ନୂଆଦିଲ୍ଲୀ/କାବୁଲ: କରାଚୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ପାକିସ୍ତାନ ସୀମା ପାର୍ କରିଛି । ରବିବାର ଏବଂ ସୋମବାର ମଧ୍ୟରାତ୍ରି ପ୍ରାୟ ୧୨:୩୦ ମିନିଟରେ ପାକିସ୍ତାନୀ ବାୟୁସେନା ଆଫଗାନିସ୍ତାନର ତିନୋଟି ପ୍ରାନ୍ତ ଉପରେ ଭୟାବହ ଏୟାରଷ୍ଟ୍ରାଇକ୍ କରିଛି । ଆତଙ୍କବାଦୀ ସଂଗଠନ 'ତେହରିକ-ଏ-ତାଲିବାନ' (ଟିଟିପି) ଏବଂ 'ଜମାତ-ଉଲ-ଅହରାର'ର ଗଡ଼କୁ ଧ୍ୱଂସ କରିଥିବା ପାକିସ୍ତାନ ସରକାର ଦାବି କରୁଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ ସଙ୍ଗୀନ । ପାକିସ୍ତାନ ପ୍ରତିଥର ଭଳି ଏଥର ମଧ୍ୟ ସାଧାରଣ ନାଗରିକ ଓ ଆବାସିକ ଅଞ୍ଚଳକୁ ଟାର୍ଗେଟ୍ କରିଛି, ଯେଉଁଥିରେ ୩୫ ରୁ ଅଧିକ ନିରୀହ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ ରୁ ଅଧିକ ଆହତ ହୋଇଛନ୍ତି ।

ଆଫଗାନିସ୍ତାନରୁ ଆସିଥିବା ହୃଦୟ ବିଦାରକ ଦୃଶ୍ୟରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ମୃତକଙ୍କ ମଧ୍ୟରେ ୪ ରୁ ୯ ବର୍ଷର କୋମଳମତି ଶିଶୁ ଏବଂ ଅନେକ ବୃଦ୍ଧ ରହିଛନ୍ତି । ଶତାଧିକ ନିଷ୍ପାପ ଶିଶୁ ଏବେ ସରକାରୀ ମାଲଖାନା ଓ ଡାକ୍ତରଖାନାରେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଅପରପକ୍ଷରେ, ବିଶ୍ୱକୁ ଭ୍ରମିତ କରିବା ପାଇଁ ପାକିସ୍ତାନର ମନ୍ତ୍ରୀ ଆତାଉଲ୍ଲା ତରାର ଦାବି କରିଛନ୍ତି ଯେ ଏହି ଏୟାରଷ୍ଟ୍ରାଇକରେ ୨୫ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଭାରତୀୟ ସମୟ ଅନୁସାରେ ରାତି ପ୍ରାୟ ୧୨:୩୦ରେ ପାକିସ୍ତାନୀ ବାୟୁସେନା ଆଫଗାନିସ୍ତାନର ପକ୍ତିକା ପ୍ରାନ୍ତ ଗିୟାନ ଅଞ୍ଚଳ, ପକ୍ତିୟା ପ୍ରାନ୍ତ ଚମକାନୀ ଅଞ୍ଚଳ, କୁନାର ପ୍ରାନ୍ତ ମରବାରା ଅଞ୍ଚଳକୁ ଟାର୍ଗେଟ୍ କରିଥିଲା ।

ଦ୍ୱିତୀୟ ଥର ଆକ୍ରମଣର କାପୁରୁଷତା:

ପ୍ରଥମ ଆକ୍ରମଣ ପରେ ଯେତେବେଳେ ସ୍ଥାନୀୟ ଲୋକେ ପୀଡ଼ିତଙ୍କ ସାହାଯ୍ୟ ପାଇଁ ମଲବାର ନିକଟକୁ ଦୌଡ଼ିଥିଲେ, ଠିକ୍ ୧୨:୫୫ ମିନିଟରେ ପାକିସ୍ତାନୀ ବାୟୁସେନା ସେହି ନିରୀହ ଜନଗହଳି ଉପରେ ପୁଣିଥରେ ବୋମା ବର୍ଷଣ କରିଥିଲା । ଯେଉଁଥିପାଇଁ ମୃତ୍ୟୁ ଓ ଆହତଙ୍କ ସଂଖ୍ୟା ଏତେ ବୃଦ୍ଧି ପାଇଛି । ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଥିବା ଏବଂ ଚିକିତ୍ସିତ ହେଉଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, "ଯେତେବେଳେ ବୋମାମାଡ଼ ହେଲା, ସେଠାରେ କୌଣସି ସେନା କିମ୍ବା ଆତଙ୍କବାଦୀ ନଥିଲେ । ପାକିସ୍ତାନ ମିଛ କହୁଛି । ଆକ୍ରମଣର ଶିକାର ହୋଇଥିବା ସମସ୍ତେ ସାଧାରଣ ନାଗରିକ ।" ଦୁବାଇରୁ ଦୁଇ ମାସ ତଳେ ଘରକୁ ଫେରିଥିବା ଚମକାନୀର ଜଣେ ଆହତ ବ୍ୟକ୍ତି କହିଛନ୍ତି ଯେ, ପ୍ରଥମ ବୋମାମାଡ଼ ତାଙ୍କ ପଡ଼ୋଶୀ ବାଦଶାହ ଖାନଙ୍କ ଘର ଉପରେ ହୋଇଥିଲା । ମଲବା ତଳୁ ମହିଳା ଓ ଶିଶୁଙ୍କୁ ଉଦ୍ଧାର କରିବା ସମୟରେ ପାକିସ୍ତାନୀ ସେନା ଦ୍ୱିତୀୟ ଏୟାରଷ୍ଟ୍ରାଇକ୍ କରିଥିଲା, ଯେଉଁଥିରେ ଉଦ୍ଧାରକାରୀ ଦଳର ପ୍ରାୟ ଡଜନରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି ।

ଏହା ବି ପଢ଼ନ୍ତୁ... 

୯ ମାସରେ ୫୬୫ ଆଫଗାନ ନାଗରିକଙ୍କୁ ହତ୍ୟା କଲାଣି ପାକିସ୍ତାନ:

ଆତଙ୍କବାଦର ପେଣ୍ଠସ୍ଥଳ କୁହାଯାଉଥିବା ପାକିସ୍ତାନ ନିଜ ଦେଶରେ ହେଉଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ସବୁବେଳେ ଆଫଗାନିସ୍ତାନକୁ ଦାୟୀ କରିଆସୁଛି । ଗତ ବର୍ଷ ସେପ୍ଟେମ୍ବର ମାସଠାରୁ ଆତଙ୍କବାଦ ବିରୋଧୀ ଅଭିଯାନ ନାଁରେ ପାକିସ୍ତାନୀ ବାୟୁସେନା କ୍ରମାଗତ ଭାବେ ଆଫଗାନିସ୍ତାନ ଉପରେ ଆକ୍ରମଣ କରୁଛି । କିନ୍ତୁ ଦୁଃଖର ବିଷୟ, ଏହିସବୁ ଆକ୍ରମଣରେ କୌଣସି ଆତଙ୍କବାଦୀ କ୍ୟାମ୍ପ ଧ୍ୱଂସ ହେଉନାହିଁ, ବରଂ ସାଧାରଣ ଲୋକଙ୍କ ଘର, ମସଜିଦ୍, ମହିଳା ଏବଂ ଶିଶୁମାନେ ଏହାର ଶିକାର ହେଉଛନ୍ତ। ଗତ ୯ ମାସ ମଧ୍ୟରେ ପାକିସ୍ତାନୀ ବାୟୁସେନାର ବର୍ବର ଆକ୍ରମଣ ଯୋଗୁଁ ପ୍ରାୟ ୫୬୫ ଜଣ ନିରୀହ ଆଫଗାନ ନାଗରିକଙ୍କ ମୃତ୍ୟୁ ହୋଇଛି, ଯାହା ବିଶ୍ୱ ସମୁଦାୟ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି ।