି ଆଳରେ କାଶ୍ମୀରର ବିଚଳିତ ସାମ୍ପ୍ରଦାୟିକ ସ୍ଥିତିକୁ ଘୋଡ଼େଇଦେବା । କୋଉଠି ଥିଲା ଏ ତଥାକଥିତ କାଶ୍ମୀରୀୟତ, ଯେତେବେଳେ ସାତପୁରୁଷ ଧରି କାଶ୍ମୀରର ପ୍ରାଣଶକ୍ତି ଓ ଐତିହ୍ୟବାହକ ହୋଇ ତିଷ୍ଠିଥିବା ସନାତନୀ ହିନ୍ଦୁଙ୍କୁ ଭିଟାମାଟି ଛାଡ଼ିବାକୁ ବାଧ୍ୟ କରାଗଲା? 

କୋଉଠି ଥିଲା କାଶ୍ମୀରୀୟତ ଯେତେବେଳେ ଲୁଣ୍ଠନ, ଧର୍ଷଣ, ଗୃହଦାହ ଓ ଭୟଙ୍କର ଧର୍ମଦ୍ରୋହର ଶିକାର ଅସଂଖ୍ୟ ହିନ୍ଦୁ ସବୁ ଛାଡ଼ିଦେଇ କେବଳ ଜୀବନ ବଞ୍ଚେଇ ଦିଲ୍ଲୀରେ ଶରଣାର୍ଥୀର ଜୀବନ ଆଦରି ନେଲେ? କାଲିର ସମ୍ପନ୍ନ ହିନ୍ଦୁ କାଶ୍ମୀରୀ ଆଜିର ଭିକାରି ଜୀବନକୁ ମାନିନେଲେ? ହିନ୍ଦୁ ପଡ଼ୋଶୀ ସହିତ ଯେଉଁ ପାରିବାରିକ ସମ୍ପର୍କ ପୁରୁଷ ପୁରୁଷ ଧରି ଚାଲିଆସୁଥିଲା ସେ ଗଲା କୁଆଡ଼େ? ଉଆସପ୍ରାୟ ପୈତୃକ ଘର ଛାଡ଼ିଆସିଲା ହିନ୍ଦୁ ତ କିଣିନିଅ ତାକୁ ଶାଗମାଛ ମୂଲରେ, ଅକ୍ତିଆର କର ତାର ଥାତିର ପ୍ରତୀକ ଯାହା ଟିକେ ପଡ଼ିଚି, ଲୋପ ହେଇଯାଉ ତାର ଅସ୍ତିତ୍ୱ! କୋଉଠି ଥିଲା କାଶ୍ମୀରୀୟତ? ଅନ୍ୟ ଧର୍ମର ଲୋକେ କ’ଣ ଘରଛାଡ଼ି ପଳେଇବାକୁ ବାହାରିଥିବା ତାଙ୍କର ହିନ୍ଦୁ ଭାଇମାନଙ୍କ ବାଟ ଆଗୁଳି ନେହୁରା ହେଇ କହିଥିଲେ ରହିଯା ଭାଇ ଏକାଠି ସାମ୍ନା କରିବା ଆତଙ୍କର? କେହି କହିଥିଲେ ତମେ ଯିବ ଯଦି ଆମେବି ଯିବୁ? କେହି କାନ୍ଦିଥିଲା ବିତାଡ଼ିତ ହିନ୍ଦୁ ଭାଇଭଉଣୀଙ୍କ ପାଇଁ, ଜ୍ଞାତିତୁଲ୍ୟ ସହକର୍ମୀ, ବନ୍ଧୁ, ସ୍ନେହାସ୍ପଦ ପାଇଁ? ଯଦିବା କେହି କାନ୍ଦୁଥିଲା, ସେ ବାନ୍ଧୁ ବି ଥିଲା ଯାହା ସେମାନେ ଛାଡ଼ିଗଲେ । ସେଇଠି ଆମେ ଦେଖିଲେ ପହଲଗାଓଁ ଆକ୍ରମଣ ବେଳେ ଗୋଟିଏ ସାଧାରଣ ଘୋଡ଼ାବାଲାର ପର୍ଯ୍ୟଟକଙ୍କ ଜୀବନ ରକ୍ଷା ପାଇଁ ନିଜ ଜୀବନକୁ ବଳି ଚଢ଼େଇ ଦେଇଥିବାର ସତ୍ୟ ଘଟଣା । ବଳିଦାନୀ ଲୋକଟି ମୁସଲମାନ ପରେ, ଆଗେ ମଣିଷ ହୋଇ ଛାତି ପତେଇଦେଲା । କିନ୍ତୁ କ’ଣ ହୁଏ ଯେତେବେଳେ ଗୋଟିକିଆ ମଣିଷମାନେ ସମ୍ପ୍ରଦାୟରେ ପରିଣତ ହୁଅନ୍ତି, ଧର୍ମର ଆଧାରରେ ପରିଚୟର ଅଭେଦ୍ୟ ଦୁର୍ଗ ଠିଆ କରାନ୍ତି? କିଏ ଭୁଲେଇଦିଏ ମଣିଷତ୍ୱ? କାହିଁକି ଗୋଟିକିଆ ଭଲମଣିଷ ସମ୍ପ୍ରଦାୟ ପାଇଲେ ଗୋଷ୍ଠୀ ବଳରେ ବଳୀୟାନ ହୋଇ ହିଂସ୍ର ହୁଏ? 

ଏଥିପାଇଁ ଧର୍ମ ଦାୟୀ ହୁଏ ସେତିକିବେଳେ ଯେତେବେଳେ ଧର୍ମାବଲମ୍ବୀଙ୍କୁ ଏକ ସ୍ୱତନ୍ତ୍ର ଲୋକସମୂହ ବିଚାର କରି ମତାନ୍ଧତାର ପାଠ ପଢ଼ାଏ । ସେଇଠି ବ୍ୟକ୍ତିଚୈତନ୍ୟ ଓ ସାମୂହିକ ଚୈତନ୍ୟ ପରସ୍ପରଠାରୁ ଅଲଗା ହୋଇଯାନ୍ତି । କିନ୍ତୁ ମଣିଷ ଭିତରେ ତାର ଦ୍ୱୈତ ସ୍ୱଭାବ ହୋଇ ରହିଯାନ୍ତି । ବ୍ୟକ୍ତିଗତ କରୁଣା ସହିତ ସାମୂହିକ ନିର୍ଦ୍ଦୟତା କିଭଳି ସହାବସ୍ଥାନ କରେ ତାହା ଏକ ସ୍ୱତନ୍ତ୍ର ଆଲୋଚନାର ଅପେକ୍ଷା ରଖେ । କିନ୍ତୁ ଏତିକି ନିଃସଙ୍କୋଚରେ କୁହାଯାଇପାରେ ଯେ, ଯେଉଁ ଧର୍ମରେ ସାମ୍ପ୍ରଦାୟିକ ନିର୍ଦ୍ଦେଶନାମା ଯେତେ ବେଶୀ, ସେ ଧର୍ମରେ ଧର୍ମ ନାମରେ ସାମ୍ପ୍ରଦାୟିକ ନିର୍ଦ୍ଦୟତା ସେତେ ବେଶୀ । ଜଣେ ସାଧାରଣ ଶାସ୍ତ୍ରଅଜ୍ଞାନୀ, କର୍ମକାଣ୍ଡବିଚ୍ୟୁତ, ଈଶ୍ୱରବିଶ୍ୱାସୀ, ପ୍ରତିମାପୂଜକ ହିନ୍ଦୁ ଭାବରେ ମୁଁ ମୁକ୍ତକଣ୍ଠରେ କହିପାରେ ଯେ ମତେ ମୋ ଧର୍ମ କୌଣସି ବାଧ୍ୟବାଧକତାରେ ବାନ୍ଧିନାହିଁ କି ମୁଁ କୋଉ ସମ୍ପ୍ରଦାୟର ସଦସ୍ୟ, ଏ ଶିକ୍ଷା ଦେଇନାହିଁ । ଅଳ୍ପ କେତୋଟି ନିୟମ ଯାହାମୋର ପିତାମାତା ମାନୁଥିଲେ, ମୁଁ ବି ମାନେ, ପ୍ରଶ୍ନ ପଚାରେ ନାହିଁ । ମୁଁ ମନ୍ଦିରକୁ ଏକା ଯାଏ, ପରିବାର ସହିତ ଯାଏ, ବନ୍ଧୁ ପରିଜନଙ୍କ ସହିତ ଯାଏ, କିନ୍ତୁ ପ୍ରାର୍ଥନାରେ ମୁଁ ସବୁବେଳେ ଏକା । ମୋ ଧର୍ମରେ ଭକ୍ତି ବ୍ୟକ୍ତିଗତ । ମୋ ଧର୍ମରେ ସାମୂହିକ ପ୍ରାର୍ଥନା ନାହିଁ । ଜଣେ ସନାତନୀ ହିନ୍ଦୁଭାବରେ ଉତ୍ସବ ପାଳିଲାବେଳେ ବି ମୁଁ ମୋର ଆସ୍ଥାର ଜଗତରେ ଥାଏ । ମୋ ଇଚ୍ଛାହେଲେ ମୁଁ କେବେ କୀର୍ତ୍ତନିୟା, କେବେ ପାଳିଆ, କେବେ ଗୁଣୁ ଗୁଣୁ, କେବେ ନିରବ । ମୋ ଧର୍ମରେ ଜ୍ଞାନମାର୍ଗ ଓ ଭାବମାର୍ଗରେ ଭକ୍ତି ହୁଏ । ଭକ୍ତମାନଙ୍କର ଜମାତ ନାହିଁ କି ଗୋଷ୍ଠୀ ନାହିଁ । କିଏ ବୈଷ୍ଣବ, କିଏ ଶୈବ, କିଏ ଶାକ୍ତ, କିଏ ସୌର ତ କିଏ ଗାଣପତ୍ୟ! ଧର୍ମ ଏକ, ପନ୍ଥା ଅନେକ । ଏମିତିକି ପ୍ରତିମାଭଞ୍ଜକ ନିରାକାରୀ ନିର୍ଗୁଣୀ ସନ୍ଥ ବି ଅଛନ୍ତି ମୋ ଧର୍ମରେ । ୟାର କୁଟୁମ୍ବ ବିଶ୍ୱ । ୟାର ଈଶ୍ୱର ବିଶ୍ୱରୂପୀ । ୟାର ସର୍ବ ସମନ୍ୱୟୀ ମହାଦେବତା ବି ଅଛନ୍ତି । ଏ ଧର୍ମର ଈଶ୍ୱର କହନ୍ତି- ସବୁ ଧର୍ମ ପରିତ୍ୟାଗ କରି ମୋର ଶରଣକୁ ଆସ । ଏଠି ସାମ୍ପ୍ରଦାୟିକ ଧର୍ମଧାରଣା ଆଧାରରେ କାହାକୁ ଭିନ୍ନଦୃଷ୍ଟିରେ ଦେଖିବା ସମ୍ଭବ ହୁଏନାହିଁ । ବେଳ ନଥାଏ, ମନ ନଥାଏ, ହିଂସା ନଥାଏ କି ଭେଦ ନଥାଏ । ମୁଁ ଅନ୍ୟ ଧର୍ମମାନଙ୍କ ବିଷୟରେ ଭାବେନାହିଁ । ସେମାନେ ତାଙ୍କ ଧର୍ମ ପାଳନ କରନ୍ତୁ, ମୁଁ ମୋ ଧର୍ମ ପାଳନ କରେଁ । ଏ ଦେଶ ଆମ ସମସ୍ତଙ୍କର, ଆମେ ସମସ୍ତେ ଭାରତୀୟ । ମୋର ଓଡ଼ିଆତ୍ୱ ଭାରତୀୟତାର ଅଙ୍ଗ, ଯେମିତି ସମସ୍ତଙ୍କର । ଏଇଠି ପ୍ରଶ୍ନ କାଶ୍ମୀରୀମାନଙ୍କ କାଶ୍ମୀରୀୟତ ଭାରତୀୟତାର ଅଂଶ ନା କାଶ୍ମୀର ଏକ କୁଣ୍ଠିତ ପ୍ରଗଣା³ ଯାହାର ସ୍ୱତନ୍ତ୍ର ଏକ ଆତ୍ମା ଅଛି, ଯାହାର ନାମ କାଶ୍ମୀରୀୟତ? ମୋର ତ ମନେହେଉଚି ଏ ଗୋଟିଏ ରାଜନୈତିକ ଛଳ । କାଶ୍ମୀରୀୟତର ଅର୍ଥ ଥିଲା ସେତିକିବେଳେ ଯେତେବେଳେ ବୈଦିକ, ସନାତନୀ, ବୌଦ୍ଧ, ହିନ୍ଦୁ ଓ ଇସଲାମ ସଂସ୍କୃତି ସ୍ତର ପରେ ସ୍ତର ଗୋଟେ ପାରସ୍ପରିକତାର ଚଳନ୍ତି ସଂସ୍କୃତି ନିର୍ମାଣ କରିଥିଲେ । 

ଏ କ୍ଷେତ୍ର ଥିଲା କିମ୍ବଦନ୍ତୀୟ କଶ୍ୟପ ଋଷିଙ୍କ କ୍ଷେତ୍ର କଶ୍ୟପମୀରା (ମୀରାର ଅର୍ଥ କାଶ୍ମୀରରେ କ୍ଷେତ୍ର, ଜଳ, ଜଳାଶୟ ବା ସୀମା) । କଶ୍ୟପ ଜଣେ ବୈଦିକ ମହାଋଷି, ଆକାଶର ସପ୍ତର୍ଷିଙ୍କ ଭିତରୁ ଜଣେ । କାଶ୍ମୀରର ପ୍ରକୃତିରେ ବିଦ୍ୟମାନ ଆର୍ଯ୍ୟ ସଭ୍ୟତାର ସୈନ୍ଧବ ଅବଶେଷ । ବୈଦିକ, ସନାତନୀ, ବୌଦ୍ଧ, ଇସ୍ଲାମ ଓ ହିନ୍ଦୁ ରାଜତ୍ୱ ସହିତ ପ୍ରସ୍ତ ପରେ ପ୍ରସ୍ତ ମାନବୀୟ, ଧର୍ମୀୟ ଓ ବୌଦ୍ଧିକ ଜ୍ଞାନସମ୍ପଦ ଗଚ୍ଛିତ ହେଇଚାଲିଲେ ଏ ଲୋକସ୍ମୃତିରେ ଓ ସ୍ମରଣୀୟ ଇତିହାସରେ । ସମଗ୍ର ଆର୍ଯ୍ୟ ସନାତନୀ ସଭ୍ୟତାର ମୂଳ ପୀଠ ରହିଲା ଏଇଠି, ଗୋଟେ ବହ୍ୱାରମ୍ଭୀ ସଭ୍ୟତାରେ । ଏ ସଭ୍ୟତା ବୈଦିକରୁ ଇସ୍ଲାମ ଆସିଲା ପର୍ଯ୍ୟନ୍ତ ବ୍ୟାପ୍ତ । ଅର୍ଥାତ୍‌ ଖ୍ରୀଷ୍ଟପୂର୍ବ ପାଞ୍ଚହଜାର ବର୍ଷରୁ ଖ୍ରୀଷ୍ଟପର ଚତୁର୍ଦ୍ଦଶ ଶତାବ୍ଦୀ ପର୍ଯ୍ୟନ୍ତ ଛଅରୁ ସାତ ହଜାର ବର୍ଷ ଏଠି ଭାରତୀୟ ଜ୍ଞାନବିଜ୍ଞାନର ମୌଳିକ ଚିନ୍ତନ ଆରମ୍ଭ ହୋଇ ସିଦ୍ଧ ହେଇଚି । ପାତଞ୍ଜଳି ଏ ମାଟିର ସନ୍ତାନ, ସେ ଏଇଠି ଲେଖିଲେ ପାଣିନୀଙ୍କ ଅଷ୍ଟଧ୍ୟାୟୀ ଉପରେ ଟୀକା ‘ମହାଭାଷ୍ୟ’, ଯାହା ପରେ ଦୁରୂହ ସଂସ୍କୃତ ବ୍ୟାକରଣ ପ୍ରଶ୍ନୋତ୍ତର ଛଳରେ ପରିଷ୍କୃତ ଓ ଶଙ୍କାମୁକ୍ତ ହୋଇଗଲା । ପାତଞ୍ଜଳିଙ୍କ ଯୋଗସୂତ୍ର ବି ଯୋଗର ସରଳୀକୃତ ବ୍ୟବହାରସିଦ୍ଧ ବିଜ୍ଞାନ । ଅଭିନବଗୁପ୍ତ ସାହିତ୍ୟତତ୍ତ୍ୱକାର ଓ ପ୍ରମୁଖ ଶୈବ ଦାର୍ଶନିକ ଓ ଭାରତରେ ସର୍ବତ୍ର ପ୍ରଭାବଶାଳୀ ଅନୁପମ ଶୈବବାଙ୍‌ମୟର ଜଣେ ଶ୍ରେଷ୍ଠ ପ୍ରବକ୍ତା, ଏଇ ମାଟିର । ଅର୍ଯ୍ୟାବର୍ତ୍ତର ପ୍ରଥମ ପ୍ରମାଣସିଦ୍ଧ ଐତିହାସିକ କହ୍ଲଣ ବି ଜଣେ କାଶ୍ମୀରୀ । ରାଜତରଙ୍ଗିଣୀରେ କାଶ୍ମୀରର ରାଜବଂଶର ଇତିହାସ ଲେଖୁ ଲେଖୁ ସେ ଲୋକସ୍ମୃତି ଓ ବସ୍ତୁପାଠର ପ୍ରୟୋଗଧର୍ମ ଓ କଳା ସ୍ପଷ୍ଟ କରିଚନ୍ତି । ଆୟୁର୍ବେଦର ପିତା ଚରକ ବି କାଶ୍ମୀରୀ । ଔଚିତ୍ୟତତ୍ତ୍ୱର ବିଧାୟକ କ୍ଷେମେନ୍ଦ୍ର କାଶ୍ମୀରୀ । ଇତିହାସ, ଦର୍ଶନ, ଧର୍ମ, ସାହିତ୍ୟ, ଆୟୁର୍ବେଦ, ସୌନ୍ଦର୍ଯ୍ୟଶାସ୍ତ୍ର ସବୁର ମୂଳପିଣ୍ଡ କାଶ୍ମୀରର ସନାତନୀ ହିନ୍ଦୁ । ୟାର ତାତ୍ପର୍ଯ୍ୟ ଏହି ଯେ ଯେଉଁ ଲୋକ ସମ୍ପ୍ରଦାୟ ଏ କ୍ଷେତ୍ରର ମୂଳ ଅଧିବାସୀ, ଯେଉଁମାନଙ୍କ ଜୀବକୋଷରେ ଓ ଜାତୀୟ ସ୍ମୃତିରେ ଗର୍ବୋନ୍ନତ ସଭ୍ୟତାର ସନ୍ତକ ଅଛି, ଯାହାଙ୍କ ପୂର୍ବପୁରୁଷ ଚତୁର୍ଦ୍ଦଶ ଶତାବ୍ଦୀ ପୂର୍ବରୁ କାଶ୍ମୀର ଉପତ୍ୟକା ଅଧିକାର କରି ରହିଥିଲେ ଅନ୍ତତଃ ପାଞ୍ଚହଜାର ବର୍ଷରୁ, ଯେଉଁମାନଙ୍କ ପିତୃପୁରୁଷ ଚତୁର୍ଦ୍ଦଶ ଶତାବ୍ଦୀର ବ୍ୟାପକ ଧର୍ମାନ୍ତରଣରୁ ବର୍ତ୍ତିଥିଲେ ଓ ଉପତ୍ୟକାରେ ଧର୍ମ, ଶାସ୍ତ୍ର, ଆରାଧନାର ସନାତନୀ ହିନ୍ଦୁ ଅସ୍ତିତ୍ୱକୁ ବଞ୍ଚାଇ ରଖିଥିଲେ ସେମାନଙ୍କ ଜୈବ ଅଧିକାର ଏ ଭୂମି ଉପରେ ନା ନାହିଁ? ଏଭଳି କେହି ନାହିଁ ଯିଏ ୟାଙ୍କୁ ଅଧିକାରରୁ ବଞ୍ଚିତ କରିବ । ଏମାନଙ୍କ ବିନା କାଶ୍ମୀରୀୟତ ମୃତ । କାଶ୍ମୀର ବିନା ଭାରତୀୟତାର ସଭ୍ୟତା ଅଙ୍ଗ ଖଣ୍ଡିତ । 

କାଶ୍ମୀରରୁ ଉତ୍ପାଟିତ ହିନ୍ଦୁମାନେ କାଶ୍ମୀର ଉପତ୍ୟକାକୁ ନଫେରିଲା ପର୍ଯ୍ୟନ୍ତ କାଶ୍ମୀର ତାର ସଭ୍ୟତାଗତ ସୂତ୍ର ଫେରିପାଇବ ନାହିଁ । କାଶ୍ମୀରର ଇସ୍ଲାମିକ ବର୍ତ୍ତମାନ ତାର ସ୍ୱରୂପ ନୁହେଁ । ପାଞ୍ଚଶହ ବର୍ଷର ଇସ୍ଲାମ ପାଞ୍ଚହଜାର ବର୍ଷର ସନାତନ-ବୌଦ୍ଧ-ହିନ୍ଦୁ ସଭ୍ୟତା ଉପରେ ସବାର ହେଇପାରିଚି କେବଳ ବ୍ୟାପକ ଧର୍ମାନ୍ତରଣ ଓ ପୋଗ୍ରୋମ (ଲୋକକ୍ଷୟୀ ବିସ୍ଥାପନ) ବଳରେ । ଭାରତରେ ବି ଛଅ ସାତ ଶହ ବର୍ଷର ଅହିନ୍ଦୁ ରାଜସତ୍ତା ଥିଲା, କିନ୍ତୁ ଧର୍ମାନ୍ତରଣ ଏଠି ବିଫଳ ହେଲା ଓ ଭାରତର ବହୁଳତାବାଦୀ ହିନ୍ଦୁଚରିତ୍ର ବଳବତ୍ତର ରହିଲା । ଏବେ କାଶ୍ମୀରର ପୁନର୍ଜନୀକରଣ (ରିପିପଲିଂ) ଦରକାର । କାଶ୍ମୀରକୁ ଭାରତ ପାଇଁ ଖୋଲିଦିଆଯାଉ । ଗୋଟିଏ ଅପ୍ରାକୃତିକ ଇସ୍ଲାମିକ ରାଜ୍ୟ ସେକ୍ୟୁଲାର ଭାରତୀୟ ଗଣରାଜ୍ୟରେ ଏକ ଦ୍ୱୀପ ଭଳି ରହିବ କାହିଁକି? ଭାରତର ଯେକୌଣସି ରାଜ୍ୟ ଭଳି ଅବାଧ ଓ ମୁକ୍ତ ହେଉ କାଶ୍ମୀର, ଏକ ଗୋପନ କ୍ଷତ ଭଳି ଚିର ବ୍ୟଥାପ୍ରଦ ରକ୍ତସ୍ରାବୀ କ୍ଷତ ହୋଇ ନରହୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.