ନୂଆଦିଲ୍ଲୀ,୩୧।୩: ଇରାନ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧରେ ପାକିସ୍ତାନ ମଧ୍ୟସ୍ଥି ହେବାକୁ ଆଗକୁ ଆସିଛି। ତେବେ ଇସ୍ରାଏଲକୁ ଏହା ପସନ୍ଦ ନୁହେଁ। ଇସ୍ରାଏଲର କହିବା ଅନୁସାରେ, ପାକିସ୍ତାନଠାରୁ ଭଲ ମଧ୍ୟସ୍ଥତା ଭାରତ କରିପାରିବ। ତେବେ ଖବର ରହିଛି ଯେ, ଇରାନ ପକ୍ଷରୁ ମଧ୍ୟସ୍ଥତା ନେଇ ମନା କରାଯାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ଓ ସେନା ମୁଖ୍ୟ ଅସୀମ ମୁନୀର ଏହି ମଧ୍ୟସ୍ଥତା ଆୟୋଜନ କରିବା ନେଇ ଅନୁରୋଧ କରିଛନ୍ତି।

ଏକ ସାକ୍ଷାତକାରରେ ଇସ୍ରାଏଲର ବୈଦେଶିକ ମନ୍ତ୍ରଣାଳୟର ସ୍ବତନ୍ତ୍ର ରାଷ୍ଟ୍ରଦୂତ ଫ୍ଲୁର ହସନ-ନହୁମଙ୍କୁ ପାକିସ୍ତାନର ମଧ୍ୟସ୍ଥତାକୁ ନେଇ ପ୍ରଶ୍ନ କରାଯାଇଥିଲା। ସେ କହିଥିଲେ, ମୋତେ ଜଣାନାହିଁ ପାକିସ୍ତାନକୁ କାହିଁକି ଲାଗୁଛି ସେ ଏହା କରିପାରିବ ? ମୋତେ ଲାଗୁଛି ସେ ନିଜକୁ ପ୍ରାସଙ୍ଗିକ କରିବାର ଚେଷ୍ଟା କରୁଛି। ସେ ନିଜେ ଜିହାଦୀ ଆତଙ୍କବାଦୀ ଦୁନିଆରେ ଏକ ବହୁତ ବଡ଼ ସମସ୍ୟା। ସେମାନେ ଚେଷ୍ଟା କରିପାରନ୍ତି,କିନ୍ତୁ ମୋତେ ଆଶା ନାହିଁ ସେମାନେ ସଫଳ ହେବେ।’

ଏହି ସମୟରେ ସେ ଭାରତ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ଚର୍ଚ୍ଚା ମଧ୍ୟ କରିଛନ୍ତି। ସେ କହିଛନ୍ତି, ଇସ୍ରାଏଲର ଏକ ଖୁବ୍ ଘନିଷ୍ଠ ସହଯୋଗୀ ଦେଶ ଭାରତ। ଯୁଦ୍ଧ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଠାକୁ ଆସିଥିଲେ। ଭାରତ ସମସ୍ତଙ୍କ ସହ ଭଲ ସମ୍ପର୍କ ରଖିଥାଏ। ଯଦି ଆପଣ ମୋତେ ପଚାରିବେ, ତେବେ ପାକିସ୍ତାନ ତୁଳନାରେ ବହୁ ଗୁଣରେ ଭଲ ମଧ୍ୟସ୍ଥତା ଭାରତ କରିପାରିବ।

ଇରାନ ସୋମବାର ଆମେରିକା ସହିତ ଯୁଦ୍ଦ ଶେଷ କରିବା ଉପରେ ଆଲୋଚନା କରିବାକୁ ମନା କରିଛି। ଇରାନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଇସ୍ମାଇଲ ବଘାଇ କହିଛନ୍ତି, ତେହରାନକୁ ମଧ୍ୟସ୍ଥିଙ୍କ ମାଧ୍ୟମରେ ବାର୍ତ୍ତା ମିଳିଛି ଯେ, ଆମେରିକା ଆଲୋଚନା ପାଇଁ ପ୍ରସ୍ତୁତ। ତାଙ୍କ ପକ୍ଷରୁ ପଠାଯାଇଥିବା ସର୍ତ୍ତ ଅତର୍କିତ ଥିଲା। ଆମର ଆଭିମୁଖ୍ୟ ସ୍ପଷ୍ଟ। ଆମ ଉପରେ ସାମରିକ ଆକ୍ରମର ହୋଇଛି। ତେଣୁ ଆମେ ପୁରା ଶକ୍ତିର ସହ ନିଜର ରକ୍ଷା କରିବୁ।

ଆହୁରି ପଢନ୍ତୁ :ପାଲେଷ୍ଟାନୀୟଙ୍କୁ ସିଧା ମୃତ୍ୟୁଦଣ୍ଡ ,ସଜା ଘୋଷଣାର କେବଳ ୯୦ ଦିନରେ ହିଁ ମିଳିବ ଫାଶୀ