ନୂଆଦିଲ୍ଳୀ,୧୩।୪:ପାକିସ୍ତାନ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନାରେ ମଧ୍ୟସ୍ଥତା ସାଜିଛି। ହେଲେ ଅନ୍ୟପକ୍ଷେ କିନ୍ତୁ ଯୁଦ୍ଧରେ ପରୋକ୍ଷରେ ଭାଗ ନେଇଛି। କାରଣ  ପାକିସ୍ତାନ  ଏବେ ଇରାନରେ ଏକକାଳୀନ ୧୩୦୦୦ସୈନ୍ୟ ଏବଂ ଯୁଦ୍ଧ ବିମାନ ମୁତୟନ କରିଛି। ହର୍ମୁଜ ସଙ୍କଟ ମଧ୍ୟରେ, ପାକିସ୍ତାନର ଦୋମୁହଁ ନୀତି ଏବେ ପ୍ରଶ୍ନ ଉଠାଇଛି ଯେ ଏହା ଶାନ୍ତି ଦିଗରେ କାମ କରିବ କି ଆଞ୍ଚଳିକ ସଂଘର୍ଷରେ ସାଉଦି ଆରବକୁ ସମର୍ଥନ କରିବ। ସୁତ୍ର ଅନୁସାରେ ସାଉଦି ଆରବର ଢାହରାନରେ ପାକିସ୍ତାନ ଏହି ଫାଇଟର ଜେଟ୍ ମୁତୟନ କରିଛି। ଏନେଇ ନିଜେ ସାଉଦି ଆରବର ପ୍ରତିରକ୍ଷା ମନ୍ତ୍ରଣାଳୟ ଘୋଷଣା କରିଛି।

ସୂତ୍ର ଅନୁସାରେ, ପାକିସ୍ତାନ ପାରସ୍ୟ ଉପସାଗର ନିକଟରେ ସାଉଦି ଆରବର ଧାହରାନ ଅଞ୍ଚଳର କିଙ୍ଗ ଅବଦୁଲ ଅଜିଜ୍ ବାୟୁସେନା ଘାଟିରେ ଏହାର ବାୟୁସେନା ସ୍କ୍ବାଡ୍ରନ୍ ନମ୍ବର ୧୧ରୁ ୧୭ଟି F-୧୭ ଲଢ଼ୁଆ ବିମାନ ମୁତୟନ କରିଛି। ଇରାନ ସୀମାରୁ ମାତ୍ର ୨୨୦ କିଲୋମିଟର ଦୂରରେ ରହିଛି ଏହି ସ୍କ୍ବାଡ୍ରନ୍, ଯଦି ସାଉଦି ଆରବ ଉପରେ ଇରାନ ଆକ୍ରମଣ କରେ ତେବେ ଏହାକୁ ପାଲଟା ଆକ୍ରମଣ କରିବ। ଏହା ସହିତ ପାକିସ୍ତାନ ଅବଦୁଲ ଅଜିଜ୍ ବାୟୁସେନା ଘାଟିରେ ଏକ ଭ୍ରାମ୍ୟମାଣ ଯୁଦ୍ଧପୋତ, ଏକ Saab-2000 ବିମାନ ମଧ୍ୟ ମୁତୟନ କରିଛି। ପାକିସ୍ତାନୀ ସେନା ଏହାକୁ ଶତ୍ରୁପକ୍ଷ କ୍ଷେପଣାସ୍ତ୍ର ଆସିବା ପୂର୍ବରୁ ଚିହ୍ନଟ ଏବଂ ଅଟକାଇବା ପାଇଁ ବ୍ୟବହାର କରେ। Saab-2000 ଶତ୍ରୁ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ମଧ୍ୟ ବ୍ୟବହୃତ ହୁଏ, ତେଣୁ ଏହାକୁ ଏୟାରବର୍ନ ଅର୍ଲି ଓ୍ବାର୍ଣ୍ଣିଂ ଆଣ୍ଡ କନଟ୍ରୋଲ ସିଷ୍ଟମ (AWCS)ବୋଲି କୁହାଯାଏ।

ସାଉଦି ଆରବରେ ପାକିସ୍ତାନ ନିଜର ଯୁଦ୍ଧ ବିମାନ ଓ Saab-2000 ଏୟାରବର୍ନ ଅର୍ଲି ଓ୍ବାର୍ଣ୍ଣିଂ ଆଣ୍ଡ କନଟ୍ରୋଲ ସିଷ୍ଟମ ବ୍ୟତୀତ ଏହି ଯୁଦ୍ଧ ବିମାନ ଓ ସାବ୍କୁ ଉଡଉଥିବା ପାଇଲଟ୍ ଛଡା ୨୦ରୁ ଅଧିକ ଅନ୍ୟ ପାକିସ୍ତାନୀ ପାଇଲଟଙ୍କୁ ସାଉଦି ଆରବରେ ମୁତୟନ କରାଯାଇଛି,ଯେଉଁମାନେ କି ସାଉଦି ଆରବ ଉପରେ ଇରାନର ଆକ୍ରମଣ ସ୍ଥିତିରେ ସାଉଦି ଏଫ୍-୧୫ ଇଗଲ ଯୁଦ୍ଧ ବିମାନକୁ ଉଡାଇବ। ଏହା ସହିତ ପାକିସ୍ତାନୀ ସେନା କିଙ୍ଗ ଅବଦୁଲ ଅଜିଜ ବେସ୍ରେ ଆଣ୍ଟି ଡ୍ରୋନ୍ ସିଷ୍ଟମ ଲଗାଇଛି, ଯାହାକି କରାଚୀ ଓ କ୍ବେଟାରେ ମୁତୟନ ଥିଲା।

ସାଉଦି ଆରବ ପ୍ରତିରକ୍ଷା ଚୁକ୍ତିନାମା ଅନୁଯାୟୀ ପାକିସ୍ତାନକୁ ତାର ସେନା, ଲଢ଼ୁଆ ବିମାନ ଏବଂ ଅନ୍ୟାନ୍ୟ ସାମରିକ ସହାୟତା ମୁତୟନ କରିବାକୁ ଲଗାତାର ଚାପ ପକାଇ ଆସୁଛି। ତଥାପି, ପାକିସ୍ତାନ ପ୍ରତ୍ୟେକ ଥର ସାଉଦି ଆରବକୁ କେବଳ ପ୍ରତିଶ୍ରୁତି ଦେଇ ଆସୁଛି। ପ୍ରଥମେ, ମାର୍ଚ୍ଚ ୬ ତାରିଖରେ, ଯୁଦ୍ଧ ମଧ୍ୟରେ, ପାକିସ୍ତାନର ଫିଲ୍ଡ ମାର୍ଶାଲ ଅସୀମ ମୁନିର ସାଉଦି ଆରବ ଗସ୍ତ କରିଥିଲେ ଏବଂ ସାଉଦି ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ ବିନ୍ ଜାଏଦଙ୍କୁ ଭେଟି ପ୍ରତିଶ୍ରୁତି ଦେଇଥିଲେ ଯେ ପାକିସ୍ତାନ ସାଉଦି ଆରବକୁ ରକ୍ଷା କରିବା ପାଇଁ ତାର ସାମରିକ ବାହିନୀ ମୁତୟନ କରିବ। କିନ୍ତୁ, ପାକିସ୍ତାନ ଏହି ପ୍ରତିଶ୍ରୁତି ପାଳନ କରିନଥିଲା। ଗତ ବର୍ଷ, ସାଉଦି ଆରବ ଏବଂ ପାକିସ୍ତାନ ଏକ ରଣନୈତିକ ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷର କରିଥିଲେ, ଯାହା ଅନୁଯାୟୀ ଉଭୟ ଦେଶ ଉଭୟ ପାର୍ଶ୍ୱର ଯେକୌଣସି ଆକ୍ରମଣକୁ ନିଜ ଉପରେ ଆକ୍ରମଣ ଭାବରେ ବିବେଚନା କରିବେ। କୁହାଯାଉଛି ଯେ ଏହି ସୈନ୍ୟମାନେ ପ୍ରତିରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି ଏବଂ ଇରାନ ଉପରେ ଆକ୍ରମଣ କରିବେ ନାହିଁ।

ଏହି ମାମଲାରେ ଟର୍ଣ୍ଣିଂ ପଏଣ୍ଟ ସାଜିଥିଲା ୟୁଏଇ ପକ୍ଷରୁ ପାକିସ୍ତାନକୁ ଦିଆଯାଇଥିବା ୩.୫ ବିଲିୟନ ଡଲାର ଋଣ। ଯାହାର କିସ୍ତି ମାଗିଥିଲା ସାଉଦି। ଏହା ପରେ ପାକିସ୍ତାନ ପ୍ରଥମେ ସାଉଦି ଆରବରୁ ଆର୍ଥିକ ସହାୟତା ଲୋଡ଼ିଥିଲା ଏବଂ ତା’ପରେ ଗୁରୁବାର,୯ ଏପ୍ରିଲରୁ ସାଉଦି ଆରବରେ ଏହାର ସେନା, ଲଢ଼ୁଆ ବିମାନ, ଆଣ୍ଟି ଡ୍ରୋନ୍ ସିଷ୍ଟମ ଏବଂ Saab-2000 ଏୟାରବର୍ଣ୍ଣ ଆର୍ଲି ଓ୍ବାର୍ଣ୍ଣିଂ ଆଣ୍ଡ କନଟ୍ରୋଲ ସିଷ୍ଟମ (AWCS) ମୁତୟନ କରିବା ଆରମ୍ଭ କରିଥିଲା।