ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (IAF) ଦ୍ୱାରା ପରିଚାଳିତ ଅପରେସନ୍ ସିନ୍ଦୁରରେ ପାକିସ୍ତାନ ବାୟୁସେନା (PAF) କୁ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିଛି। ମାତ୍ର ଦୁଇ ଦିନ ମଧ୍ୟରେ ପାକିସ୍ତାନର ୬ଟି ଯୁଦ୍ଧ ବିମାନ, ଗୋଟିଏ AWACS (Airborne Warning and Control System) ବିମାନ ଏବଂ ଗୋଟିଏ C-130 ପରିବହନ ବିମାନ ନଷ୍ଟ ହୋଇଥିବା ରିପୋର୍ଟ ହୋଇଛି। ଏହା ସହିତ ପାକିସ୍ତାନର ଅନେକ ରାଡାର ସିଷ୍ଟମ୍ ଏବଂ ଏୟାରବେସ୍ ମଧ୍ୟ ଧ୍ୱଂସ ହୋଇଛି।
ସୂଚନା ମୁତାବକ, ଏହି ଅପରେସନ୍ ମେ ୭ ତାରିଖରେ ଆରମ୍ଭ ହୋଇଥିଲା। ଯାହା ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବ ସ୍ୱରୂପ ଆରମ୍ଭ ହୋଇଥିଲା। ଯେଉଁଥିରେ ୨୬ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଭାରତ ଏହି ଆକ୍ରମଣ ପାଇଁ ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନଙ୍କୁ ଦାୟୀ କରିଥିଲା। ଅପରେସନ୍ ସିନ୍ଦୁର ମାଧ୍ୟମରେ ଭାରତୀୟ ବାୟୁସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଅବସ୍ଥାନଗୁଡ଼ିକୁ ଟାର୍ଗେଟ କରି ସଫଳ ଆକ୍ରମଣ କରିଥିଲା।
ଇଣ୍ଡିଆ ଟୁଡେର ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ନୂରଖାନ, ମୁଶାଫ, ଫୈସଲ ଏବଂ ଲୋଧରାନ ଏୟାରବେସ୍ ଉପରେ ଭାରତୀୟ ବାୟୁସେନାର ସଠିକ ଆକ୍ରମଣ ଯୋଗୁଁ PAFର ଅନେକ ହ୍ୟାଙ୍ଗର ଏବଂ ରାଡାର ସିଷ୍ଟମ୍ ଧ୍ୱଂସ ହୋଇଛି। ଏହା ସହିତ ୩୦ରୁ ଅଧିକ ପାକିସ୍ତାନୀ ମିସାଇଲ ମଧ୍ୟ ନଷ୍ଟ ହୋଇଛି। ଏହି ଆକ୍ରମଣ ପାକିସ୍ତାନ ବାୟୁସେନାର ସାମର୍ଥ୍ୟକୁ ବହୁତ ଦୁର୍ବଳ କରିଦେଇଛି, ଯାହାର ପୁନରୁଦ୍ଧାର ପାଇଁ PAFକୁ ବର୍ଷ ବର୍ଷ ସମୟ ଲାଗିବ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି।
ଭାରତୀୟ ସେନାର ସଂଯୁକ୍ତ ମୁଖ୍ୟ ଜେନେରାଲ ଅନିଲ ଚୌହାନ ସିଙ୍ଗାପୁରରେ ଶାଙ୍ଗ୍ରି-ଲା ଡାଏଲଗ୍ ସମୟରେ କହିଥିଲେ ଯେ ଭାରତୀୟ ବାୟୁସେନା ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି କ୍ଷତି ସହିଥିଲା। କିନ୍ତୁ ଭାରତ ଏହି ଭୁଲଗୁଡ଼ିକୁ ସଂଶୋଧନ କରି ମେ ୭, ୮ ଏବଂ ୧୦ ତାରିଖରେ ପାକିସ୍ତାନର ଏୟାରବେସ୍ ଉପରେ ଶକ୍ତିଶାଳୀ ଆକ୍ରମଣ କରିଥିଲା। ତେବେ ସେ ପାକିସ୍ତାନ ଦାବି କରିଥିବା ୬ଟି ଭାରତୀୟ ଯୁଦ୍ଧ ବିମାନ ଖସାଇବା ଖବରକୁ ସମ୍ପୂର୍ଣ୍ଣ ଭୁଲ ବୋଲି କହି ଏହାକୁ ଖାରଜ କରିଛନ୍ତି।
ଏହି ଅପରେସନ୍ ଭାରତୀୟ ବାୟୁସେନାର ସାମର୍ଥ୍ୟ ଏବଂ ଦକ୍ଷତାକୁ ପ୍ରଦର୍ଶନ କରିଛି। ଯାହା ପାକିସ୍ତାନର ସାମରିକ ସ୍ଥିତିକୁ ନେଇ ଏକ ଶକ୍ତିଶାଳୀ ବାର୍ତ୍ତା ଦେଇଛି।